Unknown

 

 

 

 

 

 

 

 

 

 

 

ବନ୍ଦୀ ଲାଲସିଂହ

ଶ୍ରୀ କଣ୍ଡୁରିଚରଣ ଦାସ

 

ଲାଲସିଂହ ସିରିଜ

 

୧.

ଦସ୍ୟୁ ଲାଲସିଂହ

୨.

ଲାଲସିଂହ ଓ ଲାଲବାଈ

୩.

ବନ୍ଦୀ ଲାଲସିଂହ

୪.

ଲାଲସିଂହର ଅଜ୍ଞାତବାସ

୫.

ଦାନବୀର ଲାଲସିଂହ

୬.

ଲାଲସିଂହର ମାୟାଚକ୍ର

୭.

ଅଶରୀରୀ ଲାଲସିଂହ

Image

 

ବନ୍ଦୀ ଲାଲସିଂହ

 

ସମରେଶ ମଦନରାଏ ତାଙ୍କର ଦ୍ୱିତଳ ପ୍ରାସାଦ ଉପରେ ବସି ସମୁଦ୍ରର ଉତ୍ତାଳ ତରଙ୍ଗ ଆଡ଼େ ଚାହିଁଥିଲେ । ଧୀରେ ଧୀରେ ସନ୍ଧ୍ୟା ନଇଁ ଆସୁଥିଲା । ମଦନରାଏ କେବଳ ସ୍ତବ୍‌ଧ ହୋଇ ସେହି ଆଡ଼େ ଚାହିଁ ବସିଥିଲେ ।

 

ସମରେଶ ମଦନରାଏ ରିଟାଏଡ଼୍‌ ଜଜ୍‌ । ତାଙ୍କର ଦୁଇ ପୁତ୍ର ଓ ଏକ କନ୍ୟା । ପୁତ୍ର ଦୁଇଟି ଉଚ୍ଚଶିକ୍ଷା କରିବା ପାଇଁ ବିଦେଶ ଯାଇଛନ୍ତି ଆଉ କନ୍ୟା ନୀଳିମା ବି.ଏ. ପାଶ୍‌ କରିସାରି ବାପାଙ୍କ ପାଖରେ ଅଛି । ମଦନରାଏ ଆସି ବାର୍ଦ୍ଧକ୍ୟରେ ପହଞ୍ଚିଛନ୍ତି । ତାଙ୍କୁ ଆଉ ପୃଥିବୀର କୌଣସି ମାୟା ଆକର୍ଷଣ କରିପାରୁ ନାହିଁ । ମନ ଭାଙ୍ଗିଯାଇଛି । ସେ ଚାହୁଛନ୍ତି କେବଳ ବିଶ୍ରାମ । ସେଇଥିପାଇଁ ପୁରୀ ସମୁଦ୍ର କୂଳରେ ଗୋଟିଏ ଘର ଭଡ଼ା ନେଇ କନ୍ୟା ନୀଳିମା ସହ ବସବାସ କରୁଛନ୍ତି ।

 

ମଦନରାଏ ସକାଳ ଓ ସନ୍ଧ୍ୟାରେ ପ୍ରାୟ ବାରଣ୍ଡା ଉପରେ ଗୋଟିଏ ଇଜି ଚେୟାର ଉପରେ ଦରଶୁଆ ହୋଇ ସମୟ କଟାଇ ଦିଅନ୍ତି । ବୋଧହୁଏ ସମୁଦ୍ରର ଅଫୁରନ୍ତ ନୀଳ ଢେଉ ତାଙ୍କ ପ୍ରାଣରେ ଶୀତଳ ପ୍ରଲେପ ବୋଳିଦିଏ । ସେ ସେଇଆଡ଼େ ଚାହିଁ ଚାହିଁ କ୍ଳାନ୍ତ ହୋଇ ପଡ଼ନ୍ତି । ଆଖି ଥକିପଡ଼େ । ନିଦ୍ରା ଘାରି ଆସେ । ସେ ଶୋଇ ପଡ଼ନ୍ତି ।

 

ନୀଳିମା ସେଦିନ ଖଣ୍ଡିଏ ଚେଆର ଉପରେ ବାରଣ୍ଡାରେ ବସି ବାପାଙ୍କ ସହିତ ଗଳ୍ପ କରୁଥିଲା । ସମୁଦ୍ରର ନୀଳ ଢେଉ ଆଡ଼େ ଚାହିଁ ଚାହିଁ ତା’ ଆଖି ମଧ୍ୟ କ୍ଳାନ୍ତ ହୋଇ ପଡ଼ିଥିଲା । ଏହି ସମୟରେ ସେ ଜାଣି ପାରିଲା, ବାପା ତା’ର ଶୋଇ ପଡ଼ିଲେଣି । ନୀଳିମା ଚେଆରରୁ ଉଠି ବାରଣ୍ଡାରେ ଠିଆ ହୋଇ ତଳକୁ ଚାହିଁଲା । ଅଗଣନ ପଥଚାରୀଙ୍କ ଭିତରେ କେହି ଜଣେ ହେଲେ ତା’ର ପରିଚିତ ଦେଖା ଯାଉ ନ ଥିଲେ ।

 

ଦେଈ !

 

ନୀଳିମା ପଛଆଡ଼କୁ ବୁଲି ଅନେଇଲା, ତାଙ୍କରି ପରିଚାରିକା ଅଳକା ଡାକୁଚି ।

 

କ’ଣ କିରେ ? ନୀଳିମା ପଚାରିଲା ।

 

ଜଣେ ବାବୁ ଡାକୁଛନ୍ତି ।

 

ମତେ ?

 

ନା ବାପାଙ୍କୁ ।

 

ନୀଳିମା ସଙ୍ଗେ ସଙ୍ଗେ ଆଗେଇ ଗଲା । ଅଳକା ସହିତ ତଳକୁ ଓହ୍ଲେଇ ଯାଇ ଦେଖିଲା, ଜଣେ ସୁଦର୍ଶନ ଯୁବକ ଡ୍ରଇଂରୁମ୍‌ରେ ବସିଛନ୍ତି । ନୀଳିମାକୁ ଦେଖିଲାକ୍ଷଣି ଉଠି ଠିଆ ହୋଇପଡ଼ିଲେ ଏବଂ ହାତ ଯୋଡ଼ି ନମସ୍କାର ଜଣାଇଲେ ।

 

ନୀଳିମାର ମୁଖମଣ୍ଡଳ ଲଜ୍ଜାରେ ଆରକ୍ତ ହୋଇ ଉଠିଲା । ସେ ପ୍ରତି ନମସ୍କାର ଜଣାଇ ତଳକୁ ମୁହଁ ପୋତି ଆଗନ୍ତୁକଙ୍କୁ ବସିବାକୁ କହିଲା ।

 

ଆପଣ ବୋଧହୁଏ ମଦନରାଏଙ୍କ କନ୍ୟା ନୀଳିମା ଦେବୀ ।

 

ନୀଳିମା କେବଳ ମୁଣ୍ଡ ହଲାଇ ସମ୍ମତ୍ତି ଜ୍ଞାପନ କଲା ଏବଂ ମୁହଁ ଟେକି ଯୁବକଟି ଆଡ଼େ ଚାହିଁ କ’ଣ ପଚାରିବ ପଚାରିବ ହୋଇ ପୁଣି ଆଖି ଯୋଡ଼ିକ ତଳକୁ ନୂଆଁଇ ଆଣିଲା ।

 

ଆପଣଙ୍କ ଚାହାଣୀର ଅର୍ଥ ମୁଁ ବୁଝି ପାରିଚି ନୀଳିମାଦେବୀ । ମୋ ନା ଅଶୋକ ଦାସ । ଜଣେ ସାଧାରଣ ଲୋକ । ସମରେଶବାବୁଙ୍କ ସହିତ ଟିକିଏ ଦରକାର ଥିଲା ।

 

ବାପା ଶୋଇଛନ୍ତି । ନୀଳିମା କହିଲା । ବର୍ତ୍ତମାନ ତାଙ୍କର ନିଦ ଭାଙ୍ଗିହେବ ନାହିଁ । କାରଣ ତାଙ୍କ ଆଖିକୁ ନିଦ ସହଜରେ ଆସେ ନାହିଁ । ସେ ରାତି ରାତି ଅନିଦ୍ରା ରହି କଟାଇ ଦିଅନ୍ତି । ସେଥିପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଆମେ ଏଠାରେ ରହିଛୁ, ଆଉ ଫଳ ମଧ୍ୟ ଫଳିଛି । ବାପାଙ୍କୁ ଏଠାରେ ସୁଖ ନିଦ୍ରା ହେଉଛି । ସେ ଏଇ ଅଳ୍ପ ସମୟ ପୂର୍ବରୁ ଶୋଇଛନ୍ତି ।

 

ଅଶୋକ ଦାସ ଟିକିଏ ଚିନ୍ତିତ ହୋଇ ପଡ଼ିଲେ । ପକେଟରୁ ସୁନାର ସିଗାରେଟ୍‌ କେସ୍‌ଟି କାଢ଼ି ଗୋଟିଏ ସିଗାରେଟ୍‌ରେ ଅଗ୍ନି ସଞ୍ଜୋଗ କଲେ । କିଛି ସମୟ ନୀରବରେ କଟିଗଲା-

 

ଆପଣ ଚା’ ଖାଆନ୍ତି ? ନୀଳିମା ପଚାରିଲା ।

 

ଅଶୋକ ଦାସଙ୍କ ଧ୍ୟାନ ଭଙ୍ଗ ହେଲା । ହଁ ଖାଏ, ତେବେ ବର୍ତ୍ତମାନ ନ ହେଲେ ଚଳିବ ।

 

ଆପଣ ବାପାଙ୍କ ଉଠିବାଯାଏ ଅପେକ୍ଷା କରିବେ ?

 

ସେଇକଥା ଭାବୁଚି, ଅପେକ୍ଷା କରିବି ନା କାଲି ସକାଳେ ଆସିବି । ମୋର ଦରକାରଟା କିନ୍ତୁ ଖୁବ୍‌ ଜରୁରୀ ।

 

ମୋତେ ଯଦି କହିବା ଭଳି ହୋଇଥାଏ କୁହନ୍ତୁ । ମୁଁ ବାପାଙ୍କୁ କହିଥିବି । କାଲି ସକାଳେ ଆସି ଆପଣଙ୍କୁ ଆଉ ବିଶେଷ ଅସୁବିଧା ଭୋଗିବାକୁ ପଡ଼ିବ ନାହିଁ ।

 

ଅଶୋକ ଦାସ ନୀଳିମା ମୁହଁକୁ ଚାହିଁଲେ । ଆଖିରେ ଆଖି ମିଶିଗଲା । ନୀଳିମାର ଚାହାଣୀ ନତ ହୋଇ ଆସିଲା । ଅଶୋକ ଦାସ ନୀଳିମାର ଆରକ୍ତ ମୁଖମଣ୍ଡଳ ଉପରୁ ଦୃଷ୍ଟି ଫେରାଇ ଆଣି କହିଲେ, ସମରେଶବାବୁଙ୍କଠାରୁ ଜଣେ ଫାଶୀ ଆସାମୀ ସମ୍ବନ୍ଧରେ କେତେକ କଥା ଜାଣିବାର ଥିଲା ।

 

ଫାଶୀ ଆସାମୀ ? ନୀଳିମା ବିସ୍ମୟ ବିସ୍ଫାରିତ ନେତ୍ରରେ ଅନାଇ ରିହଲା । କିଛି ସମୟ ପରେ କହିଲା, ଆପଣ ବୋଧହୁଏ ଜାଣି ନାହାନ୍ତି, ବାପା ଅନେକ ଦିନ ହେବ ଅବସର ଗ୍ରହଣ କଲେଣି । ତେଣୁ....

 

ମୁଁ ଜାଣିଛି ନୀଳିମାଦେବୀ, ଅଶୋକ ସ୍ମିତ ହସି କହିଲେ । ମୁଁ ଏପରି ଏକ ଆସାମୀ ସମ୍ବନ୍ଧରେ କେତୋଟି ତଥ୍ୟ ଜାଣିବାକୁ ଆସିଛି, ଯାହା ସମ୍ବନ୍ଧରେ ବାପାଙ୍କର ଅନେକ କଥା ମନେ ଥିବ ।

 

ମାନେ ? ନୀଳିମାର ନୀଳ ଡୋଳା ଯୋଡ଼ିକ ଥରି ଉଠିଲା ।

 

ସମରେଶ ମଦନରାଏଙ୍କର ବିଚାରକ ଜୀବନରେ ସେଇ ଆସାମୀଟା ଶେଷ ଆସାମୀ-। ତା’ ପରେ ସେ ଆଉ କୋର୍ଟକୁ ଯାଇ ନାହାନ୍ତି ।

 

ବାପା କ’ଣ ସେଇ ଆସାମୀକୁ ଫାଶୀ ହୁକୁମ ଦେଇଥିଲେ ?

 

ଅନେକଟା ସେଇଆ । ଅଶୋକ ଟିକିଏ ଚିନ୍ତ କରି କହିଲେ, ଜୁରୀମାନଙ୍କ ସହିତ ସେ ଏକମତ ହୋଇ ନ ଥିଲେ ଆସାମୀଟିର ହୁଏତ ଜୀବନ ରକ୍ଷା ହୋଇ ପାରି ଥାଆନ୍ତା । କିନ୍ତୁ ସେ ତାଙ୍କ ବିଚାରକ ଆସନର ଦୃଢତା ଶେଷ ପର୍ଯ୍ୟନ୍ତ ରକ୍ଷା କରି ପାରିଲେ ନାହିଁ ।

 

ତା’ହେଲେ ଆପଣ କହୁଛନ୍ତି ଆସାମୀଟି ନିର୍ଦ୍ଦୋଷ ଥିଲା । ବାପା ତା’କୁ ଫାଶୀ ହୁକୁମ....

 

ନା ନା ନୀଳିମା ଦେବୀ ! ଆପଣ ମୋତେ ଭୁଲ୍‌ ବୁଝନ୍ତୁ ନାହିଁ । ମୁଁ ଆପଣଙ୍କ ବାପାଙ୍କର ଦୋଷ ଗୁଣ ବିବେଚନା କରିବାକୁ ଏଠାକୁ ଆସିନାହିଁ, ମୁଁ କେବଳ ଆସାମୀଟି ସମ୍ବନ୍ଧରେ କେତୋଟି କଥା ଜାଣିବାକୁ ଆସିଛି, ଯେଉଁଟାକି ଆପଣଙ୍କ ବାପାଙ୍କ ଛଡ଼ା ଅନ୍ୟ କେହି କହି ପାରିବେ ନାହିଁ ।

 

କିନ୍ତୁ ବର୍ତ୍ତମାନ ଜାଣି ଆପଣଙ୍କର ଆଉ ଲାଭ କ’ଣ ହେବ ? ବାପା ରିଟାଏଡ଼୍‌ କଲେଣି ପ୍ରାୟ ସାତ ଆଠ ବର୍ଷ ହେବ, ଆଉ ସେଇ ଆସାମୀଟିର କେସ୍‌ଟି ଯଦି ବାପାଙ୍କର ଶେଷ ବିଚାର ହୋଇଥାଏ, ତେବେ ସେ ମଧ୍ୟ ସେଇ ସାତ ଆଠ ବର୍ଷ ତଳର କଥା । ଆଜି ଆପଣ ଜାଣି ଆଉ ଆସାମୀକୁତ ବଞ୍ଚାଇ ପାରିବେ ନାହିଁ ।

 

ମୋର ଜାଣିବା ଦରକାର ନୀଳିମା ଦେବୀ । ସେଇ ଫାଶୀ ଆସାମୀଟି ବିରୁଦ୍ଧରେ ଏକ ଭୀଷଣ ଚକ୍ରାନ୍ତ କରା ହୋଇଥିଲା । ଯା’ ଫଳରେ ତାକୁ ଫାଶୀ ହୁକୁମ ହେଲା । ନିର୍ଦ୍ଦୋଷୀ ଆତ୍ମବଳୀ ଦେଲା । ଆଉ ଯେଉଁମାନେ ଦୋଷୀ, ଯେଉଁମାନେ ଚକ୍ରାନ୍ତକାରୀ ସେମାନେ ଛାତି ଫୁଲାଇ ଆଜି ମଧ୍ୟ ସମାଜରେ ମଥା ଉଚ୍ଚ କରି ବିଚରଣ କରୁଛନ୍ତି । ଆଉ ହତଭାଗ୍ୟ ରବିଶଙ୍କର......

 

ହଠାତ୍‌ ପଛରୁ ଝାଏଁ....ଏଁ କରି ଗୋଟାଏ ଶବ୍ଦ ହେଲା । ଅଶୋକ ଦାସ ଓ ନୀଳିମା ଦେବୀ ଏକା ସଂଗରେ ଉଠି ଠିଆ ହୋଇ ପଡ଼ିଲେ । ପରିଚାରିକା ଅଳକା ହାତରୁ ଟ୍ରେ’ଟା ଖସି ପଡ଼ି କପ୍‌ ଡ଼ିସ୍ ସମସ୍ତ ଚୁନା ହୋଇ ଯାଇଛି । ଅଳକା ଦେହ ହାତରେ ଗରମ ପାଣି ଢାଳି ହୋଇ ଯାଇଥିବାରୁ ମୁହଁରେ ତା’ର ବେଦନା ଫୁଟି ଉଠିଚି ।

ନୀଳିମା ଧାଇଁ ଯାଇ ଅଳକାକୁ ଟାଣି ଆଣିଲା । ଅଶୋକ ଦାସ ନିଜ ଚେଆରରେ ଉପବେଶନ କରି ପୁଣି ଗୋଟିଏ ସିଗାରେଟ୍ ଲଗାଇଲେ । ନୀଳିମା ଅଳକାକୁ ଅଭୟ ଦେଇ ଫେରି ଆସୁଥିଲା । ଉପରୁ ମଦନରାଏଙ୍କ କଣ୍ଠସ୍ୱର ଶୁଣାଗଲା ।

 

ନୀଳିମା ସେଉଠୁ ପାଦ ଫେରାଇ ଉପରକୁ ଉଠିଗଲା ।

 

କ’ଣ ହେଲା ମା’ । ମଦନରାଏ ଅଳସ କଣ୍ଠରେ ପଚାରିଲେ ।

 

ସେ କିଛି ନୁହେଁ । ଅଳକା ହାତରୁ ଚା’ ଟ୍ରେ’ଟା ପଡ଼ିଗଲା । କିନ୍ତୁ ତମ ସଙ୍ଗରେ ଦେଖା କରିବାକୁ ଜଣେ ଭଦ୍ରଲୋକ ଅପେକ୍ଷା କରି ବସିଛନ୍ତି ।

 

ମୋ ସଙ୍ଗରେ ! ତୁ ତାଙ୍କୁ ଚିହ୍ନି ନାହୁଁ ?

 

ନା, ଭଦ୍ରଲୋକଙ୍କ ନାଁ ଅଶୋକ ଦାସ । ତମ ବିଚାରକ ଜୀବନର ଶେଷ ବିଚାରର ଆସାମୀଟି ସମ୍ବନ୍ଧରେ କେତୋଟି କଥା ସେ ଜାଣିବାକୁ ଆସିଛନ୍ତି ।

 

ସମରେଶ ମଦନରାଏ ହଠାତ୍‌ ଯେପରି ସତେଜ ହୋଇଉଠିଲେ, ହୁଏତ ନୀଳିମାର କଥାକୁ ସେ ବିଶ୍ୱାସ କରିପାରୁ ନ ଥିଲେ । ଆଖିରୁ ତନ୍ଦ୍ରା ଓ ମନରୁ ଆଳସ୍ୟ ଯେପରି ମୁହୂର୍ତ୍ତକ ମଧ୍ୟରେ ଉଭେଇ ଗଲା । ସେ ସଜାଡ଼ି ହୋଇ ବସି ସାରି କ’ଣ କହିବାକୁ ଯାଇ ହଠାତ୍‌ ଅଟକି ଗଲେ । ଦେଖିଲେ ଅଳ୍ପ ଦୂରରେ ଅଳକା ଠିଆ ହୋଇ ତାଙ୍କରି ଆଡ଼େ ନିର୍ନିମେଷ ନୟନରେ ଅନାଇ ରହିଛି । ମଦନରାଏ ଧୀର ଓ ଶାନ୍ତ ଗଳାରେ କହିଲେ, ସେଇ ଭଦ୍ରଲୋକଙ୍କୁ ଏଠାକୁ ଡାକିଆଣେ ମା ! ମୋର ଆଉ ତଳକୁ ଯିବାର ଶକ୍ତି ନାହିଁ ।

 

କିନ୍ତୁ ସେ ଯେ.....

 

ନା ନା, ତୁ ତାଙ୍କୁ ଏଠାକୁ ଡାକିଆଣେ ।

 

ନୀଳିମା କୌଣସି ପ୍ରତିବାଦ ନ କରି ଧୀରେ ଧୀରେ ତଳକୁ ଓହ୍ଲେଇ ଗଲା ।

 

ଅଶୋକ ଦାସ ସିଗାରେଟ୍‌ର ଧୂମ୍ର କୁଣ୍ଡଳୀ ଭିତରେ ନିଜକୁ ହଜେଇ ଦେଇ ବସିଥିଲେ ।

 

ଆସନ୍ତୁ ଅଶୋକ ବାବୁ ! ବାପା ଆପଣଙ୍କୁ ଡ଼ାକୁଛନ୍ତି ।

 

ଅଶୋକ ଦାସ ଦ୍ୱିତୀୟ କଥା ନ କହି ନୀଳିମା ପଛେ ପଛେ ଉପରକୁ ଉଠିଗଲେ ।

 

ନମସ୍କାର ସାର୍‌ !

 

ପ୍ରତିନମସ୍କାର କରି ମଦନରାଏ ସିଧା ହୋଇ ବସିଲେ । କହିଲେ, ବସନ୍ତୁ ଅଶୋକ ବାବୁ । ନୀଳିମାଠାରୁ ମୁଁ ଆପଣଙ୍କର ପରିଚୟ ପାଇଛି । କିନ୍ତୁ ଏଇ ଦୀର୍ଘ ଛ’ ସାତ ବର୍ଷ ପରେ, ମୋର କ’ଣ ସବୁ କଥା ମନେ ଅଛି ?

 

ସବୁ କଥା ମନେ ନ ଥାଇ ପାରେ, ମାତ୍ର ମୋର ଯେଉଁ କେତୋଟି କଥା ଜାଣିବାର ପ୍ରୟୋଜନ, ଆଶା କରୁଚି ମନେଥିବ । ମୋର ପ୍ରଥମ ପ୍ରଶ୍ନ ହେଉଚି, ଆପଣ କ’ଣ ହୃଦୟ ମନରେ ରବିଶଙ୍କରକୁ ଦୋଷୀ ବୋଲି ସାବ୍ୟସ୍ତ କରିଥିଲେ ?

 

ମଦନରାଏ ଆଖିରୁ ଚଷମାଟି ବାହାର କରି ହାତରେ ଧରିଲେ । ମୁହୂର୍ତ୍ତେ ଚିନ୍ତାକରି କହିଲେ, ଦେଖନ୍ତୁ ଅଶୋକ ବାବୁ; ଆଇନ ନିକଟରେ ଦୟା, ମାୟାର ସ୍ଥାନ ନାହିଁ । ତେଣୁ ରବିଶଙ୍କର କେସ୍‌ରେ ମୋର କୌଣସି ଉପାୟ ନ ଥିଲା । ସାକ୍ଷୀ, ପ୍ରମାଣ, ଜୁରୀମାନଙ୍କର ମତାମତ ଉପରେ ନିର୍ଭର କରି ମୋତେ ରାୟ ଦେବାକୁ ପଡ଼ିଥିଲା । ଯଦିଓ ରବିଶଙ୍କରର କଥାବାର୍ତ୍ତା, ଆଚାର ବ୍ୟବହାରରୁ ମୁଁ ଜାଣି ପାରୁଥିଲି ସେ ଖୁଣୀ ନୁହେଁ, କିନ୍ତୁ ଆଇନ ଆଖିରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲା । ଆପଣ କ’ଣ ରବିଶଙ୍କରର କେହି ଆତ୍ମୀୟ ହୁଅନ୍ତି ? ଶୁଣିଥିଲି ତା’ର ସ୍ତ୍ରୀ ଜୀବିତ ଥିଲେ ।

 

ଅଶୋକ ଦାସ ମଦନରାଏଙ୍କ ପ୍ରଶ୍ନ ଏଡ଼େଇ ଯାଇ କହିଲେ, ରବିଶଙ୍କରର ବିଚାର ଚାଲିଥିବାବେଳେ ଆପଣ ଦିନେ ରବିଶଙ୍କର ସହିତ ଦେଖା କରିଥିଲେ-ସେହି ସମୟରେ ରବିଶଙ୍କର ସହିତ କ’ଣ କଥାବାର୍ତ୍ତା ହୋଇଥିଲା, ମୁଁ ସେତିକି ଜାଣିବାକୁ ଚାହେଁ । ରବିଶଙ୍କର ନିଶ୍ଚୟ ସେଦିନ ସେହି ହତ୍ୟାକାଣ୍ଡ ସଂପର୍କୀୟ ସମସ୍ତ କଥା ଆପଣଙ୍କୁ କହିଥିବ । ପ୍ରମାଣ ଅଭାବରୁ ସେ ତା’ର ସତ୍ୟତା ଜାହିର କରି ପାରି ନଥିଲେ ବି ଅସଲ ଘଟଣାଟା ଜାଣିବା ପାଇଁ ମୁଁ ଅତ୍ୟନ୍ତ ଆଗ୍ରହୀ । ଆଶା କରୁଚି ଆପଣ ମୋତେ ନିରାଶ କରିବେ ନାହିଁ ।

 

ଶୁଣନ୍ତୁ ଅଶୋକ ବାବୁ ! ମଦନରାଏ ପୁଣି ଚଷମାଟା ଆଖିରେ ଦେଇ ସମୁଦ୍ରର ନୀଳି ତରଙ୍ଗ ଆଡ଼େ ଚାହିଁ କହିଲେ, ଅବଶ୍ୟ ରବିଶଙ୍କର ସହିତ ମୋର ଯାହା କଥାବାର୍ତ୍ତା ହୋଇଥିଲା, ମନେ ପକାଇ ଆପଣଙ୍କୁ କହିପାରିବି, କିନ୍ତୁ ଆପଣଙ୍କର ତଦ୍ୱାରା ଆଉ ଲାଭ କ’ଣ ହେବ ! ଯାହାତ ହେବାର ତାହା ଛ’ ସାତ ବର୍ଷ ତଳେ ହୋଇ ସାରିଛି । ରବିଶଙ୍କରକୁ ଫାଶୀ ହୋଇ ଯାଇଛି-। ସେତିକିବେଳେ ତା’ର ଆପଣଙ୍କ ପରି ଜଣେ ହିତୈଷୀ ବନ୍ଧୁଙ୍କ ସହିତ ଦେଖା ହୋଇଥିଲେ, ହୁଏତ ସେ ବଞ୍ଚି ପାରି ଥାଆନ୍ତା । ଅପିଲ କରିବାକୁ ସେତେବେଳେ କେହି ଲୋକ ନ ଥିଲେ ।

 

ସାର୍‌ ! ଆପଣ ମୋତେ କ୍ଷମା କରିବେ । ଆଜିକାଲିର ଏହି କୋର୍ଟ କଚେରୀ ଭିତରେ ଏତେ ବ୍ୟଭିଚାର ପ୍ରବେଶ କଲାଣି ଯେ, ଯେଉଁ ଉଦ୍ଦେଶ୍ୟରେ ଏହି ଆଇନ ଅଦାଲତର ସୃଷ୍ଟି ହୋଇଥିଲା, ସେ ଉଦ୍ଦେଶ୍ୟ ଚରିତାର୍ଥ ହୋଇ ପାରୁ ନାହିଁ । ଏହି ଆଇନ ପ୍ରଣୟନ ମୂଳରେ ଲକ୍ଷ୍ୟ ଥିଲା, ବରଂ ପାଞ୍ଚଜଣ ଦୋଷୀ ନିର୍ଦ୍ଦୋଷୀ ସାବ୍ୟସ୍ତ ହୁଅନ୍ତୁ, କିନ୍ତୁ ଜଣେ ନିର୍ଦ୍ଦୋଷୀ ଯେପରି ଦଣ୍ଡ ନ ପାଉ । କିନ୍ତୁ ଆଜିକାଲି ହେଉଛି କ’ଣ....। ଯଥେଷ୍ଟ ପଇସା ଖର୍ଚ୍ଚ କରି ପାରିଲେ ବେଶୀ ଭାଗରେ ଫଳ ଓଲଟା ଫଳୁଛି । ସେଇଥିପାଇଁ ମୋର ଇଚ୍ଛା ରବିଶଙ୍କର କେସ୍‌ଟିର ମୁଁ ପୁର୍ନବିଚାର କରିବି ।

 

ମଦନରାଏ ହସିଲେ । କହିଲେ, ଆପଣଙ୍କର ଉଦ୍ଦେଶ୍ୟ ସାଧୁ ଅଶୋକବାବୁ ! କିନ୍ତୁ ଢେର୍‌ ଡେରି ହେଇ ଯାଇଛି ।

 

ମୁଁ ସେ କଥା ଜାଣିଛି ସାର୍‌ ! ଅଶୋକ ଦାସ ମୁହଁରେ ଅପୂର୍ବ ଦୀପ୍ତି ଫୁଟି ଉଠିଥିଲା । ନିର୍ଦ୍ଦୋଷୀ ଦଣ୍ଡ ପାଇଲେ ବି ଦୋଷୀ ଆଜିଯାଏ ଲୋକ ଲୋଚନରେ ଛାତି ଫୁଲାଇ ବଞ୍ଚିରହିଛି । ମୁଁ ତାର ଉପଯୁକ୍ତ ଶାସ୍ତି ବିଧାନ କରିବାକୁ ଚାହେଁ ।

 

ମଦନରାଏଙ୍କ ଆଖିରେ କ୍ଷଣକ ପାଇଁ ଉଜ୍ଜ୍ୱଳଦୀପ୍ତି ଫୁଟି ଉଠିଲା । ସେ ଏକ ଦୀର୍ଘନିଶ୍ୱାସ ତ୍ୟାଗକରି କହିଲେ, ଆପଣ ବଡ଼ ଜଟିଳ ପଥରେ ପାଦ ବଢ଼ାଉଛନ୍ତି ଅଶୋକବାବୁ ! ଏଇ ଦୁନିଆଟା ସ୍ୱାର୍ଥରେ ପୂରି ଗଲାଣି । ମୋର ଆଉ ବଳ ନାହିଁ କିମ୍ବା ବୟସ ନାହିଁ । ମୁଁ ବସି ବସି ଶେଷ ଦିନର ଦିନ ଗଣୁଛି । ଆପଣ ଯୁବକ । ବୁଦ୍ଧିର ଦୀପ୍ତି ଆପଣଙ୍କ ଅଙ୍ଗପ୍ରତ୍ୟଙ୍ଗରେ ଭରି ରହିଛି-। ଅନ୍ୟାୟ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରି ଆପଣ ଜୟଯୁକ୍ତ ହୁଅନ୍ତୁ, ମୁଁ କାମନା କରୁଛି । ରବିଶଙ୍କର ସମ୍ବନ୍ଧରେ ମୋର ସବୁ କଥା ମନେପକାଇ ଆପଣଙ୍କୁ କାଲି କହିବି । ମଦନରାଏ ଆରାମ ଚେଆର ଉପରେ ତାଙ୍କର ସମସ୍ତ ଦେହଭାର ନଦି ଦେଲେ । ସେ ଯେପରି ଏହି କେତୋଟି କଥା କହି କ୍ଳାନ୍ତ ହୋଇ ପଡ଼ିଥିଲେ ।

 

ଅଳକା ବାରଣ୍ଡାରେ ଥିବା ଫୁଲଗାଙ୍ଗୁଲା ଗୁଡ଼ିକରେ ପାଣି ଢାଳୁଥିଲା ।

 

ନୀଳିମା ଅଶୋକ ଦାସଙ୍କର ବୁଦ୍ଧିଦୀପ୍ତ ମୁଖମଣ୍ଡଳ ଆଡ଼େ ନିର୍ନିମେଷ ନୟନରେ ଅନାଇ ରହିଥିଲା ।

 

ସନ୍ଧ୍ୟା ନଇଁ ଆସୁଥିଲା ।

 

ସମୁଦ୍ର ବେଳାରେ ଜନ କୋଳାହଳ ଜମି ଉଠୁଥିଲା ।

 

ଅଶୋକ ଦାସ ଚାରିଆଡ଼େ ଥରେ ଆଖି ବୁଲାଇ ଆଣି, ମଦନରାଏଙ୍କ ଦରନିମଳିତ ନୟନ ଆଡ଼େ ଚାହିଁ କହିଲେ- ମୋତେ କ୍ଷମା କରିବେ ସାର୍‌ ! ଆପଣଙ୍କୁ ବିରକ୍ତ କଲି, କାଲି ସୁବିଧା ଦେଖି ଆସିବି ।

 

ମଦନରାଏଙ୍କ ଆଖି ଯୋଡ଼ିକ ବୁଜି ହୋଇଗଲା ।

 

ଅଶୋକ ଦାସ ଉଠି ଠିଆହେଲେ ।

 

ନୀଳିମା ସଙ୍ଗେ ସଙ୍ଗେ ଉଠିଲା । ଚାଲନ୍ତୁ, ମୁଁ ଆପଣଙ୍କୁ ଛାଡ଼ିଦେଇ ଆସୁଛି ।

 

ଅଶୋକ ଦାସ ସହିତ ନୀଳିମା ଆଗେଇ ଗଲା । ଡ୍ରଇଂରୁମ୍‌ରେ ପହଞ୍ଚି ନୀଳିମା କହିଲା, ଆପଣଙ୍କ ସାଧୁ ଉଦ୍ୟମକୁ ମୁଁ ବଧେଇ ଜଣାଉଛି ।

 

ଅଶୋକ ଦାସଙ୍କ ଆଖିରେ ଆଗ୍ରହ ଫୁଟି ଉଠିଲା । ସେ ଗୋଟିଏ ସିଗାରେଟ୍‌ରେ ଅଗ୍ନି ସଂଯୋଗ କରି ଖଣ୍ଡିଏ ଚେଆର ଅଧିକାର କରି ବସିଲେ । ମନେ ହେଉଥିଲା, ନୀଳିମା ଯେପରି ଅଶୋକ ଦାସ ପ୍ରାଣରେ ଏକ ପ୍ରତିକ୍ରିୟା ସୃଷ୍ଟି କରିଛି । କହିଲେ, ଏହି ପୃଥିବୀରେ ପ୍ରଥମଥର ପାଇଁ ମୋତେ ଆପଣ ବଧେଇ ଜଣେଇଲେ । ଆପଣଙ୍କ ଆନ୍ତରିକତା ମୁଁ ଜୀବନରେ ଭୁଲି ପାରିବି ନାହିଁ-

 

ନୀଳିମାର ମୁଖମଣ୍ଡଳ ପୁଣି ଆରକ୍ତ ହୋଇ ଉଠିଲା । ସେଇ ନତ ମୁଖରେ ପଚାରିଲା, କାହିଁକି ଆପଣଙ୍କର କ’ଣ କୌଣସି ଆତ୍ମୀୟ ସ୍ୱଜନ ବା ହିତୈଷୀ ଆପଣଙ୍କୁ ବଧେଇ ଜଣେଇବା ପାଇଁ ନାହାଁନ୍ତି ?

 

ଅଶୋକ ଦାସଙ୍କ ମୁଖରେ ଏକ କରୁଣ ହାସ୍ୟରେଖା ଫୁଟି ଉଠିଲା । ସେ ଥରିଲା କଣ୍ଠରେ କହିଲେ, ଆପଣ ବୁଝି ପାରିବେ ନାହିଁ ନୀଳିମା ଦେବୀ, ଆପଣଙ୍କ ନିର୍ମଳ ଆନ୍ତରିକତା ମୋତେ ଆଜି କିପରି ବିହ୍ୱଳ କରିଛି ।

 

ନୀଳିମା ଆଉ କିଛି କହି ପାରିଲା ନାହିଁ ।

 

ଅଶୋକ ଦାସ ଉଠି ଠିଆହେଲେ । କହିଲେ, ମୁଁ ଆସୁଛି ନୀଳିମା ଦେବୀ ।

 

କିନ୍ତୁ ଆପଣ ଚା’ ଖାଇଲେ ନାହିଁ ତ ?

 

ଭାଗ୍ୟରେ ନାହିଁ । ହୁଏତ ଆପଣ ସ୍ୱହସ୍ତ ନିର୍ମିତ ଚା’ ଖାଇବା ପାଇଁ ବିଧିର ନିର୍ଦ୍ଦେଶ ଅଛି । ଆଚ୍ଛା, କାଲି ପୁଣି ଦେଖା ହେବ ।

 

ନୀଳିମା ଆଗେଇ ଗଲା ।

 

ଅଶୋକ ଦାସ ତାଙ୍କର ମୂଲ୍ୟବାନ୍‍ ମଟର ଗାଡ଼ିରେ ଉଠି ଦରଜା ବନ୍ଦ କଲେ ।

 

ଗାଡ଼ି ଅଦୃଶ୍ୟ ହେବାଯାଏ ନୀଳିମା ସେଇଆଡ଼େ ଚାହିଁ ଠିଆ ହୋଇଥିଲା ।

 

ଆରଦିନ ସକାଳେ ଯେତେବେଳେ ଆସି ଅଶୋକ ଦାସଙ୍କ ଗାଡ଼ି ସମରେଶ ମଦନରାଏଙ୍କ ଦୁଆରେ ଭିଡ଼ିଲା, ସେତେବେଳେ ମଦନରାଏଙ୍କ ଦୁଆରେ ଅସଂଖ୍ୟ ଲୋକ ଜମି ଯାଇଥିଲେ । ପୋଲିସ କନେଷ୍ଟବଲ ତିନି ଚାରୋଟି ଏପାଖ ସେପାଖ ଧାଁ ଦଉଡ଼ କରୁଥିଲେ । ଅଶୋକ ଦାସଙ୍କ ଗାଡ଼ି ଲାଗିବା କ୍ଷଣି ସମସ୍ତଙ୍କ ଆଖି ପଡ଼ିଲା ଯାଇ ତାଙ୍କରି ଉପରେ । ଅଶୋକ ଦାସ ପ୍ରଥମେ ଟିକିଏ ବିଚଳିତ ହୋଇ ଉଠିଲେ । କିଛି ଯେ ଗୋଟାଏ ଦୁର୍ଘଟଣା ଘଟିଛି, ଏହା ସତ୍ୟକଥା, ମାତ୍ର କ’ଣ ଘଟିଛି ?

 

ଅଶୋକ ଦାସ ଗାଡ଼ିରୁ ଓହ୍ଲେଇ ସିଧା ସଳଖ ଉପରକୁ ଉଠିଗଲେ । ଯଦିଓ ଯିବା ପଥରେ ଦୁଇ ତିନୋଟି କନେଷ୍ଟବଲଙ୍କୁ ଅତିକ୍ରମ କରି ଯିବାକୁ ପଡ଼ିଥିଲା, ମାତ୍ର କେହି ତାଙ୍କୁ ବାଧାଦେଇ ନ ଥିଲେ । ଅଶୋକ ଦାସ ଉପରକୁ ଯାଇ ଦେଖିଲେ ଜଣେ ପୋଲିସ ଅଫିସରଙ୍କ ଆଗରେ ନୀଳିମା ଆଉ ଅଳକା ବସି ପ୍ରଶ୍ନର ଉତ୍ତର ଦେଉଛନ୍ତି । ନୀଳିମା ଅଶୋକ ଦାସଙ୍କୁ ଦେଖିବା କ୍ଷଣି ଭୋ ଭୋ ହୋଇ କାନ୍ଦି ଉଠିଲା । ପୋଲିସ ଅଫିସର ବୁଲି ଅନେଇଲେ । ଅଳକା କହିଲା, ଏଇ ଭଦ୍ରଲୋକ କାଲି ଆସିଥିଲେ ।

 

ଅଶୋକ ଦାସ ନୀଳିମାକୁ ସାନ୍ତ୍ୱନା ଦେଇ ଘଟଣାଟା କ’ଣ ଜାଣିବା ପାଇଁ ଚାରିଆଡ଼େ ଆଖି ବୁଲାଉଥିଲେ । ପୋଲିସ ଅଫିସର ପଚାରିଲେ, ଆପଣ ଅଶୋକ ଦାସ ?

 

ଆଜ୍ଞା ।

 

ଆପଣ କାଲି ସମରେଶ ମଦନରାଏଙ୍କ ନିକଟକୁ ଦେଖା କରିବାକୁ ଆସିଥିଲେ ?

 

ହଁ ।

 

ଆଜି ସକାଳୁ ମଦନରାଏଙ୍କର କୌଣସି ସନ୍ଧାନ ମିଳୁନାହିଁ । ମନେ ହେଉଛି ଗତ ରାତିରେ ସେ ଘରଛାଡ଼ି କୁଆଡ଼େ ଚାଲି ଯାଇଛନ୍ତି, ଅଥବା....

 

ନୀଳିମା ପୁଣି ଭୋ ଭୋ ହୋଇ କାନ୍ଦି ଉଠିଲା । ମୋତେ ଆପଣ ବଞ୍ଚାନ୍ତୁ ଅଶୋକବାବୁ-! ମୁଁ ଆପଣଙ୍କୁ ପ୍ରତୀକ୍ଷା କରିଥିଲି । ଆପଣ ଆସି ଯାଇଛନ୍ତି ମୋର ସୌଭାଗ୍ୟ ।

 

ଅଶୋକ ଦାସ ପୋଲିସ ଅଫିସରଙ୍କ ଆଡ଼େ ଚାହିଁ ପଚାରିଲେ, ଘଟଣାଟା କ’ଣ ଘଟିଛି ସଂକ୍ଷେପରେ କୁହନ୍ତୁ ।

 

ମୋ ଠାରୁ ନୀଳିମା ଦେବୀ ବେଶୀ ଜାଣିଛନ୍ତି । ହଠାତ୍‌ ଆଜି ସକାଳୁ ଖବର ପାଇଲି ଯେ ମି: ମଦନରାଏ ନିରୁଦ୍ଦେଶ ହୋଇଛନ୍ତି । ସଙ୍ଗେ ସଙ୍ଗେ ଆସିବାକୁ ପଡ଼ିଲା । କିନ୍ତୁ ଏଠାରେ ଆସି ନିରୁଦ୍ଦେଶର କୌଣସି କାରଣ ଖୋଜି ପାଉନାହିଁ ।

 

ହୁଁ, ଅଶୋକଦାସ ମୁହୂର୍ତ୍ତେ ଗମ୍ଭୀର ହୋଇ ବସିରହିଲେ । ଥରେ ନୀଳିମା ଆଡ଼େ ଓ ଆଉଥରେ ଅଳକା ଆଡ଼େ ଦୃଷ୍ଟି ବୁଲେଇ ଆଣି ପଚାରିଲେ, ଆପଣଙ୍କ ଅନୁସନ୍ଧାନ କାର୍ଯ୍ୟ ଶେଷ ହୋଇଛି ?

 

ପୋଲିସ ଅଫିସର ଅଶୋକ ଦାସଙ୍କ ଆଡ଼େ କିପରି ବେଖାପ ଚାହାଣୀରେ ଅନାଇ କହିଲେ, କେବଳ ଆପଣଙ୍କ ଜମାନବନ୍ଦୀ ଶେଷହେଲେ ଆପାତତଃ ମୋର କାର୍ଯ୍ୟ ଶେଷହେବ ।

 

ମୋର ଜମାନବନ୍ଦୀ ? ଅଶୋକ ଦାସଙ୍କ କଣ୍ଠସ୍ୱର କିପରି ଥରି ଉଠିଲା ।

 

ହଁ, ଆପଣଙ୍କର ଜମାନବନ୍ଦୀ ଏ କେସ୍‌ରେ ଅତ୍ୟନ୍ତ ମୂଲ୍ୟବାନ୍‍ । କାରଣ ଆପଣ ଗତକାଲି ଆସିଥିଲେ । ମି: ମଦନରାଏ ଆପଣଙ୍କ ସହିତ ଆଳାପ କରିବା ପରଠାରୁ ଅତ୍ୟନ୍ତ ଉତ୍ତେଜିତ ହୋଇ ପଡ଼ିଥିଲେ । ତାଙ୍କର କାର୍ଯ୍ୟକର୍ମରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଇଥିଲା । ସେ ଖୁବ୍‌ ଚିନ୍ତିତ ହୋଇ ପଡ଼ିଥିଲେ । ରାତି ଦୁଇଟାଯାଏ ତାଙ୍କ ଆଖିକୁ ନିଦ ଆସି ନଥିଲା । ତେଣୁ ଅବସ୍ଥାର ଗୁରୁତ୍ୱ ଦୃଷ୍ଟିରୁ ଆପଣଙ୍କ ଭୂମିକା ଏଠାରେ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ମୋର ମନେ ହେଉଛି ଆପଣଙ୍କ ସହିତ କଥାବାର୍ତ୍ତା କରି ସେ ଖୁବ୍‌ ଆଘାତ ପାଇଥିଲେ ଏବଂ ଆପଣ ତାଙ୍କର ଏପରି ଏକ ସ୍ଥାନରେ ସଂଘାତ ସୃଷ୍ଟି କରିଥିଲେ, ଯଦ୍ୱାରା ସେହି ସଂଘାତର ତରଙ୍ଗ ତାଙ୍କ ଦେହ ଓ ମନର ପ୍ରତ୍ୟେକ ସ୍ତରକୁ ବିକଳ୍ପ କରି ପକାଇଥିଲା, ଫଳରେ....

 

ସେ ଘରଛାଡ଼ି ଚାଲି ଯାଇଛନ୍ତି । ଅଶୋକ ଦାସ ପୋଲିସ ଅଫିସରଙ୍କ ଅସମାପ୍ତ କଥା ପୂରଣ କଲେ ।

 

ମୋର ଅନୁମାନ ସେଇଆ । ପୋଲିସ ଅଫିସର କହିଲେ ।

 

ଆପଣ ଏତେଶୀଘ୍ର ଯେ ଏପରି ଏକ ସିଦ୍ଧାନ୍ତରେ ପହଞ୍ଚି ପାରିବେ, ମୁଁ ଧାରଣା କରି ପାରୁନାହିଁ । ଯା’ ହେଉ ମୋର ଜମାନବନ୍ଦୀ ଶେଷ କରନ୍ତୁ । ମୁଁ ଟିକିଏ ବ୍ୟସ୍ତ ଅଛି । ଆଜି ସନ୍ଧ୍ୟା ସୁଦ୍ଧା ମୋତେ ପୁରୀ ଛାଡ଼ି ଚାଲିଯିବାକୁ ହେବ ।

 

ନା ନା, ଆପଣ ଆଜି ପୁରୀ ଛାଡ଼ି ପାରିବେ ନାହିଁ । ମି. ମଦନରାଏଙ୍କର ସନ୍ଧାନ ନ ମିଳିବା ଯାଏ ଆପଣ ଅନ୍ୟତ୍ର ଯାଇପାରିବେ ନାହିଁ । ପୋଲିସ ଅଫିସରଙ୍କ ସ୍ୱର ଗମ୍ଭୀର ଶୁଣାଯାଉଥିଲା ।

 

ତା’ ମାନେ ଆପଣ ମୋତେ ନଜରବନ୍ଦୀରେ ରଖିବାକୁ ଚାହାନ୍ତି ?

 

ଆହା–ଆପଣ ମୋତେ ଭୁଲ୍‌ ବୁଝୁଛନ୍ତି କାହିଁକି ! ଏପରି ଏକ ଜଟିଳ କେସ୍‌ । ଆପଣଙ୍କୁ କେନ୍ଦ୍ର କରି ଏହି ଦୁର୍ଘଟଣା ଘଟିଛି, ଅଥଚ ଆପଣ....

 

ମୁଁ ଆତ୍ମଗୋପନ କରିବି ନାହିଁ । ଆପଣଙ୍କଠାରୁ ନୀଳିମା ଦେବୀଙ୍କର ଏହି ଦୁଃସୟରେ ମୋର ଯେ କର୍ତ୍ତବ୍ୟ ବେଶୀ ସେ କଥା ଆପଣ ବୁଝିବେ କେଉଁଠୁ ।

 

ନୀଳିମାର ଆଖି ଯୋଡ଼ିକରେ ଆଶାର ଦୀପ୍ତି ଫୁଟି ଉଠିଲା ସେ କୃତଜ୍ଞ ନୟନରେ ଅଶୋକ ଦାସ ଆଡ଼େ ଅନେଇ ରହିଲା ।

 

ଆପଣ ଏଠାରେ ରୁହନ୍ତି କେଉଁଠି ? ପୋଲିସ ଅଫିସର ପଚାରିଲେ ।

 

ସି’ଭିଉ ହୋଟେଲରେ ।

 

କେତେ ଦିନ ହେଲା ରହୁଛନ୍ତି ?

 

ଗତ ତିନି ଦିନ ହେବ ।

 

ଆପଣଙ୍କର ନିଜ ଘର କେଉଁଠି ?

 

କଟକରେ ।

 

ପୁରୀ କାହିଁକି ଆସିଛନ୍ତି ?

 

ମି: ମଦନରାଏଙ୍କ ସହିତ ଦେଖା କରିବାକୁ ।

 

ଆଗରୁ ତାଙ୍କ ସହିତ ପରିଚୟ ଥିଲା ?

 

ନା ।

 

ନୀଳିମାଦେବୀଙ୍କ ସହିତ ?

 

ନା ।

 

ମି: ମଦନରାଏଙ୍କ ସହିତ ଆପଣଙ୍କର ଏପରି କି କଥାବାର୍ତ୍ତା ହେଲା, ଯା ଫଳରେ ସେ ଘର ଛାଡ଼ି ଚାଲିଗଲେ ?

 

ଆପଣଙ୍କ ପ୍ରଶ୍ନର ଧାରା କ୍ରମଶଃ ସୀମା ଲଂଘନ କରୁଛି ଅଶୋକ ଦାସ କହିଲେ ।

 

ଆପଣ ମି: ମଦନରାଏଙ୍କ ସହିତ କେଉଁ ସମ୍ବନ୍ଧରେ କଥାବାର୍ତ୍ତା କରିଥିଲେ ?

 

ପୋଲିସ ଅଫିସରଙ୍କ ସ୍ୱର ଧୀରେ ଗମ୍ଭୀର ହୋଇ ଆସୁଥିଲା । ମୁଁ ତାଙ୍କୁ ଗୋଟିଏ ଫାଶୀ ଆସାମୀ ସମ୍ବନ୍ଧରେ କେତୋଟି କଥା ପଚାରିଥିଲି । ଯେଉଁ ଆସାମୀଟିର କେସ୍ ନିଜେ ସେ ବିଚାର କରିଥିଲେ । ସେ ମୋତେ କହିଥିଲେ, ଆଜି ସେ ସମ୍ବନ୍ଧରେ ସବୁକଥା କହିବାକୁ । କିନ୍ତୁ…

 

ଆପଣ ମି: ମଦନରାଏଙ୍କୁ ସେପରି ପ୍ରଶ୍ନ ପଚାରି ଅନ୍ୟାୟ କରିଛନ୍ତି ।

 

ମାନେ ? ଅଶୋକ ଦାସଙ୍କ ମୁହଁରେ ବିସ୍ମୟ ଫୁଟି ଉଠିଲା ।

 

ଆପଣ ଜାଣନ୍ତି ମି. ମଦନରାଏ ଏଠାରେ ବିଶ୍ରାମଗ୍ରହଣ କରିବାକୁ ଆସିଛନ୍ତି । ସେ ଜଣେ ବ୍ଲଡ଼ପ୍ରେସର ରୋଗୀ । ତେଣୁ ଆପଣଙ୍କର ତାଙ୍କୁ ଆଦୌ ବିରକ୍ତିକରିବା ଉଚିତ ନ ଥିଲା । ତା’ଛଡା ଏପରି ଏକ ଜଟିଳ ପ୍ରଶ୍ନର ଉତ୍ତର ଦେବା ଏଷ୍ଟେଜରେ ହୁଏତ ତାଙ୍କ ପକ୍ଷରେ ସମ୍ଭବ ନ ଥିଲା । ଆପଣ କ’ଣ କରନ୍ତି ?

 

ମାନେ ? ଅଶୋକ ଦାସ ନ ଜାଣିଲା ପରି ପଚାରିଲେ ।

 

ଏଇ, ମାନେ ଆପଣଙ୍କର ପେଶା କ’ଣ ?

 

ଶାସ୍ତି ବିଧାନ ।

 

ମାନେ ? ଏଥର ପୋଲିସ ଅଫିସରଙ୍କ ଆଖି ଯୋଡ଼ାକ କପାଳକୁ ଉଠିଗଲା ।

 

ଦୋଷୀକୁ ଶାସ୍ତି ଦେବା ମୋର ପେଶା । ଅଶୋକ ଦାସ ହସି ହସି କହିଲେ ।

 

ଆପଣ ତା’ହେଲେ ଜଣେ ଆଇନଜ୍ଞ । ପୋଲିସ ଅଫିସର ପଚାରିଲେ ।

 

ଅଶୋକ ଦାସ ସ୍ମିତ ହସି ମୁଣ୍ଡ ହଲାଇଲେ ।

 

ବେଶ୍, ଆଜି ତା’ହେଲେ ମୁଁ ଆସୁଛି । ଆପଣଙ୍କ ନାମ ଠିକଣା ଏହି ନୋଟ୍ ବହିରେ ଲେଖିଦେଇ ଯାଆନ୍ତୁ, ମୋର ଅନୁରୋଧ ଆପଣ ଅନ୍ତତଃ ଆଉ ଦୁଇଦିନ ପୁରୀରେ ରୁହନ୍ତୁ-। ତା’ହେଲେ ଆମର ଅନୁସନ୍ଧାନ କାର୍ଯ୍ୟରେ ଟିକିଏ ସୁବିଧା ହେବ ।

 

ବର୍ତ୍ତମାନ ପରିସ୍ଥିତି ଯାହା ଦେଖୁଛି, ମୋତେ ଦୁଇଦିନରୁ ଅଧିକ କାଳ ରହି ମି: ମଦନରାଏଙ୍କୁ ଅନୁସନ୍ଧାନ କରିବାକୁ ପଡ଼ିବ । କାରଣ ମଦନରାଏଙ୍କ ଠାରେ ଆପଣଙ୍କ ଠାରୁ ମୋର ବେଶୀ ପ୍ରୟୋଜନ । ଆଶୋକ ଦାସ କହିଲେ ।

 

ତେବେ ତ ଉତ୍ତମ । ମୁଁ ଆପଣଙ୍କୁ ସି’ ଭିଉ ହୋଟେଲରେ ଖୋଜିଲେ ପାଇବି ତ ?

 

ହଁ ।

 

ଧନ୍ୟବାଦ । ମୁଁ ଆଜି ଆସୁଛି ନୀଳିମା ଦେବୀ । ଆପଣ ବିଶେଷ ଚିନ୍ତିତ ହେବେ ନାହିଁ-। ମୋର ମନେ ହେଉଛି ମି : ମଦନରାଏ ଅତ୍ୟଧିକ ଉତ୍ତେଜିତ ହୋଇ ପଡ଼ିଥିବାରୁ ଘରଛାଡ଼ି ଏହି ଆଖପାଖକୁ କେଉଁଆଡ଼େ ଚାଲି ଯାଇଛନ୍ତି । ମୁଁ ଚେଷ୍ଟା କରୁଛି, ଯେତେ ଶୀଘ୍ର ସମ୍ଭବ ଖୋଜି ବାହାର କରିବାକୁ । ପୁଣି ସନ୍ଧ୍ୟା ବେଳକୁ ଆସିବି । ଅଶୋକବାବୁ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବେ । ତେଣୁ ଆପଣଙ୍କର ବିଚଳିତ ହେବାର କିଛି ନାହିଁ । ପୋଲିସ ଅଫିସର ଉଠିଗଲେ । ନୀଳିମା ନୀରବରେ ବସିଥିଲା । ଅଳକା ପୋଲିସ ଅଫିସରଙ୍କ ପଛେ ପଛେ ଉଠି ଚାଲିଗଲା ।

 

ନୀଳିମା ଦେବୀ ! ଅଶୋକ ଦାସ କୋମଳ କଣ୍ଠରେ କହିଲେ, ଆପଣ ମୋତେ ଘଟଣାର ବିବରଣୀ କୁହନ୍ତୁ । ମୋର କାହିଁକି ମନ ଭିତରେ କିପରି ଗୋଟାଏ ମନ୍ଦ ଧାରଣା ଜନ୍ମୁଛି । ମୋର ମନେହେଉଛି ମି: ମଦନରାଏ ଘର ଛାଡ଼ି ଚାଲି ଯାଇନାହାନ୍ତି, ତାଙ୍କୁ କେହି...

 

ନୀଳିମା ପୁଣି ଭୋ ଭୋ ହୋଇ କାନ୍ଦି ଉଠିଲା । ଅଶୋକ ଦାସ ଖୁବ୍ ଅସୁବିଧାରେ ପଡ଼ିଗଲେ । ପାଖରେ ଅଳକା ନାହିଁ ସାନ୍ତ୍ଵନା ଦେବାକୁ । ନୀଳିମାର କୋହ ବଢ଼ିଚାଲିଥିଲା । ଅଶୋକ ଦାସ ନିଜ ଆସନରୁ ଉଠିଯାଇ ନୀଳିମା ପାଖରେ ଠିଆ ହେଲେ । କ’ଣ କହି ସାନ୍ତ୍ୱନା ଦେବେ ? ବର୍ତ୍ତମାନ କ୍ଷେତ୍ରରେ ଧୈର୍ଯ୍ୟର ଅଶେଷ ପ୍ରୟୋଜନ । ଅସଲ ଘଟଣାଟା ନ ଜାଣିବା ଯାଏ ମି: ମଦନରାଏଙ୍କ ସମ୍ବନ୍ଧରେ କୌଣସି ସୁବ୍ୟବସ୍ଥା କରି ହେଉନାହିଁ । ତେଣୁ ନୀଳିମାର ଏ ଅବସ୍ଥାରେ ଅଶୋକ ଦାସ ନୀଳିମାର ମୁଣ୍ଡଟାକୁ ଦୁଇ ହାତରେ ଥାପୁଡ଼େଇ କହିଲେ, ଆପଣ ଶାନ୍ତ ହୁଅନ୍ତୁ ନୀଳିମା ଦେବୀ । ମୁଁ କଥା ଦେଉଛି ଆପଣଙ୍କ ବାପାଙ୍କୁ ଫେରେଇ ଆଣିବି । ଆପଣ ମୋତେ ବିଶ୍ୱାସ କରନ୍ତୁ ।

 

ନୀଳିମା ଅଶୋକ ଦାସଙ୍କ ମୁହଁକୁ ଚାହିଁଲା । ସେଠାରୁ ସେ ଯେପରି ପୂର୍ଣ୍ଣ ପ୍ରତିଶ୍ରୁତିର ଆଭାସ ପାଇଲା । ସେ ଅଶୋକ ଦାସଙ୍କ ଛାତିରେ ମୁହଁ ଗୁଞ୍ଜି ଦେଲା ।

 

ଅଶୋକ ଦାସ ଧୀରେ ଧୀରେ କହିଲେ–ମୁଁ ଗତକାଲି ଆପଣଙ୍କ ଘରଠାରୁ ବିଦାୟ ନେଇଯିବା ପରଠାରୁ କ’ଣ କ’ଣ ଘଟିଚି, ସବୁ କଥା ଗୋଟି ଗୋଟି କରି କହି ଯାଆନ୍ତୁ । ଟିକିନିଖି ସମସ୍ତ କଥା ମୋର ଜାଣିବା ପ୍ରୟୋଜନ । ଅଶୋକ ଦାସ ନୀଳିମାକୁ ଗୋଟିଏ ସୋଫା ଉପରେ ବସାଇ ନିଜେ ନୀଳିମାର ଅତି ନିକଟରେ ବସିଲେ । କହିଲେ, କାଲି ଚାଲିଯିବା ପରେ ଆପଣ ସିଧା ବାପାଙ୍କ ପାଖକୁ ଫେରିଗଲେ ?

 

ହଁ । ନୀଳିମା ଅଶ୍ରୁଜଡ଼ିତ କଣ୍ଠରେ କହିଲା ।

 

ସେତେବେଳକୁ ମି: ମଦନରାଏ କ’ଣ କରୁଥିଲେ ?

 

ସେ ଆଖି ବୁଜି ନିଶ୍ଚିନ୍ତରେ ସେହି ଆରାମ ଚଉକୀଟି ଉପରେ ଶୋଇଥିଲେ ।

 

ତାଙ୍କ ଦେହମୁହଁରେ କୌଣସି ପରିବର୍ତ୍ତନ ଆପଣ ଲକ୍ଷ୍ୟ କରିଥିଲେ ?

 

ନା ।

 

ତା’ପରେ, ବାପାଙ୍କ ସହିତ ଆପଣଙ୍କର ଆଉ କେତେବେଳେ କଥାବାର୍ତ୍ତା ହୋଇଥିଲା-?

 

ପ୍ରାୟ ରାତି ୧୦ଟା ହେବ, ତାଙ୍କର ନିଦ ଭାଙ୍ଗିଲା । ସେ ମୋତେ ପାଖକୁ ଡାକି ଖାଇବାକୁ ମାଗିଲେ । ଅଳକା ଆସି ଆମ ଦୁହିଁଙ୍କୁ ଖାଇବାକୁ ଦେଲା । ଖାଇଲା ବେଳେ ମୁଁ ବାପାଙ୍କୁ ରବିଶଙ୍କର କଥା ପଚାରିଥିଲି । କହିଲେ, ସେ ଏକ ଲମ୍ବା କାହାଣୀ । ମୋର ଏବେ କି ସବୁ ମନେ ପଡୁନାହିଁ । କାଲି ଅଶୋକ ବାବୁ ଆସିଲେ ଯାହା ମନେପଡ଼ିବ କହିବି । ତୁ ସେତିକିବେଳେ ଶୁଣିବୁ-। ତା’ପରେ ମୁଁ ପଚାରିଥିଲି, ସତରେ କ’ଣ ଅଶୋକ ବାବୁଙ୍କ କଥା ସତ ? ରବିଶଙ୍କର ନିର୍ଦ୍ଦୋଷ ?

 

ସେ କହିଲେ, ରବିଶଙ୍କର ମୁହଁରୁ ଯାହା ଶୁଣିଥିଲି, ତାହା ଯଦି ସତ୍ୟ ହୋଇଥାଏ, ତେବେ ସେ ନିର୍ଦ୍ଦୋଷ ।

 

ମୁଁ ପଚାରିଲି, ତେବେ ଆପଣ କାହିଁକି ପ୍ରାଣଦଣ୍ଡରେ ଦଣ୍ଡିତ କଲେ ?

 

ସେ କହିଲେ, ଆଇନ ଦୃଷ୍ଟିରୁ ମୋର ଅନ୍ୟବାଟ ନ ଥିଲା ଜୁରୀମାନେ ମଧ୍ୟ ପ୍ରାଣଦଣ୍ଡ ଦେବାପାଇଁ ମତ ପ୍ରକାଶ କରିଥିଲେ ।

 

ମୁଁ ଆଉ କିଛି ପଚାରି ପାରିଲି ନାହିଁ । ବାପା ଦରଖିଆ ହୋଇ ଉଠି ଚାଲିଗଲେ । ତା’ପରେ ସେ ଭୀଷଣ ଚିନ୍ତିତ ହୋଇ ପଡ଼ିଲେ । ବାରଣ୍ଡାରେ ବିଛଣା ପାରି ଦେବାପାଇଁ ଅଳକାକୁ କହିଲେ । ମୁଁ ତାଙ୍କ ପାଖରେ ଅନେକ ସମୟ ବସି ରହିଥିଲେ ମଧ୍ୟ ସେ ମୋ ସହିତ ଆଉ କଥାବାର୍ତ୍ତା କଲେ ନାହିଁ । ମୁଁ ମଧ୍ୟ ତାଙ୍କୁ ବିରକ୍ତ କରିବା ଉଚିତ ମନେ କଲି ନାହିଁ । ନୀଳିମା ନୀରବ ରହିଲା ।

 

ତା’ପରେ ? ଅଶୋକ ଦାସ ପଚାରିଲେ ।

 

ପ୍ରାୟ ରାତି ଦୁଇଟା ହେବ । ବାପା ମୋତେ ଡାକିଲେ । ମୁଁ ସେଇଠି ଶୋଇ ପଡ଼ିଥିଲି । ବାପା କହିଲେ, ତୁ ଶୋଇବୁ ଯା । ମୁଁ ଆଉ କିଛି ନ କହି ଶୋଇବା ଘରକୁ ଉଠିଗଲି । ସେତେବେଳେକୁ ଅଳକା ମୋ ଘରେ ଯାଇ ଶୋଇ ପଡ଼ିଥିଲା । ମୁଁ ମଧ୍ୟ ଶୋଇ ପଡ଼ିଲି ।

 

ପ୍ରଥମେ ମି: ମଦନରାଏଙ୍କ ନିରୁଦ୍ଦେଶ ହୋଇଥିବା କଥା କିଏ ଜାଣିଲା ?

 

ଅଳକା । ଅବଶ୍ୟ ପ୍ରତିଦିନ ମୁଁ ଅଳକାଠାରୁ ଆଗେ ଉଠେ, ଆଜି କେଜାଣି କାହିଁକି ମୋ ଉଠିବାରେ ଯଥେଷ୍ଟ ବିଳମ୍ବ ହୋଇଯାଇଥିଲା । କାଲି ରାତିପରି ଏତେ ଗାଢ଼ ନିଦ ଅନ୍ୟ କୌଣସି ଦିନ ପ୍ରାୟ ହୋଇ ନ ଥାଏ । ଅଳକା ମୋତେ ପାଞ୍ଚ ସାତ ଥର ଡାକିବା ପରେ ମୁଁ ଯାଇ ଉଠିଲି ।

 

ଆପଣ ଉଠି କ’ଣ ଦେଖିଲେ ?

 

ଅଳକାର ବିଚଳିତ ଭାବ । ସେତେବେଳକୁ ସେ ବାପାଙ୍କୁ ସବୁଆଡ଼େ ଖୋଜି ସାରିଥିଲା-। ମୁଁ ଉଠିବାକ୍ଷଣି ସେ କାନ୍ଦ କାନ୍ଦ ହୋଇ କହିଲା, ବାପାଙ୍କୁ କେଉଁଠି ପାଉ ନାହିଁ ।

 

ପ୍ରଥମେ ମୁଁ ଅଳକା କଥା ଥଟ୍ଟା ମଣିଥିଲି । କିନ୍ତୁ ମୁଁ ନିଜେ ଯାଇ ଦେଖିଲି, ବାପା ନିର୍ଦ୍ଦିଷ୍ଟ ସ୍ଥାନରେ ନାହାନ୍ତି । ତା’ପରେ ମୁଁ ବି ସବୁଆଡ ଖୋଜିବାରେ ଲାଗିଗଲି ।

 

ତା’ପରେ ? ଅଶୋକ ଦାସ ପୁଣି ସିଗାରେଟ୍ କେସ୍ ଫିଟାଇଲେ ।

 

ତା’ପରେ ମୋତେ ବାଧ୍ୟ ହୋଇ ପୋଲିସରେ ସମ୍ବାଦ ଦେବାକୁ ପଡ଼ିଲା ।

 

ହୁଁ । ଆଉ ମି. ମଦନରାଏଙ୍କ ଶୋଇବା ଶେଯ ଏହିପରି ଥିଲା, ନା ଗୋଟାଗୋଟି ହୋଇଥିଲା ?

 

ନା, ଆପଣ ଯେପରି ଦେଖୁଛନ୍ତି ଠିକ୍ ସେହିପରି ଅଛି । ଆମେ କେହି ସେଥିରେ ହାତ ଦେଇନାହୁଁ ।

 

ଅଶୋକ ଦାସ ନୀରବରେ ବସି ଚିନ୍ତାକଲେ । ତେବେ କ’ଣ ଶତ୍ରୁ ପକ୍ଷର ଲୋକେ, ଆଶୋକ ଦାସଙ୍କ ମନୋବୃତ୍ତି ବୁଝି ପାରି ମଦନରାଏଙ୍କୁ ଦୁରେଇ ନେଇଛନ୍ତି । ସେମାନେ କଣ ବୁଝିପାରିଛନ୍ତି ମଦନରାଏଙ୍କ ପାଟି ଖୋଲିଲେ ସେମାନେ ବିପଦରେ ପଡ଼ିବେ ! ତା’ଛଡା ଆଉ କ’ଣ ହୋଇପାରେ ? ମଦନରାଏ ବା ସ୍ୱଇଚ୍ଛାରେ ଘର ଛାଡ଼ି ଚାଲିଯିବେ କାହିଁକି ? ଅଶୋକ ଦାସ ନୀଳିମାର ଅଶ୍ରୁଳ ମୁଖମଣ୍ଡଳ ଆଡ଼େ ଚାହିଁପାରୁ ନ ଥିଲେ । ଏହା ଯଦି ଏକ ଦୁର୍ଘଟଣା ହୋଇଥାଏ, ତେବେ ସେଥିପାଇଁ ଦାୟୀ ଅଶୋକ ଦାସ । ତାଙ୍କୁ ଏହାର ପ୍ରାୟଶ୍ଚିତ କରିବାକୁ ପଡ଼ିବ ।

 

ଅଳକା ଆସି ନତ ମୁଖରେ ନୀଳିମାକୁ ଲାଗି ଠିଆ ହେଲା ।

 

ଅଶୋକ ଦାସ ପଚାରିଲେ, ତୁମେ କୁଆଡ଼େ ଯାଇଥିଲ ଅଳକା ?

 

ତଳେ ଥିଲି । ପୁଲିସବାବୁଙ୍କୁ ବାପାଙ୍କ କଥା ପଚାରୁଥିଲି ।

 

ତମେ ଆଜି ସକାଳେ ପ୍ରଥମେ ଉଠି ମି. ମଦନରାଏଙ୍କ ବିଛଣା ଖାଲି ଦେଖିଲ ।

 

ହଁ ।

 

ବିଛଣା ଖାଲି ଦେଖି ତମର କ’ଣ ମନେ ହେଲା ?

 

ମୁଁ ଭାବିଲି ବାପା ହୁଏତ ପାଇଖାନା ଯାଇଛନ୍ତି ।

 

ତା’ପରେ ?

 

ଅନେକ ସମୟ କଟିଗଲା, କିନ୍ତୁ ବାପା ଫେରିଲେ ନାହିଁ ।

 

ସେଉଠୁ ତମେ କ’ଣ କଲ ?

 

ମୁଁ ଯାଇ ପାଇଖାନା ଦେଖିଲି, ଖୋଲା ।

 

ହୁଁ, ତା’ପରେ ?

 

ଯାଇ ଦେଈଙ୍କି ଉଠେଇଲି ।

 

ଦେଈଙ୍କି ଉଠେଇବା ପୂର୍ବରୁ ତମେ ମଦନରାଏଙ୍କ ବିଛଣା ସଜାଡି ଦେଇଥିଲ ? ଅଶୋକ ଦାସ ପଚାରିଲେ ?

 

ନା, ମୁଁ ମୋଟେ ବାପାଙ୍କ ବିଛଣା ପାଖକୁ ଯାଇ ନ ଥିଲି ।

 

ବେଶ୍, ତମର ତା’ହେଲେ ବର୍ତ୍ତମାନ କ’ଣ ମନେହେଉଛି ? ମି. ମଦନରାଏ ନିଜ ଇଚ୍ଛାରେ କୁଆଡ଼େ ଚାଲିଯାଇଛନ୍ତି ନା ତାଙ୍କୁ କେହି ବଳପୂର୍ବକ କେଉଁଆଡ଼େ ନେଇ ଯାଇଛି ?

 

ଅଳକା ନୀରବରେ ଠିଆହୋଇ ରହିଲା । ଅଶୋକ ଦାସଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଲା ନାହିଁ ।

 

ଅଶୋକ ଦାସ ମଧ୍ୟ ଆଉ କିଛି ପ୍ରଶ୍ନ କଲେ ନାହିଁ । ନୀରବରେ ବସି ସିଗାରେଟ୍ ଟାଣିଲେ । ତା’ହେଲେ ? ମନେମନେ ସେ ଘଟଣାଟାକୁ ବିଶ୍ଳେଷଣ କରୁଥିଲେ । ହୁଏତ ଶତ୍ରୁପକ୍ଷୀୟ ଲୋକଙ୍କ ଦ୍ୱାରା ମଦନରାଏ ଅପହୃତ ହୋଇଛନ୍ତି । କିନ୍ତୁ ଏତେ ଶୀଘ୍ର ସମ୍ବାଦଟା ସେମାନଙ୍କ କାନରେ ଯାଇ ପହଞ୍ଚିଲା କିପରି ? ତାଙ୍କୁ ତା’ହେଲେ ଶୀଘ୍ର ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାକୁ ପଡ଼ିବ । ମଦନରାଏଙ୍କୁ ଉଦ୍ଧାର କରିବାକୁ ପଡ଼ିବ । ତା’ ନ ହେଲେ ବିଚାରୀ ନୀଳିମା ! ଆଉ ସେ ସ୍ଥିର ହୋଇ ବସିପାରିଲେ ନାହିଁ । ଶୀଘ୍ର ଫେରି ଆସିବାର ପ୍ରତିଶ୍ରୁତି ଦେଇ, ନୀଳିମାଠାରୁ ବିଦାୟ ନେଇ ଚାଲିଗଲେ ।

 

ପୋଲିସ ଅଫିସର ଚନ୍ଦ୍ରଶେଖର ପଟ୍ଟନାୟକ ଦିନ ବାରଟାବେଳେ ପୁଣି ଆସି ପହଞ୍ଚିଲେ । ନୀଳିମା ସେତେବେଳଯାଏ ମନରେ ବଳ ଫେରି ପାଇ ନଥିଲା । କ’ଣ କରିବ ନ କରିବ କିଛି ସ୍ଥିର କରି ପାରି ନଥିଲା । ଅଳକା ବହୁଥର ନୀଳିମାକୁ ନିତ୍ୟକର୍ମ ଶେଷ କରିବାକୁ କହି ଯାଇଥିଲେ ମଧ୍ୟ ନୀଳିମା ନୀରବରେ ବସିଥିଲା ।

 

ପୋଲିସ ଅଫିସର ଆସି ପୁଣି ପ୍ରଶ୍ନବାଣ ଆରମ୍ଭ କରିଦେଲେ ।

 

ମି.ମଦନରାଏ ଯେତେବେଳେ କାଲି ଶେଷ ରାତିରେ ଶୟନ କଲେ, ସେତେବେଳକୁ କେତେଟା ବାଜିଥିଲା ?

 

ମୁଁ କହି ପାରିବି ନାହିଁ । ନୀଳିମା କହିଲା । କାରଣ ମୁଁ ପୂର୍ବରୁ ଶୋଇ ପଡ଼ିଥିଲି ।

 

କେସ୍‌ଟା ବଡ଼ ଜଟିଳ ମନେ ହେଉଛି ନୀଳିମାଦେବୀ ! ମୁଁ ଯାହା ଭାବିଥିଲି ଏ ତାହା ନୁହେଁ । ସବୁଆଡ଼େ ଲୋକ ପଠାଇ ବ୍ୟର୍ଥ ହେଲିଣି । ମୋର ମନେ ହେଉଛି ଏହା ପଛରେ କୌଣସି ରହସ୍ୟ ଲୁଚି ରହିଛି ।

 

ତା’ହେଲେ ବାପାଙ୍କୁ କ’ଣ ଆଉ ଫେରି ପାଇବି ନାହିଁ ? ନୀଳିମାର କଣ୍ଠରୁଦ୍ଧ ହୋଇ ଆସୁଥିଲା ।

 

ମୁଁ କ’ଣ ଭାବୁଛି ଜାଣନ୍ତି ନୀଳିମାଦେବୀ ! ଏହି ଚକ୍ରାନ୍ତ ପଛରେ ହୁଏତ ଦସ୍ୟୁ ଲାଲସିଂହର କୌଣସି ହାତ ଅଛି ।

 

ଦସ୍ୟୁ ଲାଲସିଂହ ? ନୀଳିମା ଚିତ୍କର କରି ଉଠିଲା । ସେ ଯେପରି ଆଖି ଆଗରେ ମୃତ୍ୟୁଦୂତ ଦେଖୁଛି । ମୁହଁରେ ଭୟର ଚିହ୍ନ ଫୁଟି ଉଠିଲା ।

 

ଆପଣ ଏପରି ବିଚଳିତ ହୋଇପଡ଼ୁଛନ୍ତି କାହିଁକି ନୀଳିମା ଦେବୀ ! ଦସ୍ୟୁ ଲାଲସିଂହ ଯିଏ ହେଲେ ବି ସେ ତ ମଣିଷ ! ମୁଁ ପ୍ରାଣପଣେ ଚେଷ୍ଟାକରୁଚି । ମି. ମଦନରାଏଙ୍କୁ ଫେରାଇ ନ ଆଣିବା ଯାଏ, ମୁଁ ନିଶ୍ଚିନ୍ତ ହୋଇ ପାରିବି ନାହିଁ । ତା’ଛଡା ମୁଁ ଆଜି କଟକ ଲୋକ ପଠାଇଛି । ହୁଏତ ସତ୍ୟବ୍ରତ ମହାପାତ୍ର ସନ୍ଧ୍ୟାବେଳକୁ ଆସି ପହଞ୍ଚିଯିବେ ।

 

ସେ ପୁଣି କିଏ ? ନୀଳିମା ପଚାରିଲେ ।

 

ଆରେ ଆପଣ ସତ୍ୟବ୍ରତ ମହାପାତ୍ର ନାଁ ଶୁଣି ନାହାଁନ୍ତି ? ପ୍ରାଇଭେଟ୍ ଡିଟେକ୍‌ଟିଭ । ଆଉ ଲାଲସିଂହର ପରମ ଶତ୍ରୁ । ତା’ଛଡା ଅସମ୍ଭବ ତୀକ୍ଷ୍‌ଣ ବୁଦ୍ଧି ତାଙ୍କର । ଦେଖିବେ ସେ ଆସି ପହଞ୍ଚିଗଲେ ଏ ସମସ୍ୟାର ସମାଧାନ ହୁଏତ ଦିନେ ଦୁଇଦିନ ମଧ୍ୟରେ ହୋଇଯିବ ।

 

ଅଶୋକ ଦାସଙ୍କ ମୂଲ୍ୟବାନ୍‍ ଗାଡ଼ିଟା ଆସି ସେତିକିବେଳେ ପ୍ରବେଶ କଲା । ଅଶୋକ ଦାସ ଗାଡ଼ିରୁ ଓହ୍ଲାଇ ଯାଇ ପୋଲିସ ଅଫିସରଙ୍କୁ ଦେଖି ପଚାରିଲେ, ତା’ପରେ ଖବର କ’ଣ ମି: ପଟ୍ଟନାୟକ । ଆଶା କରୁଛି ଆପଣ ଯଥେଷ୍ଟ ଅଗ୍ରସର ହୋଇଥିବେ ।

 

ପୋଲିସ ଅଫିସରଙ୍କ ମୁହଁରେ ନିରାଶ ଭାବ ଫୁଟି ଉଠିଲା । ସେ କହିଲେ, ଆପଣଙ୍କ ଅନୁମାନ ସତ୍ୟ ହୋଇଥିଲେ ମୁଁ ଖୁବ୍ ଆନନ୍ଦିତ ହୋଇ ଥାଆନ୍ତି । କିନ୍ତୁ ଦୁଃଖର କଥା ମି: ଦାସ ! ମୋର ମନେ ହେଉଛି ଏହା ପଛରେ ହୁଏତ ଏକ ବିରାଟ ରହସ୍ୟ ଲୁଚି ରହିଛି ଏବଂ ଯେତେଦୂର ସମ୍ଭବ ଦସ୍ୟୁ ଲାଲସିଂହର ହାତ ଏହା ମୂଳରେ ରହିଛି ।

 

ଅଶୋକ ଦାସ ସ୍ମିତ ହସି କହିଲେ, ଥାଇପାରେ । କିନ୍ତୁ ଆପଣଙ୍କର ଏହି ଅନୁମାନ କାହା ଉପରେ ଭିତ୍ତି କରି ଗଢି ଉଠିଚି ? କେବଳ କଳ୍ପନା ନା ସାମାନ୍ୟ ଟିକିଏ ଭିତ୍ତି ଏହା ମୂଳରେ ଅଛି ?

 

ଅବଶ୍ୟ ଏପରି ଏକ ଅନୁମାନ ମୋର ଅଳୀକ ନୁହେଁ । ଗତ କାଲି ରାତିରେ ମି.ମଦନରାଏଙ୍କ ଦୁଆରେ ଏକ ବିରାଟକାୟ ଗାଡ଼ି ଲାଗିଥିବା ଏବଂ ପ୍ରାୟ ଅର୍ଦ୍ଧଘଣ୍ଟାରୁ ଅଧିକ କାଳ ରହିଥିବାର ଏକ ସମ୍ବାଦ ମୁଁ ପାଇଛି ।

 

ହୁଁ, ଅଶୋକ ଦାସ ଗମ୍ଭୀର ହୋଇ ପକେଟ୍‌ରୁ ସିଗାରେଟ୍ କେସ୍ ବାହାର କଲେ ଏବଂ ପୋଲିସ ଅଫିସରଙ୍କ ଆଡ଼କୁ ବଢ଼ାଇ ଦେଇ କହିଲେ, ସେହିପରି ଗୋଟାଏ କିଛି ଘଟିଥିବ ବୋଲି ମୁଁ ବି ଅନୁମାନ କରିଥିଲି ।

 

କିନ୍ତୁ ବର୍ତ୍ତମାନ ସମସ୍ୟା କ’ଣ ହେଉଛି ଜାଣନ୍ତି ? ପ୍ରଥମେ ଆମକୁ ଅନୁସନ୍ଧାନ କରିବାକୁ ହେବ ମି. ମଦନରାଏଙ୍କ ସହିତ କାହାର ସ୍ଵାର୍ଥ ଜଡ଼ିତ ହୋଇ ରହିଛି । ମୋର ମନେ ହେଉଛି ଏପରି ଦୁଃସାହସିକ କାର୍ଯ୍ୟ ଦସ୍ୟୁ ଲାଲସିଂହ ଛଡା ଆଉ କାହାରି ହୋଇ ନ ପାରେ । ଅନ୍ୟ କେହି ହୋଇଥିଲେ ସେ ହୁଏତ ମି. ମଦନରାଏଙ୍କୁ ଖୁଣ୍‍ କରି ଚାଲିଯାଇ ଥାଆନ୍ତା ।

 

ନୀଳିମାଦେବୀ ଶିହରୀ ଉଠିଲେ ।

 

ଅଶୋକ ଦାସ ସିଗାରେଟରେ ଅଗ୍ନି ସଂଯୋଗ କରୁ କରୁ କହିଲେ, ଏପରି ଏକ ଅନୁମାନ ଉପରେ ଭିତ୍ତିକରି ଆଗେଇବା ଠିକ୍ ନୁହେଁ ମି. ପଟ୍ଟନାୟକ । ଏହା ଯେ ଦସ୍ୟୁ ଲାଲସିଂହର କାର୍ଯ୍ୟ ନୁହେଁ ମୁଁ ତାହା ଅସ୍ଵୀକାର କରୁନାହିଁ । କିନ୍ତୁ ଆପଣ ଗତରାତ୍ରିର ସେହି ବୃହଦାକାୟ ମଟରଟାର ଅନୁସନ୍ଧାନ କରନ୍ତୁ । ତା’ହେଲେ ଅସଲ ସମସ୍ୟା ଉପରେ ସମ୍ୟକ ଆଲୋକପାତ କରି ହେବ ।

 

ସେଇଥିପାଇଁ ମୁଁ ଆଜି ଜଣେ ଲୋକକୁ କଟକ ପଠାଇଛି । ସେ ସତ୍ୟବ୍ରତ ମହାପାତ୍ରଙ୍କୁ ସାଙ୍ଗରେ ଧରି ଆସିବ । ସେ ଆସିଗଲେ ସମସ୍ୟାଟା ଅନେକ ସହଜ ହୋଇଯିବ ।

 

ଅଶୋକ ଦାସ କହିଲେ ଆପଣଙ୍କ ଲୋକ ନିରାଶ ହୋଇ ଫେରିବ ମି. ପଟ୍ଟନାୟକ । ମୋ ମୁଣ୍ଡରେ ମଧ୍ୟ ସେ ବୁଦ୍ଧି ପଶିଥିଲା ଏବଂ ମୁଁ ଏଠାରୁ ଯାଇ ସତ୍ୟବ୍ରତ ମହାପାତ୍ରଙ୍କୁ ଟେଲିଫୋନ୍ କରିଥିଲି । ଆମର ଦୁର୍ଭାଗ୍ୟ ଯେ ସେ କଟକରେ ନାହାନ୍ତି । ତାଙ୍କର ସହକାରୀ କହିଲେ, ସେ ଓଡ଼ିଶା ବାହାରକୁ କୌଣସି ଏକ ବିଶେଷ କାର୍ଯ୍ୟରେ ଯାଇଛନ୍ତି । ଫେରୁ ଫେରୁ ଆହୁରି ତିନି ଚାରିଦିନ ଡେରି ହେବ ।

 

ମି. ପଟ୍ଟନାୟକଙ୍କ ମୁହଁରୁ ମୁହୂର୍ତ୍ତକ ପାଇଁ ଯେପରି ସମସ୍ତ ଆଗ୍ରହ ମିଳେଇ ଗଲା । ସେ ଅଶୋକ ଦାସଙ୍କ ମୁହଁକୁ କିପରି ଅବିଶ୍ଵାସ ଦୃଷ୍ଟିରେ ଚାହିଁ କହିଲେ, ଆପଣ ସତ କହୁଚନ୍ତି ?

 

ଅଶୋକ ଦାସ ପୋଲିସ ଅଫିସରଙ୍କ ହାବ ଭାବ ଦେଖି ଓ କଣ୍ଠସ୍ୱର ଶୁଣି ନ ହସି ରହିପାରିଲେ ନାହିଁ । କହିଲେ, ଅବଶ୍ୟ ସତ୍ୟବ୍ରତ ମହାପାତ୍ରଙ୍କୁ ଏ କ୍ଷେତ୍ରରେ ପାଇଥିଲେ ଆମେ ଯଥେଷ୍ଟ ଉପକୃତ ହୋଇଥାଆନ୍ତେ, କିନ୍ତୁ ସେ ନାହାନ୍ତି ଯେତେବେଳେ…ଆଚ୍ଛା ମି. ପଟ୍ଟନାୟକ କାଲିରାତିରେ ଏଠାରେ ଯେ ଗୋଟାଏ ଗାଡ଼ି ଲାଗିଥିବା କଥା ଆପଣ କହୁଚନ୍ତି; କାହାଠାରୁ ଖବର ପାଇଲେ ?

 

ସେ ସେପରି କିଛି ବିଶ୍ଵାସଯୋଗ୍ୟ ସମ୍ବାଦ ନୁହେଁ । ଆଖପାଖର ଲୋକଙ୍କଠାରୁ ଯାହା ସଂଗ୍ରହ କରାଗଲା, ସବୁଗୁଡ଼ିକ ଏକତ୍ର କଲେ ମନେହୁଏ ଯେ, ଏଠାରେ କାଲି ଅନେକ ରାତିରେ ଏକ ବିରାଟକାୟ ଗାଡ଼ି ଲାଗିଥିଲା ।

 

ଆପଣଙ୍କ କଥାର ଅର୍ଥ ଠିକ୍ ମୁଁ ବୁଝିପାରିଲି ନାହିଁ ମି. ପଟ୍ଟନାୟକ ।

 

ଆଖପାଖର ପ୍ରାୟ ସମସ୍ତ ଲୋକଙ୍କୁ ମୁଁ ଗତ ରାତ୍ରିସମ୍ବନ୍ଧରେ ପ୍ରଶ୍ନ କରିଥିଲି । କିଏ କହିଲା, ଅନେକ ରାତିରେ ଗାଡ଼ି ଚାଲିଲା ପରି ଗୋଟାଏ ଶବ୍ଦ ଶୁଭିଥିଲା । କିଏ କହିଲା, ହଠାତ୍ ଫ୍ଲାଶ୍‌ଲାଇଟ୍ ଥରେ ଜଳି ଉଠିଥିଲା ଏବଂ ତାର ଅନୁମାନ ଯେ ସେଇଟା ମଟର ଗାଡ଼ିର ହେଡ୍‍ଲାଇଟ୍ ଛଡ଼ା ଅନ୍ୟ କିଛି ହୋଇ ନ ପାରେ । ଆଉ ଜଣେ କହିଲା, ଗୋଟାଏ କ’ଣ ବିରାଟକାୟ ପଦାର୍ଥ ମି.ମଦନରାଏଙ୍କ ଦୁଆରେ ଠିଆ ହୋଇଥିବାର ସେ ଦେଖିଲା । ମାତ୍ର ଆଖିରେ ତନ୍ଦ୍ରା ଥିବାରୁ ସେ ସେତେଟା ଲକ୍ଷ୍ୟ କରିପାରି ନ ଥିଲା । ଏହିପରି କାହାରି କାହାରି ମୁହଁରୁ ଶୁଣାଯାଉଛି ।

ହୁଁ । ତା’ହେଲେ ଆପଣଙ୍କର ଧାରଣା ଯେ କୌଣସି ଏକ ଲୋକ ବା ଦଳ ଆସି ମି. ମଦନରାଏଙ୍କୁ ନିସ୍ତବ୍‌ଧ ରାତ୍ରିରେ ମଟରରେ ବସାଇ କେଉଁଆଡ଼େ ନେଇ ଯାଇଛନ୍ତି ? ଅଶୋକ ଦାସ ପଚାରିଲେ ।

ହଁ, ଅନେକଟା ମୁଁ ସେହିପରି ଏକ ସିଦ୍ଧାନ୍ତରେ ପହଞ୍ଚିଛି, ପୋଲିସ ଅଫିସର କହିଲେ । ଆଉ ଆପଣ କୌଣସି ତଥ୍ୟ ଆବିଷ୍କାର କଲେ ?

ମୁଁ ? ଅଶୋକ ଦାସ ହସିଲେ । ମୁଁ କେବଳ ସତ୍ୟବ୍ରତ ମହାପାତ୍ରଙ୍କ ନିକଟକୁ ଥରେ ଫୋନ୍‌ କରିବା ଛଡା ଆଉ କିଛି କରିନାହିଁ । କିନ୍ତୁ ସେଠାରେ ବି ନିରାଶ ହୋଇଛି । ବର୍ତ୍ତମାନ ନୀଳିମାଦେବୀ ଯଦି ଭାବନ୍ତି ଯେ ମୋରିପାଇଁ ତାଙ୍କର ସର୍ବନାଶ ହେଲା, ତା’ହେଲେ ଲଜ୍ଜାରେ ମୁହଁ ଦେଖାଇବା ମୋ ପକ୍ଷରେ ସମ୍ଭବ ହେବ ନାହିଁ ।

ନା, ଆପଣଙ୍କୁ ମୁଁ କାହିଁକି ଦୋଷ ଦେବି ଅଶୋକବାବୁ ! ଆପଣ ନ ଆସିଥିଲେ ଯେ ମୋର ଏହି ଦୁର୍ଦ୍ଦଶା ହୋଇ ନଥାନ୍ତା କିଏ କହିପାରିବ । ବରଂ ଆପଣ ଏହି ଦୁଃସମୟରେ ଆସି ମୋତେ ସାହାଯ୍ୟ କରିଚନ୍ତି, ସେଥିପାଇଁ ମୋର କୃତଜ୍ଞତା ଜଣାଇବା କଥା । ନୀଳିମା ଜଡ଼ିତ କଣ୍ଠରେ କହିଲା ।

ଅଳକା ଗୋଟିଏ ଟ୍ରେରେ ଚା’ ଓ ଜଳଖିଆ ଆଣି ଉପସ୍ଥିତ ହେଲା ।

ନୀଳିମା ନିଜ ହାତରେ ଚା’ କରି ବଢ଼ାଇ ଦେଲା ।

ପୋଲିସ୍‌ ଅଫିସର ଚା’ ଖିଆ ଶେଷ କରି କହିଲେ, ପୁଣି ମୁଁ ସଂଧ୍ୟା ବେଳକୁ ଆସିବି, ଆଶା କରୁଛି ଆପଣଙ୍କୁ ଏଠାରେ ପାଇବି ।

ଏଠାରେ ନ ପାଇଲେ ବି ହୋଟଲରେ ପାଇବେ । ଅଶୋକ ଦାସ କହିଲେ । ଆଉ ଗୋଟାଏ କଥା ମି: ପଟ୍ଟନାୟକ, ମୁଁ କାଲି ସକାଳୁ ପୁରୀ ଛାଡି ଚାଲିଯାଇପାରେ । ଅବଶ୍ୟ ଆପଣଙ୍କର ଏହି କେସ୍‌ର ଅନୁସନ୍ଧାନରେ । ମୋ ମନରେ ଗୋଟାଏ ନୂଆ ସମସ୍ୟା ଦେଖା ଦେଇଚି । ଯା’ ହେଉ ଆଜି ସଂଧ୍ୟାବେଳେ ସେ ସମ୍ବନ୍ଧରେ ମୁଁ ଆପଣଙ୍କ ଅହିତ କଥାବାର୍ତ୍ତା କରିବି ।

 

ବେଶ୍‌ ! ମୁଁ ବର୍ତ୍ତମାନ ଆସୁଛି । ପୋଲିସ ଅଫିସର ଉଠି ଚାଲିଗଲେ ।

 

ଅଶୋକ ଦାସ ନୀଳିମାର ବିଷନ୍ନ ମୁଖମଣ୍ଡଳ ଆଡ଼େ କିଛି ସମୟ ଅନାଇ ରହି କହିଲେ, ମୁଁ ଆପଣଙ୍କ ଜୀବନରେ ଏକ ଧୂମକେତୁ ରୂପେ ଦେଖା ଦେଲି, ନା ନୀଳିମା ଦେବୀ !

 

ଛି, ଏ ଆପଣ କ’ଣ କହୁଛନ୍ତି ?

 

ନୁହେ ତ ଆଉ କ’ଣ ।

 

ଏତେ ଦୁଃଖ ମଧ୍ୟରେ ଆଉ ମୋତେ ଦୁଃଖ ଦିଅନ୍ତୁ ନାହିଁ ଅଶୋକବାବୁ ! ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ପାଇଁ ଆପଣଙ୍କର ସଂଗ୍ରାମ । ଆପଣଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ମୋ ତୁଣ୍ଡରେ ଭାଷା ନାହିଁ । ବାପା ମୋତେ ସେହି ଏକମାତ୍ର ଶିକ୍ଷା ବାଲ୍ୟକାଳରୁ ଦେଇ ଆସିଛନ୍ତି ।

 

କିନ୍ତୁ ନୀଳିମା ଦେବୀ......

 

ଆପଣ ମୋତେ ନୀଳିମା କୁହନ୍ତୁ । ଆଜ୍ଞା, ଆପଣ, ଦେବୀ, ଏ ସବୁ ମୋତେ ଭଲ ଲାଗୁନାହିଁ । ଭଦ୍ରତା ଅପେକ୍ଷା ଆନ୍ତରିକତା ମୁଁ ଆପଣଙ୍କଠାରୁ କାମନା କରୁଛି ।

 

ବେଶ୍‌ ! ତମର ଆଗ୍ରହ ଯେଉଁଥିରେ ନାହିଁ, ମୁଁ ତାକୁ ତ୍ୟାଗ କରୁଛି । ଆଚ୍ଛା କହିଲ, ମୁଁ ଯଦି ଆସି ମି: ମଦନରାଏଙ୍କୁ ସେହି ଫାଶୀ ଆସାମୀ ସମ୍ବନ୍ଧରେ କୌଣସି ପ୍ରଶ୍ନ ନକରିଥାଆନ୍ତି ତା’ହେଲେ ସେ କାହିଁକି ଏପରି ଦୁର୍ଦ୍ଦଶାଗ୍ରସ୍ତ ହୋଇ ଥାଆନ୍ତେ ?

 

କିନ୍ତୁ ଅସଲ ଘଟଣାଟା କ’ଣ ଅଶୋକବାବୁ ? ଆପଣଙ୍କ ମୁହଁରୁ ସେଦିନ ଏହାର ଆଭାସ ପାଇଲା ପରଠାରୁ ମୋ ମନରେ ଏକ ଅହେତୁକ ଆଗ୍ରହ ଦେଖାଦେଇଥିଲେ ମଧ୍ୟ ମୁଁ ଘଟଣାଟା ଜାଣିବାର କୌଣସି ସୁଯୋଗ ପାଇଲି ନାହିଁ । ତା ଛଡା ଆସାମୀକୁ ଫାଶୀ ହୋଇଯାଇଛି-। ଦୀର୍ଘ ଛ’ ସାତ ବର୍ଷ ପରେ ଆପଣ କାହିଁକି ଯେ ସେପରି ଏକ ଘଟଣାକୁ କେନ୍ଦ୍ରକରି ତଥ୍ୟ ସଂଗ୍ରହ କରୁଛନ୍ତି, ମୁଁ କିଛି ବୁଝିପାରୁନାହିଁ । ଯଦି ଆପତ୍ତି ନ ଥାଏ.......

 

ନା ନା, ଏଥିରେ ଆପତ୍ତି କରିବାର କିଛିନାହିଁ । ମୁଁ ଯେଉଁ ଘଟଣାର ତଥ୍ୟ ସଂଗ୍ରହ କରିବାକୁ ବାହାରିଛି, ତା’ର ପ୍ରକୃତ ରହସ୍ୟ ଉଦ୍‌ଘାଟନ କରିପାରିଲେ ଏପରି ଏକ ସତ୍ୟର ଆବିଷ୍କାର କରି ହେବ, ଯାହାକୁ ଆପଣ ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ ବୋଲି ଧରିପାରନ୍ତି । ଯାହାକୁ ଫାଶୀ ହେଲା, ସେ ବିଚରା ନିର୍ଦୋଷୀ । ଅବଶ୍ୟ ତାଙ୍କ ସ୍ତ୍ରୀଙ୍କ ମୁହଁରୁ ଶୁଣିଥିବା କଥା ଯଦି ସତ୍ୟ ହୋଇଥାଏ ।

 

ତାଙ୍କ ସ୍ତ୍ରୀ ଜୀବିତ ଅଛନ୍ତି ? ନୀଳିମା ସ୍ୱରରେ ବେଦନା ଫୁଟି ଉଠିଥିଲା ।

 

ହଁ । ଘଟଣାଟା ମୁଁ କହୁଚି ଶୁଣ । ରବିଶଙ୍କର ଆଉ କୁମାରଶଙ୍କର ଦୁଇ ଭାଇ । ରବିଶଙ୍କର ବଡ ଏବଂ କୁମାରଶଙ୍କର ସାନ । ସେମାନଙ୍କର ପିତା ଉଦୟଶଙ୍କର ଏକ ବିରାଟ ଜମିଦାର । ଅଜସ ଅର୍ଥର ଅଧିକାରୀ ଥିଲେ ।

 

କିନ୍ତୁ ସବୁଠାରୁ ଦୁଃଖର କଥା ହେଉଛି, ଉଦୟଶଙ୍କର ତାଙ୍କ ବଡ ପୁତ୍ର ରବିଶଙ୍କରକୁ ତ୍ୟାଜାପୁତ୍ର କରି ଦେଇଥିଲେ । ତା’ର କାରଣ ରବିଶଙ୍କର ବାପାଙ୍କ ଅନିଚ୍ଛାରେ ବିବାହ କରିଥିଲା । ରବିଶଙ୍କର ପିତାଙ୍କର ଏହି ଅଭିଶାପ ମୁଣ୍ଡପାତି ଗ୍ରହଣ କରିଥିଲା । ରବିଶଙ୍କର ଗୋଟାଏ ସ୍କୁଲରେ ମାଷ୍ଟରୀ କରି ଅତି ସାଧାରଣ ଭାବରେ ଜୀବନ ଯାପନ କରୁଥିଲା ।

 

କୁମାରଶଙ୍କର ନଷ୍ଟ ସ୍ୱଭାବର ଥିଲା । ଉଦୟଶଙ୍କର ତାକୁ ଆଦୌ ବିଶ୍ୱାସ କରିପାରୁନଥିଲେ । ସେ କିନ୍ତୁ ବାପାଙ୍କର ବାଧ୍ୟ ହେବାପାଇଁ ସବୁବେଳେ ଚେଷ୍ଟା କରୁଥିଲା । ଉଦୟଶଙ୍କର କୁମାରଶଙ୍କରଙ୍କର ଛଳନା ବୁଝିପାରୁଥିଲେ ମଧ୍ୟ, ମୁହଁ ଖୋଲି ପୁଅକୁ କିଛି କହିପାରୁନଥିଲେ ।

 

ରବିଶଙ୍କର କିନ୍ତୁ ଆଉ କୌଣସି ଦିନ ଘରକୁ ଫେରି ନ ଥିଲା । ସେ ନିଜ ଗୋଡ଼ରେ ଠିଆହୋଇ ନିଜର ଭାଗ୍ୟ ଗଠନ କରିବା ପାଇଁ ପ୍ରତିଜ୍ଞାବନ୍ଧ ହୋଇଥିଲା । ଏହି ମଧ୍ୟମ ଅବସ୍ଥାରେ ଉଦୟଶଙ୍କର ଅସୁସ୍ଥ ହୋଇପଡ଼ିଲେ । ଆଗରୁ ସେ ତାଙ୍କ ସ୍ତ୍ରୀଙ୍କୁ ହରାଇଥିଲେ । ଏଣେ ତାଙ୍କର ଅତ୍ୟନ୍ତ ଆଦରର ପୁତ୍ର ରବିଶଙ୍କରକୁ ତ୍ୟାଗକରି ତାଙ୍କ ମନରେ ଯଥେଷ୍ଟ ଆଘାତ ଲାଗିଥିଲା । ସେ ତାଙ୍କୁ କ୍ଷମା କରି ପୁଣି ଘରକୁ ଡାକି ଆଣିବାପାଇଁ ବହୁଥର ସ୍ଥିର କରିଥିଲେ ମଧ୍ୟ ତାଙ୍କର ଆଭିଜାତ୍ୟ ତାଙ୍କ କଣ୍ଠରୋଧ କରିଥିଲା । ଯା’ ହେଉ, ଦିନପରେ ଦିନ ଉଦୟଶଙ୍କରଙ୍କ ଅବସ୍ଥା ଖରାପ ଦିଗକୁ ଗତିକଲା । ଏତେ ବଡ ବିଶାଳ ସମ୍ପତ୍ତିର ଭାର ସେ କାହାକୁ ଦେଇଯିବେ, ଭାବି ସ୍ଥିର କରିପାରିଲେ ନାହିଁ । କୁମାରଶଙ୍କରର ବ୍ୟବହାରରେ ଦିନକୁ ଦିନ ସେ ବିବ୍ରତ ହୋଇ ଉଠୁଥିଲେ ।

 

ଶେଷରେ କୁମାରଶଙ୍କର ଜାଣି ପାରିଲା ଯେ, ତା’ର ପିତା ତା’ ଅଜାଣତରେ ସମସ୍ତେ ବିଷୟ ସମ୍ପତ୍ତିର ଏକ ଉଇଲ୍‌ କରି ରଖି ଯାଉଛନ୍ତି । ସେ ଅନୁସନ୍ଧାନ କରି ଜାଣିପାରିଲା, ଉଦୟଶଙ୍କର ତାଙ୍କର ସମସ୍ତେ ସମ୍ପତ୍ତି ତାଙ୍କ କନ୍ୟାର ଏକମାତ୍ର ନାବାଳକ ପୁତ୍ର ନାମରେ ଅର୍ଦ୍ଧେକ ଏବଂ ତାଙ୍କର ଜ୍ୟେଷ୍ଠ ପୁତ୍ର ରବିଶଙ୍କରର (କେବେ ଯଦି ପୁତ୍ର ସନ୍ତାନ ହୁଏ) ତା’ ନାମରେ ଅର୍ଦ୍ଧେକ ରଖି ଯାଉଛନ୍ତି । କୁମାରଶଙ୍କର ପାଇଁ କେବଳ କୋଠାଟା ଏବଂ ସାମାନ୍ୟ କେତେ ଏକର ଜମିର ବ୍ୟବସ୍ଥା କରାହୋଇଛି ।

 

ବାପାଙ୍କର ଏପରି ଏକ ବିଚିତ୍ର ଧରଣର ଉଇଲ୍‌ ପାଠକରି କୁମାରଶଙ୍କର ମନରେ ବିଦ୍ୱେଷ ଜାଗି ଉଠିଲା । ସେ ଜୀବିତ ଥାଉ ଥାଉ ଏବଂ ସମସ୍ତ ସମ୍ପତ୍ତିର ସେ ଏକଛତ୍ର ଅଧିକାରୀ ଥାଉ ଥାଉଁ ବାପା ତାକୁ ସବୁଥିରୁ ବଞ୍ଚିତ କରିଯିବେ, ଏହା କିପରି କଥା !

 

କୁମାରଶଙ୍କର ନିଜେ ଯାଇ ଦିନେ ଉଦୟ ଶଙ୍କରଙ୍କ ଆଗରେ ସବୁକଥା କହିଲା । ଉଦୟ ଶଙ୍କର ସେତେବେଳକୁ ରୋଗ ଶଯ୍ୟାରେ । ସେ କୁମାରଶଙ୍କରର କଥା ଶୁଣି କେବଳ କିପରି ଏକ ମଳିନ ହସ ହସି କହିଲେ, ମୁଁ ବହୁ ଭାବିଚିନ୍ତି ଯେଉଁ ଉଇଲ୍‌ କରିଛି, ତା’ର ଆଉ ଅଦଳ ବଦଳ କରି ପାରିବିନାହିଁ । ତୋତେ ଯାହା ଦେଇଯାଇଛି, ତୁ ଯଦି ମଣିଷ ହେଉ, ତେବେ ସେତିକିରେ ତୋର ଜୀବନକାଳ ଶେଷ ହୋଇଯିବ । ଉଦୟଶଙ୍କର ସେତିକି କହି ନୀରବ ରହିଥିଲେ ।

 

ତା’ପରେ ସେ ଆଉ କୁମାରଶଙ୍କରକୁ ଦ୍ଵିତୀୟ କଥା କହିନାହାନ୍ତି । ଅଳ୍ପ ଦିନ ପରେ ଉଦୟଶଙ୍କରଙ୍କର ମୃତ୍ୟୁ ହେଲା । ତା’ପରେ କୁମାରଶଙ୍କରର ଦୁଷ୍ଟ ବୁଦ୍ଧି ତେଜି ଉଠିଲା । ସେ ଏପରି ଉଇଲ୍‌ ବାପା କରି ଯାଇଥିବା ସତ୍ତ୍ୱେ କିପରି ସମସ୍ତ ସମ୍ପତ୍ତିର ମାଲିକ ହେବ, ସେଥିପାଇଁ ଉପାୟ ଚିନ୍ତା କରିବାରେ ଲାଗିଲା ।

 

ଉଦୟଶଙ୍କରଙ୍କ ମୃତ୍ୟୁ ସମ୍ବାଦ ନିଜେ କୁମାରଶଙ୍କର ବହନ କରି ରବିଶଙ୍କରଙ୍କ ନିକଟକୁ ଗଲା । ପିତାଙ୍କ ଶୁଦ୍ଧକ୍ରିୟା ବିଧିବଦ୍ଧ ଭାବରେ ସମାପନ କରିବା ପାଇଁ ରବିଶଙ୍କର ଏକା ଆସିଲା । ସମସ୍ତ ବନ୍ଧୁବାନ୍ଧବ ନିମନ୍ତ୍ରିତ ହୋଇ ଆସିଲେ । ସେଥିରେ କୁମାରଶଙ୍କରର ଭଉଣୀ ଓ ଭଣଜା ମଧ୍ୟ ଆସିଥିଲେ ।

 

ଉଦୟଶଙ୍କର ଯେ ଏପରି ଏକ ବିଚିତ୍ର ଉଇଲ୍‌ କରି ତାଙ୍କ ଆଟର୍ଣ୍ଣି ପାଖରେ ରଖି ଯାଇଥିଲେ, ଏକଥା କୁମାରଶଙ୍କର ଛଡା ଅନ୍ୟ କେହି ଜାଣି ନ ଥିଲେ । ଉଦୟଶଙ୍କରଙ୍କ ଶୁଦ୍ଧିକ୍ରିୟା ସମାପନ ହେବା ପରେ ସେହି ଉଇଲ୍‌ ଯେ ପାଠ ହେବ ଏବଂ କୁମାରଶଙ୍କର ସମସ୍ତେ ଭୋଗ ବିଳାସରୁ ବଞ୍ଚିତ ହେବ, ସେ କଥା ସେ ଜାଣି ପାରିଥିଲା । ତେଣୁ ପିତାଙ୍କ ଶୁଦ୍ଧିକ୍ରିୟା ପୂର୍ବରୁ ସବୁ ସମସ୍ୟାର ସମାଧାନ ସେ କରିବାକୁ ସ୍ଥିର କରିଥିଲା ।

 

କୁମାରଶଙ୍କରର ଭଣଜା ଯାହା ନାମରେ ଅର୍ଦ୍ଧେକ ସମ୍ପତ୍ତି ଥିଲା ତା’ର ବୟସ ସେତେବେଳକୁ ମାତ୍ର ସାତବର୍ଷ । ଆଉ ଅର୍ଦ୍ଧେକ ସମ୍ପତ୍ତିର ମାଲିକ ଅର୍ଥାତ ରବିଶଙ୍କର ପୁତ୍ର ସେତେବେଳଯାଏ ପୃଥିବୀ ପୃଷ୍ଠରେ ଜନ୍ମଗ୍ରହଣ କରି ନ ଥିଲା; ଅଥବା ତା’ର ସର୍ଜ୍ଜନାର କଳ୍ପନା ବ୍ରହ୍ମା ହୁଏତ କରି ନଥିଲେ । ଯା’ହେଉ କୁମାରଶଙ୍କର କିନ୍ତୁ ଏକ ସୁନ୍ଦର ପରିକଳ୍ପନା କରି ରଖିଥିଲା-

 

ଉଦୟଶଙ୍କରଙ୍କ ଶୁଦ୍ଧିକ୍ରିୟା ସପାପନ ହେବାକୁ ଆଉ ଦିନେ ବାକି ଅଛି । ସେତେବେଳକୁ ସନ୍ଧ୍ୟା ହୋଇଯାଇଥାଏ । ହଠାତ୍‌ ଗୋଟାଏ ଲୋକ ଧାଇଁ ଆସି ଜଣେଇଲା ଯେ, ଛୋଟବାବୁଙ୍କୁ (କୁମାରଶଙ୍କରର ଭଣଜା) ଦୁଇ ତିନିଜଣ ଲୋକ ହାତ ଗୋଡ ବାନ୍ଧି ନଈକୂଳ ଆଡ଼େ ନେଇଯାଉଛନ୍ତି । ଛୋଟବାବୁ ଯେତେ ଚିତ୍କାର କଲେ ମଧ୍ୟ ତାଙ୍କୁ ଛାଡୁନାହାନ୍ତି । ଏହି ସମ୍ବାଦ ଶୁଣିବା ମାତ୍ରେ ଘରେ ବୋବାଳି ପଡ଼ିଗଲା । ସେତେବେଳେ କୁମାରଶଙ୍କର ଘରେ ନ ଥିଲା । ରବିଶଙ୍କର କାନରେ କଥାଟା ବାଜିବାକ୍ଷଣି ସେ ଆଗପଛ କଛି ନ ବିଚାରି ଘରୁ ବାହାରି ପଡ଼ିଲା । କିନ୍ତୁ ନଈକୂଳ ପାଖରେ ଯାଇ ଯାହା ଦେଖିଲା, ସେଥିରେ ସେ ଶିହରୀ ଉଠିଲା । ରକ୍ତାକ୍ତ ଅବସ୍ଥାରେ ସାନ ପିଲାଟି ଗୋଟିଏ ବୁଦା ମୂଳେ ପଡ଼ିଛି । ଚନ୍ଦ୍ରଆଲୋକରେ ଛୁରୀଟା ଝିଲିମିଲି ହୋଇ ଦିଶୁଛି । ରବିଶଙ୍କର ଛୁରୀଟା ଉଠାଇ ଆଣି ଦେଖିଲା, କେହି କେଉଁଆଡ଼େ ନାହିଁ । ତା’ହେଲେ ? କିଏ ଏହି ନିର୍ବୋଧ ବାଳକକୁ ଏପରି ନୃଶଂସ ଭାବରେ ହତ୍ୟାକଲା ?

 

ସେ କ’ଣ କରିବ ନ କରିବ କିଛି ସ୍ଥିର କରିବା ପୂର୍ବରୁ ଦେଖିଲା, ପୋଲିସ୍‌ ଆସି ତା’ହାତରେ କଡା ପିନ୍ଧାଉଚି । ରବିଶଙ୍କର ଶିହରୀ ଉଠିଲା । ସାମନାରେ ଭଣଜାର ରକ୍ତାକ୍ତ ଦେହ, ଏଣେ ପୋଲିସର ହାତକଡ଼ି ଆଉ ହାତରେ ହତ୍ୟାକାରୀର ସେହି ପରିତ୍ୟକ୍ତ ଛୁରୀ । ରବିଶଙ୍କରର ମୁଣ୍ଡଟା ଗୋଳମାଳ ହେଇଗଲା; ସେ ସେଠାରେ ପୋଲିସର କୌଣସି ଉତ୍ତର ଦେଇ ପାରିଲା ନାହିଁ-। ଅଶୋକ ଦାସ ନୀରବ ହେଲେ ।

 

ତା ପରେ ? ନୀଳିମା ପଚାରିଲା ।

 

ତା’ପରେ ଆଉ କ’ଣ । ଯାହା ହେବାର ସେଇଆ ହେଲା । ରବିଶଙ୍କର ହତ୍ୟା ଅପରାଧରେ ଅପରାଧୀ ହେଲା । କୁମାରଶଙ୍କର ପ୍ରମାଣ କରିବାକୁ ଚାହିଁଲେ ଯେ ରବିଶଙ୍କର ନିଜର ଭଣଜାକୁ ହତ୍ୟା କରିବା ମୂଳରେ ବାକି ଅର୍ଦ୍ଧେକ ସମ୍ପତ୍ତିର ମୋହ ଥିଲା । ସେ ମୂଳରୁ ପଥ ନିଷ୍କଣ୍ଟକ କରି ରଖିବାର ସମସ୍ତ ସୁବ୍ୟବସ୍ଥା କରିଥିଲା । ଏହିପରି ଏକ ଭିତ୍ତି ଉପରେ କେସ୍‌ ଚାଲିଲା । ଦୀର୍ଘ ଦୁଇବର୍ଷ ବିଚାର ଚାଲିବା ପରେ ରବିଶଙ୍କରକୁ ଫାଶୀ ହୁକୁମ ହେଲା । କେହି ତାକୁ ବଞ୍ଚେଇ ପାରିଲେ ନାହିଁ । କାରଣ ତା’ପାଖରେ ପଇସା ନ ଥିଲା । ସ୍ତ୍ରୀର ଅଳଙ୍କାର ଓ ସାମାନ୍ୟ ଆସବାବପତ୍ର ଯାହା ଥିଲା, ସେତିକି ବିକ୍ରିକରି ଏପରି ଏକ ସାଂଘାତିକ କେସ୍‌ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯାଇ ପାରେନା । ଓକିଲ ବାରିଷ୍ଟରମାନେ ସେଇଆ କହିଲେ ।

 

ଇସ୍‌, ଏ ତା ହେଲେ ଏକ କରୁଣ ଇତିହାସ । ନୀଳିମା ଦୁଃଖମିଶା ସ୍ୱରରେ କହିଲା ।

 

ହଁ, କରୁଣ ନିଶ୍ଚୟ । ଜୟ ହେଲା କୁମାରଶଙ୍କରର । ସେ ଗୋଟିଏ ଟେକାରେ ଦୁଇଟି ପକ୍ଷୀ ଶିକାର କରିପାରିଲା । ଅର୍ଥାତ୍‌ ଭଣଜାକୁ ନିଜ ପଥରୁ ହଟେଇ ଅର୍ଦ୍ଧେକ ସମ୍ପତ୍ତି ପାଇବାର ପଥ ପରିଷ୍କାର କରି ରଖିଲା, ଆଉ ସଙ୍ଗେ ସଙ୍ଗେ ଭାଇକୁ ଖୁଣୀ ଆସାମୀ ରୂପେ ଅଭିଯୁକ୍ତ କରି ଏପରି ବ୍ୟବସ୍ଥାକଲା ଯେ, ଆଉ କୌଣସି ଦିନ ରବିଶଙ୍କରର ପୁତ୍ରସନ୍ତାନ ଜନ୍ମ ହେବାର ସମ୍ଭାବନା ମଧ୍ୟ ରହିଲା ନାହିଁ । ଫଳରେ କୁମାରଶଙ୍କର ସମସ୍ତ ସମ୍ପତ୍ତିର ଅଧିକାରୀ ହୋଇ ବସିଲା ।

 

ଏ କିନ୍ତୁ ଅତ୍ୟନ୍ତ ହୀନ ଚକ୍ରାନ୍ତ ଅଶୋକବାବୁ । ସମ୍ପତ୍ତି ଲୋଭରେ ମଣିଷ ଯେ ଏତେ ତଳକୁ ଓହ୍ଲେଇ ଯାଇପାରେ, ମୁଁ ଆଜି ଆପଣଙ୍କ ମୁହଁରୁ ପ୍ରଥମ ଶୁଣିଲି ।

 

ପାରେ ନୀଳିମାଦେବୀ ! ମଣିଷଠାରୁ ଘୃଣ୍ୟ ଏ ପୃଥିବୀରେ ଦ୍ଵିତୀୟ ପ୍ରାଣୀ ନାହିଁ ।

 

ତେବେ କ’ଣ ଆପଣଙ୍କର ଅନୁମାନ ସେଇ କୁମାରଶଙ୍କର ଷଡଯନ୍ତ୍ର କରି ବାପାଙ୍କୁ ଏଠାରୁ ନେଇ ଯାଇଛି ? ନୀଳିମା ଆଖିରେ ଭୟର ଛାପ ପ୍ରତିଫଳିତ ହୋଇ ଉଠୁଥିଲା ।

 

ଅବଶ୍ୟ ମୁଁ ସେହିପରି ଅନୁମାନ କରୁଛି । କାରଣ ରବିଶଙ୍କରର ଏହି କେସ୍‌ ସମ୍ବନ୍ଧରେ ମି: ମଦନରାଏଙ୍କୁ ଅନେକ ଗୁଢ ତତ୍ତ୍ୱ ଜଣାଥିଲା । ତେଣୁ ସେ ସମ୍ବନ୍ଧରେ ଘଣ୍ଟା ଚକଟା ହେଲେ, କାଳେ ଅସଲ ତଥ୍ୟ ଉଦ୍‌ଘାଟିତ ହୋଇପଡ଼ିବ, ବୋଧହୁଏ ସେଥିପାଇଁ କୁମାରଶଙ୍କର ମି: ମଦନରାଏଙ୍କ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିଥିଲା ।

 

କୁମାରଶଙ୍କର ବର୍ତ୍ତମାନ କ’ଣ କରୁଛି ?

 

ସେ ଏବେ ଓଡ଼ିଶାର ଜଣେ ମାନ୍ୟଗଣ୍ୟ ବ୍ୟକ୍ତି । ବିଶିଷ୍ଟ ବ୍ୟବସାୟୀ । କୋଟିପତି ବୋଲି ଅନେକ କହନ୍ତି । କିନ୍ତୁ ବିଶିଷ୍ଟ ବ୍ୟବସାୟୀ । କୋଟିପତି ବୋଲି ଅନେକ କହନ୍ତି । କିନ୍ତୁ ସେ ଆଉ କୁମାରଶଙ୍କର ହୋଇନାହିଁ । ନାଁ ବଦଳି ଯାଇଛି । ମଣିଷ ବଦଳି ଯାଇଛି । କିନ୍ତୁ ଆଚରଣ ତା’ର ପୂର୍ବପରି ରହିଚି । ସେଥିପାଇଁ ମୋର ଭୟ ହେଉଛି.........

 

ନୀଳିମା ଶିହରୀ ଉଠିଲା । କହିଲା, ସେ କ’ଣ ବାପାଙ୍କୁ....

 

ନା ନା, ତମେ ସେଥିପାଇଁ ଭାବ ନାହିଁ । ମୋର ତୀକ୍ଷ୍‌ଣ ଦୃଷ୍ଟି ସବୁବେଳେ ଲୋକଟା ଉପରେ ଅଛି, କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହେଉଚି, ଏତେ ଶୀଘ୍ର ସେ ମୋର କାର୍ଯ୍ୟକଳାପ ସମ୍ବନ୍ଧରେ କିପରି ଅବଗତ ହେଲା ।

 

ନୀଳିମା ଭୟ ମିଶ୍ରିତ ସ୍ୱରରେ ପଚାରିଲା, ତା’ହେଲେ ସେଇ କୁମାରଶଙ୍କର କ’ଣ ଆଜିର ଦୁର୍ଦ୍ଦାନ୍ତ ଦସ୍ୟୁ ଲାଲସିଂହ ?

 

ଅଶୋକ ଦାସ ହସି ଉଠିଲେ । କହିଲେ, ତମେ ଲାଲସିଂହକୁ ଯଥେଷ୍ଟ ଭୟ କର ଦେଖୁଚି । କିନ୍ତୁ ମନେରଖିବ ସେ ଜଣେ ସାଧାରଣ ମଣିଷ । ମୁଁ ଆଜି ଉଠୁଚି ନୀଳିମା । ପୁଣି ସନ୍ଧ୍ୟାବେଳକୁ ଆସିବି । ବର୍ତ୍ତମାନ ହାତରେ ବହୁତ କାମ ଅଛି ।

 

ଓଡ଼ିଶାର ବିଶିଷ୍ଟ ବ୍ୟବସାୟୀ କୋଟିପତି ରାଘବାନନ୍ଦ ହରିଚନ୍ଦନ ସେଦିନ ଓଡ଼ିଶାର ଛୋଟବଡ ସମସ୍ତ ବ୍ୟବସାୟୀମାନଙ୍କୁ ନିମନ୍ତ୍ରଣ କରିଥିଲେ । ଉଦ୍ଦେଶ୍ୟ ଓଡ଼ିଶାରେ ଏକ ଲୌହକାରଖାନା ପ୍ରତିଷ୍ଠା କରିବା । ବନ ଜଙ୍ଗଲ, ପାହାଡ, ପର୍ବତରେ ଏତେ ଅମୁଲ୍ୟ ସଂପଦ ପୁରି ରହିଥିବା ସତ୍ତ୍ୱେ ତା’ର ବିନିଯୋଗ ହୋଇ ନ ପାରିବା ଦେଶ ପକ୍ଷରେ ଏକ ଅଭିଶାପ ହେବ । ସେଥିପାଇଁ ସେ ଦିନରେ ସ୍ଥିର ହୋଇ ବସିପାରନ୍ତି ନାହିଁ, ରାତିରେ ସୁଖନିଦ୍ରା ଯାଇପାରନ୍ତି ନାହିଁ । ପରିକଳ୍ପିତ ଲୌହକାରଖାନା ପ୍ରତିଷ୍ଠା କରିବା ପାଇଁ ଯେତେ ଟଙ୍କା ପ୍ରୟୋଜନ ହେବ, ତହିଁର ଅର୍ଦ୍ଧାଂଶ ହରିଚନ୍ଦନ ବହନ କରିବେ, ବାକି ଅର୍ଦ୍ଧାଂଶ ପାଇଁ ସେ ଓଡ଼ିଶାର ସମସ୍ତ ବ୍ୟବସାୟୀଙ୍କ ପାଖରେ ନିବେଦନ ଜଣାଇଛନ୍ତି । ସେଇଥିପାଇଁ ଆଜିର ଏ ଆୟୋଜନ ।

 

କଟକ ଟାଉନ୍‌ହଲରେ ଏହି ସଭାର ଆୟୋଜନ ହରିଚନ୍ଦନ ନିଜେ କରିଥିଲେ । ସନ୍ଧ୍ୟା ୬ଟା ବେଳକୁ ସେ ଅତିଥିମାନଙ୍କୁ ନିମନ୍ତ୍ରଣ କରିଥିଲେ । ଓଡ଼ିଶାର ଛୋଟବଡ କୌଣସି ବ୍ୟବସାୟୀଙ୍କୁ ସେ ବାଦ୍‌ ଦେଇ ନ ଥିଲେ ।

 

ସାଢେ଼ ପାଞ୍ଚଟା ପରଠାରୁ ଧୀରେ ଧୀରେ ଗୋଟିଏ ଗୋଟିଏ କାର ଆସି ଟାଉନ୍‌ହଲରେ ହତାରେ ଭିଡ଼ ଜମେଇଲେ । ଛଅଟା ବାଜିବାବେଳକୁ ଦେଖାଗଲା ଟାଉନ୍‌ହଲ ପଡ଼ିଆରେ ଯେପରି ଏକ କାର ପ୍ରଦର୍ଶନୀ ହେଉଛି । ବିଭିନ୍ନ ରଙ୍ଗର, ବିଭିନ୍ନ ମଡ଼େଲର ଏତେ କାର୍ ଆସି ସେଠାରେ ଜମା ହେବାକୁ ଲାଗିଲା ଯେ ଶେଷରେ ଆଉ ଜାଗା ବି ମିଳିଲା ନାହିଁ । ପଛରେ ଯେଉଁମାନେ ଆସିଲେ ସେମାନେ କାର୍ ରଖିବା ପାଇଁ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

 

ଏହି ସଭାକୁ ଅଶୋକ ଦାସ ମଧ୍ୟ ନିମନ୍ତ୍ରିତ ହୋଇଥିଲେ ଏବଂ ସେ ଛଅଟା ବାଜିବାର ପନ୍ଦର ମିନିଟ୍ ପୂର୍ବରୁ ଆସି ଟାଉନ୍‌ହଲରେ ପ୍ରବେଶ କରିଥିଲେ ।

 

ଠିକ୍ ଛଅଟା ବାଜିଲା । ଟାଉନ୍‌ହଲ ଭିତରେ ଏକ ନୂତନ ଉତ୍ସାହ ଓ ଉନ୍ମାଦନାର ସ୍ରୋତ ବହୁଥିଲା । ଯେଉଁମାନେ ଏହି ସଭାରେ ଯୋଗ ଦେବାକୁ ଆସିଥିଲେ, ସେମାନଙ୍କ ମୁହଁରେ ହରିଚନ୍ଦନଙ୍କର ଏହି ଉଦ୍ୟମର ପ୍ରଶଂସା ଫୁଟି ଉଠୁଥିଲା । ଗୋଟିଏ ଲୁହା କାରଖାନା ମିଳିତ ଉଦ୍ୟମରେ କରିପାରିଲେ ଦେଶର ତଥା ଜାତିର କେତେ ଯେ ଉପକାର ହେବ, ତରୁଣ ବ୍ୟବସାୟୀମାନେ ଟିପ୍‌ପଣୀ କାଟୁଥିଲେ ।

 

ଅଶୋକ ଦାସ ହାତ ଘଡ଼ିକୁ ଚାହିଁଲେ । ଛଅଟା ବାଜି ପନ୍ଦର ମିନିଟ୍ ଅତିବାହିତ ହୋଇଗଲାଣି, କିନ୍ତୁ ଏହି ମିଟିଂର ଉଦ୍ୟୋକ୍ତା ରାଘବାନନ୍ଦ ହରିଚନ୍ଦନ କାହାନ୍ତି ? କେହି କେହି ତାଙ୍କର ଏହି ଅନୁପସ୍ଥିତି ସମ୍ବନ୍ଧରେ କଥାବାର୍ତ୍ତା ଆରମ୍ଭ କରିଦେଲେ । ଆଉ କେହି ପ୍ରତିବାଦ କରି କହିଲେ, ସେ ଅତ୍ୟନ୍ତ କାର୍ଯ୍ୟବ୍ୟସ୍ତ ଲୋକ, ସମୟର ଖୁବ୍ ଅଭାବ; ହୁଏତ କେଉଁଠି ବିଶେଷ କାରଣରୁ ଅଟକି ପଡ଼ିଛନ୍ତି । ନିଶ୍ଚୟ ଆସିଯିବେ ।

 

ଠିକ୍ ସାଢ଼େ ଛଅଟାବେଳେ ରାଘବାନନ୍ଦ ହରିଚନ୍ଦନ ମଟରରୁ ଅବତରଣ କରି ଯୋଡ଼ହସ୍ତରେ କ୍ଷମା ପ୍ରାର୍ଥନା କରି କରି ଭିତରକୁ ପଶିଲେ । ଏହି ଅର୍ଦ୍ଧ ଘଣ୍ଟା ଡେରିର କାରଣ ସମ୍ବନ୍ଧରେ କୈଫିୟତ ଦେବାକୁ ଯାଇ କହିଲେ ଯେ, ଏହି ଅଳ୍ପ ସମୟ ଭିତରେ ତିନୋଟି ଟ୍ରଙ୍କ ଫୋନ୍ ପାଇଥିଲେ । ଗୋଟିଏ ବମ୍ବେରୁ, ଗୋଟିଏ ଦିଲ୍ଲୀରୁ ଏବଂ ଆଉ ଗୋଟିଏ କଲିକତାରୁ । ଯେଉଁମାନେ ଟ୍ରଙ୍କକଲ୍ କରିଥିଲେ, ସମସ୍ତେ ଆମର ଏହି କଳ୍ପିତ ଲୌହ କାରଖାନାର ସଫଳତା କାମନା କରି ଅଭିନନ୍ଦନ ଜଣାଇଥିଲେ । ଖାଲି ସେତିକି ନୁହେଁ, ଯଦି ପ୍ରୟୋଜନ ହୁଏ ତେବେ ସେମାନେ ଯଥେଷ୍ଟ ଟଙ୍କା ଖଟାଇବାକୁ ରାଜି ଅଛନ୍ତି । ମୋତେ ଉତ୍ସାହଦେଇ କହିଲେ ଯେ ଆପଣ ଟଙ୍କାର ଅଭାବ କଥା ଆଦୌ ଚିନ୍ତା କରିବେ ନାହିଁ ।

 

ରାଘବାନନ୍ଦ ହରିଚନ୍ଦନ ଟିକିଏ ନୀରବ ରହି ପୁଣି କହିଲେ, ତେଣୁ ଆପଣମାନେ ସହଜରେ ବୁଝି ପାରୁଥିବେ ଯେ, ଆମ ଓଡ଼ିଶାରେ ଆମ ପରିକଳ୍ପିତ ଏକ ଲୌହକାରଖାନା ଗଢିଉଠିଲେ ତାହା କିପରି ଲାଭଜନକ ବ୍ୟବସାୟ ହେବ । ପଡୋଶୀ ପ୍ରଦେଶର ବ୍ୟବସାୟୀମାନେ ଆମଠାରୁ ଯଥେଷ୍ଟ ଉନ୍ନତ ଏବଂ ଚତୁର । ସେମାନେ ଓଡ଼ିଶାରେ ବ୍ୟବସାୟ ବିସ୍ତାର କରିବାପାଇଁ ଖାଲି ଟାକି ବସିଛନ୍ତି । ଆମ ରାଜ୍ୟରେ ସୋରିଷ ଫୁଟିଲେ, ତାଙ୍କ ନାକରେ ଯାଇ ବାସନା ବାଜୁଛି, ତା’ନହେଲେ ଆମର ଏହି ପରିକଳ୍ପିତ ଲୌହକାରଖାନା ତଥା ସମ୍ବାଦ ପତ୍ରରେ ପ୍ରଚାରିତ ହୋଇନାହିଁ ଅଥବା ବାହାରେ କୌଣସି ପ୍ରକାର ପ୍ରଚାର କରାଯାଇନାହିଁ ତଥାପି ବମ୍ବେ, ଦିଲ୍ଲୀ ଓ କଲିକତାର ବ୍ୟବସାୟୀମାନେ ଜାଣିସାରିଲେଣି । ତେଣୁ ଏଥିରୁ ଅନୁମାନ କରୁଥିବେ ସେମାନେ କେତେ ଧୂର୍ତ୍ତ, ବ୍ୟବସାୟରେ ସେମାନେ କେତେ ଉନ୍ନତ ।

 

ମୋର ଆଜି ଆପଣମାନଙ୍କୁ ଡାକିବାର ମୂଳ କାରଣ ହେଉଛି, ମୋର ଇଚ୍ଛା ନୁହେଁ ଯେ, ଓଡ଼ିଶା ବାହାରର ବ୍ୟବସାୟୀମାନେ ଏଥିରେ ଭାଗୀ ହୁଅନ୍ତୁ । ସେଥିପାଇଁ ଆପଣମାନଙ୍କୁ ନିମନ୍ତ୍ରଣ କରିବା କଥା । ଆମର ଏହି ପରିକଳ୍ପିତ କାରଖାନାଟିର କେତେ ଯେ ଚାହିଦା ଅଛି, ଯେଉଁମାନେ ସେ ସମ୍ବନ୍ଧରେ ସାମାନ୍ୟ ଟିକିଏ ଗବେଷଣା କରୁଛନ୍ତି, ସେମାନେ ସହଜରେ ବୁଝିପାରିବେ । ଆମେ ପ୍ରତିବର୍ଷ କୋଟି କୋଟି ଟଙ୍କାର ଲୌହ ସରଞ୍ଜାମ ବିଦେଶରୁ କିଣୁଛୁ ଅଥଚ ଆମରି ଦେଶରେ ସେ ସବୁ ସମ୍ପଦ ମାଟି ତଳେ ପଡ଼ି ରହି ଖତ ପାଲଟୁଛି କହିଲେ ଅତିରଞ୍ଜିତ ହେବ ନାହିଁ-

 

ମୁଁ ଯଦି ପଡ଼ୋଶୀ ପ୍ରଦେଶର ବ୍ୟବସାୟୀମାନଙ୍କୁ ଆଜି ଆହ୍ୱାନ କରେ, ତେବେ ଏତେ ଟଙ୍କା ଆସିବ ଯେ, ମୋ ପରିକଳ୍ପିତ ଲୌହକାରଖାନା ଭଳି ଦୁଇ ତିନୋଟି ଲୌହକାରଖାନା ପ୍ରତିଷ୍ଠିତ ହୋଇପାରିବ । କିନ୍ତୁ ମୋର ସେ ଇଚ୍ଛା ନାହିଁ । ଆମରି ଦେଶରେ ଆମେ ମିଳିମିଶି ଯେଉଁ ସଂସ୍ଥାଟି ଗଢ଼ିପାରିବା ସେଇ ହେବ ଆମର ଗର୍ବ ଓ ଗୌରବର କଥା । ଘର ପଇସା ଘରେ ରହିବ-। ବାହାରୁ ପଇସା ଆସି ଘରେ ପଶିବ । ଲୌହକାରଖାନା ସମ୍ବନ୍ଧରେ ବିସ୍ତୃତ ବିବରଣୀ ଆପଣମାନଙ୍କ ପ୍ରତ୍ୟେକଙ୍କ ନିକଟକୁ ପଠାଇଥିଲି । ତେଣୁ ସେ ସମ୍ବନ୍ଧରେ ବିଶେଷ କିଛି କହିବାର ନାହିଁ । ଏଥର ଆପଣମାନେ ବିଚାର କରି କୁହନ୍ତୁ, ଆମ ରାଜ୍ୟରେ ଏହିପରି ଏକ ଯୌଥ ପ୍ରତିଷ୍ଠାନର ଆବଶ୍ୟକ ଅଛି କି ନାହିଁ ? ଆପଣମାନେ ଏହା ଗଢ଼ିପାରିବେ କି ନାହିଁ ?

 

ରାଘବାନନ୍ଦ ହରିଚନ୍ଦନ ତାଙ୍କର ବକ୍ତବ୍ୟ ଶେଷ କରି ନିଜ ଆସନରେ ବସିଲେ । ଗୃହସାରା କିପରି ଏକ ଉତ୍ତେଜନାର ଗୁଞ୍ଜରଣ ସୃଷ୍ଟି ହେଲା । ନିମନ୍ତ୍ରିତମାନଙ୍କ ମଧ୍ୟରୁ ଅନେକେ ଉଠି ଏପରି ଏକ ଯୌଥ ପ୍ରତିଷ୍ଠାନ ପ୍ରତିଷ୍ଠାର ସପକ୍ଷ ଓ ବିପକ୍ଷରେ ବକ୍ତୃତା ଦେଲେ । ଶେଷରେ ସର୍ବସମ୍ମତି କ୍ରମେ ‘ଓଡ଼ିଶା ଷ୍ଟିଲ୍ ଲିମିଟେଡ୍’ ନାମରେ ଏକ ଯୌଥ ପ୍ରତିଷ୍ଠାନ ଗଢ଼ାଯିବାର ସ୍ଥିର ହେଲା ଓ ପ୍ରତ୍ୟେକ ବ୍ୟବସାୟୀ ସେମାନଙ୍କ ସାଧ୍ୟ ଅନୁସାରେ ଟଙ୍କା ଖଟାଇବାକୁ ଶପଥ ଗ୍ରହଣ କଲେ ।

 

ସେଦିନ ‘ରାଘବାନନ୍ଦ ଜିନ୍ଦାବାଦ୍’ ପରେ ସଭା ଭଙ୍ଗ ହେଲା । ଅଶୋକ ଦାସ ଯେତେବେଳେ ନିଜ କାର୍‌ରେ ବସିଲେ, ସେତେବେଳକୁ ତାଙ୍କ ଗାଡ଼ିରେ ସାଢେ଼ ଆଠଟା ବାଜୁଥିଲା-। ସେ ମନେ ମନେ ରାଘବାନନ୍ଦଙ୍କ ନୂତନ ଉଦ୍ୟମ କଥା ଚିନ୍ତା କରୁଥିଲେ ଆଉ ଓଡ଼ିଶାରେ ଯେ ଏହିପରି ଏକ ପ୍ରତିଷ୍ଠାନର ପ୍ରୟୋଜନ ଅଛି ସେ କଥା ମଧ୍ୟ ଚିନ୍ତା କରୁଥିଲେ । କିନ୍ତୁ ସେ ଏହି ଆଲୋଚନାର ଥିଲେ କେବଳ ଜଣେ ମୂକ ସାକ୍ଷୀ । ମିଟିଂରେ ମୁହଁ ଖୋଲି ସପକ୍ଷରେ ବା ବିପକ୍ଷରେ ପଦେ ହେଲେ କିଛି କହି ନ ଥିଲେ ।

 

ରାତି ସାଢେ଼ ଆଠଟା ବାଜିଲାଣି, ଏତେବେଳେ ସେ କ’ଣ ଆଉ ପୁରୀ ଯିବେ ? ଅଶୋକ ଦାସ ଗାଡ଼ିର ଷ୍ଟିଅରିଂ ବଦଳଉ ବଦଳଉ ଚିନ୍ତା କରୁଥିଲେ । ନୀଳିମାକୁ କହି ଆସିଥିଲେ, ସନ୍ଧ୍ୟାବେଳକୁ ତା’ସହିତ ଭେଟିବା ପାଇଁ, କିନ୍ତୁ ହଠାତ୍ ତାଙ୍କୁ କଟକ ଚାଲି ଆସିବାକୁ ହେଲା । ନୀଳିମା ଏହା ଭିତରେ ନିଶ୍ଚୟ କାତର ହୋଇ ପଡ଼ିଥିବ । କିନ୍ତୁ ଅଶୋକ ଦାସ ଏପରି ଥକି ପଡ଼ିଥିଲେ ଯେ, ଏତେଦୂର ମଟର ଚଳାଇ ଯିବାପାଇଁ ତାଙ୍କ ମନରେ ଆଉ ଆଗ୍ରହ ନ ଥିଲା ।

 

ତଥାପି ତାଙ୍କ ଗାଡ଼ି ସହରର ପଥ ଅତିକ୍ରମ କରି ଆଗେଇ ଚାଲିଥିଲା । ସେ ଇଣ୍ଡଷ୍ଟ୍ରିଆଲ ଏଷ୍ଟେଟ୍ ପାଖ ଦେଇ ଯିବାବେଳେ ଗାଡ଼ିର ସ୍ପିଡ୍ କମେଇ ଦେଇଥଲେ । ଆଲୋକମାଳା ଦୂରକୁ ବେଶ୍ ମନୋରମ ଦିଶୁଥିଲା । ସେ ସେଇଆଡ଼େ ଚାହିଁ ଚାହିଁ ଧୀର ଗତିରେ ଗାଡ଼ି ଚଳାଉଥିଲେ । ଏହାରି ଭିତରେ ରାଘବାନନ୍ଦ ହରିଚନ୍ଦନ ଗୋଟାଏ ସାଇକେଲ କାରଖାନା ପ୍ରତିଷ୍ଠା କରିଛନ୍ତି ।

 

ହଠାତ୍ ତାଙ୍କ ପାଖଦେଇ ବିପରୀତ ଦିଗରୁ ଏକ ମଟର ପାଶ୍ କରି ଚାଲିଗଲା । ଅଶୋକ ଦାସଙ୍କ ଆଖି ମୁହୂର୍ତ୍ତକ ପାଇଁ ସେ ମଟର ଉପରେ ପଡ଼ିଗଲା । ତାଙ୍କର ମନେ ହେଲା ଯେପରି ସେହି ଦ୍ରୁତଗାମୀ ଗାଡ଼ିଟା କୌଣସି ରହସ୍ୟ ବହନକରି ଛୁଟି ପଳାଉଛି ।

 

ଅଶୋକ ଦାସ ସଙ୍ଗେ ସଙ୍ଗେ ବ୍ରେକ୍ କଷିଲେ ଏବଂ ଗାଡ଼ିର ଗତି ବଦଳେଇ ସେହି ମଟର ପଛରେ ଛୁଟିଲେ । କିନ୍ତୁ ସେହି ମଟରଟା ସେତେବେଳକୁ ତାଙ୍କ ଆଖିରୁ ପ୍ରାୟ ଅଦୃଶ୍ୟ ହୋଇ ଯାଉଥିଲା ।

 

ଅଶୋକ ଦାସ ଦ୍ରୁତ ଗତିରେ ତାଙ୍କର ମଟର ଚାଳନା ଆରମ୍ଭ କଲେ । ତଥାପି ସେ ଅନୁସରଣ କରୁଥିବା ଗାଡ଼ିଟି ତାଙ୍କଠାରୁ ଯଥେଷ୍ଟ ଦୂରକୁ ଚାଲି ଯାଇଥିଲା ଏବଂ ଅଶୋକଦାସ ଯେତେବେଳେ କଟକ ଷ୍ଟେସନ ନିକଟରେ ପହଞ୍ଚିଲେ, ପୂର୍ବ ଗାଡ଼ିଟି ତାଙ୍କ ଦୃଷ୍ଟିର ବାହାରକୁ ଚାଲି ଯାଇଥିଲା । ମୁହୂର୍ତ୍ତେ ମାତ୍ର, ତା’ପରେ ସେ ଦେଖିଲେ ପୂର୍ବୋକ୍ତ ଗାଡ଼ିଟା ରାଣୀହାଟ ପୋଲ ପାଖରେ ପହଞ୍ଚି ଏସିଆନ୍ ହୋଟେଲ ବାଟ ଦେଇ ମହାନଦୀ ଆଡ଼େ ଛୁଟି ଯାଉଛି । ଅଶୋକ ଦାସ ପଛେ ପଛେ ଛୁଟିଥିଲେ । ଚାହୁଁ ଚାହୁଁ ଗାଡ଼ିଟା ମହାନଦୀର ଖରାଦିନିଆ ରାସ୍ତା ବାଟଦେଇ ଜଗତ୍‌ପୁର ଆଡ଼େ ଉଡ଼ି ଚାଲିଥିଲା । ତା’ପରେ ଚୌଦ୍ଵାର ଆଡ଼େ ମୋହିଁଲା । ଶେଷରେ ଗୋଟାଏ ଅନ୍ଧାରୁଆ ବୁଦ୍‌ବୁଦିକିଆ ଜଙ୍ଗଲ ନିକଟରେ ମଟରଟା ଅଟକି ଗଲା । ସଙ୍ଗେ ସଙ୍ଗେ ଡ୍ରାଇଭର ତଳକୁ ଓହ୍ଲେଇ ପଡ଼ି ପଛକୁ ଆଉ ଏକ ମଟର ଆସୁଥିବାର ଦେଖି ହାତ ଦେଖାଇଲା ।

 

ଅଶୋକ ଦାସ ମାତ୍ର ତିରିଶ ଚାଳିଶ ସେକେଣ୍ଡ ବ୍ୟବଧାନରେ ଥିଲେ । ସେ ଗାଡ଼ି ଅଟକେଇ ଠିଆ ହୋଇଗଲେ । ଡ୍ରାଇଭରଟି ବିନୀତ ସ୍ଵରରେ କହିଲା, ଆପଣଙ୍କ ପାଖରେ ଅଧିକା ପେଟ୍ରୋଲ ଅଛି ଆଜ୍ଞା !

 

ଅଶୋକ ଦାସ ଗାଡ଼ିରୁ ଓହ୍ଲେଇଲେ । ଦେଖିଲେ ପୂର୍ବ ଗାଡ଼ିଟିର ବାଁ ପାଖର ପଛ ଦରଜାଟି ଖୋଲା ରହିଛି । ଯେଉଁଠି ମଟରଟି ଠିଆ ହୋଇଛି ଜାଗାଟି ଖୁବ୍ ଅନ୍ଧାରୁଆ ଏବଂ ଏତେ ଗଛ ଲତା ଯେ ଗୋଟିଏ ଛୋଟ ଜଙ୍ଗଲ କହିଲେ ଅତ୍ୟୁକ୍ତି ହେବନାହିଁ । ତା’ହେଲେ ମଟରର ପଛ ପାଖରୁ ଓହ୍ଲେଇ କେହି କ’ଣ ଏ ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଗଲା । ଅଶୋକ ଦାସ ଡ୍ରାଇଭର ଆଡ଼େ ସନ୍ଦିଗ୍‌ଧ ଦୃଷ୍ଟିରେ ଚାହିଁ ପଚାରିଲେ, ତମେ କେଉଁଠୁ ଆସିଲ ?

 

ଭୁବନେଶ୍ଵରରୁ ।

ଗାଡ଼ିରେ ଆଉ କିଏ ଥିଲେ ?

ମାଲିକ କଟକରେ ଓହ୍ଲେଇ ଗଲେ । ମୁଁ ଘରକୁ ଯାଉଚି । ଆଉ ଦୁଇମାଇଲ ବାଟ । ହଠାତ୍ ପେଟ୍ରୋଲ ଶେଷ ହୋଇଗଲା ।

ହୁଁ, ଅଶୋକ ଦାସ ଆର ମଟରର ମଡ଼ଗାର୍ଡ଼ ଉପରେ ଗୋଡ଼ ଦେଇ ପକେଟରୁ ସୁନାର ସିଗାରେଟ୍ କେସ୍‌ଟି ବାହାର କରି ଡ୍ରାଇଭର ଆଡ଼େ ଦେଖାଇଲେ । ଡ୍ରାଇଭର ଦ୍ୱିଧାବୋଧ କରିବାରୁ କହିଲେ, ନିଅ-ନିଅ, ଲଜ୍ଜା କରିବାର କ’ଣ ଅଛି ?

ଡ୍ରାଇଭର ଗୋଟିଏ ନେଲା ଏବଂ ଅଶୋକ ଦାସ ଗୋଟିକରେ ଅଗ୍ନି ସଂଯୋଗ କରି ସାରି କହିଲେ, ଏ ଗାଡ଼ିରେ ଆଉ କିଏ ଥିଲା ?

ମାଲିକ ଆଉ ତାଙ୍କ ଝିଅ ।

ଅଶୋକ ଦାସ କହିଲେ, ଗାଡ଼ି ଭିତରର ଲାଇଟ୍‌ଟା ଜଳାଅ ।

ଡ୍ରାଇଭର ସୁଇଚ ଟିପିଲା ।

ଅଶୋକ ଦାସ ଗାଡ଼ିର ପଛପାଖ ସିଟ୍‌ଟା ଉପରେ ଭଲଭାବରେ ନଜର ବୁଲେଇ ଆଣିଲେ ।

ହୁଁ, ହଠାତ୍ ଗାଡ଼ିରୁ ପେଟ୍ରୋଲ ଶେଷ ହୋଇଗଲା କାହିଁକି ?

ମୋରି ଭୁଲ ହୋଇଛି ଆଜ୍ଞା ! କଟକରେ ପେଟ୍ରୋଲ ଦେବାକଥା, ମୁଁ ଭୁଲି ଯାଇଛି ।

ଏଠାରେ ଯେଉଁମାନେ ଓହ୍ଲେଇ ଏଇ ଜଙ୍ଗଲ ଭିତରେ ପ୍ରବେଶ କଲେ, ସେମାନେ କିଏ-?

ମାନେ ? ଡ୍ରାଇଭର ଆଖିରୁ ବିସ୍ମୟ ଝରି ପଡୁଥିଲା ।

ଦେଖ, ଗୋଟିଏ ଅପରାଧ ଘୋଡ଼େଇବାକୁ ଯାଇ ଆଉ ଗୋଟିଏ ଅପରାଧ କରନାହିଁ । ତମ ମଟରରେ ଯେତେ ପେଟ୍ରୋଲ ଅଛି, ତମେ ଅନାୟାସରେ ଆହୁରି କୋଡ଼ିଏ ମାଇଲ୍ ଯାଇପାରିବ । ତେଣୁ…ଅଶୋକ ଦାସଙ୍କ କଥା ଶେଷ ହେଲାନାହିଁ । ଡ୍ରାଇଭର ହଠାତ୍ ପକେଟରୁ ରିଭଲଭର ବାହାର କରି ଗର୍ଜିଉଠିଲା, ହ୍ୟାଣ୍ଡସ୍ ଅପ୍ !

ଅଶୋକ ଦାସ ଏପରି ଏକ ପରିସ୍ଥିତି ପାଇଁ ଆଦୌ ପ୍ରସ୍ତୁତ ନଥିଲେ । ବାଧ୍ୟହୋଇ ସେ ହାତ ଦୁଇଟା ଉପରକୁ ଉଠାଇଲେ । ଡ୍ରାଇଭର ସେହିପରି ରିଭଲଭର୍‌ଟା ବାଗେଇ ଧରି ନିଜ ମଟରରେ ବସିଲା, ବାଁ ହାତରେ ମଟର ଷ୍ଟାର୍ଟକଲା ଏବଂ ଗାଡ଼ି ସାମାନ୍ୟ ପଛକୁ ଚଳେଇ ପୁଣି ଆଗକୁ ନେଲାବେଳକୁ ଅଶୋକ ଦାସ ଆଖି ପିଞ୍ଛୁଡାକେ ନିଜର ମଟର ତଳେ ପଶିଗଲେ । ଡ୍ରାଇଭର ସଙ୍ଗେ ସଙ୍ଗେ ଫାୟାର କଲା । ଧଡାସ କରି ଗୋଟାଏ ଶବ୍ଦ ହେଲା । ଅଶୋକ ଦାସ ପ୍ରସ୍ତୁତ ହୋଇ ଡ୍ରାଇଭରକୁ ଆକ୍ରମଣ କରିବା ପୂର୍ବରୁ ଦେଖିଲେ, ଯେ ମଟରଟା ଅନେକ ଅନେକ ଦୂର ଆଗେଇ ଯାଇଛି ।

ଅଶୋକ ଦାସ ମଟର ଷ୍ଟାର୍ଟ କରି ଆଗେଇଲା ବେଳକୁ ଜାଣିଲେ, ଡ୍ରାଇଭର ଫାୟାରିଂ ଫଳରେ ତାଙ୍କ ମଟରର ଗୋଟିଏ ଚକା ଫୁଟି ଯାଇଛି । ତାଙ୍କ ମୁହଁରେ ବ୍ୟର୍ଥତା ଫୁଟି ଉଠିଲା । ସେ ମଟରରୁ ଓହ୍ଲେଇ ରକ୍ତ ଚାଉଳ ଚୋବେଇଲା ପରି ଦୂରରେ ଅଦୃଶ୍ୟ ପ୍ରାୟ ମଟରର ପଛରେ ଜଳୁଥିବା ଆଲୋକ ଆଡ଼େ ଅନେଇ ରହିଲେ । ଏପରି ବ୍ୟର୍ଥତା ହୁଏତ ତାଙ୍କ ଜୀବନର ସର୍ବପ୍ରଥମ-। ସେ ନିଜକୁ ଧିକ୍‌କାରିବା ଛଡା ଆଉ କରିବାର କିଛି ନ ଥିଲା ।

 

ଯଦିଓ ତାଙ୍କ ମଟରରେ ଅଧିକ ଗୋଟେ ଚକା ମହଜୁଦ ଥିଲା, କିନ୍ତୁ ତାକୁ ବଦଳାଇବା ଭଳି ଉତ୍ସାହ ତାଙ୍କର ଆଉ ନ ଥିଲା, କିନ୍ତୁ ଏପରି ଏକ ସ୍ଥାନରେ ମଟରଟି ଅକାମି ହୋଇପଡ଼ିଲା ଯେ ଚକା ବଦଳାଇବା ଛଡ଼ା ଆଉ ଅନ୍ୟ ଉପାୟ ମଧ୍ୟ ନ ଥିଲା । ସେ ବ୍ୟର୍ଥ ମନୋରଥ ହୋଇ ଅଳସ ଭାବରେ ଭାବରେ ଯନ୍ତ୍ରପାତି ବାହାର କରିବାକୁ ଆରମ୍ଭ କଲେ ।

 

ନିର୍ଜନ ରାତି । ଚାରିଆଡେ଼ ଛୋଟ ଛୋଟ ବଣବୁଦା । ଅଦୂରରେ ପାହାଡ଼ ଶ୍ରେଣୀ । ଅଶୋକ ଦାସ ଘଡ଼ିକୁ ଚାହିଁଲେ । ରାତି ପ୍ରାୟ ଦଶଟା ବାଜିବାକୁ ଯାଉଛି । ମନେପଡ଼ିଲା ତାଙ୍କର ନୀଳିମା କଥା । କହି ଆସିଥିଲେ ସନ୍ଧ୍ୟାବେଳକୁ ଦେଖା କରିବା ପାଇଁ । ହୁଏତ ବିଚାରୀ ଭୟରେ ଭାଙ୍ଗି ପଡ଼ିଥିବ । ଅଥବା ତାଙ୍କରି ପଥଚାହିଁ ନୀରବରେ ଅପେକ୍ଷା କରିଥିବ ।

 

ଅଶୋକ ଦାସଙ୍କ ହାତରେ ଯନ୍ତ୍ରପାତି ଝଣ୍‍ଝଣ୍‍ ହୋଇଉଠିଲା । ସେ ଚକା ବଦଳାଇବା କାମରେ ମନୋନିବେଶ କଲେ ।

 

ବିପରୀତ ଦିଗରୁ ଏକ ଫ୍ଲାଶ୍ ଲାଇଟ୍ ପଡ଼ି ସ୍ଥାନଟା ସପୂର୍ଣ୍ଣ ରୂପେ ଆଲୋକିତ କରିଦେଲା । ଗୋଟିଏ ମଟର ଦ୍ରୁତ ବେଗରେ ଛୁଟି ଆସୁଥିଲା । ଅଶୋକ ଦାସ ଉଠି ଠିଆ ହୋଇପଡ଼ିଲେ । ହାତ ଦେଖାଇଲେ । କିନ୍ତୁ ଗାଡ଼ିଟା ଏତେ ଦ୍ରୁତ ଗତିରେ ତାଙ୍କରି ପାଖଦେଇ ଚାଲିଗଲା ଯେ, ଗାଡ଼ି ଭିତରେ କ’ଣ ଅଛି, କିଏ ଅଛି ଦେଖିବାର ଅବକାଶ ସୁଦ୍ଧା ମିଳିଲା ନାହିଁ । କିନ୍ତୁ ସେ ବୁଝିପାରିଲେ ନାହିଁ, ଗାଡ଼ିଟା କାହିଁକି ଏପରି ଭାବରେ ଛୁଟିପଳାଇଲା ।

 

ସେ ପୁଣି ଆପଣା କାମରେ ମନ ଦେଲେ । ଚକାଟା ନ ବଦଳେଇବା ଯାଏ ଫେରିଯିବାର କୌଣସି ସମ୍ଭାବନା ନଥିଲା । ତହିଁଆରଦିନ ଅଶୋକ ଦାସଙ୍କ ନିଦ ଭାଙ୍ଗିଲା ଅନେକ ଡେରିରେ । ଉଠିବାକ୍ଷଣି ତାଙ୍କର ନୀଳିମା କଥା ମନେ ପଡ଼ିଲା । ଘଡ଼ିଟା ଡ୍ରୟାରରୁ କାଢ଼ି ଦେଖିଲେ ନଅଟା ବାଜୁଚି । ସେଦିନର ସମ୍ବାଦପତ୍ର ଟେବୁଲ ଉପରେ ରଖା ହୋଇଥିଲା । ଅଶୋକ ଦାସ ବୟକୁ ଚା’ଆଣିବା ପାଇଁ କହି ସମ୍ବାଦପତ୍ର ଖେଳେଇଲେ । ପ୍ରଥମ ପୃଷ୍ଠାରେ ଗତକାଲିର ଓଡ଼ିଶା ଷ୍ଟିଲ୍ ଲିମିଟେଡର ସମ୍ବାଦଟି ବିସ୍ତୃତ ଆକାରରେ ପ୍ରକାଶିତ ହୋଇଛି । ରାଘବାନନ୍ଦ ହରିଚନ୍ଦନଙ୍କର ଗଠନ ମୂଳକ ପରିକଳ୍ପନା ସମ୍ବନ୍ଧରେ ସମ୍ପାଦକୀୟ ପ୍ରକାଶିତ ହୋଇଛି । ଏପରି ଏକ ଯୋଜନାକୁ ଦେଶବାସୀ ସ୍ଵାଗତ ଜଣାଉଛନ୍ତି । ଦରକାର ହେଲେ ଜନତା ଏଥିପାଇଁ ଅର୍ଥ ସାହାର୍ଯ୍ୟ କରିବେ । ତେଣୁ ଏପରି ଏକ ମହାନ୍ ଯୋଜନାକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉଚିତ ।

 

ଅଶୋକ ଦାସ ଶେଷ ପୃଷ୍ଠାଯାଏ ଓଲଟେଇ ଦେଖିଲେ, ଶେଷ ପୃଷ୍ଠାଟି ସମ୍ପୂର୍ଣ୍ଣ ରୂପେ ଓଡ଼ିଶା ଷ୍ଟିଲ୍ ଲିମିଟେଡର ବିଜ୍ଞାପନରେ ଭରିଯାଇଛି । ସେ ମନେ ମନେ ହସି ପକାଇଲେ । ବୁଝିପାରିଲେ ସମ୍ବାଦପତ୍ର କାହିଁକି ରାଘବାନନ୍ଦଙ୍କର ସ୍ତୁତିଗାନରେ ପଞ୍ଚମୁଖ ହୋଇ ପଡ଼ିଛି ।

 

ତା’ପରେ ସେ ଛୋଟ ଛୋଟ ସମ୍ବାଦଗୁଡିକ ଉପରେ ଆଖି ବୁଲାଇଗଲେ । ହଠାତ୍ ସେ ଗୋଟାଏ ଜାଗାରେ ଅଟକି ଗଲେ । ସମରେଶ ମଦନରାଏଙ୍କ ସମ୍ବାଦ ମଧ୍ୟ ଅତି କ୍ଷୁଦ୍ର ଆକାରରେ ଗୋଟିଏ କୋଣକୁ ପ୍ରକାଶ ପାଇଛି । ସମ୍ବାଦପତ୍ରର ନିଜ ପ୍ରତିନିଧି ସମ୍ବାଦଟି ପଠାଇଛନ୍ତି ।

 

‘ସମରେଶ ମଦନରାଏ ଜଣେ ରିଟାଏଡ୍ ଜଜ୍ । ସେ କିଛିଦିନ ହେବ ଏଠାରେ ଆସି ବାସ କରୁଥିଲେ । ତାଙ୍କ ମସ୍ତିଷ୍କର ବିକୃତି ବେଳେବେଳେ ଦେଖା ଯାଉଥିଲା । ଗତ ରାତିରୁ ସେ କୁଆଡ଼େ ଉଠି ଚାଲି ଯାଇଛନ୍ତି । ତାଙ୍କର କୌଣସି ସମ୍ବାଦ ମିଳୁନାହିଁ । ସ୍ଥାନୀୟ ପୋଲିସ ଘଟଣାର ଅନୁସନ୍ଧାନ କରୁଛନ୍ତି ।’

 

ଅଶୋକ ଦାସ ସମ୍ବାଦଟି ପାଠ କରିସାରି ମନେମନେ ହସି ଉଠିଲେ । ସମରେଶ ମଦନରାଏ ମସ୍ତିଷ୍କ ବିକୃତି ଯୋଗୁ ଘରଛାଡ଼ି ଚାଲି ଯାଇଛନ୍ତି ! !

 

ବଏ ଚା’ଟ୍ରେ ଧରି ଭିତରେ ପ୍ରବେଶ କଲା । ଅଶୋକ ଦାସ ସମ୍ବାଦପତ୍ରଟି ମୋଡାମୋଡି କରି ତଳକୁ ଫିଙ୍ଗି ଦେଲେ । ବୟ ଟ୍ରେ ସମେତ କପ୍ ଡିସ୍ ସମସ୍ତ ଟେବୁଲ ଉପରେ ରଖିଦେଲା । ଅଶୋକ ଦାସ କହିଲେ, ମ୍ୟାନେଜର ଅଛନ୍ତି ?

 

ଆଜ୍ଞା !

 

କହିବ ମୋ ସହିତ ଟିକିଏ ଦେଖା କରିବେ ।

 

ବୟଟି ନୀରବରେ ସେଠାରୁ ଚାଲିଗଲା । ଅଶୋକ ଦାସ ଚା’ ଖାଇଲେ ।

 

ଅଳ୍ପ ସମୟ ପରେ ହୋଟେଲର ମ୍ୟାନେଜର ଆସି ଉପସ୍ଥିତ ହେଲେ । ଅଶୋକ ଦାସ ତାଙ୍କୁ ବସିବାକୁ କହି ସିଗାରେଟ୍ କେସ୍ ବାହାର କଲେ । ମ୍ୟାନେଜରଙ୍କ ଆଡ଼କୁ ଗୋଟିଏ ବଢ଼ାଇଦେଇ କହିଲେ, ପୁରୀ ସଦର ଥାନାକୁ ଟିକିଏ ଟେଲିଫୋନ୍ ସଂଯୋଗ କରନ୍ତୁ । ଚନ୍ଦ୍ରଶେଖର ପଟ୍ଟନାୟକଙ୍କୁ ଡାକିବେ । ମୁଁ ଏଇ ସଙ୍ଗେ ସଙ୍ଗେ ଯାଉଛି ।

ମ୍ୟାନେଜର କୌଣସି ଉତ୍ତର ନ ଦେଇ ସିଗାରେଟ୍‍ରେ ଅଗ୍ନି ସଂଯୋଗ କରି ବାହାରି ଗଲେ । ଅଶୋକ ଦାସ ନୀରବରେ ବସି ଚା’ପାନ କଲେ । ତାଙ୍କ ଆଖି ଆଗରେ ନୀଳିମାର ବେଦନା ବ୍ୟଥିତ ମୁଖ ଭାସି ଉଠୁଥିଲା । ସେ ସ୍ଥିର ହୋଇ ବସି ପାରୁ ନ ଥିଲେ ।

ଚା’ ଖିଆ ଶେଷ କରି ଅଶୋକ ଦାସ ତଳକୁ ଓହ୍ଲେଇ ଗଲେ । ଦେଖିଲେ ମ୍ୟାନେଜର ଟେଲିଫୋନ୍‍ରେ ଲାଇନ୍‌ଟା ବାରମ୍ବାର ଚାହିଁ ବ୍ୟର୍ଥ ହେଉଛନ୍ତି ।

ମିଳୁନାହିଁ ସାର୍ ! ମ୍ୟାନେଜର କହିଲେ ।

କ’ଣ ହୋଇଛି ? ଅଶୋକ ଦାସ ପଚାରିଲେ ।

ଅପରେଟର କହୁଛି, ପୁରୀ ଟେଲିଫୋନ୍ ଅଫିସ୍‍ରୁ ସେ କୌଣସି ପ୍ରକାର ସମ୍ବାଦ ପାଉନାହିଁ । ତେଣୁ ଲାଇନ୍ ସଂଯୋଗ ସମ୍ଭବ ହେଉନାହିଁ ।

ସେ ପୁଣି କ’ଣ ! ଅଶୋକ ଦାସ ରିସିଭରଟା ନିଜ ହାତକୁ ନେଲେ ।

ହ୍ୟାଲୋ, ଅଶୋକ ଦାସ ରିସିଭର କାନରେ ଦେବାମାତ୍ରେ ଶୁଣିଲେ, ପୁରୀକୁ ବର୍ତ୍ତମାନ ତିନି ଚାରିଘଣ୍ଟା ଲାଇନ୍ ମିଳିବା ସମ୍ଭବ ହେବ ନାହିଁ । ଗତକାଲି ରାତିରେ ଝଡ଼ ତୋଫାନ ଫଳରେ କେତେକ ସ୍ଥାନରେ ତାର ଯାଇଛି । ତେଣୁ ଆମେ ଦୁଃଖିତ ।

 

ଅଶୋକ ଦାସ ବିରସ ମନରେ ରିସିଭରଟା ଟେଲିଫୋନ୍ ଯନ୍ତ୍ର ଉପରେ ରଖିଦେଇ ସିଧା ଉପରକୁ ଉଠି ଚାଲିଗଲେ । ନା, ତିନି ଚାରିଘଣ୍ଟା କରିବାଠାରୁ ନିଜେ ସେ ଚାଲିଯିବା ଭଲ । କିନ୍ତୁ ଆଜି ଜାନକୀ ଦେବୀଙ୍କ ସହିତ ଦେଖା କରିବାକୁ କହି ଆସିଥିଲେ । ସେ ହୁଏତ ପ୍ରତୀକ୍ଷା କରି ବସିଥିବେ । ତାଙ୍କର ସ୍ଵାମୀଙ୍କ ହତ୍ୟାକାରୀଠାରୁ ପ୍ରତିଶୋଧ ନେବା ପାଇଁ ବର୍ଷ ବର୍ଷ ଧରି ସେ ଚେଷ୍ଟା କରି ଆସୁଛନ୍ତି । କିନ୍ତୁ ନିଃସ୍ୱ ଗୋଟିଏ ବିଧବା ନାରୀ ପକ୍ଷରେ ତାହା କିପରି ସମ୍ଭବ ! ଦୈବାତ୍ ଅଶୋକ ଦାସ ସହିତ ଦେଖାହେବା ପରଠାରୁ ଜାନକୀ ଦେବୀଙ୍କ ମନରେ ପ୍ରତିହିଂସାର ବହ୍ନି ପ୍ରବଳ ହୋଇ ଉଠିଛି । ସେ ତାଙ୍କର ସ୍ଵାମୀ ରବିଶଙ୍କରର ହତ୍ୟାକାରୀଠାରୁ ପ୍ରତିଶୋଧ ନେବାପାଇଁ ଯେପରି ଚାହିଁ ବସିଛନ୍ତି ।

 

ରବିଶଙ୍କରଙ୍କୁ ଯେ ଫାଶୀ ହୋଇଛି, ସେ କଥା ଜାନକୀ ଦେବୀଙ୍କୁ ଦେବୀଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ ବୁଝୁ ନାହାନ୍ତି । ତାଙ୍କର ଧାରଣା ରବିଶଙ୍କରଙ୍କୁ ହତ୍ୟା କରାହୋଇଛି ଏବଂ ହତ୍ୟାକାରୀକୁ ସେ ଚିହ୍ନିଛନ୍ତି । ଅଶୋକ ଦାସଙ୍କୁ ପାଇଲା ଦିନଠାରୁ ମନରେ ତାଙ୍କର ପ୍ରତିଶୋଧର କାମନା ଆହୁରି ପ୍ରବଳ ହୋଇ ଉଠିଛି । ଆଜି ଯଦି ଜାନକୀ ଦେବୀଙ୍କ ସହ ଦେଖା ନ ହୁଏ, ତା’ହେଲେ ସେ ହୁଏତ ପାଗଳ ହୋଇଯିବେ । କିନ୍ତୁ ଉପାୟ କ’ଣ ! ଅଶୋକ ଦାସ କେଉଁ ଦିଗଟା ସମ୍ଭାଳିବେ ?

 

ଶେଷରେ ସେ ତଳକୁ ଓହ୍ଲେଇ ଆସିଲେ । ମଟରରେ ବସିବାକ୍ଷଣି ଇଂଜିନ୍ ଗର୍ଜି ଉଠିଲା-। ଅଶୋକ ଦାସ ଦେଖିଲେ ସେତିକିବେଳେ ମଙ୍ଗଳାବାଗ ଥାନାର ଭାରପ୍ରାପ୍ତ ଅଫିସର ରମାନାଥ ବାବୁ କଟକ ହୋଟେଲ ଭିତରକୁ ପ୍ରବେଶ କରୁଛନ୍ତି । ଅଶୋକ ଦାସଙ୍କ ଗାଡ଼ି ଷ୍ଟେସନ ଅଭିମୁଖରେ ଆଗେଇ ଯାଉଥିଲା ।

 

ଅଶୋକ ଦାସ ଗାଡ଼ିର ବେଗ ବଢ଼ାଇ ଚାଲିଥିଲେ । ସ୍ପିଡୋମିଟରଟା ରହି ରହି କମ୍ପି ଉଠୁଥିଲା ! କୋଡ଼ିଏ, ତିରିଶି, ଚାଳିଶି, ପଚାଶ । ଆଗରେ ତିନି ଚାରିଟା ଗୋରୁଗାଡ଼ି ରାସ୍ତା ଅବରୋଧ କରି ଚାଲିଛନ୍ତି । ସ୍ପିଡୋମିଟର ନାଚି ନାଚି ତଳକୁ ଓହ୍ଲେଇ ଆସିଲା । ପୁଣି ଉପରକୁ ଉଠିଗଲା । ଏଥର ଚାଳିଶ, ପଚାଶ, ଷାଠିଏ ।

 

ଭୁବନେଶ୍ୱର ପଛରେ ପଡ଼ି ରହିଲା ।

 

ତା’ପରେ ମଟରର ଗତି ଶିଥିଳ ହୋଇ ଆସିଲା । ପୁଣି ବଢ଼ିଗଲା । ଶେଷରେ ସେ ଯାଇ ଯେତେବେଳେ ମଦନରାଏଙ୍କ ବାସଭବନରେ ପହଞ୍ଚିଲେ, ତାଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସେଠାରେ ଯେପରି ଲୋକାରଣ୍ୟ ହୋଇ ଉଠିଛି । ପୋଲିସ ଗାଡ଼ି ଦୁଆରେ ଠିଆ ହୋଇଛି-। ଅଶୋକ ଦାସଙ୍କ ଛାତିଟା କମ୍ପି ଉଠିଲା, କୌଣସି ଦୁର୍ଘଟଣା ଘଟି ନାହିଁ ତ ?

 

ଅଶୋକ ଦାସ ଏକ ପ୍ରକାର ମଟରରୁ ଡେଇଁପଡ଼ି ଭିଡ଼ ଠେଲି ଭିତରକୁ ପ୍ରବେଶ କଲେ-। କାହାରି ମୁହଁରୁ କୌଣସି କଥା ଶୁଣିବା ପାଇଁ ସେ ସାହସ କରି ପାରୁ ନ ଥିଲେ । କିଏ ଯେ’ କି ପ୍ରକାର ଦୁଃସମ୍ବାଦ ଦେବ କିଏ ଜାଣେ !

 

ଅଶୋକ ଦାସ ଭିତରକୁ ଯାଇ ଦେଖିଲେ ପୋଲିସ ଅଫିସର ଯେଉଁଠି ଠିଆ ହୋଇଛନ୍ତି, ତାଙ୍କ ସାମନାରେ ଗୋଟିଏ ଖଟିଆ ଉପରେ ସଫା ଚଦର ଖଣ୍ଡିଏ ଘୋଡ଼ା ହୋଇଛି । ଅଶୋକ ଦାସ ଶିହରି ଉଠିଲେ ।

 

ପୋଲିସ ଅଫିସର ଅଶୋକ ଦାସଙ୍କୁ ଦେଖିବା କ୍ଷଣି ଛୁଟି ଆସିଲେ । ସେ ଯେପରି ଅବିଶ୍ଵାସ ଦୃଷ୍ଟିରେ ଅଶୋକ ଦାସଙ୍କ ଆଡ଼େ ଚାହିଁ ନିରୁତ୍ସାହ ହୋଇ ପଡ଼ିଥିଲେ । କହିଲେ–ଆପଣ ତା' ହେଲେ ଫେରିଛନ୍ତି ?

 

ଅଶୋକ ଦାସଙ୍କର ପୋଲିସ ଅଫିସରଙ୍କ ସହିତ କଥାବାର୍ତ୍ତା କରିବାକୁ ଆଉ ଧୈର୍ଯ୍ୟ ନ ଥିଲା । ସେ ଧାଇଁଯାଇ ଖଟିଆ ଉପରୁ ସଫା ଚଦରଟି ଉଠାଇ ଦେଇ ଦୁଇପଦ ପଛକୁ ଘୁଞ୍ଚି ଆସିଲେ । ଅଳକାର ରକ୍ତାକ୍ତ ମୃତଦେହ ।

 

ନିଳୀମା, ନିଳୀମା କାହିଁ ମି. ପଟ୍ଟନାୟକ ? ଅଶୋକ ଦାସ ଗର୍ଜି ଉଠିଲେ ।

 

ନିଳୀମା ମଧ୍ୟ ନିରୁଦ୍ଦେଶ ମି. ଦାସ । କାଲି ସଂଧ୍ୟା ସାତଟାରେ ମୋର ତାଙ୍କ ସହିତ ଶେଷ ଦେଖା ହୋଇଥିଲା । ତା’ପରେ ଆଜି ଘଣ୍ଟାକ ପୂର୍ବରୁ ଏ ଦୁର୍ଘଟଣାର ସମ୍ବାଦ ପାଇଲି ।

 

ଅଶୋକ ଦାସ କିପରି ଏକ ହିଂସ୍ର ନୟନରେ ପୋଲିସ ଅଫିସରଙ୍କ ମୁହଁକୁ ଅନାଇ ରହିଲେ । ମନେ ହେଉଥିଲା ସେ ଏହି ମୁହୂର୍ତ୍ତରେ ମି: ପଟ୍ଟନାୟକଙ୍କ ଉପରକୁ ଲମ୍ଫ ପ୍ରଦାନ କରି ତାଙ୍କର କଣ୍ଠନଳୀ ଛିନ୍ନକରି ରକ୍ତ ଶୋଷିନେବେ । କିନ୍ତୁ ଅଶୋକ ଦାସ ନିଜକୁ ସଂଯତ କରି ନେଇ କହିଲେ, ଆପଣ ସର୍ବନାଶ କଲେ ମି: ପଟ୍ଟନାୟକ ! ଆପଣ ନିଳୀମା ଦେବୀଙ୍କର ସର୍ବନାଶ କଲେ-

 

ଅଶୋକବାବୁ ! ପୋଲିସ ଅଫିସର ଗମ୍ଭୀର ହୋଇ କହିଲେ, ଆପଣ ସଂଯତ ହୋଇ କଥା କୁହନ୍ତୁ । ନିଳୀମା ଦେବୀଙ୍କର ସର୍ବନାଶ ପାଇଁ ମୋ ଅପେକ୍ଷା ଆପଣ ବେଶୀ ଦାୟୀ । ସେଇ ଅପରାଧରେ ମୁଁ ଆପଣଙ୍କୁ ଅପରାଧୀ କରିପାରେ । ଆପଣ ଯେ ଏହି ଦୁର୍ଘଟଣାର ନାୟକ ନୁହନ୍ତି, କିଏ କହି ପାରିବ ?

 

ଅଶୋକ ଦାସ ଏତେ ଦୁଃଖରେ ମଧ୍ୟ ହସି ପକାଇଲେ । କହିଲେ, ଏହି ଜଗତରେ କିଛି ଅସମ୍ଭବ ନୁହେଁ ମି: ପଟ୍ଟନାୟକ; ଆପଣଙ୍କ ଅନୁମାନରେ ଯେ ସତ୍ୟତା ଥାଇ ନ ପାରେ ସେ କଥା ମୁଁ କହୁନାହିଁ । କିନ୍ତୁ ବର୍ତ୍ତମାନ ହାସ୍ୟ ପରିହାସର ବେଳ ନୁହେଁ । ଅଳକାକୁ କିଏ ଖୁଣ୍ କଲା, ନିଳୀମାଦେବୀ କୁଆଡ଼େ ଗଲେ ଏ ସବୁ ସମ୍ବନ୍ଧରେ ଆପଣ କି ତଥ୍ୟ ସଂଗ୍ରହ କରିଛନ୍ତି ମୋତେ କୁହନ୍ତୁ ।

 

କିଛି ମୁଁ ଜାଣି ପାରିନାହିଁ ମି: ଦାସ । କାରଣ ଜାଣିବାର କୌଣସି ଉପାୟ ନାହିଁ । ଘର ଖାଲି । କୌଣସି ଦ୍ଵିତୀୟ ବ୍ୟକ୍ତି ନାହିଁ, ଯିଏ ଏ ସମ୍ବନ୍ଧରେ ସାମାନ୍ୟ ଧାରଣା ଦେବ । ତଳ ଉପର ଚାରିଆଡ଼େ ଅନୁସନ୍ଧାନ କରି ଦେଖି ଆସିଲିଣି, ସନ୍ଦେହଜନକ କୌଣସି ସୂତ୍ର ମିଳୁନାହିଁ ।

 

ଆପଣ ଏହି ଖୁଣ୍ ସମ୍ବନ୍ଧରେ ଖବର ପାଇଲେ କାହାଠାରୁ ?

 

ଜଣେ କନେଷ୍ଟବଳ ମୋତେ ଖବର ଦେଲା ।

 

ସେ ଜାଣିଲା କିପରି ?

 

ଅବଶ୍ୟ ସେକଥା ମୁଁ ତାକୁ ବିଶେଷ ଭାବରେ ପଚାରି ନାହିଁ । ତେବେ ସେ କହିଲା, ଏହି କୋଠାଟା ପାଖରେ ବହୁ ଲୋକ ଗୋଟିକ ପରେ ଗୋଟିଏ ଜମା ହେଉଥିବାର ସେ ଦେଖିଲା । ନିକଟକୁ ଯାଇ ଶୁଣିଲା ଯେ, ସେମାନେ କୁହାକୁହି ହେଉଛନ୍ତି ଭିତରେ ଖୁଣ୍ ହୋଇଛି । ଦରଜା ବନ୍ଦ ଥିଲା । ତେଣୁ ସେ ଧାଇଁ ଧାଇଁ ଆସି ମୋତେ ସମ୍ବାଦ ଦେଲା । ମୁଁ ସଦଳବଳେ ଆସି ଅଳକାକୁ ଖୁଣ୍ ହୋଇ ପଡ଼ିଥିବା ଅବସ୍ଥାରେ ଆବିଷ୍କାର କଲି, କିନ୍ତୁ ନିଳୀମାଦେବୀଙ୍କର କୌଣସି ସଂଧ୍ୟାନ କରି ପାରୁ ନାହିଁ । ମୋର ମନେ ହେଉଛି, ଏ ସବୁ ଦସ୍ୟୁ ଲାଲସିଂହର କାରସାଦି ।

 

ଘରୁ କୌଣସି ମୂଲ୍ୟବାନ୍‍ ପଦାର୍ଥ ଚୋରି ହୋଇଥିବାର ସଂଧାନ ଆପଣ ପାଇଛନ୍ତି ? ଅଶୋକ ଦାସ ପଚାରିଲେ ।

 

ବାହାରକୁ ତ କିଛି ମନେ ହେଉ ନାହିଁ । କିନ୍ତୁ ଜାଣିବାର କିଛି ଉପାୟ ନାହିଁ ଯେ ! କିଏ କହିବ ମି: ମଦନରାଏଙ୍କ ମୂଲ୍ୟବାନ୍ ସମ୍ପତ୍ତି କେଉଁଠି ଥିଲା ।

 

ଅଶୋକ ଦାସଙ୍କର ସମସ୍ତ ଶକ୍ତି ଓ ସମସ୍ତ ଉତ୍ସାହ ଯେପରି ଧୀରେ ଧୀରେ ଲୋପ ହୋଇ ଆସୁଥିଲା । ସେ ଖଣ୍ଡିଏ ଚେଆରରେ ଥକ୍କା ହୋଇ ବସି ପଡ଼ିଲେ । ସିଗାରେଟ୍ କେସ୍‍ରୁ ସିଗାରେଟ୍ ମଧ୍ୟ ଶେଷ ହୋଇ ଯାଇଥିଲା । ଆଖି ବୁଜି ସେ ଚିନ୍ତା କରୁଥିଲେ, ଗତ ରାତ୍ରିରେ ଯେଉଁ ଗାଡ଼ିଟା ପଛରେ ସେ ଛୁଟିଥିଲେ, ସେହି ଗାଡ଼ିରେ କ'ଣ ଦୃବୃର୍ତ୍ତମାନେ ନିଳୀମାକୁ ନେଇ ଯାଉଥିଲେ-? କିନ୍ତୁ ନିଳୀମାକୁ ନେଇ ସେମାନଙ୍କର ଲାଭ କ'ଣ ? ଯେଉଁମାନେ ସମରେଶ ମଦନରାଏଙ୍କୁ ହରଣ କରି ନେଇଛନ୍ତି, ସେଇମାନେ କ'ଣ ନିଳୀମାର ହରଣକାରୀ ?

 

ଛୁରୀଟା ମିଳିଛି ଅଶୋକବାବୁ ! ପୋଲିସ ଅଫିସର ଅଶୋକ ଦାସଙ୍କ ଭାବନା ଭାଙ୍ଗିଲେ ।

 

ମିଳିଛି ? କେଉଁଠିଥିଲା ? ଅଶୋକ ଦାସ ଏପରି ହାଲକା ସ୍ଵରରେ ପଚାରିଲେ ଯେପରି ଛୁରୀ ମିଳିବା ନ ମିଳିବାରେ ତାଙ୍କର କୌଣସି ଆଗ୍ରହ ନାହିଁ ।

 

ବଗିଚାରେ, ଗୋଟାଏ ଫୁଲଗଛ ମୂଳେ ପଡ଼ିଥିଲା ।

 

ଆଉ କ'ଣ ପାଇଲେ ?

 

ନା, ଅଳକାର ମୃତଦେହ, ଏହି ଛୁରୀ ଏବଂ ଆପଣ ।

 

ମୁଁ ? ଅଶୋକ ଦାସ କିପରି ବିସ୍ଫାରିତ ନେତ୍ରରେ ଚାହିଁଲେ ।

 

କ୍ଷମା କରିବେ ଆଶୋକବାବୁ ! ଯଦିଓ ଆପଣଙ୍କ ବ୍ୟବହାରରେ ମୁଁ କୌଣସି ସଂଦେହର ଅବକାଶ ପାଉନାହିଁ, ମାତ୍ର ଆପଣଙ୍କ ପରିଚୟରେ ମୁଁ ସନ୍ତୁଷ୍ଟ ନୁହେଁ । ଆଉ ସବୁଠାରୁ ଦୁଃଖର କଥା ହେଉଛି, ମି: ମଦନରାଏଙ୍କ ଗୃହରେ ଆପଣଙ୍କ ଆବିର୍ଭାବ ପରେ ଗୋଟିକ ପରେ ଗୋଟିଏ ଦୁର୍ଘଟଣା ଘଟି ଚାଲିଛି । ଆଉ ସେଇ ଦୁର୍ଘଟଣାର ପରିସମାପ୍ତି ହୋଇଛି ଆଜିର ଏହି ଖୁଣ୍‍ରେ । ତେଣୁ ବିଚାର କରନ୍ତୁ ଆପଣ ଯଦି ମୋ ଆସନରେ ଥାଆନ୍ତେ, ତା' ହେଲେ ଆପଣଙ୍କ ମନରେ ମଧ୍ୟ ଏହି ଏକା ଧାରଣା ଉଦିତ ହୋଇଥାଆନ୍ତା ।

 

ଆପଣଙ୍କ ଅନୁମାନରେ ଯଥେଷ୍ଟ ସତ୍ୟତା ଅଛି ମି: ପଟ୍ଟନାୟକ; ମୁଁ ଅସ୍ୱୀକାର କରୁନାହିଁ । ଆପଣଙ୍କ ଦୁରଦର୍ଶୀତା ଦେଖି ମୁଁ ମୁଗ୍ଧ ହୋଇଛି । ମୋତେ ଏହି ମୁହୂର୍ତ୍ତରେ କ'ଣ କରିବାକୁ ହେବ ଆଦେଶ କରନ୍ତୁ । ମୁଁ ଖୁବ୍ କ୍ଳାନ୍ତ । କାରଣ ଗତକାଲି ରାତିସାରା ମୁଁ ଅନିଦ୍ରା କହିଲେ ଚଳେ ।

ପୋଲିସ ଅଫିସର ଶିହରୀ ଉଠିଲେ । ସେ ଯେପରି ଏକ ବିରାଟ ସୂତ୍ର ପାଇଛନ୍ତି । ସେହିପରି ଉଲ୍ଲସିତ ହୋଇ ପଚାରିଲେ, ଗତକାଲି ସମସ୍ତ ରାତ୍ର ଉଜାଗର ରହିବାର ହେତୁ କ'ଣ ମି. ଦାସ ?

ସେ କଥା ଆପଣ ବୁଝି ପାରିବେ ନାହିଁ ମି. ପଟ୍ଟନାୟକ । ମୋତେ ଅନୁମତି ଦିଅନ୍ତୁ, ମୁଁ ଯାଇ ହୋଟେଲରେ ନିତ୍ୟକର୍ମ ଶେଷ କରି ଟିକିଏ ବିଶ୍ରାମ କରେ । ତା'ପରେ ଯାହା ହେବ ଦେଖାଯିବ ।

ଆପଣଙ୍କୁ ଛାଡ଼ିଦେଇ ପାରେ ମାତ୍ର ଗୋଟିଏ ସର୍ତ୍ତରେ । ପୋଲିସ ଅଫିସର ଗମ୍ଭୀର ଗଳାରେ କହିଲେ–ଆପଣ ମୋ ଅନୁମତି ନ ନେଇ କେଉଁଆଡ଼େ ଯାଇପାରିବେ ନାହିଁ ।

ପୋଲିସ ଅଫିସରଙ୍କ ନିର୍ବୋଧତାରେ ଅଶୋକ ଦାସଙ୍କର ହସି ପକେଇବାକୁ ମନ ହେଉଥିଲା । କିନ୍ତୁ ସେ ନିଜକୁ ସମ୍ବରଣ କରି ନେଇ କହିଲେ, ତାହାହିଁ ହେବ ମି: ପଟ୍ଟନାୟକ । ଆପଣଙ୍କର ତଥାପି ଯଦି ସନ୍ଦେହ ହେଉଥାଏ, ତେବେ ଜଣେ ଦୁଇଜଣ ବିଶ୍ୱାସୀ ଲୋକ ମୋ ଉପରେ ନଜର ରଖିବାକୁ ନିଯୁକ୍ତ କରିପାରନ୍ତି ।

ନା, ନା; ଏତେଟା ଅନାସ୍ଥା ଆପଣଙ୍କ ପ୍ରତି ମୋର ଆସିନାହିଁ । ଆପଣ ଯାଆନ୍ତୁ । କିନ୍ତୁ ଟାଉନ୍ ଛାଡ଼ି ବାହାରକୁ ଯିବା ପୂର୍ବରୁ ମୋତେ ଟିକେ ଜଣାଇବେ ।

ଅଶୋକ ଦାସ ଉଠି ଠିଆ ହେଲେ । କହିଲେ, ଧନ୍ୟବାଦ ! ଆପଣଙ୍କ ସୌଜନ୍ୟତା ମୋର ସବୁଦିନ ମନେ ରହିବ । କିନ୍ତୁ ଆପଣ ଏହି କେସରେ କୃତକାର୍ଯ୍ୟ ଅର୍ଜ୍ଜନ କରିବାକୁ ହେଲେ କୌଣସି ବିଶେଷ ପଦ୍ଧତିରେ କାର୍ଯ୍ୟ ଆରମ୍ଭ କରନ୍ତୁ । ଆପଣ ଯେଉଁଭାବରେ ଅନୁସନ୍ଧାନ ଆରମ୍ଭ କରିଛନ୍ତି, ଏଥିରେ କେବଳ ଫାଇଲ୍ ପତ୍ର ବଢିବ ସିନା, କେସର କୌଣସି ସୁବ୍ୟବସ୍ଥା ହେବ ନାହିଁ । ଆପଣଙ୍କ ପରାମର୍ଶ ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ପୋଲିସ ଅଫିସର କହିଲେ । କିନ୍ତୁ କର୍ତ୍ତବ୍ୟରେ କୌଣସି ଦିନ ମୁଁ ଅବହେଳା କରେନାହିଁ । ଆପଣ ଅବଶ୍ୟ ଆମ ଡିପାର୍ଟମେଣ୍ଟ କଥା ଜାଣି ନାହାନ୍ତି । ଯାହା ହେଉ, ମୁଁ ଏ କେସ୍‍ର ତଥ୍ୟ ଯଥାଶୀଘ୍ର ଉଦ୍‍ଘାଟନ କରିବାକୁ ଚେଷ୍ଟା କରୁଛି-

ଧନ୍ୟବାଦ । ମୁଁ କେବଳ ସେତିକି ଚାହେଁ । ନୀଳିମାଦେବୀ ବା ମଦନରାଏଙ୍କ ସନ୍ଧାନ ପାଇଲେ ମୋତେ ଟିକେ ଶୀଘ୍ର ଜଣାଇବେ ।

ସେଥିପାଇଁ ନିଶ୍ଚିନ୍ତ ରୁହନ୍ତୁ । ସର୍ବ ପ୍ରଥମ ଆପଣ ସେ ସମ୍ବାଦ ପାଇବେ ।

ଅଶୋକ ଦାସ ଦ୍ଵିତୀୟ କଥା ନ କହି ଭିଡ଼ ଠେଲି ଘରୁ ବାହାରି ଆସିଲେ ।

ରାଘବାନନ୍ଦ ହରିଚନ୍ଦନ ତାଙ୍କ ବାସଭବନରେ 'ଓଡ଼ିଶା ଷ୍ଟିଲ୍ ଲିମିଟେଡ୍' ର ଅଫିସ ଖୋଲି ସାରିଥିଲେ । ଖବର କାଗଜ ମାଧ୍ୟମରେ ଓଡ଼ିଶା ଷ୍ଟିଲ୍‍ର ବଡ ବଡ ବିଜ୍ଞାପନମାନ ପ୍ରକାଶିତ ହେବାକୁ ଆରମ୍ଭ କରିଥିଲା ଏବଂ ଏହି ପ୍ରତିଷ୍ଠାନରୁ ସେଆର କିଣିବା ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ନିବେଦନ କରାହେଉଥିଲା । ଏଥିପାଇଁ ସମଗ୍ର ରାଜ୍ୟରେ ଏକ ଆଲୋଡ଼ନ ସୃଷ୍ଟି ହୋଇଯାଇଥିଲା ।

ରାଘବାନନ୍ଦ ହରିଚନ୍ଦନ ସେଦିନ ଅଫିସରେ ପହଞ୍ଚି ଦେଖିଲେ, ଜଣେ ଭଦ୍ରଲୋକ ତାଙ୍କ ପାଇଁ ଅପେକ୍ଷାକରି ବସିଛନ୍ତି । ହରିଚନ୍ଦନଙ୍କୁ ଦେଖିବା ମାତ୍ରେ ସେ ସାଷ୍ଟାଙ୍ଗ ପ୍ରଣାମ ଜଣାଇଲେ । ଗୋଟିଏ ହାତ ବ୍ୟାଗ ହରିଚନ୍ଦନଙ୍କ ହାତକୁ ବଢ଼ାଇ ଦେଇ କହିଲେ, ଏଥିରେ କୋଡ଼ିଏ ହଜାର ଟଙ୍କା ଅଛି । ଓଡ଼ିଶା ଷ୍ଟିଲ୍‍ରୁ ମୁଁ ଆଉ ପନ୍ଦର ହଜାର ଟଙ୍କାର ସେଆର କିଣିବି ।

ରାଘବାନନ୍ଦ ହରିଚନ୍ଦନ ଆଗନ୍ତୁକଙ୍କଠାରୁ ଥଳିଟି ଗ୍ରହଣ କରି କହିଲେ, ଧନ୍ୟବାଦ ! ସେଆର କିଣିବାର ଆପଣ ସପ୍ତମ ବ୍ୟକ୍ତି । ଯେଉଁ ହାରରେ ଓଡ଼ିଶାର ଜନସାଧାରଣଙ୍କ ଠାରୁ ସହଯୋଗ ମିଳିବାକୁ ଆରମ୍ଭ କଲାଣି, ମୁଁ ଆଶା କରୁଛି ଗୋଟାଏ କାହିଁକି, କେଇବର୍ଷ ମଧ୍ୟରେ ରାଜ୍ୟର ଦୁଇଟି ଲୁହା କାରଖାନା ପ୍ରତିଷ୍ଠିତ ହୋଇପାରିବ । ଅଥଚ ଆମେ ନିଶ୍ଚେଷ୍ଟ ହୋଇ ବସିଛୁ-। କାହାରି କୌଣସି ଉଦ୍ୟମ ନାହିଁ, ପୁଣି ଆମେ ନିଜକୁ କହୁଛେ ଅଭିଶପ୍ତ, ଦରିଦ୍ର । ଦେଶ ଓ ଜାତିର ଏହି ଲାଞ୍ଛନା ଘରେ ଓ ବାହାରେ ଚାରିଆଡ଼େ ।

ଆଗନ୍ତୁକ ଭଦ୍ରଲୋକ ଜଣଙ୍କ କହିଲେ, ଏହି ସବୁ ଲାଞ୍ଛନା ଜାତି ମୁଣ୍ଡରୁ ଘୁଞ୍ଚେଇବାକୁ ହେବ, ଆପଣଙ୍କ ପରି ବିପ୍ଳବୀ ବୀରପୁରୁଷଙ୍କର ପ୍ରୟୋଜନ । ଦେଶ ସମୃଦ୍ଧି ହେଲେ, ଲୋକଙ୍କ ହାତରେ ପଇସା ହେଲେ, ଆମ ମୁଣ୍ଡରୁ କଳଙ୍କ ଆପେ ଆପେ ଘୁଞ୍ଚିଯିବ ।

ରାଘବାନନ୍ଦ ହରିଚନ୍ଦନ ଜଣେ କର୍ମଚାରୀକୁ ଡାକି କୋଡ଼ିଏ ହଜାର ଟଙ୍କାର ରସିଦ ପ୍ରସ୍ତୁତ କରିବାକୁ କହିଲେ ଏବଂ ନିଜେ ଟଙ୍କାତକ ବ୍ୟାଗରୁ ବାହାର କରି ଗଣିବାକୁ ଆରମ୍ଭ କଲେ । ତା'ପରେ ଟଙ୍କାତକ ନେଇ ତାଙ୍କର ବିରାଟକାୟ ଲୁହା ସିନ୍ଦୁକର କବାଟ ଦୁଇ ହାତରେ ଟାଣି ଖୋଲିଦେଲେ, ହଠାତ ରାଘବାନନ୍ଦଙ୍କର ସମସ୍ତ ଶରୀର କମ୍ପି ଉଠିଲା । ସେ ଗତକାଲି ଲୁହା ସିନ୍ଦୁକରେ ରଖିଥିବା ଶହେଟଙ୍କା ନୋଟର ବଣ୍ଡିଲଗୁଡ଼ିକ ଗଲା କେଉଁଆଡ଼େ ? ସିନ୍ଦୁକରେ ଥିବା ଅନ୍ୟ ତିନି ଚାରୋଟି ଡ୍ରୟାର କ୍ଷିପ୍ତ ହସ୍ତରେ ସେ ଟାଣି ବାହାର କଲେ । କିନ୍ତୁ ସେ ଶହେଟଙ୍କିଆ ବଣ୍ଡିଲଗୁଡ଼ିକ ଗଲା କେଉଁଆଡ଼େ ?

ସେ ପଛକୁ ଚାହିଁଲେ । ଆଗନ୍ତୁକ ଭଦ୍ରଲୋକ ଜଣକ ରସିଦ ନେଇ ଚାଲି ଯାଇଛନ୍ତି । କର୍ମଚାରୀମାନେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ହରିଚନ୍ଦନ ଲୁହା ସିନ୍ଦୁକ ଭିତରକୁ ଚାହିଁଲେ, ପୁଣି କର୍ମଚାରୀଙ୍କ ଆଡ଼େ ଚାହିଁଲେ, କିନ୍ତୁ ଆଶ୍ଚର୍ଯ୍ୟ ଘଟଣା । ଟଙ୍କା ବଣ୍ଡିଲଗୁଡ଼ାକ ଗଲା କେଉଁଆଡ଼େ ?

ରାଘବାନନ୍ଦ ହରିଚନ୍ଦନ ଦେଖିଲେ, ଖଣ୍ଡିଏ କାଗଜ ସେହି ଲୁହା ସିନ୍ଦୁକ ଭିତରେ ପଡ଼ିଚି-। ବାହାର କରି ଆଣି ଦେଖିଲେ ନାଲି କାଳିରେ ମାତ୍ର କେଇଧାଡ଼ି ଲେଖା ।

ପ୍ରିୟ ହରିଚନ୍ଦନ ବାବୁ !

ବ୍ୟସ୍ତ ହେବେ ନାହିଁ । ମାତ୍ର ଏକ ଲକ୍ଷ ପଚିଶ ହଜାର ପାଇଲି । ଆପଣ ଆହୁରି ବହୁଟଙ୍କା ପାଇବେ । ତେଣୁ ଏଇ ସାମାନ୍ୟ ଟଙ୍କାପାଇଁ ନ ଭାବିଲେ ଖୁସି ହେବି । ତା'ଛଡ଼ା ଏ ଟଙ୍କା ଓଡ଼ିଶାର ଜନସାଧାରଣଙ୍କର । ମୁଁ ମଧ୍ୟ ନେଉଛି ତାଙ୍କରି ପାଇଁ । ଆପଣ ଚିନ୍ତା କରିବେ ନାହିଁ-। ମଝିରେ ମଝିରେ ଆପଣଙ୍କୁ ଏହିପରି ଦାନ କରିବାକୁ ପଡ଼ିବ ।

ଆପଣଙ୍କର

ଦସ୍ୟୁ ଲାଲସିଂହ ।

 

ରାଘବାନନ୍ଦ ହରିଚନ୍ଦନଙ୍କ ଆଖିରୁ ଅଗ୍ନି ସ୍ଫୁଲିଙ୍ଗ ଝରିବାକୁ ଲାଗିଲା । ସେ କୋଡ଼ିଏ ହଜାର ଟଙ୍କା ଲୁହା ସିନ୍ଦୁକରେ ବନ୍ଦକରି ଅଫିସ୍ ରୁମକୁ ଛୁଟି ଆସିଲେ । ସଙ୍ଗେ ସଙ୍ଗେ ସେକ୍ରେଟାରୀଙ୍କୁ ଡାକି କହିଲେ, ଗତକାଲି ମୁଁ ସମଗ୍ରଦିନ ଅନୁପସ୍ଥିତ ଥିଲି । ଆମ ଅଫିସକୁ କୌଣସି ଅପରିଚିତ ଲୋକ ଆସିଥିଲା କି ?

 

ସେକ୍ରେଟାରୀ ରାଘବାନନ୍ଦଙ୍କର ଉଗ୍ରମୂର୍ତ୍ତି ଦେଖି ପ୍ରଥମେ ଚିନ୍ତିତ ହୋଇ ପଡ଼ିଥିଲେ, ସେ ସଙ୍ଗେ ସଙ୍ଗେ କହି ପକାଇଲେ, ନା, ମୋ ସହିତ କୌଣସି ଅପରିଚିତ ବ୍ୟକ୍ତି ଦେଖା କରିନାହାନ୍ତି, ତେବେ ଦୁଇଜଣ ସେଆର୍ କିଣିବାକୁ ଆସିଥିଲେ । ଆଉଜଣେ ଷ୍ଟିଲପ୍ଲାଣ୍ଟ୍‍ ସମ୍ବନ୍ଧରେ ବିଶେଷ ବିବରଣୀ ଜାଣିବାକୁ ଆସିଥିଲେ । ଏହି ତିନି ଜଣ ଛଡ଼ା ଅନ୍ୟ କେହି ତ.....

 

ଦରବାନ ଆସି ଅଭିବାଦନ କରି ଠିଆ ହେଲା । ରାଘବାନନ୍ଦ ଜ୍ୱଳନ୍ତ ଆଖିରେ ଚାହିଁ କହିଲେ, କ’ଣ ଦରକାର ?

 

ଜଣେ ବାବୁ ଆପଣଙ୍କ ସହିତ ଦେଖା କରିବାକୁ ଆସିଛନ୍ତି । ଯା କହିଦେବୁ ଏଇକ୍ଷିଣା ହେଇ ପାରିବ ନାହିଁ । ରାଘବାନନ୍ଦ ଗର୍ଜି ଉଠିଲେ । ଦରବାନ୍‍ଟି ଭୟରେ ପ୍ରସ୍ଥାନ କଲା । ହାତରେ ଧରିଥିବା କାଗଜ ଖଣ୍ଡିକ ରାଘବାନନ୍ଦ ସେକ୍ରେଟେରୀଙ୍କ ହାତକୁ ଦେଇ କହିଲେ, ପଢ଼ନ୍ତୁ । ଏହାଠାରୁ ମର୍ମନ୍ତୁଦ ସଂବାଦ ଆଉ କ'ଣ ଥାଇପାରେ ?

 

ଚୋରୀ ? ଆମ ଅଫିସ୍‍ର ଲୁହା ସିନ୍ଦୁକରୁ.....

 

ଭିତରକୁ ଆସିପାରେ ?

 

ବାହାରୁ କାହାର ଗମ୍ଭୀର କଣ୍ଠସ୍ୱରରେ ସେକ୍ରେଟାରୀଙ୍କ କଥା ଅସମାପ୍ତ ରହିଗଲା । ସେ ଓ ରାଘବାନନ୍ଦ ଦୁଇଜଣ ବୁଲି ଅନାଇଲେ, ସୁଇଂଡୋର ଉପରେ ଗୋଟାଏ ଫେଲ୍ଟହ୍ୟାଟ ହଲୁଚି ।

 

ସେକ୍ରେଟାରୀ ଛୁଟିଯାଇ ସୁଇଂଡୋର ଆଡ଼େଇ ଆଗନ୍ତୁକଙ୍କୁ ପାଛୋଟି ଆଣିଲେ । ରାଘବାନନ୍ଦଙ୍କ ମୁହଁରେ କିପରି ବିରକ୍ତିର ଭାବ ଫୁଟି ଉଠିଥିଲା । ଆଗନ୍ତୁକ ଜଣେ ସାହେବ ପୋଷାକ ପରିହିତ ସୁଦର୍ଶନ ଯୁବକ । ସେ ଫେଲ୍ଟହ୍ୟାଟଟି ମୁଣ୍ଡରୁ କାଢ଼ି ଟେବୁଲ ଉପରେ ଥୋଇଦେଇ, ରାଘବାନନ୍ଦଙ୍କ କରମର୍ଦ୍ଦନ କରି କହିଲେ, ବସନ୍ତୁ ।

 

ଆଗନ୍ତୁକ ଯୁବକ ଜଣକ ଚେଆରରେ ବସିଲେ ଏବଂ ପକେଟରୁ ସିଗାରେଟ୍ କେସ୍ ବାହାର କରି ରାଘବାନନ୍ଦଙ୍କ ଆଡ଼େ ଖୋଲିଧରି କହିଲେ, ମୋ ନାଁ ଅଶୋକ ଦାସ । ବିଜୟ ନଗର ଜମିଦାର ବଂଶର ମୁଁ ଶେଷ ବଂଶଧର ।

 

ଏହାପରେ ରାଘବାନନ୍ଦ ହରିଚନ୍ଦନ ଯେପରି ସଚେତନ ହୋଇ ଉଠିଲେ । କହିଲେ, କ୍ଷମାକରିବେ ମି. ଦାସ ! ମୁଁ ଆପଣଙ୍କୁ ଚିହ୍ନିପାରି ନଥିଲି । ଏଥର ଆପଣଙ୍କର ଶୁଭାଗମନ କଥା କୁହନ୍ତୁ ।

 

ସେଦିନ ମିଟିଂରେ ମୁଁ ଉପସ୍ଥିତ ଥିଲି । ଓଡ଼ିଶା ଷ୍ଟିଲ୍‍ ପ୍ରତିଷ୍ଠାନ ସମ୍ବନ୍ଧରେ କେତେକ କଥାବାର୍ତ୍ତା କରିବାକୁ ଆପଣଙ୍କ ସହିତ ଇଚ୍ଛା ଥିଲେ ମଧ୍ୟ ସୁଯୋଗ ପାଇ ନ ଥିଲି । ତେଣୁ ଆଜି ଆସିଛି ।

 

କୁହନ୍ତୁ ? ଆପଣମାନଙ୍କର ସାହାଯ୍ୟ ସହଯୋଗରେ ହିଁ ଓଡ଼ିଶାରେ ଏହିପରି ଏକ ବିଶାଳ ଶିଳ୍ପ ପ୍ରତିଷ୍ଠାନ ଗଢ଼ି ତୋଳିବାରେ ସହାୟତା କରିବ ।

 

ଅବଶ୍ୟ ପ୍ଲାନ୍‍ଟି ଭଲ, କିନ୍ତୁ କାର୍ଯ୍ୟକାରୀ କରିବା ଦିଗରେ ବହୁ ବାଧା ବିପତ୍ତି ରହିଛି । ଗୋଟିଏ ଷ୍ଟିଲପ୍ଲାଣ୍ଟ୍‍ ନିର୍ମାଣ କରିବା ପାଇଁ ଅଜସ୍ର ଟଙ୍କା ଲାଗିବ, ତା'ପରେ ସ୍ଥାନ ନିରୂପଣ, ସୁପରିଚାଳନା, ସବୁକଥା ଚଳେଇ ଚିନ୍ତାକରି ଦେଖିବାକୁ ହେବ ।

 

ମୁଁ ସବୁ ଭାବିଚି ଅଶୋକଵାବୁ । ସେଥିପାଇଁ ବହୁ ବିଶେଷଜ୍ଞ ଇଞ୍ଜିନିୟରମାନଙ୍କ ସହିତ ପରାମର୍ଶ କରି ସବୁ ଠିକ୍ ଠାକ୍ କରିଛି । ଆଉ କୌଣସି କାର୍ଯ୍ୟ ବାକି ନାହିଁ । କେବଳ ଟଙ୍କା ସଂଗ୍ରହ କରି କାର୍ଯ୍ୟ ଆରମ୍ଭ କରିବା କଥା । ମୁଁ ଆଶା କରୁଛି ଆପଣଙ୍କ ସେଆର୍ ଅନ୍ୟ ଯେ କୌଣସି ସେଆର ହୋଲ୍‌ଡରଙ୍କ ଠାରୁ ଅଧିକ ଅଙ୍କର ହେବ ।

 

ମୁଁ କେବଳ ସେଥିପାଇଁ ଆସିଛି ମି: ହରିଚନ୍ଦନ । ଟଙ୍କାଗୁଡ଼ା ଏଠି ସେଠି ପକେଇ ରଖିବା ଛଡ଼ା ଦେଶର କୌଣସି ଉନ୍ନୟନ କାର୍ଯ୍ୟରେ ବ୍ୟୟ କରିପାରିଲେ, ଲାଭ ବି ମିଳିବ ଆଉ ଦେଶର କଲ୍ୟାଣ ହେବ । କିନ୍ତୁ ଯେ ପର୍ଯ୍ୟନ୍ତ ମୁଁ ଏହି ଲୌହ ନିର୍ମାଣ କାରଖାନା ସମ୍ବନ୍ଧରେ ସଂପୂର୍ଣ୍ଣ ଏକମତ ନ ହେଇଛି, ସେ ପର୍ଯ୍ୟନ୍ତ ଟଙ୍କା ଖଟେଇବା ମୋ ପକ୍ଷରେ ସମ୍ଭବ ହେବନାହିଁ । ଯା’ ହେଉ, ସେଥିପାଇଁ ବିଶେଷ କିଛି ଅଟକିବ ନାହିଁ । ଆଉ ଦିନେ ଏ ସମ୍ଭନ୍ଧରେ ଆପଣଙ୍କ ସହିତ ଭଲଭାବରେ ଆଲୋଚନା କଲେ ଚଳିବ । ମନେହେଉଛି ଆଜି ଯେପରି ଆପଣ ଖୁବ୍‌ ଦୁଶ୍ଚିନ୍ତାଗ୍ରସ୍ତ-

 

ହଁ, ଗୋଟାଏ ଦୁର୍ଘଟଣା ଘଟିଛି ଅଶୋକବାବୁ ! ଆମ ଅଫିସ୍‌ ଟ୍ରେଜେରୀରୁ ଲକ୍ଷେ ପଚିଶ ହଜାର ଟଙ୍କା ଚୋରି ହୋଇଯାଇଛି ।

 

ଅଶୋକ ଦାସ କୌଣସି ବିସ୍ମୟ ପ୍ରକାଶ କଲେନାହିଁ । ଧୀର ଅଥଚ ଶାନ୍ତ ଗଳାରେ କହିଲେ, ନିଶ୍ଚୟ ଦସ୍ୟୁ ଲାଲସିଂହ ନେଇଛି ?

 

ଆପଣ କିପରି ଜାଣିଲେ ? ହରିଚନ୍ଦନ ବିସ୍ମୟ ପ୍ରକାଶକଲେ ।

 

ଆମମାନଙ୍କପାଇଁ ସେ ଏକ ଧୂମକେତୁ ହରିଚନ୍ଦନବାବୁ ! ଲୋକଟା ଏଡ଼େ ଧୂର୍ତ୍ତ ଆଉ ଏପରି ସଇତାନ ଯେ, ତା’ପାଖରେ ଅସାଧ୍ୟ କିଛି ନାହିଁ କହିଲେ ଚଳେ । ଆପଣଙ୍କର ଏହି ଚୋରି ହୁଏତ ଅଦ୍ଭୁତ ଭାବରେ ହୋଇଥିବା । ହୁଏତ ଟ୍ରେଜେରୀ ପୁର୍ବପରି ଠିକ୍‌ ବନ୍ଦଥିବ ଅଥଚ ଖୋଲିଲା ବେଳକୁ ଶୁନ୍ୟଗର୍ଭା । ଅଥବା ମି:ହରିଚନ୍ଦନ ନିଜେ ଆସି ସେକ୍ରେଟାରୀଙ୍କ ପାଖରୁ ଚାବିମାଗି ଟ୍ରେଜେରୀ ଖୋଲି, ସମସ୍ତ ଟଙ୍କା ପଇସା ଗୋଟାଏ ବ୍ୟାଗରେ ଭାରି ପୁଣି ଟ୍ରେଜେରି ବନ୍ଦକରି ସେକ୍ରେଟାରୀଙ୍କୁ ଚାବି ଦେଇ ଚାଲି ଯାଇଥିବ । ଅଥଚ ସେକ୍ରେଟାରୀ ଜାଣିପାରିବେ ନାହିଁ ନକଲ ହରିଚନ୍ଦନ ଆସି ତାଙ୍କର ସର୍ବନାଶ କରି ଚାଲିଗଲେ । ସେହି ଦସ୍ୟୁଟା ସମ୍ବନ୍ଧରେ ଏହିପରି ବହୁ ଅଲୌକିକ ଘଟଣା ଶୁଣାଯାଏ । ସେଇ ଗଳ୍ପଗୁଡ଼ା କେତେଦୂର ଯେ ସତ୍ୟ ମୁଁ ତା’ର ସତ୍ୟତା ସମ୍ବନ୍ଧରେ ସନ୍ଦିହୀନ ।

 

ଏଇ ଦେଖନ୍ତୁ ଅଶୋକବାବୁ ! ଲୁହା ସିନ୍ଦୁକରେ ଟଙ୍କା ରଖିଲି, ସିନ୍ଦୁକ ଖୋଲିବାକୁ ହେଲେ ତିନିଟା ଚାବିର ପ୍ରୟୋଜନ ହୋଇଥାଏ । ସେଥିମଧ୍ୟରୁ ଦୁଇଟା ଚାବି ମୋ ପାଖରେ ଏବଂ ଗୋଟାଏ ଚାବି ସେକ୍ରେଟାରୀଙ୍କ ପାଖରେ ଥାଏ । ମୋ ଚାବି ଦୁଇଟା ମୋ ପାଖରେ ଓ ସେକ୍ରେଟେରୀଙ୍କ ଚାବିଟା ତାଙ୍କ ପାଖରେ ଅବବ୍ୟହୃତ ଅବସ୍ଥାରେ ରହିଛି, ଅଥଚ ଆଜି ଟ୍ରେଜେରୀ ଫିଟେଇ ଦେଖିଲା ବେଳକୁ ଟଙ୍କା ପରିବର୍ତ୍ତେ ଏହି କାଗଜ ଖଣ୍ଡିକ ମିଳିଲା । ହରିଚନ୍ଦନ ଦସ୍ୟୁ ଲାଲସିଂହର ଲିଖିତ ଚିଠି ଖଣ୍ଡିକ ଅଶୋକ ଦାସଙ୍କ ହାତକୁ ବଢ଼ାଇ ଦେଲେ ।

 

ଚିଠିଟି ପଢ଼ିସାରି ଅଶୋକ ଦାସ ହୋ ହୋ ହୋଇ ହସି ଉଠିଲେ ।

 

ଆପଣ ହସୁଛନ୍ତି ଅଶୋକବାବୁ ! ହରିଚନ୍ଦନ ବ୍ୟଥିତ ସ୍ୱରରେ କହିଲେ । ଏଗୁଡିକ ସବୁ ଜନସାଧାରଣଙ୍କ ଟଙ୍କା । ଅଥଚ ମୋରି ମୁଣ୍ଡରେ ଅଠା ବୋଳାଯିବ । ମୁଁ ଯେ ଏଥିପାଇଁ କିପରି ମର୍ମାହତ ଆପଣ ବୁଝି ପାରୁଥିଲେ ଏପରି ହସନ୍ତେ ନାହିଁ ।

 

ମୋତେ କ୍ଷମା କରିବେ ହରିଚନ୍ଦନବାବୁ ! ମୁଁ ଅବସ୍ଥାର ଗୁରୁତ୍ୱ ଦୃଷ୍ଟିରୁ ହସୁନାହିଁ, ମୁଁ ହସୁଚି ଲୋକଟାର ଏଇ ଚିଠିଟା ପଢ଼ି । ସେ ଯେଉଁଠି ଯାହା କରିବ, ଖଣ୍ଡିଏ ଚିଠି ଲେଖି ଜଣେଇ ଦେଇ ଆସିବ । କ’ଣ ଦରକାର କହିଲେ ? ଚିଠି ନ ଲେଖିଲେ ତା ଲୋକେ ହୁଏତ ଅନ୍ୟକୁ ସନ୍ଦେହ କରନ୍ତେ ।

 

ମୋର ଅବସ୍ଥା କ’ଣ ହେବ ଚିନ୍ତା କରୁଛନ୍ତି ଅଶୋକବାବୁ ? ଲକ୍ଷେ ପଚିଶ ହଜାର କିଛି ଖେଳଘର କଥା ନୁହେଁ । ଅବଶ୍ୟ ଏ ଟଙ୍କାତକ ମୁଁ ପୂରଣ କରିବାକୁ ବାଧ୍ୟ । ତା’ ନ ହେଲେ ଏତେ ବଡ ଗୋଟାଏ ପରିକଳ୍ପନା ବାଧାପ୍ରାପ୍ତ ହେବ ।

 

ଆପଣ ପୋଲିସରେ ଖବର ଦେଇଛନ୍ତି ? ଅଶୋକ ଦାସ ପଚାରିଲେ ।

 

ନା, ତେବେ ପୋଲିସ୍‌ରେ ଖବର ଦେଲେ ଘଟଣାଟା ବାହାରେ ପ୍ରକାଶ ପାଇଯିବ । ଲୋକେ ହୁଏତ ସେଆର୍‌ କିଣିବା ପାଇଁ ଭୟ କରିବେ । ଆପଣଙ୍କ ପରି ସମସ୍ତେ ତ ଆଉ ବୁଝିଲା ସୁଝିଲା ମଣିଷ ନୁହନ୍ତି । ତେଣୁ ମୁଁ ଭାବୁଚି...

 

ଏ କ୍ଷେତ୍ରରେ ନୀରବ ରହିବା ହିଁ ଭଲ । ଅଶୋକ ଦାସ କହିଲେ ।

 

ଏଇ ସଇତାନ୍‌ ଲୋକଟାକୁ କ’ଣ ପୋଲିସ ଶାସ୍ତି ଦେଇ ପାରୁନାହିଁ । ମୁଁ ଭାବୁଚି ଆଜି କାଗଜରେ ପ୍ରକାଶ ପାଇଥିବା ପୁରୀର ସେହି ହତ୍ୟାକାଣ୍ଡଟି ହୁଏତ ଦସ୍ୟୁ ଲାଲସିଂହର କାରସାଦି ।

 

କେଉଁ ହତ୍ୟାକାଣ୍ଡ ? ଅଶୋକ ଦାସ ଯେପରି କିଛି ନ ଜାଣିଲା ପରି ଚମକି ଉଠିଲେ ।

 

ଆରେ, ଆପଣ ଆଜି ଖବର କାଗଜ ପଢିନାହାନ୍ତି ? ପୁରୀର ସମରେଶ ମଦନରାଏ ନାମରେ ଜଣେ ରିଟାଏଡ଼୍‌ ଜଜ୍‌, ଦୀର୍ଘ କେତେଦିନ ହେବ ଘରୁ କୁଆଡ଼େ ଚାଲି ଯାଇଥିଲେ । ଦିନେ ଦୁଇଦିନ ତଳେ ତାଙ୍କର ଏକମାତ୍ର କନ୍ୟା, ନାଁଟା କ’ଣ ମନେ ପଡ଼ୁନାହିଁ, ସେ ମଧ୍ୟ ଘରଛାଡ଼ି ଚାଲିଯାଇଛି, ଆଉ ତାଙ୍କର ଗାଟିଏ ଚାକରାଣୀ ଖୁଣ୍‌ ହୋଇଛି ।

 

ଅଶୋକ ଦାସ ଅତ୍ୟନ୍ତ ଚିନ୍ତିତ ହେଲାପରି ସିଗାରେଟ୍‌ କେସ୍‌ ପକେଟରୁ ବାହାର କଲେ-। ନୀରବରେ କେତୋଟି ମୁହୂର୍ତ୍ତ କ’ଣ ଚିନ୍ତା କରି କହିଲେ–ଏଇଟା କିନ୍ତୁ ଗୋଟାଏ ଦୁଃସମ୍ବାଦ ହରିଚନ୍ଦନବାବୁ ! ଦସ୍ୟୁ ଲାଲସିଂହ ଦ୍ୱାରା ଯଦି ଏହା ହୋଇଥାଏ, ତେବେ ତାକୁ ଧରିଆଣି ବିଚ୍‌ ବଜାର ଉପରେ ଠିଆ କରାଇ ଗୁଳିକରି ମାରିବା ଉଚିତ୍‌ ।

 

ତା’ଛଡ଼ା ଆଉ କାହାର ଏ ଦୁଃସାହସ ହେବ ଅଶୋକବାବୁ ! ଦୁଇ ଦୁଇଟା ମଣିଷକୁ ଅପସାରଣ କରିବା ଏବଂ ଜଣକୁ ଖୁଣ୍‌ କରିବା କେତେ ସାହାସର ଯେ ପ୍ରୟୋଜନ, ମୁଁ ତ ଭାବି ପାରୁନାହିଁ । ତେଣୁ ଏ ଦୁଃସାହସ ଦସ୍ୟୁ ଲାଲସିଂହ ଛଡ଼ା ଅନ୍ୟ କାହାରି ହୋଇ ନ ପାରେ ବୋଲି କାଗଜବାଲାଏ ଅନୁମାନ କରୁଛନ୍ତି ।

 

କିନ୍ତୁ ଏଇ ହତ୍ୟା ଆଉ ଅପହରଣ ମୂଳରେ ଲାଲସିଂହର ଉଦ୍ଦେଶ୍ୟ କ’ଣ ଥାଇପାରେ-? ଅଶୋକ ଦାସ ପଚାରିଲେ ।

 

ହରିଚନ୍ଦନ ହଠାତ୍‌ କ’ଣ କହିବାକୁ ଯାଇ ଅଟକି ଗଲେ । ଗୋଟିଏ ତନ୍ଵୀ ତରୁଣୀ ସୁଇଂଡୋର ଖୋଲି ଭିତରକୁ ପଶି ଆସିଲା ।

 

ଆରେ ଲୀଳା ଯେ ! କେତେବେଳୁ ?

Unknown

 

ଏଇତ ଆସୁଚି । ଲୀଲା ଲୀଲାୟିତ ଭଙ୍ଗୀରେ ଅଶୋକ ଦାସଙ୍କ ଆଡ଼େ ଅନାଇ ରହିଲା-

 

ମୁଁ ୟାଙ୍କ ସହିତ ଆପଣଙ୍କର ପରିଚୟ କରାଇଦିଏ ଅଶୋକ ବାବୁ । ଏ ହେଉଛନ୍ତି ଲୀଳା ଦେବୀ । ରାମଗଡ଼ର ଜମିଦାର ମୋର ଵିଶିଷ୍ଟ ବନ୍ଧୁଙ୍କର ଏକମାତ୍ର କନ୍ୟା, ଆଉ ୟାଙ୍କ ନାଁ ଅଶୋକ ଦାସ, ବିଜୟ ନଗରର ଜମିଦାର ।

 

ଦୁହିଁଙ୍କ ଭିତରେ ନମସ୍କାର ବିନିମୟ ହେଲା । ହରିଚନ୍ଦନ କହିଲେ, ତା’ପରେ ବାପାଙ୍କ ଖବର କ’ଣ ? ମିଟିଂକୁ ଆସିବାକୁ ଚିଠି ଦେଇଥିଲି, ଆସିଲେ ନାହିଁ, କିଛି ଉତ୍ତର ମଧ୍ୟ ଦେଲେ ନାହିଁ-

 

ତାଙ୍କ ଦେହଟା କେତେଦିନ ହେବ ଖୁବ୍‌ ଖରାପ । ତେଣୁ ସେ କେଉଁଆଡ଼େ ଯିବା ଆସିବା କରିପାରୁ ନାହାନ୍ତି । ସେଇଥିପାଇଁ ମୋତେ ପଠାଇଲେ । ସେ ଆପଣଙ୍କ ଉଦ୍ୟମର ସଫଳତା କାମନା କରିଛନ୍ତି ଏବଂ ଯଥାସମ୍ଭବ ଅଧିକ ମୂଲ୍ୟର ସେଆର୍‌ କିଣିବାର ପ୍ରତିଶ୍ରୁତି ଦେଇଛନ୍ତି ।

 

ଶୁଣି ସୁଖୀ ହେଲି । ଶୁଣୁଛନ୍ତି ଅଶୋକ ବାବୁ ! ଷ୍ଟିଲପ୍ଲାଣ୍ଟ୍‍ ପ୍ରତିଷ୍ଠା ପାଇଁ ଦେଶସାରା ଅଭିନନ୍ଦନ ମିଳୁଚି । ମୁଁ ଜାଣେ କୌଣସି ଭଲ କାମରେ ହାତ ଦେଲେ ବାଧା ଵିପତ୍ତି ସବୁ କୁଆଡ଼େ ଦୂରେଇ ଯିବ । ଆପଣମାନଙ୍କ ପରି ଯୁବକ ବନ୍ଧୁମାନଙ୍କର ସହଯୋଗ ପାଇଲେ, ଆହୁରି ଶୀଘ୍ର ସଫଳତା ହାସଲ କରି ହେବ ।

 

ଆପଣ ମୋର ସହଯୋଗ ପାଇବେ ମି: ହରିଚନ୍ଦନ । ଆଜି ମୁଁ ଉଠୁଚି । ପରେ ଆସିବି-। ଅଶୋକ ଦାସ ଉଠି ଠିଆହୋଇ ପଡ଼ିଲେ ।

ଲୀଳାଦେବୀ ସଙ୍ଗେ ସଙ୍ଗେ ଉଠିପଡ଼ି କହିଲେ, ଏହା କିପରି କଥା ଅଶୋକବାବୁ ! ଆପଣଙ୍କ ସହିତ ମୋର ପରିଚୟ ହେଲା ମାତ୍ର । କୌଣସି ଆଳାପ ଆଲୋଚନା ହୋଇନାହିଁ । ଆପଣ ଏତେ ଶୀଘ୍ର ଚାଲି ଯାଇ ପାରିବେ ନାହିଁ । ଲୀଳାଦେବୀଙ୍କ କଣ୍ଠରେ କିପରି ଏକ ଅଭିମାନ ମିଶ୍ରିତ ସ୍ୱର ଫୁଟି ଉଠିଲା ।

ଅଶୋକ ଦାସ ଗମ୍ଭୀର ହୋଇ ଲୀଳାର ଚପଳ ମୁଖଭଙ୍ଗୀ ଆଡ଼େ ଥରେ ଚାହିଁଲେ । ମନେ ହେଲା ସେ ଚପଳତା ଭିତରେ କୌଣସି ସ୍ଥିରତା ନାହିଁ । କହିଲେ, ମୋତେ କ୍ଷମା କରିବେ ଲୀଳାଦେବୀ ! ଆପଣଙ୍କ ସହିତ ପରିଚିତ ହୋଇ ମୁଁ ଖୁବ୍‌ ଖୁସି ହୋଇଛି, କିନ୍ତୁ ଦୁଃଖର ସହିତ କହିବାକୁ ପଡ଼ୁଛି ଯେ ମୋତେ ଏଇ ମୁହୂର୍ତ୍ତରେ ଗୋଟାଏ ଜରୁରୀ କାର୍ଯ୍ୟରେ ଯୋଗ ଦେବାପାଇଁ ଚାଲି ଯିବାକୁ ହେବ । ଆପଣ ତ ଅଛନ୍ତି । ପରେ ଆସିଲେ ପୁଣି ଦେଖା ହେବ । ନମସ୍କାର । ଅଶୋକ ଦାସ ଚାଲି ଯାଉଥିଲେ ।

ଲୀଳାଦେବୀ ହଠାତ୍‌ ଚେଆର ଉପରୁ ଉଠିପଡ଼ି ଭ୍ୟାନିଟି ବ୍ୟାଗଟି ଗୋଟେଇ ନେଇ ଅଶୋକ ଦାସଙ୍କ ପଛେ ପଛେ ଆଗେଇ ଗଲେ । ଅଶୋକ ଦାସ ମଟର ପାଖରେ ଉପସ୍ଥିତ ହୋଇ ଦରଜା ଖୋଲି ଭିତରେ ପଶିଲା ବେଳକୁ ଦେଖିଲେ, ବାଁ ପାଖର ଦରଜା ଖୋଲି ଲୀଳା ମଧ୍ୟ ପ୍ରବେଶ କରୁଛି । ସେ ବିସ୍ଫାରିତ ନୟନରେ ଚାହିଁଲେ ।

ଚାଲନ୍ତୁ । ଆପଣଙ୍କ ସହିତ ମୁଁ ଟିକିଏ ବୁଲି ଆସିବି । ଏଠି ବସିବସି ଖାଲି ତତ୍ତ୍ୱକଥା ଶୁଣିବାକୁ ଭଲ ଲାଗିବ ନାହିଁ ।

ଅଶୋକ ଦାସ ଷ୍ଟିଅରିଂ ଧରି ବସିଥିଲେ । ଲୀଳା ତାଙ୍କ ଦେହକୁ ଦେହ ଲଗାଇ ବସିଲା-। ଅଶୋକଦାସ ଥରେ ଦୁଇଥର ଲୀଳା ମୁହଁକୁ ଅନେଇଲେ; ତା’ପରେ ମଟରରେ ଷ୍ଟାଟ ଦେଇ କହିଲେ, ଆପଣ କେଉଁଆଡ଼େ ଯିବେ ଲୀଳାଦେବୀ ?

ଆରେ, କହିଲିତ ଆପଣଙ୍କ ସଙ୍ଗରେ ଟିକିଏ ବୁଲି ଆସିବି ।

ଆପଣ ଭୁଲି ଯାଉଛନ୍ତି ଲୀଳା ଦେବୀ ! ମୁଁ ବୁଲିବାକୁ ଯାଉ ନାହିଁ । କେତେକ ଜରୁରୀ କାର୍ଯ୍ୟରେ ବାହାରିଛି ।

ମୁଁ ସଙ୍ଗରେ ରହିଲେ ଆପଣଙ୍କର କ’ଣ ଅସୁବିଧା ହେବ ?

 

ମଟର ଚାଲିବାକୁ ଆରମ୍ଭ କରି ଦେଇଥିଲା । ଅଶୋକ ଦାସ ପ୍ରସଙ୍ଗ ବଦଳେଇ କହିଲେ, ରାମଗଡଟା କେଉଁଠି ଲୀଳା ଦେବୀ ?

 

ଲୀଳାର ଆଖି ଯୋଡିକ ମୁହୂର୍ତ୍ତକ ପାଇଁ କମ୍ପି ଉଠିଲା । ତା’ପରେ ସେ ବିସ୍ମୟ ଫୁଟାଇ କହିଲା, ରାମଗଡ଼ ନାଁ ଆପଣ ଶୁଣି ନାହାନ୍ତି ? ଏକ ସମୟରେ ରାମଗଡ଼ର ପୂର୍ବ ପୁରୁଷମାନେ ମୋର ସାଆନ୍ତ ବାପା ହେରିକା ରାମଗଡ଼ର ପ୍ରତାପଶାଳୀ ରାଜା ଥିଲେ । କାଳକ୍ରମେ ସବୁ ଲୋପ ହୋଇଯାଇଛି ।

 

ବୁଝିଲି, ମୋର ପ୍ରଶ୍ନ ହେଉଚି ରାମଗଡ଼ ଓଡ଼ିଶାରେ ନା ବିହାରରେ ?

 

ଆରେ, ଆପଣ ଇତିହାସ ବି ପଢ଼ିନାହାନ୍ତି ?

 

ଇତିହାସରେ କୌଣସି କଳ୍ପିତ ସ୍ଥାନର ବର୍ଣ୍ଣନା ନ ଥାଏ ଲୀଳାଦେବୀ !

 

ଆହା, ଆପଣ ଭୁଲ୍‌ ବୁଝୁଛନ୍ତି ଅଶୋକବାବୁ ! ରାମଗଡ଼ ମୟୁରଭଞ୍ଜ ଜିଲାରେ ଅବସ୍ଥିତ-। ଆପଣଙ୍କ ମନରେ ହଠାତ୍‌ ଏପରି ଏକ ଭ୍ରାନ୍ତ ଧାରଣା ଜନ୍ମିବାର କାରଣ ମୁଁ କିଛି ବୁଝି ପାରୁନାହିଁ ।

 

ଅଶୋକ ଦାସ ହଠାତ୍‌ ମଟର ଅଟକାଇଲେ । କହିଲେ, ଆପଣ ଏଇଠି ଓହ୍ଲେଇ ଯାଆନ୍ତୁ ଲୀଳା ଦେବୀ-

 

ଲୀଳା ବାହାରକୁ ଚାହିଁଲା । କଟକ ଷ୍ଟେସନ । ଭିତରକୁ ଚାହିଁଲା । ଅଶୋକ ଦାସଙ୍କର ଗମ୍ଭୀର ମୁଖମଣ୍ଡଳ ।

 

ମୁଁ ଆପଣଙ୍କ କଥାର ଅର୍ଥ ବୁଝିପାରିଲି ନାହିଁ ଅଶୋକ ବାବୁ !

 

ଆପଣ ଏଇଠୁ ଟିକେଟ୍‌ କାଟି ବାଲେଶ୍ୱର ଯାଆନ୍ତୁ, ସେଠି ମୟୁରଭଞ୍ଜ ଯିବାପାଇଁ ବସ୍‌ ପାଇବେ ।

 

ଲୀଳାବତୀ ହୋ ହୋ ହୋଇ ହସି ଉଠିଲା । କହିଲା, ଆପଣ ବେଶ୍‌ ରସିକ ଲୋକ ଅଶୋକବାବୁ ! ଯେ କୌଣସି ଲୋକକୁ ଆପଣଙ୍କୁ ବୁଝିବା ପାଇଁ ଯଥେଷ୍ଟ ସମୟ ଲାଗିବ ।

 

ଅଶୋକ ଦାସ ଦେଖିଲେ, ଲୀଳାବତୀ କୌଣସି ପ୍ରକାର ତାଙ୍କୁ ଛାଡ଼ିବା ପାଇଁ ପ୍ରସ୍ତୁତ ନୁହେଁ । ଜଣେ ଅପରିଚିତ ମହିଳା, ସାମାନ୍ୟ ପରିଚୟ ପରେ ଏପରି ଯେ ମୁଣ୍ଡ ଉପରେ ଚଢ଼ି ବସିବ ସେ ମୋଟେ ଧାରଣା କରିପାରି ନ ଥିଲେ । ତା’ଛଡ଼ା ଲୀଳାକୁ ସଙ୍ଗରେ ଧରି ସେ ନିଜ କାର୍ଯ୍ୟରେ ଅଗ୍ରସର ହୋଇ ପାରୁ ନ ଥିଲେ । ନୀଳିମା କଥା ତାଙ୍କର ସବୁବେଳେ ମନେ ପଡ଼ୁଥିଲା-। ପ୍ରଥମେ ତାଙ୍କର କର୍ତ୍ତବ୍ୟ ହେଉଛି ନୀଳିମାଦେବୀ ଓ ସମରେଶ ମଦନରାଏଙ୍କୁ ଖୋଜି ବାହାର କରିବା । ତା’ପରେ ଜାନକୀଦେବୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାକୁ ହେବ । ରବିଶଙ୍କରର ହତ୍ୟାକାରୀକୁ ବିଚ୍‌ ବଜାରକୁ ଟାଣିଆଣି ଚାବୁକ୍‌ ମାରିବାକୁ ହେବ । କଠୋର କର୍ତ୍ତବ୍ୟର ନାଗଫାଶ ଅଶୋକ ଦାସଙ୍କ ଦେହରେ ଜଡ଼ି ରହିଛି । ଅଥଚ ଏଇ ଲୀଳାବତୀ ! ନା ନା, ଏତେ ହାଲ୍‌କା ଭାବରେ ସେ ବିଚରଣ କରି ପାରିବେ ନାହିଁ । ମଟରଟାକୁ ପଛକୁ ନେଇ ଗୋଟାଏ ଜାଗାରେ ଠିଆ କରିଇଲେ । ଦରଜା ଖୋଲି ପଦାକୁ ବାହାରି ଆସି କହିଲେ, ଆପଣ ଡ୍ରାଇଭ୍‌ ଜାଣନ୍ତି ଲୀଳାଦେବୀ-?

 

କାହିଁକି କହିଲେ ? ଲୀଳାବତୀ ପଚାରିଲା ।

 

ଅଶୋକ ଦାସ ମଟର ଚାବିଟି ବଢ଼ାଇଦେଇ କହିଲେ, ଏଇ ରଖନ୍ତୁ, ଯୁଆଡ଼େ ମନ ହେବ ମଟରରେ ଚାଲିଯିବେ । ମୋର ସମୟ ଖୁବ୍‌ ଅଳ୍ପ । ନମସ୍କାର ।

 

ଶୁଣନ୍ତୁ, ଶୁଣନ୍ତୁ ଅଶୋକବାବୁ ! ଲୀଳାବତୀ ଅଶୋକ ଦାସଙ୍କ ପଛେ ପଛେ ଛୁଟିଲା । ଆପଣ ଚାବି ନିଅନ୍ତୁ । ମୋତେ ଡ୍ରାଇଭ୍‌ ଜଣା ନାହିଁ । ବରଂ ମୋତେ ରାଘବବାବୁଙ୍କ ଘରେ ଛାଡ଼ିଦେଇ ଆସନ୍ତୁ ।

 

ଅଶୋକ ଦାସ କିଛି ନ ଶୁଣିଲା ପରି ଆଗେଇଥିଲେ । ସେଠାରେ ଡ଼ିଉଟିରେ ଥିବା ଗୋଟାଏ ପୋଲିସ୍‌ କନେଷ୍ଟବଳ ନିକଟରେ ମୁହୂର୍ତ୍ତେ ଠିଆ ହୋଇ କ’ଣ ପଦେ କହିଦେଇ ପୁଣି ଆଗେଇଲେ । ଲୀଳାବତୀ କିନ୍ତୁ ନଛୋଡ଼ବନ୍ଦା ।

 

ଆପଣ ଚାବି ନିଅନ୍ତୁ ଅଶୋକବାବୁ ! ମୁଁ ଏଇଠୁ ଫେରି ଯାଉଚି ।

 

ଅଶୋକ ଦାସ ଠିଆ ହେଲେ । ଲୀଳାବତୀଠାରୁ ଚାବି ନେଇ ସ୍ମିତ ହସି ଚାହିଁଲେ । ଲୀଳାବତୀ ମୁହଁରେ ହସର ଭଉଁରୀଟିଏ ଖେଳିଗଲା ।

ଆପଣ ମୋତେ ଭୁଲ୍‌ ବୁଝୁଛନ୍ତି ଅଶୋକବାବୁ ?

ନା ନା, ଲୀଳାଦେବୀ ! ମୁଁ ଆପଣଙ୍କୁ ଭୁଲ ବୁଝିବାର କୌଣସି କାରଣ ନାହିଁ । ବରଂ ଆପଣ ମୋତେ କ୍ଷମା କରନ୍ତୁ । ମୁଁ ମୋ କାର୍ଯ୍ୟରେ ଟିକିଏ ଅଗ୍ରସର ହୁଏ ।

ସେଇଥିପାଇଁ ତ ମୁଁ ଆପଣଙ୍କ ସଙ୍ଗରେ ଧାଇଁଥିଲି ଅଶୋକବାବୁ ! ମୋତେ ସଙ୍ଗରେ ନେଇଥିଲେ କ’ଣ ସାମାନ୍ୟ ଉପକାର ମୋ ଠାରୁ ପାଇ ନ ଥାନ୍ତେ !!

ଅଶୋକ ଦାସଙ୍କ ଆଖିରେ କିପରି ରହସ୍ୟମୟ ଚାହାଣି ଫୁଟି ଉଠିଲା । ସେ ଲୀଳାବତୀର ପାଦଠାରୁ ମୁଣ୍ଡଯାଏ ଥରେ ଅନାଇ ଯାଇ କହିଲେ, ଆପଣ ଆସନ୍ତୁ ଲୀଳାଦେବୀ । ମୁଁ ଆପଣଙ୍କୁ ହରିଚନ୍ଦନଙ୍କ ଘରେ ଛାଡ଼ି ଦେଇ ଆସିବି ।

ଅଶୋକ ଦାସ ଲକ୍ଷ୍ୟ କଲେ ଲୀଳାବତୀର ମୁଖମଣ୍ଡଳରେ ଯେପରି ଏକ କଳାଛାଇ ଘୋଟି ଆସି ମୁହୂର୍ତ୍ତକ ମଧ୍ୟରେ ମିଳେଇ ଗଲା । ସେ ବ୍ୟଥିତ କଣ୍ଠରେ କହିଲା–ନା ଆପଣ ଯାଆନ୍ତୁ-। ମୁଁ ଏକା ଚାଲି ଯାଇ ପାରିବି । ଆପଣ କିନ୍ତୁ ମୋତେ ସଙ୍ଗରେ ନେଇଥିଲେ ସୁବିଧା ହୋଇ ଥାଆନ୍ତା ।

ପ୍ରୟୋଜନ ହେଲେ ମୁଁ ଆପଣଙ୍କର ସାହାଯ୍ୟପ୍ରାର୍ଥୀ ହେବି ଲୀଳାଦେବୀ ! ଆଶା କରୁଚି ଆପଣ ମୋତେ ସେତେବେଳେ ସାହାଯ୍ୟ କରିବେ ।

ଲୀଳାବତୀ ଅଳସ ପାଦ ଚାଳି ବିପରୀତ ଦିଗରୁ ଆସୁଥିବା ଗୋଟାଏ ରିକ୍‌ସାରେ ବସିଲା । ଅଶୋକ ଦାସ ତା’ଆଡ଼େ ଚାହିଁ ଚାହିଁ ଯାଇ ମଟର ଦୁଆର ଖୋଲିଲେ ।

ଆରଦିନ ସକାଳେ ଖବର କାଗଜମାନଙ୍କରେ ବଡ ବଡ ଅକ୍ଷରରେ ପ୍ରକାଶ ପାଇଲା–

ଦସ୍ୟୁ ଲାଲସିଂହର ଅଭୂତପୂର୍ବ କାରସାଦି

ଶିଳ୍ପପତି ଶ୍ରୀଯୁକ୍ତ ରାଘବାନନ୍ଦ ହରିଚନ୍ଦନଙ୍କ ଲୁହା ସିନ୍ଦୁକରୁ ଲକ୍ଷାଧିକ ଟଙ୍କା ହରଣଚାଳ-

(ନିଜ ପ୍ରତିନିଧିଙ୍କ ଠାରୁ)

ଶିଳ୍ପପତି ଶ୍ରୀଯୁକ୍ତ ରାଘବାନନ୍ଦ ହରିଚନ୍ଦନଙ୍କ ସହିତ ଏକ ସାକ୍ଷାତକାରରେ ସେ କହିଲେ ଯେ ଦିନକ ପୂର୍ବରୁ ସେ ତାଙ୍କ ଟ୍ରେଜରୀରେ ଏକଲକ୍ଷ ପଚିଶ ହଜାର ଟଙ୍କାର ନୋଟ୍‌ ରଖି ବନ୍ଦ କରିଥିଲେ । କିନ୍ତୁ ଗତକାଲି ଚାବି ଖୋଲି ସେ ପାଇଲେ ଦସ୍ୟୁ ଲାଲସିଂହର ଗୋଟିଏ ଚିଠି । ଯହିଁରେ ଶ୍ରୀଯୁକ୍ତ ହରିଚନ୍ଦନଙ୍କୁ ଲେଖା ହୋଇଛି, ‘ଦୁଃଖ କରିବେ ନାହିଁ, ଜନସାଧାରଣଙ୍କ ଟଙ୍କା ଜନସାଧାରଣରେ ବିତରଣ କରିବାକୁ ନେଇ ଯାଉଛି । କିଛି ଭାବିବେ ନାହିଁ ।’

ପାଠକମାନଙ୍କର ସ୍ମରଣ ଥାଇପାରେ ଇତି ପୂର୍ବରୁ ଦସ୍ୟୁ ଲାଲସିଂହର ଉପଦ୍ରବ୍ୟ ଆମ ରାଜ୍ୟରେ ପ୍ରବଳ ଭାବରେ ବଢ଼ିଉଠିଛି । ବହୁ ଭାବରେ ଦସ୍ୟୁ ଲାଲସିଂହ ରାଜ୍ୟରେ ଆତଙ୍କ ସୃଷ୍ଟି କରିଛି । ଏପରିକି ପୋଲିସର ଉଚ୍ଚପଦସ୍ଥ କର୍ମଚାରୀମାନଙ୍କୁ ସେ ନାକେଦମ କରି ଛାଡ଼ିଥିବାର ସମ୍ବାଦ ମଧ୍ୟ ମିଳିଛି ।

 

ଦସ୍ୟୁ ଲାଲସିଂହର ଏପରି ଆଚରଣ ଦେଶ ପକ୍ଷରେ ଖୁବ୍‌ ମାରାତ୍ମକ ଏବଂ ଏପରି ହେବାଦ୍ଵାରା ଦେଶରେ ଆତଙ୍କ ସୃଷ୍ଟି ହେଉଛି । ଆମେ ପୋଲିସ୍‌ ବିଭାଗର ଉଚ୍ଚକର୍ତ୍ତ୍ୱପକ୍ଷଙ୍କୁ ଅନୁରୋଧ କରୁଛୁ, ସେମାନେ ଏହି ଦସ୍ୟୁ ଦଳର ଉଚ୍ଛେଦ କରିବାକୁ ଦୃଢ଼ ସଂକଳ୍ପ ହୁଅନ୍ତୁ ।

ଅଶୋକ ଦାସ ସମ୍ବାଦଟି ପଢ଼ି ସାରି ନୀରବରେ କିଛି ସମୟ ଚିନ୍ତା କଲେ । ସି’ଭିଉ ହୋଟେଲରେ ମ୍ୟାନେଜର ନିଜେ ଖଣ୍ଡିଏ ରସିଦ ଧରି ଆଉ କେତେକ ଟଙ୍କା ଧରି ଅଶୋକ ଦାସଙ୍କ କକ୍ଷରେ ପ୍ରବେଶ କଲେ । ମୁଁ ଆସିଚି ସାର୍‌ !

ଅଶୋକ ଦାସଙ୍କ ଧ୍ୟାନ ଭଙ୍ଗ ହେଲା । କହିଲେ, ବିଲ୍‌ ଦେଖି ! ଆଉ କେତେ ଟଙ୍କା ପାଇବେ ?

ନା, ଆପଣ ଯେଉଁ ଦୁଇଶହ ଟଙ୍କା ଆଡ଼୍‌ଭାନ୍‌ସ ଦେଇଥିଲେ ସେଥିରୁ ଆହୁରି ଏତକ ଟଙ୍କା ବଳିଛି । ନିଅନ୍ତୁ ।

ଅଶୋକ ଦାସ ଥରେ ମ୍ୟାନେଜରଙ୍କ ମୁହଁକୁ ଓ ଆଉ ଥରେ ହାତରେ ଧରିଥିବା ଟଙ୍କା ଆଡ଼େ ଚାହିଁ କହିଲେ, ଆପଣ ସେତକ ଟଙ୍କା ରଖି ଥାଆନ୍ତୁ । ମୁଁ ଆଉ କେବେ ଆସିଲେ ମଜୁରା କରି ନେବି ।

ନା, ସାର୍‌ ! ଆପଣ....

ମ୍ୟାନେଜରଙ୍କ କଥା ଅସମାପ୍ତ ରହିଗଲା । ପୋଲିସ୍‌ ଅଫିସର ଚନ୍ଦ୍ରଶେଖର ପଟ୍ଟନାୟକ ରୁମ୍‌ ଭିତରେ ପ୍ରବେଶ କଲେ ।

ଗୁଡ଼୍‌ମର୍ଣ୍ଣି ଅଶୋକବାବୁ ।

ଗୁଡ଼୍‌ମର୍ଣ୍ଣି ।

ଶୁଣିଲି ଆପଣ ଆଜି ଏଠାରୁ ଚାଲି ଯାଉଛନ୍ତି ?

ଆଜ୍ଞା ! ମୋର ଆଉ ଏଠାରେ କାମ କ’ଣ ? ଅଯଥା ସମୟ ନଷ୍ଟ କରିବା ସାର ହେଉଚି । ମୋର ଆଉ କୌଣସି ପ୍ରୟୋଜନ ହେବ କି ? ଆପଣ ଯଦି ଆଦେଶ ଦିଅନ୍ତି ତା’ହେଲେ ରହିବାକୁ ବାଧ୍ୟ ।

ଚନ୍ଦ୍ରଶେଖର ପଟ୍ଟନାୟକ କହିଲେ, ଆପଣ କହିଥିଲେ କେସ୍‌ଟାର ତଦନ୍ତ ସମ୍ବନ୍ଧରେ ମୋତେ ସାହାଯ୍ୟ କରିବେ । କିନ୍ତୁ କୌଣସି ସମାଧାନ ପୂର୍ବରୁ ଆପଣ ଯଦି ଏପରି ଚାଲିଯାଆନ୍ତି, ତେବେ ପ୍ରତିଶ୍ରୁତି ଭଙ୍ଗ ହେବ ନାହିଁକି ?

ଅଶୋକ ଦାସ ହସିଲେ । ତା’ ଅବଶ୍ୟ ହେବ । କିନ୍ତୁ ମୁଁ ବର୍ତ୍ତମାନ ଯାହା ଦେଖୁଛି ମୋ ଦ୍ୱାରା ଶାଗ ବି ସିଝିବ ନାହିଁ । ବରଂ କୁହନ୍ତୁ ଆପଣ ସଫଳତା ଦିଗରେ କେତେଦୂର ଅଗ୍ରସର ହେଲେ ।

ଅନେକ ସମୟରେ ସବୁକଥା ସମସ୍ତଙ୍କ ଆଗରେ କହିହୁଏ ନାହିଁ ଅଶୋକବାବୁ ! ସେହି ଦୃଷ୍ଟିରୁ ମୁଁ ଆପଣଙ୍କ ଆଗରେ ସବୁ କଥା କହିବାକୁ ଅକ୍ଷମ । ତେବେ ମି.ମଦନରାଏ ଯେ ପୁରୀର କୌଣସି ସ୍ଥାନରେ ନାହାନ୍ତି, ସେ କଥା ଆମେ ଅନୁସନ୍ଧାନ କରି ବୁଝି ପାରିଛୁ । ଆଉ ଅଳକାକୁ ଯେଉଁ ଛୁରୀରେ ଖୁଣ୍‌ କରା ହୋଇଥିଲା, ସେ ଛୁରୀଟା ମିଳିଛି ଏବଂ ଛୁରୀ ବେଣ୍ଟରୁ ହାତର ଛାପ ମଧ୍ୟ ମିଳିଛି । ଯେତେଦୂର ସମ୍ଭବ ଛୁରୀ ବେଣ୍ଟରେ ଥିବା ଆଙ୍ଗୁଳି ଛାପଗୁଡ଼ିକ ନୀଳିମାଦେବୀଙ୍କର । ମୋର ମନେ ହେଉଛି ସେ ଅଳକାକୁ ଖୁଣ୍‌ କରି ଫେରାର୍‌ ହୋଇଛନ୍ତି ।

ଅଶୋକ ଦାସ ଶିହରୀ ଉଠିଲେ । କହିଲେ, ଏ ଆପଣ କ’ଣ କହୁଛନ୍ତି ମି: ପଟ୍ଟନାୟକ-! ନୀଳିମା ଦେବୀ ଖୁଣ୍‌ କରିଛନ୍ତି !! ଏହା ଅସମ୍ଭବ । ତାଙ୍କ ପରି ଜଣେ କୋମଳମତୀ ନାରୀ ପକ୍ଷରେ ଖୁଣ୍ କରିବା ଅସମ୍ଭବ ।

କିଏ କ’ଣ କରିପାରେ ନ ପାରେ ସେ କଥା ମୁଁ ଆଦୌ ଚିନ୍ତା କରୁନାହିଁ ଅଶୋକବାବୁ ! କାରଣ ମୋ ଜୀବନର କ୍ଷୁଦ୍ର ଅଭିଜ୍ଞତା ଭିତରେ ମୁଁ ଯାହା ଜାଣିଛି, ମୋର ମନେ ହେଉଛି ମଣିଷ ଅବସ୍ଥାର ଦାସ । ଅବସ୍ଥାଚକ୍ରରେ ପଡ଼ି ସେ ସବୁ କରିପାରେ ।

 

ହୁଏତ ପାରେ ମି: ପଟ୍ଟନାୟକ । କିନ୍ତୁ ନୀଳିମା ଖୁଣ୍‌ କରିବା ଅସମ୍ଭବ । ଏ କ୍ଷେତ୍ରରେ ମୁଁ ଆପଣଙ୍କ ଅନୁମାନକୁ ସମର୍ଥନ କରିପାରିବି ନାହିଁ ।

 

ଚନ୍ଦ୍ରଶେଖର ପଟ୍ଟନାୟକ ହସିଲେ । କୌଣସି ଲୋକକୁ କେହି ଅନ୍ଧ ଭାବରେ ଭଲ ପାଇବା ଉଚିତ ନୁହେଁ ଅଶୋକବାବୁ; ଏ କ୍ଷେତ୍ରରେ ନୀଳିମା ଦେବୀଙ୍କ ପ୍ରତି ଆପଣଙ୍କର ଗଭୀର ଆନ୍ତରିକତାହିଁ ତାଙ୍କୁ ଆପଣଙ୍କ ଆକ୍ଷି ଆଗରେ ନିର୍ଦ୍ଦୋଷ ପ୍ରମାଣିତ କରୁଛି । କିନ୍ତୁ ଏହାଦ୍ୱାରା ଆପଣଙ୍କର ଯଥେଷ୍ଟ ବିପଦର ସମ୍ଭାବନା ଅଛି । ଆପଣ ଜଣେ ଆଇନଜ୍ଞ, ଅଭିଜ୍ଞ । ତେଣୁ....

 

ନା ନା ମି: ପଟ୍ଟନାୟକ ! ଆପଣ ଭୁଲ୍‌ କଥା କହୁଛନ୍ତି । ଆପଣଙ୍କ ଥିଓରୀଙ୍କୁ ଭୁଲ୍‌ ବୋଲି ମୁଁ ପ୍ରମାଣିତ କରିଦେବି । ନୀଳିମା ଖୁଣ୍‌ କରି ପାରେନା, ପାରେନା ମି: ପଟ୍ଟନାୟକ । ତାର ହୃଦୟ ଏତେ କୋମଳ ଯେ ଆପଣ ବିଶ୍ୱାସ କରିପାରିବେ ନାହିଁ ମି: ପଟ୍ଟନାୟକ । ମୁଁ ଜାଣିଛି, ଖୁବ୍‌ ଭଲ ଭାବରେ ଚିହ୍ନିଚି ନିଳୀମାକୁ । ସେ ଖୁଣୀ ହୋଇ ପାରେନା ।

 

ଛୁରୀରୁ କିନ୍ତୁ ନାରୀ ହାତର ଆଙ୍ଗୁଳି ଛାପ ମିଳିଛି ।

 

ସେ ଅନ୍ୟ କୌଣସି ନାରୀର ହୋଇପାରେ । ଅଳକା ନିଜେ ମଧ୍ୟ ଆତ୍ମହତ୍ୟା କରି ପାରିଥାଏ । କିନ୍ତୁ ନୀଳିମା ଯେ ଏଇ ହତ୍ୟା କରିଛି, ତା’ର କୌଣସି ପ୍ରମାଣ ଅଛି ଆପଣଙ୍କ ନିକଟରେ ?

 

ଖାଲି ଗୋଟାଏ ଅନୁମାନ ଅଶୋକବାବୁ ! ନୀଳିମାଦେବୀ ଘରେ ନ ଥିବାରୁ ସେହି ଅନୁମାନଟା ଆହୁରି ଦୃଢ଼ ହୋଇ ଯାଇଛି । ଛୁରୀବେଣ୍ଟରୁ ଯେଉଁ ଆଙ୍ଗୁଳି ଛାପ ମିଳିଛି ଆମେ ପରୀକ୍ଷା କରି ଦେଖିଚୁ, ସେଇଟା ଅଳକାର ନୁହେଁ । ତେଣୁ ଏଥିରୁ ପ୍ରମାଣିତ ହେଉଛି, ଅଳକା ଆତ୍ମହତ୍ୟା କରିନାହିଁ । ସେଦିନର ତଦନ୍ତ ରିପୋର୍ଟରୁ ଯାହା ଜଣା ଯାଇଛି, ଅଳକାକୁ ଯେଉଁଦିନ ହତ୍ୟା କରାଗଲା, ସେଦିନ କୌଣସି ତୃତୀୟ ବ୍ୟକ୍ତିକୁ ସେଠାରୁ ଖୋଜି ବାହାର କରି ହେଉନାହିଁ । ତେଣୁ ଧରି ନେବାକୁ ହେଉଛି ଯେ, ସେଦିନ ଅଳକା ଆଉ ନୀଳିମା ଛଡ଼ା ସେ ଘରେ ଅନ୍ୟ କେହି ନ ଥିଲେ । ତା’ ମଧ୍ୟରୁ ଜଣେ ଖୁଣ୍‌ ହୋଇଛି ଏବଂ ଛୁରୀ ବେଣ୍ଟରେ ନାରୀ ହାତର ଆଙ୍ଗୁଳି ଛାପ ଚିହ୍ନି ରହିଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ମୃତ ଓ ଆଉ ଜଣେ ନିରୁଦ୍ଦେଶ । ଏଇଆ ଯଦି ଘଟଣା ହୁଏ, ଏଥିରୁ ଆପଣ କ’ଣ ଅନୁମାନ କରିବେ କୁହନ୍ତୁ ?

 

ଆପଣଙ୍କ ଅନୁସନ୍ଧାନର ଧାରାରେ ଭୁଲ୍‌ ରହୁଚି ମି: ପଟ୍ଟନାୟକ । ଏ କ୍ଷେତ୍ରରେ ଆପଣଙ୍କୁ କୌଣସି ତୃତୀୟ ବ୍ୟକ୍ତିକୁ ଖୋଜି ବାହାର କରିବାକୁ ହେବ । ଯାହାର କୌଣସି ଚିହ୍ନବର୍ଣ୍ଣ ନାହିଁ, ସେହି ହେଉଛି ହତ୍ୟାକାରୀ । ନୀଳିମା ଆଉ ଅଳକା ଦୁଇଜଣଙ୍କ ସମ୍ବନ୍ଧ ପ୍ରଭୁ ଓ ଭୃତ୍ୟର । ଏଠାରେ ଏପରି କୌଣସି ବିଶେଷ କାରଣ ଥାଇ ନ ପାରେ, ଯହିଁରେ ପ୍ରଭୁ ଭୃତ୍ୟକୁ ହତ୍ୟା କରି ନିରୁଦ୍ଦେଶ ହୋଇଛି ।

 

ଅଛି ଅଶୋକବାବୁ ! ଧୀରେ ଧୀରେ ସବୁ ପ୍ରକାଶ ପାଇବ । ମଣିଷର ବିଚିତ୍ର ସ୍ୱଭାବ ସହିତ ଆପଣ ହୁଏତ ସମ୍ପୂର୍ଣ୍ଣ ପରିଚିତ ନୁହନ୍ତି । ଦେଖିବେ ଏହି କେସ୍‌ଟାର ଯେତେବେଳେ ଅନୁସନ୍ଧାନ କାର୍ଯ୍ୟ ଶେଷ ହୋଇ ଆସାମୀ କାଠଗଡାରେ ଠିଆହେବ, ସେତେବେଳେ ଆପଣ ହୁଏତ ନିଜ ଆଖିକୁ ବା କାନକୁ ବିଶ୍ୱାସ କରିପାରିବେ ନାହିଁ । ସେତେବେଳେ ହୁଏତ ନୀଳିମା ଆଡ଼େ ଚାହିଁ ତା’ର ରୁଦ୍ରମୂର୍ତ୍ତି ଦେଖି ଆଖି ବୁଜି ପକାଇବେ । ଛାଡ଼ନ୍ତୁ ସେ କଥା । ଏଥର ନିଜ କଥା କୁହନ୍ତୁ । ଆପଣ କ’ଣ ଆଜି ପୁରୀ ଛାଡ଼ି ଚାଲିଯାଉଛନ୍ତି ?

 

ଅଶୋକ ଦାସ ଚିନ୍ତିତ ହୋଇ ପଡ଼ିଥିଲେ । କହିଲେ–ହଁ, କିନ୍ତୁ ଆପଣଙ୍କ ତରଫରୁ କୌଣସି ପ୍ରତିବନ୍ଧକ......

 

ନା ଅଶୋକବାବୁ ! ଆମର ଆଉ କିଛି ପ୍ରତିବନ୍ଧକ ନାହିଁ । ଆପଣ ଏବେ ମନ ଖୁସିରେ ଯେଣେ ଇଚ୍ଛା ତେଣେ ଯାଇପାରନ୍ତି । ମୋର ଗୋଟାଏ ଅନୁରୋଧ, ଯଦି କେବେ ଆପଣଙ୍କୁ ଦରକାର ହୁଏ, କେଉଁଠି ଖୋଜିଲେ ପାଇବି ସେହିପରି ଗୋଟିଏ ଠିକଣା ଦେଇ ଯାଆନ୍ତୁ ।

 

ଅଶୋକ ଦାସ ଖଣ୍ଡିଏ କାଗଜରେ ନିଜର ନାମ ଓ ଠିକଣା ଲେଖି ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ହାତକୁ ବଢ଼ାଇ ଦେଲେ ।

 

କ୍ଷମା କରିବେ ଅଶୋକବାବୁ ! ମୁଁ ଆପଣଙ୍କୁ ଅଯଥାରେ ସନ୍ଦେହ କରିଥିଲି । ଆପଣ ତ ଜାଣନ୍ତି, ଅନେକ ସମୟରେ ଆମେ ନିଜକୁ ମଧ୍ୟ ବିଶ୍ୱାସ କରି ପାରୁନା । ତା’ଛଡ଼ା ଆପଣ ଏପରି ଏକ ପରିସ୍ଥିତି ସହିତ ସଂଶ୍ଳିଷ୍ଟ ହୋଇ ପଡ଼ିଥିଲେ ଯେ, ମୋ ଜାଗାରେ ଆପଣ ଥିଲେ ଏବଂ ଆପଣଙ୍କ ଜାଗାରେ ମୁଁ ଥିଲେ ଆପଣ ମୋତେ ମଧ୍ୟ ସନ୍ଦେହ କରି ଥାଆନ୍ତେ ।

 

ନା, ସେଥିପାଇଁ ମୁଁ କିଛି ଭାବୁନାହିଁ ମି: ପଟ୍ଟନାୟକ । ଆପଣ କର୍ତ୍ତବ୍ୟ ଦୃଷ୍ଟିରୁ ଯାହା କରିଛନ୍ତି ବରଂ ସେଥିପାଇଁ ମୁଁ ବିଶେଷ ଆନନ୍ଦିତ । ମୋର ଆପଣଙ୍କୁ ଗୋଟାଏ ଅନୁରୋଧ ଯେ, ଆପଣ ନୀଳିମାର ବା ମଦନରାଏଙ୍କର ସମ୍ବାଦ ପାଇବା ମାତ୍ରେ ମୋତେ ଏହି ଠିକଣାରେ ଟେଲିଫୋନ୍ ବା ଟେଲିଗ୍ରାମ୍‌ କରି ଜଣାଇଦେବେ ।

 

ନିଶ୍ଚୟ ଜଣାଇ ଦେବି । ଚନ୍ଦ୍ରଶେଖର ପଟ୍ଟନାୟକ ଚେଆରରୁ ଉଠିଲେ । କରମର୍ଦନ ପାଇଁ ହାତ ବଢ଼ାଇ କହିଲେ, ମୁଁ ଆସୁଛି ଅଶୋକବାବୁ । ଆଶା କରୁଛି ଭବିଷ୍ୟତରେ କେବେ ନିଶ୍ଚୟ ଆପଣଙ୍କ ସହିତ ଦେଖାହେବ ।

 

ଅଶୋକ ଦାସ କରମର୍ଦ୍ଦନ କରି କହିଲେ, ନିକଟରେ ଦେଖା ହେବାର ଯଥେଷ୍ଟ ସମ୍ଭାବନା ଅଛି ମି: ପଟ୍ଟନାୟକ । ମୁଁ ଆପଣଙ୍କ ସଫଳତା କାମନା କରୁଛି ।

 

ଚନ୍ଦ୍ରଶେଖର ପଟ୍ଟନାୟକ ବାହାରିଗଲେ । ଅଶୋକ ଦାସ ଚିନ୍ତା କରୁଥିଲେ, ଅଳକାର ହତ୍ୟାକାରୀ ନୀଳିମା ହେବା କ’ଣ ସମ୍ଭବ ? ନା ନା, ଅସମ୍ଭବ । ପଟ୍ଟନାୟକଙ୍କର ଏ ଥିଓରୀ ରଙ୍ଗ । ନୀଳିମା ଇଚ୍ଛାକରି ଚାଲି ଯାଇନାହିଁ । ଅଳଙ୍କାର ହତ୍ୟାକାରୀ ନିଳୀମାକୁ ହରଣଚାଳ କରି ନେଇଛି ।

 

ଅଶୋକ ଦାସ ଉଠି ଠିଆହେଲେ । ହୋଟେଲର ଗୋଟିଏ ବୟକୁ ଜିନିଷପତ୍ର ଆଣିବାକୁ କହି ନିଜେ ତଳକୁ ଓହ୍ଲେଇ ଗଲେ । ମ୍ୟାନେଜରଙ୍କ ନିକଟରେ ପହଞ୍ଚି ପଚାରିଲେ, ମୁଁ ଚାଲି ଯାଉଥିବା ସମ୍ବାଦ ଆପଣ ପୋଲିସ୍‌କୁ ଫୋନକରି ଜଣାଇଥିଲେ ?

 

ହଠାତ୍‌ ମ୍ୟାନେଜରଙ୍କ ମୁହଁରୁ ଯେପରି ରକ୍ତ ଶୁଖିଗଲା । ସେ ମୁହୂର୍ତ୍ତେ ନୀରବ ରହି ଟିକିଏ ହସିବାକୁ ଚେଷ୍ଟାକରି କହିଲେ, ମୋତେ ପୋଲିସ୍‌ ଷ୍ଟେସନରୁ ସେହିପରି ନିର୍ଦ୍ଦେଶ ଥିଲା । ତେଣୁ ମୁଁ ଦୁଃଖିତ ସାର୍‌ !

 

ନା ନା, ଆପଣ କର୍ତ୍ତବ୍ୟ ପାଳନ କରିଛନ୍ତି । ଆପଣଙ୍କୁ ମୁଁ ଦୋଷ ଦେଉନାହିଁ । ତେବେ ହଠାତ ମି: ପଟ୍ଟନାୟକଙ୍କର ପହଞ୍ଚିବା କାରଣ କ’ଣ ହୋଇପାରେ ସେଇଆ ମୁଁ ଭାବୁଥିଲି । ଏବେ ଘଟଣା ଜଣା ପଡ଼ିଲା ।

 

ଅଶୋକ ଦାସ ଧୀରେ ଧୀରେ ତଳକୁ ଓହ୍ଲେଇ ଆସିଲେ । ତାଙ୍କର ମୂଲ୍ୟବାନ୍‍ ମଟର ଗାଡ଼ି ଖଣ୍ଡିକ ତଳେ ଅପେକ୍ଷା କରିଥିଲା । ସେ ଯାଇ ମଟରରେ ବସିଲେ ସତ, ମାତ୍ର ମନରେ ତାଙ୍କର ଆନନ୍ଦ ନଥିଲା । ସମରେଶ ମଦନରାଏ ଓ ନୀଳିମାରେ ନିରୁଦ୍ଦେଶ ହେବାର ଯେ ମୂଳ କାରଣ ଅଶୋକ ଦାସ, ସେ କଥା ଚିନ୍ତାକରି ସେ ଶିହରୀ ଉଠିଲେ ।

 

ଗାଡ଼ିଟା ଧୀରେ ଧୀରେ ଆଗଉଥିଲା । କେଉଁଠାକୁ ଯିବେ ? କେଉଁଠି ସେ ନୀଳିମାର ସମ୍ବାଦ ପାଇବେ ? ଏପରି ନମ୍ର, ବିନୟୀ ଓ ସୁନ୍ଦରୀ ଝିଅ ଦ୍ୱିତୀୟଟିଏ ସେ ଦେଖି ନାହାନ୍ତି । ଅଶୋକ ଦାସଙ୍କ ଅଜାଣତରେ ତାଙ୍କ ଗାଡ଼ିଟା ଯାଇ ସମରେଶ ମଦନରାଏଙ୍କ ଦୁଆରେ ଅଟକି ଗଲା-। ଗୋଟିଏ କନେଷ୍ଟବଲ ଗେଟ୍‌ରେ ପହରା ଦେଉଥିଲା । ଅଶୋକ ଦାସଙ୍କୁ ଦେଖିବାକ୍ଷଣି ଜୋର୍‌ରେ ସାଲ୍ୟୁଟ ପକାଇ ଗାଡ଼ିର ଦରଜା ଖୋଲିଦେଲା । ଅଶୋକ ଦାସ ଅନ୍ୟମନସ୍କ ଭାବରେ ପଚାରିଲେ, ଆଉ କିଛି ନୂଆ ଖବର ଅଛି ?

 

ନା ସାର୍‌ !

 

ମି: ପଟ୍ଟନାୟକ ଆସିଥିଲେ ?

 

ନା, ସାର୍‌ ।

 

ତା’ ହେଲେ ଅଳକା କ’ଣ ଶତ୍ରୁପକ୍ଷୀୟ ଗୁପ୍ତତର ହୋଇ ମଦନରାଏଙ୍କ ନିକଟରେ ରହିଥିଲା । ଅଶୋକ ଦାସ ଚିନ୍ତା କରୁଥିଲେ–ତାହାହିଁ ଯଦି ହୋଇଥାଏ, ତେବେ ତାକୁ କିଏ ହତ୍ୟା କଲା ? କାହିଁକି ହତ୍ୟାକଲା ?

 

ଅଶୋକ ଦାସ ଗାଡ଼ିରୁ ଆଉ ଓହ୍ଲେଇଲେ ନାହିଁ । ପୁଣି ଧୀରେ ଧୀରେ ଆଗେଇବାକୁ ଲାଗିଲେ । ତାଙ୍କ କାର୍ଯ୍ୟକ୍ଷେତ୍ର ଆଉ ପୁରୀ ନୁହେଁ । ତାଙ୍କୁ କଟକ ଫେରିଯିବାକୁ ହେବ । ମଦନରାଏଙ୍କ ଶତ୍ରୁକୁ ଖୋଜି ବାହାର କରିବାକୁ ହେବ । ତାକୁ ଉପଯୁକ୍ତ ଶିକ୍ଷା ଦେବାକୁ ହେବ । ବର୍ତ୍ତମାନ ନିଃସନ୍ଦେହରେ କୁହାଯାଇପାରେ ଯେ, ରବିଶଙ୍କରର ହତ୍ୟାକାରୀ ଆଜି ମଦନରାଏଙ୍କର ପରମ ଶତ୍ରୁ ହୋଇ ଠିଆ ହୋଇଛି । କିନ୍ତୁ ବିଚାରି ନୀଳିମା ! ତା’ର ବା ଅପରାଧ କ’ଣ !! ତା’ଠାରୁ କିଏ ପ୍ରତିଶୋଧ ନେଲା ?

 

ଆରେ, ମି: ଦାସ ! ଆପଣ ଏ ଆଡ଼େ ? ରୁହନ୍ତୁ ରୁହନ୍ତୁ ।

 

ହଠାତ୍‌ କାହାର ପରିଚିତ କଣ୍ଠସ୍ୱର ଶୁଣି ଅଶୋକ ଦାସ ମଟରର ବ୍ରେକ୍‌ କଷିଲେ । ସାମ୍‌ନାରେ ଲୀଳାବତୀ । ରାମଗଡ଼ର ରାମକୁମାରୀ ପରା ! ଅଶୋକ ଦାସ ମନେମନେ ହସି ଉଠିଲେ । ସେଦିନ ରାଘବାନନ୍ଦ ହରିଚନ୍ଦନ ଲୀଳାବତୀ ସହିତ ପରିଚୟ କରାଇ ଦେବାକୁ ଯାଇ କହିଥିଲେ, ଏ ହେଉଛି ରାମଗଡ଼ ଜମିଦାରଙ୍କର ଏକମାତ୍ର କନ୍ୟା ଲୀଳାବତୀ ।

 

ଆପଣଙ୍କୁ ଯେ ହଠାତ୍‌ ଭେଟିବି, ବିଶ୍ୱାସ କରିପାରି ନଥିଲି । ଲୀଳାବତୀ ଅଶୋକାଦାସଙ୍କ ନିକଟରେ ବସୁ ବସୁ କହିଲା ।

 

ମୁଁ କିନ୍ତୁ ଯେ କୌଣସି ଜାଗାରେ ଆପଣଙ୍କୁ ଭେଟି ପାରିବି, ମୋ ମନରେ ଏହିପରି ଏକ ଧାରଣା ଥିଲା । ଅଶୋକ ଦାସ ସହଜ ସ୍ୱରରେ କହିଲେ ।

 

କାହିଁକି ? ମୋ ସମ୍ବନ୍ଧରେ ଆପଣଙ୍କ ମନରେ ଏପରି ଧାରଣା ଜନ୍ମିବାର କାରଣ କ’ଣ-?

 

ଢେର ଅଛି ଲୀଳାଦେବୀ । ବର୍ତ୍ତମାନ କୁହନ୍ତୁ ଆପଣ କେଉଁଆଡ଼େ ଯିବେ ?

 

ସେଇଟା ଆପଣଙ୍କ ଇଚ୍ଛା, ଲୀଳାବତୀ ଉତ୍ତର ଦେଲା ।

 

ମୋର ଇଚ୍ଛା, ମାନେ ?

 

ଆପଣ ଯେଉଁଆଡ଼େ ଯାଉଛନ୍ତି ମୋତେ ସେଇଆଡ଼େ ନେବେ ଅଥବା ଯେଉଁଆଡ଼େ ନେବାକୁ ଇଚ୍ଛା କରନ୍ତି ସେଇଆଡ଼େ ନେଇ ପାରିବେ ଲୀଳାବତୀ ହସିଲା ।

 

ଅଶୋକ ଦାସଙ୍କ ଦେହରେ ଯେପରି ବିଷ ଚରିଗଲା । ସେ ଉତ୍ତର ନ ଦେଇ ଗାଡ଼ିର ବେଗ ଧୀରେ ଧୀରେ ବଢ଼ାଇଲେ । ସ୍ପିଡୋମିଟରର କଣ୍ଟା ନାଚି ନାଚି କୋଡ଼ିଏରୁ ତିରିଶି, ତିରିଶରୁ ଚାଳିଶି ଏବଂ ଚାଳିଶିରୁ….

 

ଏ ଆପଣ କ’ଣ କରୁଛନ୍ତି ଅଶୋକ ବାବୁ ! ଲୀଳାବତୀ ଶିହରୀ ଉଠିଲା । ଅଶୋକ ଦାସଙ୍କ ଗାଡ଼ି ଖଣ୍ଡିକ ତୀର ବେଗରେ ଛୁଟି ଚାଲିଥିଲା । ପବନ ଧକ୍‌କାରେ ଲୀଳାବତୀର କେଶ ବସନ ଅସମ୍ଭାଳ ହୋଇ ପଡ଼ିଥିଲା । ଭୟରେ ସେ ଚିତ୍କାର କରି ଉଠିଲା ।

 

ଅଶୋକ ଦାସ ଗାଡ଼ିର ବେଗ ଟିକିଏ କମାଇ କହିଲେ, ଏତିକିରେ ଆପଣ ଡରିଗଲେ-? ଜୀବନରେ ଆଉ କ’ଣ କରିବେ ?

 

ଆପଣ ଯେପରି ଗାଡ଼ି ଚଳାଉଛନ୍ତି, ମନେ ହେଉଛି ଯେ କୌଣସି ମୁହୂର୍ତ୍ତରେ ଗାଡ଼ି ସମେତ ଆମେ ଓଲଟି ପଡ଼ିବୁ ।

 

ଅଶୋକ ଦାସ ହସିଲେ । ଜୀବନପ୍ରତି ଯଦି ଏତେ ମମତା ଆପଣ ଏପରି ଏକ ବିପଦ ସଙ୍କୁଳ ପଥରେ ପାଦ ବଢ଼ାଇଛନ୍ତି କାହିଁକି ?

 

ହଠାତ୍‌ ଲୀଳାବତୀର ମୁଖ ଉପରେ କିପରି ଏକ ଆତଙ୍କର ଛାୟା ମାଡ଼ି ଆସିଲା । ତା’ପରେ ସେ ନିଜକୁ ସଞ୍ଜତ କରି କହିଲା, ଆପଣ ବିପଦ କାହାକୁ କହୁଛନ୍ତି ?

 

ଏଇ ଧରନ୍ତୁ ଆପଣଙ୍କର ଏଇ ଭୂମିକା ।

 

ମାନେ ? ଲୀଳାବତୀ ଚମକି ଉଠିଲା ।

 

ଅଶୋକ ଦାସ ହସିଲେ ଏବଂ ଷ୍ଟିଅରିଂ ଛାଡ଼ି ପକେଟରୁ ସିଗାରେଟ୍‌ କେସ୍‌ଟି ବାହାର କରୁ କରୁ କହିଲେ, ଆପଣଙ୍କ ଭୂମିକା ସମ୍ବନ୍ଧରେ ମୋଠାରୁ ବେଶୀ ଅଭିଜ୍ଞ ଆପଣ । ତା’ଛଡ଼ା ଜଣକ ଦୁର୍ବଳତା ଏପରି ଭାବରେ ପଦାରେ ପକାଇବା ସପକ୍ଷରେ ମୁଁ ନୁହେଁ । ଆପଣ ଯେ ରାମଗଡ଼ର ରାଜକୁମାରୀ, ସେ କଥା ମୁଁ ଅସ୍ୱୀକାର କରୁନାହିଁ । କାରଣ ଆପଣଙ୍କ ପରି ଚରିତ୍ରର ଝିଅମାନଙ୍କୁ ମୁଁ ଘୃଣାକରେ ।

 

ଲୀଳାବତୀ ହୁଏତ ସାମ୍‌ନା ସାମ୍‌ନି ଭାବରେ ଏତେଟା ଆଶା କରି ନ ଥିଲା । ଅଶୋକ ଦାସଙ୍କ କଥା ଶୁଣି ତା’ର ଭାବାନ୍ତର ସୃଷ୍ଟି ହୋଇଥିଲା । ସେ ହଠାତ୍‌ କହି ପକାଇଲା, ମୁଁ ଯଦି ଆପଣଙ୍କର ସାହାଯ୍ୟ ପ୍ରାର୍ଥନା କରେ ?

 

ଅଶୋକ ଦାସ ହସି ହସି କହିଲେ, ତା’ହେଲେ ନିଶ୍ଚୟ ପାଇବେ ।

 

ଆପଣ ଜାଣନ୍ତି ନାହିଁ ଅଶୋକବାବୁ ! ମୁଁ ବର୍ତ୍ତମାନ ନିତ୍ୟାନ୍ତ ଅସହାୟ ହୋଇପଡ଼ିଛି । ମୋତେ ଆପଣ ସାହାଯ୍ୟ ନ କଲେ…

 

ମୋ ଠାରୁ ଆପଣ କିପରି ସାହାଯ୍ୟ ଆଶା କରୁଛନ୍ତି ଲୀଳା ଦେବୀ ? କେବଳ ଆର୍ଥିକ ସାହାଯ୍ୟ ଛଡ଼ା ଅନ୍ୟ କୌଣସି ପ୍ରକାର ସାହାଯ୍ୟ ମୋ ପକ୍ଷରେ ଦେବା ସମ୍ଭବ ନୁହେଁ । କାରଣ ଆପଣଙ୍କ ଅପରାଧର ସୀମା ନାହିଁ । କୋଣସି ଖୁଣୀ ଆସାମୀକୁ ସାହାଯ୍ୟ କରିବାକୁ ମୁଁ ଘୃଣା କରେ । ତେବେ ଏତିକି ମୁଁ ଆପଣଙ୍କର ଉପକାର କରିପାରେ, ପୋଲିସ ନିକଟରେ ଆପଣଙ୍କର ପରିଚୟଟା ଦେବି ନାହିଁ ।

 

ଲୀଳାବତୀର ପ୍ରାଣଟା ଯେପରି ବରଫ ପରି ଶୀତଳ ହୋଇ ଆସୁଥିଲା । ତା’ ମୁହଁର ସମସ୍ତ ଚପଳତା କେଉଁଆଡ଼େ ଉଭେଇ ଯାଇଥିଲା । ସେ କେବଳ ଏକ ବିକଳ ଚାହାଁଣୀରେ ଅଶୋକ ଦାସଙ୍କ ଆଡ଼େ ଚାହିଁଥିଲା । ହୁଏତ ତାଙ୍କ କଥାରୁ କିଛି ବୁଝି ପାରୁ ନ ଥିଲା ଅଥବା; ସବୁ ବୁଝି ନ ବୁଝି ପାରିଲା ପରି ଚାହିଁ ରହି କହିଲା, ଏ ଆପଣ କ’ଣ କହୁଚନ୍ତି ଅଶୋକବାବୁ ! ମୋତେ ଶେଷରେ ଆପଣ ଖୁଣି ଅପରାଧରେ ଅଭିଯୁକ୍ତ କରୁଛନ୍ତି ? ଆପଣଙ୍କଠାରୁ ମୁଁ ଅନ୍ତତଃ ଏତେଟା ଆଶା କରି ନ ଥିଲି ।

 

ଆହା ! ଆପଣ ଯେ ଖୁଣ୍‌ କରିଛନ୍ତି ସେ କଥା ଅସ୍ୱୀକାର କରିପାରନ୍ତି, କିନ୍ତୁ ଗାଟାଏ କଥା ମନେ ରଖନ୍ତୁ ଲୀଳାଦେବୀ, ମୁଁ ପୋଲିସ ନୁହେଁ କିମ୍ବା ଆପଣଙ୍କୁ ଧରିବା ପାଇଁ ବାହାରି ନାହିଁ-। ଆପଣ ଖୁଣି ଆସାମୀ ନ ହୋଇ ପାରିଥାଆନ୍ତି, କିନ୍ତୁ ମୋ ଆଗରେ ମିଛ କହି କିଛି ଲାଭ ନାହିଁ । ଶେଷରେ ଯେ ଦିନେ ଅଳକାର ପରିଣତି ଆପଣଙ୍କୁ ବରଣ କରିବାକୁ ନ ପଡ଼ିବ, ସେ କଥା କ’ଣ ଆପଣ ଜୋର୍‌ ଦେଇ କହି ପାରିବେ ?

 

ଲୀଳାବତୀ ନୀରବରେ କ’ଣ ଚିନ୍ତା କରୁଥିଲା । ଅଶୋକ ଦାସଙ୍କର ଶେଷ କଥା ତା’ କାନରେ ପ୍ରବେଶ କଲା କି ନାହିଁ କେଜାଣି, ହଠାତ୍‌ ସେ କହି ଉଠିଲା–ମୋତେ ଏଇଠି ଛାଡ଼ିଦେଇ ଯାଆନ୍ତୁ ଅଶୋକବାବୁ ! ମୋତେ ଆପଣ ସନ୍ଦେହ କରୁଛନ୍ତି । ତେଣୁ…..

 

ଅଶୋକ ଦାସ ମଟରର ବ୍ରେକ୍‍ କଷିଲେ । କହିଲେ, ଆପଣଙ୍କ ଇଚ୍ଛା ଉପରେ ବାଧା ଦେବାର ଅଧିକାର ମୋର ନାହିଁ । କିନ୍ତୁ ମୁଁ ଭାବିଥିଲି ଆପଣ ଅନ୍ତତଃ ଏବେ ମଧ୍ୟ ସଚେତନ ହେବେ । କାରଣ ମଣିଷର ପରିସ୍ଥିତି ଓ ପରିବେଶ ମଣିଷକୁ ଅନେକ କ୍ଷେତ୍ରରେ ନରକଗାମୀ କରି ଦେଇଥାଏ କିନ୍ତୁ ମଣିଷ ଯେତେବେଳେ ସଚେତନ ହୁଏ, ସେତେବେଳେ ସେ ଅନ୍ତତଃ ସେ ପଥ ତ୍ୟାଗ କରିବା ଉଚିତ । ମୋର ଆପଣଙ୍କୁ ଏତିକି କହିବାର ଥିଲା । ଅଶୋକ ଦାସ ଗାଡ଼ିର ବାଁ ପାଖ ଦରଜଟା ଖୋଲିଦେଲେ । ପକେଟରୁ ଖଣ୍ଡିଏ କାର୍ଡ଼ ବାହାର କରି ଲୀଳା ହାତକୁ ବଢ଼ାଇ ଦେଇ କହିଲେ, ଏଇଟା ରଖି ଥାଆନ୍ତୁ, କେବେ ଯଦି ଦରକାର ମନେ କରନ୍ତି, ଏଇ ଠିକଣାରେ ଦେଖା କରିବେ । ଅଶୋକ ଦାସ ପୁଣି ଦରଜାଟା ବନ୍ଦ କରି ଉଲକା ବେଗରେ ଗାଡ଼ି ଛୁଟାଇ ଦେଲେ ।

 

ଲୀଳାବତୀ ରାସ୍ତା କଡ଼ରେ ସେହି ମଟର ଗାଡ଼ି ଆଡ଼େ ଅନେଇ ଠିଆ ହୋଇଥିଲା । ମୁହଁରୁ ଜ୍ୟୋତି ମଉଳି ପଡ଼ିଥିଲା, ଦେହରୁ ଚଞ୍ଚଳତା ମରି ଯାଇଥିଲା । ସେ କିପରି ନିର୍ଜ୍ଜିବ ପଥର ମୂର୍ତ୍ତିଟି ପରି ରାସ୍ତା କଡ଼ରେ ଠିଆ ହୋଇଥିଲା ।

 

ରାଘବାନନ୍ଦ ହରିଚନ୍ଦନ ଖୁବ ଉତ୍‌ଫୁଲ ଜଣା ଯାଉଥିଲେ । କାରଣ ତାଙ୍କ ପରିକଳ୍ପିତ ‘ଓଡିଶା ଷ୍ଟିଲ୍‌ ଲିମିଟେଡ଼୍‌’ର କାର୍ଯ୍ୟ ଆଗେଇ ଚାଲିଥିଲା । ଯାହା ସେ ଆଶା କରି ନଥିଲେ, ତା’ଠାରୁ ଯଥେଷ୍ଟ ଅଧିକ ଫଳ ପାଉଥିଲେ । ଦିନ ପରେ ଦିନ ଓଡ଼ିଶା ଷ୍ଟିଲ୍‌ର ଅଂଶ କ୍ରୟ କରିବାକୁ ଏତେ ଲୋକ ଆସି ପହଞ୍ଚୁଥିଲେ ଯେ, ଟଙ୍କା ଗ୍ରହଣ କରି ରସିଦ୍‍ କାଟିବାର ଅବସର ମିଳୁ ନ ଥିଲା ।

 

ରାଘବାନନ୍ଦ ହରିଚନ୍ଦନ ଖବରକାଗଜ ଜରିଆରେ ପ୍ରତିଦିନ ଓଡ଼ିଶା ଷ୍ଟିଲ୍‍ର ଅଗ୍ରଗତି ସମ୍ବନ୍ଧରେ ତଥ୍ର ପ୍ରକାଶ କରୁଥିଲେ । ଜନସାଧାରଣଙ୍କର ହାର୍ଦ୍ଦିକତା ଯେ ତାଙ୍କ ସ୍ୱପ୍ନ ସଫଳ କରିବା ଦିଗରେ ଯଥେଷ୍ଟ ସହାୟତା କରିବ, ଏହି କଥା ସେ ମୁକ୍ତ କଣ୍ଠରେ ପ୍ରଚାର କରୁଥିଲେ । ଓଡ଼ିଶାରେ ଏପରି ଏକ ବେସରକାରୀ ବିରାଟ ପ୍ରତିଷ୍ଠାନ ଯେ ନିଶ୍ଚୟ ଗଢ଼ି ଉଠିବ, ଏ କଥା ଭାବି ଅନେକ ବ୍ୟବସାୟୀ ଆଖି ବୁଜି ପକାଉ ଥିଲେ । ଖବରକାଗଜମାନଙ୍କରେ ରାଘବାନନ୍ଦ ହରିଚନ୍ଦନଙ୍କର ଏପରି ଉଦ୍ୟମକୁ ପ୍ରଶଂସା କରା ହେଉଥିଲା ଏବଂ ଏହା ଯେ ଏକ ଦୁଃସାହସିକ ପଦକ୍ଷେପ ଓ ଶ୍ରୀ ହରିଚନ୍ଦନ ଏହା ତୁଲାଇବାକୁ ଏକମାତ୍ର ଯୋଗ୍ୟ ବ୍ୟକ୍ତି ଏହିପରି ସମ୍ପାଦକୀୟ ମଧ୍ୟ ଗୋଟିଏ ଦୁଇଟି ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା ।

 

ସେଦିନ ରାଘବାନନ୍ଦ ହରିଚନ୍ଦନ ତାଙ୍କ ଅଫିସ୍‌ ରୁମ୍‌ରେ ବସି ସେକ୍ରେଟାରୀଙ୍କ ସହିତ କୌଣସି ଏକ ଜରୁରୀ ବିଷୟରେ ଆଲୋଚନା କରୁଥିଲେ । ଘରେ ଅନ୍ୟ କେହି ନଥିଲେ । ହଠାତ୍‌ ବାହାରେ କାହାର ପାଦଶବ୍ଦ ଶୁଣାଗଲା ଏବଂ ହରିଚନ୍ଦନଙ୍କ ଦୃଷ୍ଟି ବାହାରକୁ ପଡ଼ିବା ମାତ୍ରେ ଦେଖିଲେ, ଗୋଟାଏ ଅତ୍ୟଧିକ ଲମ୍ବା ଲୋକ ତାଙ୍କ ସୁଇଂଡୋରର ସେପାଖରେ ଠିଆ ହୋଇଛି ।

 

ଓଃ ! ହରିଚନ୍ଦନ ଟିକିଏ ଯେପରି ବ୍ୟସ୍ତ ହୋଇ ପଡ଼ିଲେ । ସେ ସେକ୍ରେଟାରୀଙ୍କୁ ଚାଲି ଯିବାକୁ କହି, ନିଜେ ଉଠିଗଲେ ଏବଂ ଆଗନ୍ତୁକଙ୍କୁ ଭିତରକୁ ପାଛୋଟି ଆଣିଲେ ।

 

ସମ୍ବାଦ କ’ଣ ହୋସେନ୍‍ ? ତୁମେ ଯେ ହଠାତ୍‌ ଆସି ପହଞ୍ଚିବ ମୁଁ ଆଶା କରି ନ ଥିଲି । ଆଗରୁ କୌଣସି ସମ୍ବାଦ ଦେବା ଉଚିତ ଥିଲା ।

 

ହୋସେନ୍‍ ଗୋଟିଏ ଚେଆର ଅଧିକାର କରି ବସିଲା ଏବଂ କହିଲା, ଆଉ ସମୟ ନ ଥିଲା । ସଙ୍ଗେ ସଙ୍ଗେ ବାହାରିଆସିଲି ।

 

ଆଉ ଅନ୍ୟାନ୍ୟ ସମ୍ବାଦ ?

 

ସବୁ ଭଲ ।

 

ଗୁରୁଜୀ ?

 

ଭଲ ଅଛନ୍ତି । ସେଇ ତ ମୋତେ ପଠାଇଲେ । ସେ ତୀର୍ଥ କରି ବାହାରିଛନ୍ତି । ସେଥିପାଇଁ ବହୁ ଅର୍ଥର ପ୍ରୟୋଜନ । ତାଙ୍କର ପ୍ରଧାନ ପ୍ରଧାନ ଶିଷ୍ୟମାନଙ୍କ ନିକଟକୁ ମୋତେ ଯିବାକୁ ହେବ । ଆପଣଙ୍କ ପାଖକୁ ଚିଠି ଦେଇଛନ୍ତି । ହୋସେନ୍‌ ପକେଟରୁ ଗୋଟିଏ ଲମ୍ବା ଖାମ୍‌ ବାହାର କରି ଟେବୁଲ ଉପରେ ରଖିଲା ।

 

ବେଶ୍‌ ଆନନ୍ଦର କଥା । ମୁଁ ଶୁଣି ବିଶେଷ ଖୁସି ହେଲି । ଯା’ହେଉ ସେକଥା ପରେ ଦେଖାଯିବ । ତୁମେ ଏଠାରେ ଆସି ରହିଚ କେଉଁଠି ?

 

ହୋଟେଲରେ ରହିଚି । ହୋସେନ୍‌ କହିଲା ।

 

କାହିଁକି ସିଧାସଳଖ ମୋ ଘରକୁ ଚାଲି ଆସିଲ ନାହିଁ ! କ’ଣ ଯେ ତମେ ହୋସେନ୍‍ ! ଅତୀତ ଦିନର କଥା ସବୁ ଭୁଲିଗଲ ।

 

ହୋସେନ୍‍ ହସିଲା । କହିଲା, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ହୋଟେଲରେ ମୋର କୌଣସି ଅସୁବିଧା ହେଲେ ମୁଁ ଏଠାକୁ ଚାଲି ଆସିବି । ତା’ଛଡ଼ା ଦିନେ ଦୁଇଦିନର ତ କଥା ।

 

ନା ହୋସେନ୍‍ ! ତମକୁ ଅଧିକ ଦିନ ରହିବାକୁ ହେବ । ତମେ ହଠାତ୍‌ ଆସି ଏପରି ନ ପହଞ୍ଚିଥିଲେ ବି ମୁଁ ତମକୁ ଆସିବାକୁ ଟେଲିଗ୍ରାମ କରି ଥାଆନ୍ତି । ଯା ହେଉ ସେ ସମ୍ବନ୍ଧରେ ପରେ ଆଲୋଚନା କଲେ ଚଳିବ । ଆଚ୍ଛା, ଗୁରୁଜୀଙ୍କ ପାଖରୁ ମୁଁ ଯେଉଁ ଶୁଆପକ୍ଷୀଟି ପଠାଇଥିଲି, ସେ ରାଧାକୃଷ୍ଣ କହିଲାଣି ?

 

ନା, ଆଜିଯାଏ ମୁହଁ ବନ୍ଦ କରି ରହିଚି । ଗୁରୁଜୀ ତା' ମୁହଁରୁ….

 

ଆରେ ଆସନ୍ତୁ ଅଶୋକବାବୁ ! ହଠାତ୍‌ ହରିଚନ୍ଦନ ଦେଖିଲେ, ସୁଇଂଡୋର ସେପାଖରୁ ଅଶୋକ ଦାସଙ୍କ ମୁହଁ ଦିଶୁଚି ।

 

ଅଶୋକ ଦାସ ସୁଇଂଡୋର ଠେଲି ଭିତରକୁ ପଶିଲେ ।

 

ହରିଚନ୍ଦନ ଦୁଇଜଣ ପରିଚୟ କରାଇ ଦେଲେ । ଏ ଆମ ଗୁରୁଜୀଙ୍କ ନିକଟରୁ ଆସିଛନ୍ତି-। ୟାଙ୍କ ନାଁ ହୋସେନ୍‍ ବୋଲି ୟାଙ୍କୁ ମହମଡନ ଭାବିବେ ନାହିଁ । ୟାଙ୍କ ରୀତି ଓ ନୀତି ସବୁ ଓଲଟା ଥିଲା । ତେଣୁ ଆମେ ହୋସେନ୍‍ ହୋସେନ୍‍ ଡାକୁଥିଲୁ । ସେଇ ନାଁଟା ରହି ଯାଇଛି । ଗୁରୁଜୀ ତୀର୍ଥ ଭ୍ରମଣରେ ବାହାରିଛନ୍ତି । ସେଥିପାଇଁ ହୋସେନ୍‍ ଆସିଛି ।

 

ଦୁଇଜଣଙ୍କ ମଧ୍ୟରେ ନମସ୍କାର ବିନିମୟ ହେଲା ।

 

ପରିଚୟ ପାଇ ସୁଖୀ ହେଲି । ଆପଣ ତା’ହେଲେ ରହୁଛନ୍ତି କେଉଁଠି ? ଅଶୋକ ଦାସ ପଚାରିଲେ ।

 

ଆଜି ତ ଆସି ପହଞ୍ଚିଲି । ପୁଣି କାଲି ଚାଲିଯିବି । ତେଣୁ ରହିବା ନ ରହିବାର କୌଣସି ସ୍ଥିରତା ନାହିଁ ।

 

ନା ନା, ସ୍ଥାୟୀ ଭାବରେ ରୁହନ୍ତି କେଉଁଠି ?

 

ତା’ର ମଧ୍ୟ କିଛି ଠିକଣା ନାହିଁ । ଗୁରୁଜୀ ମୋତେ ପାଖରୁ ଛାଡ଼ନ୍ତି ନାହିଁ । ସେଥିପାଇଁ ଆଜି କାଶୀ, କାଲି ବୃନ୍ଦାବନ, ମଥୁରା ଏହିପରି ବୁଲିବା କଥା ।

 

ଅଶୋକ ଦାସ ନୀରବରେ ବସିଲେ ।

 

ତା’ପରେ ? ଖବର କ’ଣ କହନ୍ତୁ ଅଶୋକବାବୁ ! କ’ଣ ଠିକ୍‌ କଲେ ?

 

ମୁଁ ଏ ପର୍ଯ୍ୟନ୍ତ କିଛି ଠିକଣା କରି ନାହିଁ ମି: ହରିଚନ୍ଦନ । ତେବେ ଆପଣ ମୋଠାରୁ କିଛି ଆଶା କରିପାରନ୍ତି ।

 

କିଛି ମାନେ ? ହରିଚନ୍ଦନଙ୍କ ସ୍ୱରରେ ଯେପରି କୌତୁହଳ ଫୁଟି ଉଠିଲା । ସେ ହସି ହସି କହିଲେ, ବେଶ୍‌ କିଛି ଆଶାକରେ ଆପଣଙ୍କ ନିକଟରୁ । ଜାଣ ହୋସେନ୍‍ ! ଏ ହେଉଛନ୍ତି ବିଜୟ ନଗରର ଜମିଦାର । ବିରାଟ ବଡ଼ଲୋକ ।

 

ଅଶୋକ ଦାସ ମନେମନେ ହସିଲେ । ଟେବୁଲ ଉପରେ ପଡ଼ିଥିବା ଲମ୍ବା ଖାମ୍‌ଟା ହାତରେ ଉଠାଇ ଦେଖିଲେ । ହରିଚନ୍ଦନ ସେଇଟା ଅଶୋକ ଦାସଙ୍କ ହାତରୁ ଟାଣି ନେଇ କହିଲେ, ଗୁରୁଜୀ ପଠାଇଛନ୍ତି । ସେ ତୀର୍ଥ ଭ୍ରମଣରେ ବାହାରିଛନ୍ତି । ତାଙ୍କୁ ସାହାଯ୍ୟ କରିବାକୁ ହେବ ।

 

ଅଶୋକ ଦାସ ସେ କଥା ଉପରେ କୌଣସି ଗୁରୁତ୍ୱ ନ ଦେଇ କହିଲେ, ଦସ୍ୟୁ ଲାଲସିଂହର ସଂଧ୍ୟାନ ପାଇଲେ ?

 

ନା ମି, ଦାସ ! ଘଟଣାକୁ ମୁଁ ଆଉ ବେଶୀ ଘଣ୍ଟାଚକଟା କଲି ନାହିଁ । ତଦ୍ୱାରା ଓଡ଼ିଶା ଷ୍ଟିଲ୍‍ ଲିମିଟେଡ଼୍‌ର ଭବିଷ୍ୟତ ଅନ୍ଧକାରଚ୍ଛନ୍ନ ହୋଇ ପଡ଼ିଥାଆନ୍ତା ।

 

ବୁଝିଲି, ଆପଣ ତା’ହେଲେ ସେ ଟଙ୍କା ପୂରଣ କରିବେ କିପରି ?

 

ମୋତେ ହାତରୁ ଦେବାକୁ ହେବ । ଦେଶର ସମୂହ ସ୍ୱାର୍ଥ ଦୃଷ୍ଟିରୁ ଏହି କ୍ଷତି ମୋତେ ସହିବାକୁ ପଡ଼ିବ । ହରିଚନ୍ଦନ ଖୁବ୍‌ ହାଲ୍‌କା ସ୍ୱରରେ କହିଲେ ।

 

ହୁଁ । ବେଶ୍‌ ଭଲ କଥା । ମି: ହୋସେନ୍‍, ଆପଣଙ୍କ ସହିତ ପରିଚିତ ହୋଇ ବିଶେଷ ଆନନ୍ଦିତ ହେଲି । ଆପଣ ତା’ହେଲେ ଦିନେ ଦୁଇଦିନ ରହୁଛନ୍ତି । ଦିନେ ଏ ଗରିବ କୁଟୀରରେ ପଦାର୍ପଣ କଲେ ହୁଅନ୍ତା ନାହିଁ ?

 

ହୋସେନ୍‌ ନିଜର ଜିଭ କାମୁଡ଼ି ପକାଇ କହିଲେ, ଏ ଆପଣ କ’ଣ କହୁଛନ୍ତି । ଅଧମ ଦୀନସେବକ ମୁଁ । ମୋତେ ଏପରି କହିଲେ, ମୋର ପାପ ହେବ । ଗୁରୁଜୀ କୁହନ୍ତି, ଦାଣ୍ଡ ଧୂଳିଠାରୁ ବି ଆମେ ଆହୁରି ନଗଣ୍ୟ । ଲୋକେ ଆମକୁ ଗୋଡ଼ରେ ଦଳି ଦେଇ ଯାଆନ୍ତୁ, ସେଇ ଆମର ଗୌରବ ।

 

ମହତଜନମାନେ ସେଇଆ କହି ଥାଆନ୍ତି ମି: ହୋସେନ୍‍ । କିନ୍ତୁ ଆମେ ସେ ସ୍ତରରେ ପହଞ୍ଚିବା ପାଇଁ ଯୁଗ ଯୁଗର ସାଧନା ଆବଶ୍ୟକ । ଯା’ହେଉ ଆପଣ କେବେ ଟିକେ ଆମ ଆଡ଼େ ଗଲେ ବିଶେଷ ଖୁସି ହୁଅନ୍ତି । ଧର୍ମ ସମ୍ବନ୍ଧରେ ଟିକିଏ ଆଳାପ ଆଲୋଚନା କରନ୍ତେ ।

 

ହଉ, ସମୟ ପାଇଲେ ମୁଁ ନିଶ୍ଚୟ ଯିବି । ଆପଣ ନିଶ୍ଚିନ୍ତ ରୁହନ୍ତୁ ।

 

ଅଶୋକ ଦାସ ଉଠି ଠିଆହେଲେ । କହିଲେ, ମୁଁ ଆସୁଚି ମି:ହରିଚନ୍ଦନ । ପୁଣି ହୁଏତ ସନ୍ଧ୍ୟାବେଳକୁ ଆସିପାରେ । ଆପଣ ରହୁଛନ୍ତି ତ ?

 

ଆଜି ଠିକ୍‌ କହି ପାରୁନି ଅଶୋକବାବୁ ! କାରଣ ହୋସେନ୍‍ ଆସିଚି । ଗୁରୁଜୀଙ୍କ କାମରେ ଟିକିଏ ବ୍ୟସ୍ତ ରହିବି । ଆପଣ ବରଂ ଅଫିସ ଆୱାର ଭିତରେ…

 

ହୁଁ, ଆଚ୍ଛା ନମସ୍କାର । ଅଶୋକ ଦାସ ଥରେ ହୋସେନ୍‍ ଓ ଆଉ ଥରେ ହରିଚନ୍ଦନଙ୍କ ମୁହଁକୁ ସନ୍ଦିଗ୍‌ଧ ଦୃଷ୍ଟିରେ ଚାହିଁ ଘରୁ ବାହାରିଗଲେ ।

 

ହରିଚନ୍ଦନ ଟେବୁଲ ଉପରେ ରଖା ହୋଇଥିବା ବଡ଼ ଖାମ୍‌ଟି ଖୋଲି ତା’ ଭିତରୁ କାଗଜପତ୍ର ବାହାର କଲେ । ଖଣ୍ଡିଏ ବିରାଟ ଲମ୍ବା କାଗଜ । କ’ଣ ଗୋଟାଏ ନକ୍‌ସା । ହରିଚନ୍ଦନ ସେଇଟାକୁ ଟେବୁଲ ଉପରେ ପକାଇ ମନ ଧ୍ୟାନ ଦେଇ କ’ଣ ଯେପରି ଦେଖିବାରେ ଲାଗିଥିଲେ । ହୋସେନ୍‍ ବସି ବସି ସିଗ୍ରେଟ୍‌ ଟାଣୁଥିଲା ।

 

ପୁଣି ସୁଇଂଡୋର ଠେଲି ଅଶୋକ ଦାସ ଭିତରକୁ ପଶି ଆସିଲେ । କ୍ଷମା କରିବେ ମି:ହରିଚନ୍ଦନ । ମୋ ସିଗାରେଟ୍‌ କେସ୍‌ଟା ଟେବୁଲ ଉପରେ ଛାଡିଯାଇଛି ।

 

ନକ୍‌ସାଟା ଟେବୁଲ ଉପରେ ଖୋଲା ହୋଇଥିଲା । ଅଶୋକ ଦାସଙ୍କ ଦୃଷ୍ଟି ମୁହୂର୍ତ୍ତକ ପାଇଁ ତା’ଉପରେ ବୁଲିଗଲା । ହରିଚନ୍ଦନ ସେଇଟିକୁ ହଠାତ୍‌ ଗୋଟେଇ ନେଇ କହିଲେ, ଆମ ପରିକଳ୍ପିତ ଷ୍ଟିଲପ୍ଲାଣ୍ଟ୍‌ର ଗୋଟାଏ ନକ୍‌ସା । ଅବଶ୍ୟ ଏଇଟା ରଫ୍‌ । ଫାଇନାଲ ହେଲେ ଆପଣଙ୍କୁ ଦେଖାଇବି ।

 

ମୋର ସେ ସବୁରେ ବିଶେଷ ଆଗ୍ରହ ନାହିଁ ମି: ହରିଚନ୍ଦନ । ନକ୍‍ସା ଏପରି ଏକ କିଟିମିଟିଆ ବସ୍ତୁ ଯାହା ଭିତରକୁ ମୋ ମୁଣ୍ଡ ସହଜରେ ପଶେ ନାହିଁ । ଥରେ ଆମର ଗୋଟାଏ କୋଠା କରିବା ପାଇଁ ଜଣେ ଇଞ୍ଜିନିୟର ଗୋଟିଏ ପ୍ଲାନ ଦେଇଥିଲେ । ମୁଁ ତାକୁ ନ ଦେଖି ମଞ୍ଜୁରୀ କରିଦେଲି ।

 

ହରିଚନ୍ଦନ ହସି ଉଠିଲେ । କହିଲେ, ବେଶ୍‌ ଭଲ । କୌଣସି ଜଟିଳ ତଥ୍ୟ ଭିତରେ ମୁଣ୍ଡ ନ ପୁରାଇବା ହିଁ ସବୁଠାରୁ ବୁଦ୍ଧିମାନର କାମ । ଆପଣ ପ୍ରକୃତରେ ସୁଖୀ ଅଶୋକବାବୁ !

 

ଅଶୋକ ଦାସ ସିଗାରେଟ୍‌ କେସ୍‌ଟି ଉଠାଇ ନେଇ, କଣେଇ କଣେଇ ଥରେ ଦି’ଥର ସେହି ନକ୍‌ସା ଆଡ଼େ ଚାହିଁ ଘରୁ ବାହାରିଗଲେ ।

 

ହରିଚନ୍ଦନ ସଙ୍ଗେ ସଙ୍ଗେ ନକ୍‌ସାଟି ଭାଙ୍ଗିଭୁଙ୍ଗି ଖାମ୍‌ ଭିତରେ ଭରୁ ଭରୁ କହିଲେ, ବର୍ତ୍ତମାନ ଏଇଟା ଦେଖିବା ବେଳ ନୁହେ ହୋସେନ୍‌ । ପରେ ଦେଖିଲେ ଚଳିବ, ନା କ’ଣ କହୁଚ ?

 

ହୋସେନ୍‌କୁ ବୋଧହୁଏ ତନ୍ଦ୍ରା ଘୋଟି ଆସୁଥିଲା । ମଝିରେ ମଝିରେ ସେ କେବଳ ଥରେ ଅଧେ ହଁ ନାଁ କହି ନୀରବ ହେଉଥିଲା । ହରିଚନ୍ଦନ ନକ୍‌ସା ଖଣ୍ଡିକ ନେଇ ସିଟ୍‌ରୁ ଉଠିଲେ ଏବଂ ଲୁହା ସିନ୍ଦୁକରେ ବନ୍ଦ କରିବା ପାଇଁ ସେକ୍ରେଟେରୀଙ୍କୁ ଡାକିଲେ ।

 

ହୋସେନ୍‍ର ମୁଣ୍ଡଟା ଧୀରେ ଧୀରେ ହରିଚନ୍ଦନଙ୍କ ଟେବୁଲ ସ୍ପର୍ଶ କରୁଥିଲା । ହରିଚନ୍ଦନ ଫେରି ଆସି ଦେଖିଲେ, ହୋସେନ୍‍ ତାଙ୍କ ଟେବୁଲ ଉପରେ ମୁଣ୍ଡ ରଖି ଶୋଇ ଯାଇଛି ଏବଂ ହାତର ସିଗାରେଟରୁ ଧୂମ୍ର ନିର୍ଗତ ହେଉଛି ।

 

ଲୀଳାବତୀ ସନ୍ତର୍ପଣରେ ଭିତରକୁ ପଶିଲା ।

 

ଆରେ ଆସ ଆସ ଲୀଳା, ମୁଁ ତମରି ପାଇଁ ଅପେକ୍ଷା କରି ବସିଥିଲି । ହରିଚନ୍ଦନ ଯେପରି ଆନନ୍ଦରେ ନାଚି ଉଠିଲେ ।

 

ସେ ଚିତ୍କାରରେ ହୋସେନ୍‍ର ତନ୍ଦ୍ରା ତୁଟିଗଲା । ସାମ୍‌ନାରେ ଗୋଟିଏ ତରୁଣୀକୁ ଦେଖି ହୋସେନ୍‍ ଦୁଇ ହାତରେ ଆଖି ମଳିଲା, ପୁଣି ଚାହିଁଲା । ବୋଧହୁଏ ସେ ଭାବୁଥିଲା, ଏହା ସ୍ଵପ୍ନ ନା ବାସ୍ତବ !

 

ତା’ପରେ କୁହ ଲୀଳା ! ଏ ମୋର ବନ୍ଧୁ ହୋସେନ୍‌ ! ଭୟ ବା ଲଜ୍ଜାର କିଛି କାରଣ ନାହିଁ । ହୋସେନ୍‌ ଆଡେ ଅନେଇ କହିଲେ, ୟାଙ୍କ ନା ଲୀଳାବତୀ, ମୋର ଜଣେ ବନ୍ଧୁଙ୍କର କନ୍ୟା-

 

ହୋସେନ୍‌ ହାତ ଯୋଡ଼ି ନମସ୍କାର କଲା ।

 

ଲୀଳାବତୀ ପ୍ରତିନମସ୍କାର ଜଣାଇଲା ।

 

ଅଶୋକ ଦାସ ଗୋଟିଏ ଇଜି ଚେଆର ଉପରେ କ୍ଳାନ୍ତ ହୋଇ ବସିଥିଲେ । ସିଗାରେଟରୁ ଧୂମ୍ର ନିର୍ଗତ ହେଉଥିଲା । କପାଳରେ ଚିନ୍ତାର ରେଖା ଫୁଟି ଉଠିଥିଲା । ସେ ହୁଏତ କୌଣସି ଏକ ସମସ୍ୟାର ସମାଧାନ କରିପାରୁ ନ ଥିଲେ ।

 

ଜାନକୀଦେବୀଙ୍କ ନିକଟରୁ ସେ କିଛି ସମୟ ହେବ ଫେରିଥିଲେ । ତାଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାକୁ ଯାଇ ଗୋଟିଏ ପରିବାରର ସେ ସର୍ବନାଶ କରି ବସିଛନ୍ତି । ସମରେଶ ମଦନରାଏ ଓ ତାଙ୍କ କନ୍ୟା ନୀଳିମାର କରୁଣ ଅବସ୍ଥା କଥା ଚିନ୍ତା କରି ପାରୁ ନ ଥିଲେ । କିନ୍ତୁ ଏତେ ଅନୁସନ୍ଧାନ ପରେ ମଧ୍ୟ ସେ ରବିଶଙ୍କରର ହତ୍ୟାକାରୀକୁ ଠିକ ଆବିଷ୍କାର କରି ପାରୁ ନ ଥିଲେ । ଯାହାକୁ ସେ ସନ୍ଦେହ କରି କିଛିଦୂର ଅଗ୍ରସତ ହୋଇଥିଲେ, ସମରେଶ ମଦନରାଏ ଓ ନୀଳିମାର ଅପହରଣକାରୀକୁ ଆବିଷ୍କାର କରିବାକୁ ଯାଇ ପୂର୍ବ ଅନୁସନ୍ଧାନର ଖିଅ ହରାଇ ବସିଥିଲେ । ତାଙ୍କ ଆଖି ଆଗରେ ଆଉ ଏକ ନୂତନ ସମସ୍ୟା ଦେଖା ଦେଇଥିଲା ।

 

କିନ୍ତୁ ନୀଳିମା ଗଲା କୁଆଡ଼େ ? ରହି ରହି ଅଶୋକ ଦାସଙ୍କ ଆଖି ଆଗରେ ନୀଳିମାର ନୀଳ ଆଖି ଯୋଡିକ ଭାସି ଉଠୁଥିଲା । ସେ କ’ଣ ପ୍ରକୃତରେ ଅଳକାକୁ ଖୁଣ୍‌ କରି ଫେରାର ହୋଇଗଲା ? କିନ୍ତୁ କାହିଁକି ? ପୋଲିସ ବିଭାଗର ରିପୋର୍ଟ ଅନୁସାରେ ଅଳକାକୁ ଯେଉଁ ଛୁରୀରେ ହତ୍ୟା କରାହୋଇଛି, ସେହି ଛୁରୀ ବେଣ୍ଟରୁ ନାରୀ ଆଙ୍ଗୁଳିର ଛାପ ମିଳିଛି । ତା’ହେଲେ ଅଳକାର ହତ୍ୟାକାରୀ ନୀଳିମା ନ ହେଲେ ବି ନିଶ୍ଚୟ କୌଣସି ସ୍ତ୍ରୀ ଲୋକ । ପ୍ରକୃତରେ ନୀଳିମା କ’ଣ ଅଳକାର ହତ୍ୟା ସହିତ ସଂଶ୍ଳିଷ୍ଟ !

 

ଆଜି ପୁଣି ହରିଚନ୍ଦନଙ୍କ ଅଫିସରେ ସେ ଏକ ନୂତନ ରହସ୍ୟର ସଂକେତ ପାଇଲେ । ହୋସେନ୍‍ ଲୋକଟି ସମ୍ବନ୍ଧରେ ହରିଚନ୍ଦନ ଯେତେ ସରଳ ବ୍ୟାଖ୍ୟା କରି କହିଲେ, କିନ୍ତୁ ପ୍ରକୃତରେ ସେ ଲୋକଟି ଯେ ସେତେ ସରଳ, ଅନ୍ତତଃ ତା’ ଚେହେରାରୁ ତାହା ଅନୁମତି ହେଉ ନ ଥିଲା । ମୁହଁର କାଠିନ୍ୟ ଓ ଆଖିର ଚାହାଣୀ ଭିତରୁ ହୋସେନ୍‍ର ରହସ୍ୟମୟ ଚରିତ୍ର ଫୁଟି ଉଠୁଥିଲା । ସବୁଠାରୁ ରହସ୍ୟମୟ ମନେହେଲା ହରିଚନ୍ଦନଙ୍କ ବ୍ୟବହାର । ତାଙ୍କ ହାତରେ ଯେଉଁ ନକ୍‍ସାଟି ସେ ଧରିଥିଲେ, ତାହା ନିଶ୍ଚୟ କୌଣସି ଷ୍ଟିଲପ୍ଲାଣ୍ଟ୍‍ର ପ୍ଳାନ ନୁହେଁ । ସେଇଟା ଯେ ଗୁରୁଜୀଙ୍କ ପ୍ରଦତ୍ତ ଖାମ୍‌ ଭିତରୁ ବାହାରିଥିଲା, ଅଶୋକ ଦାସ ଖାମ୍‍ର ଆକାର ପ୍ରକାର ଓ ନକ୍‍ସାଟିର ଭାଙ୍ଗରୁ ବେଶ ବୁଝିପାରିଥିଲେ । କିନ୍ତୁ କ’ଣ ସେଇ ନକ୍‌ସାଟା !

 

ହଠାତ ଅଶୋକ ଦାସ ଉଠି ଠିଆ ହୋଇଗଲେ । ଉତ୍ତେଜନାରେ ତାଙ୍କ ମୁଣ୍ଡଟା ଦପ୍‌ ଦପ୍‌ କରୁଥିଲା । ସେ ଆଉ ଗୋଟିଏ ସିଗାରେଟ୍‌ରେ ଅଗ୍ନି ସଂଯୋଗ କଲେ ।

 

ଏହାପରେ ଲୀଳାବତୀ ! ପ୍ରକୃତରେ ସେ ଲୀଳା ଦୁଲାଳୀ । ହୁଏତ ଅଶୋକ ଦାସଙ୍କ ପଛରେ କୌଣସି ମନ୍ଦ ଅଭିଳାଷ ନେଇ ଧାଇଁଥିଲା । ଅଥବା ହରିଚନ୍ଦନ ଜାଣି ଜାଣି ତାକୁ ନିଯୁକ୍ତି କରିଥିଲେ । କେଉଁଥିପାଇଁ ? ଅଶୋକ ଦାସଙ୍କୁ ବିଶ୍ଳେଷଣ କରିବା ପାଇଁ ନା ଓଡ଼ିଶା ଷ୍ଟିଲ୍‌ ଲିମିଟେଡ୍‌ ପାଇଁ ଯଥେଷ୍ଟ ପରିମାଣରେ ଟଙ୍କା ଝାଡିବା ପାଇଁ ! ଯା’ ହେଉ, ଲୀଳାବତୀର ଠିକ ଦୁର୍ବଳ ସ୍ଥାନରେ ସେ ଆଘାତ କରିଛନ୍ତି । ଏବେ ଯଦି ଲୀଳାବତୀ ତାଙ୍କ ପାଖକୁ ଆସେ, ତେବେ ସେ ଅଶୋକ ଦାସଙ୍କ ଫାନ୍ଦରେ ପକାଇବା ପାଇଁ ଆସିବ ନାହିଁ, ଆସିବ ନିଜକୁ ରକ୍ଷା କରିବାପାଇଁ-। ହୁଏତ ଆଉ ବେଶୀ ଦିନ ନୁହେଁ । ଖୁବ ଶୀଘ୍ର ଲୀଳାବତୀ ଆସି ଶରଣାପନ୍ନ ହେବ । ଚମତ୍କାର ପରିବେଶ । ଅଶୋକ ଦାସ ମନକୁ ମନ ହସି ଉଠିଲେ ।

 

କିନ୍ତୁ ରାଘବାନନ୍ଦ ହରିଚନ୍ଦନଙ୍କୁ ଆହୁରି ଭଲ ଭାବରେ ବିଶ୍ଳେଷଣ କରିବାକୁ ହେବ । ଲୋକଟା ସମ୍ବନ୍ଧରେ ସେ ଯେତେ ତଥ୍ୟ ଖୋଜିବାକୁ ଯାଉଛନ୍ତି, ଲୋକଟା ସେତେ ପ୍ରତିପତ୍ତିଶାଳୀ ମନେ ହେଉଛି । ଓଡିଶା ଷ୍ଟିଲ୍‍ ଲିମିଟେଡ୍‍ ଗଠନ ପଥରେ ଯେ କୌଣସି ମନ୍ଦ ମନୋଭାବ ଅଛି, ସେ କଥା ହରିଚନ୍ଦନଙ୍କ କାର୍ଯ୍ୟକଳାପରୁ ଧରା ପଡ଼ିନାହିଁ । କିନ୍ତୁ ସେହି ଯେ ଏକଲକ୍ଷ ପଚିଶ ହଜାର ଟଙ୍କା ଲୁହା ସିନ୍ଦୁକରୁ ଅଦୃଶ୍ୟ ହେଲା, ପ୍ରକୃତରେ ସେ ଟଙ୍କା ଗଲା କେଉଁଆଡ଼େ ? ସେଇଟା ହରିଚନ୍ଦନଙ୍କର କାରସାଦି ନୁହେଁ ତ ? ତା’ନହେଲେ ସେ ଏ ସମ୍ବନ୍ଧରେ ଅନୁସନ୍ଧାନ ନ ଚଳାଇଲେ କାହିଁକି ? କେସ୍‍ଟା ପୋଲିସ ହାତକୁ ଦେଲେ ନାହିଁ କାହିଁକି ? କିନ୍ତୁ ଦୁନିଆ ଆଖିରେ ତଥାପି ସେ ମହତ । ଘଟଣାଟା ଖବରକାଗଜରେ ପ୍ରକାଶ ପାଇଥିଲେ ମଧ୍ୟ କ୍ଷତିପୂରଣ ନିଜେ ଦେବାର ପ୍ରତିଶ୍ରୁତି ଦେଇ ଆହୁରି ସେ ଲୋକଙ୍କର ବିଶ୍ଵାସ ଭାଜନ ହୋଇ ଉଠିଲେ । ଏଇଟା ତାଙ୍କର ପୂର୍ବ ପରିକଳ୍ପନା ନୁହେଁ ତ !

 

ଅଶୋକ ଦାସ ଦରଜା ଖୋଲି ବାହାରକୁ ଚାହିଁଲେ । ତା’ପରେ ହାତ ଘଡ଼ି ଦେଖିଲେ । ଆଖି ଯୋଡ଼ିକ ଚଞ୍ଚଳ ହୋଇ ଉଠିଲା । ସେ କିପରି ବିଚଳିତ ହେଲା ପରି ମନେ ହେଲା । ପୁଣି ଦରଜା ଖୋଲି ବାରଣ୍ଡା ଉପରେ ଠିଆ ହୋଇ ପଥଚାରୀଙ୍କ ଆଡ଼େ ଚାହିଁଲେ । ତା’ପରେ ହାତ ଘଡ଼ିକୁ । ବୋଧହୁଏ ସେ କାହାର ପ୍ରତୀକ୍ଷା କରୁଥିଲେ । ଆଗନ୍ତୁକଟୀର ଆସିବାର ସମୟ ଗଡ଼ି ଯାଇଥିଲା ।

 

ତା’ପରେ ସେ ଆଖି ପୂର୍ବର ସେହି ଇଜି ଚେଆରଟି ଉପରେ ବସି ପଡ଼ିଲେ । ଚାକରକୁ ଡାକିଲେ ଚା’ ଆଣିବାପାଇଁ । ମୁହଁରୁ ତାଙ୍କର ସମସ୍ତ ଅବସାଦ ମିଳେଇ ଯାଇଥିଲା । ସେ ଶାନ୍ତ, ଧୀର ଓ କମନୀୟ ଦିଶୁଥିଲେ ।

 

ଦରଜାରେ କିଏ କରାଘାତ କଲା ।

 

ଅଶୋକ ଦାସ ସେହିପରି ଦରଶୁଆ ହୋଇ କହିଲେ, ଆସ ରଜତ । ମୁଁ ତୁମକୁ ହିଁ ଅପେକ୍ଷା କରି ବସିଛି । ତୁମରି ରିପୋର୍ଟ ଉପରେ ମୋର ଭବିଷ୍ୟତ କର୍ମପନ୍ଥା ନିର୍ଭର କରୁଛି ।

 

ରଜତ ଘରେ ପ୍ରବେଶ କଲା । ସୁନ୍ଦର ବଳିଷ୍ଠ ଚେହେରା । ଅଭିଜାତ୍ୟର ଚିହ୍ନ ସମଗ୍ର ମୁଖମଣ୍ଡଳରେ । ଆଖିରୁ ବୁଦ୍ଧିର ଦୀପ୍ତି ଝରି ପଡ଼ୁଚି । ବୟସ ବାଇଶି ତେଇଶିରୁ ଅଧିକ ହେବ ନାହିଁ-। ରଜତ ଖଣ୍ଡିଏ ଚେଆର ଅଧିକାର କରି ବସିଲା । କହିଲା, ମୋର ସାମାନ୍ୟ ଟିକିଏ ଡେରି ହେଇଗଲା । କାଲି ଅନେକ ରାତିରେ ଫେରିଲି ତ ! ଶୀଘ୍ର ନିଦ ଭାଙ୍ଗିଲା ନାହିଁ ।

 

ନା, ସେ କିଛି ନୁହେଁ । ଏଥର କୁହ ? ତମ ଅଭିଯାନର କାହାଣୀ ମୋତେ ଶୁଣାଅ ।

 

ରଜତ କହିଲା, ସେଦିନ ଯେଉଁଠି ଆପଣଙ୍କର ମଟର ଚକାକୁ ଫାୟାର କରି ଗାଡ଼ିଟାକୁ ଅକାମୀ କରି ଦିଆଯାଇଥିଲା, ମୁଁ ଠିକ୍‌ ସେଇ ଜାଗାଠାରୁ ବାଁ ପାଖକୁ ବଙ୍କେଇଲି । ସେଠାରେ ଗୋଟାଏ ଝାମ୍ପୁରା ବରଗଛ ଅଛି । ବହୁତ ସମୟ ଯାଏ ମୋତେ ସେହି ବରଗଛ ଉପରେ ବସି ରହିବାକୁ ପଡ଼ିଲା । ଦୁଇତିନି ଘଣ୍ଟା ଅପେକ୍ଷା କଲା ପରେ ଗୋଟିଏ ମଟର ସେଇବାଟ ଦେଇ ପାଶ୍‌ କରିଗଲା । କିନ୍ତୁ ସେଇ ଚଳନ୍ତ ଅବସ୍ଥାରେ ଯେ କେହି ମଟରରୁ ଓହ୍ଲେଇଥିବ, ମୁଁ ମୋଟେ ଭାବି ପାରି ନ ଥିଲି । ଆପଣ ଯଦି ମୋତେ ଆଗରୁ ସେହିପରି ଉପଦେଶ ଦେଇ ନ ଥାଆନ୍ତେ, ତେବେ ମୁଁ ସେହି ଅବତରଣକାରୀ ସମ୍ବନ୍ଧରେ କିଛି ବୁଝି ପାରି ନ ଥାନ୍ତି ।

 

ମଟରଟା ଯେ ସେଠାରେ ଅଟକିଲା ବୋଧହୁଏ ତମେ ତାହା ଜାଣିବା ପୂର୍ବରୁ ପୁଣି ମଟରଟା ଚାଲି ଯାଇଥିଲା । ଅଶୋକ ଦାସ କହିଲେ ।

 

ହଁ, ଏକପ୍ରକାର ଚଳନ୍ତା ଗାଡ଼ିରୁ ଲୋକଟା ଓହ୍ଲେଇ ପଡ଼ିଲା କହିବାକୁ ହେବ । ରଜତ କହିଲା ।

 

ବେଶ ! ତା’ପରେ କ’ଣ ହେଲା କୁହ ?

 

ଲୋକଟା ମଟରରୁ ଅହଲେଇ ସଙ୍ଗେ ସଙ୍ଗେ ଛୁଟିବାକୁ ଲାଗିଲା । ମୁଁ ମୁହୁର୍ତ୍ତେ ବିଳମ୍ବ ନ କରି ଗଛରୁ ଓହ୍ଲେଇ ପଡ଼ିଲି ଏବଂ ଯଥାସମ୍ଭବ ଦୁରତ୍ଵ ବଜାୟ ରଖି ତା’ ପଛେ ପଛେ ଛୁଟିବାକୁ ଲାଗିଲି । କିନ୍ତୁ ସେ ଲୋକଟା ଏତେ ଜୋର୍‍ରେ ଚାଲୁଥିଲା ଯେ, ମୋତେ ଏକପ୍ରକାର ଦୌଡ଼ିବାକୁ ପଡ଼ିଲା ।

 

ପ୍ରାୟ ଅଧଘଣ୍ଟାରୁ ଅଧିକ କାଳ ସେ ଆଉ କୁଆଡ଼େ ନ ଚାହିଁ ସେହି ଜଙ୍ଗଲ ପଥରେ ଅଗ୍ରସର ହେଲା । ହଠାତ୍‍ ଗୋଟିଏ ଜାଗାରେ ଅଟକି ଗଲା । ବୋଧହୁଏ ତା’ପଛରେ କେହି ଆସୁଛି କି ନାହିଁ ଜାଣିବା ପାଇଁ । ସେ ଚାରିଆଡକୁ ଥରେ ଚାହିଁଲା । ସେତେବେଳେ ମୁଁ ଗୋଟାଏ ଗଛ ଉହାଡ଼ରେ ଲୁଚି ଯାଇଥିଲି । ସେ ପଥ ଏତେ ସଂକୀର୍ଣ୍ଣ ଯେ, ଯଦି ଜହ୍ନରାତି ନ ହୋଇଥାଆନ୍ତା-। ତା’ ହେଲେ ମୋତେ ବ୍ୟର୍ଥ ହୋଇ ଫେରିବାକୁ ପଡ଼ିଥାଆନ୍ତା ।

 

ତା’ପରେ କୁହ ରଜତ । ଅସଲ ଜାଗାରେ ପହଞ୍ଚି ତମେ କ’ଣ ଦେଖିଲ । ଅଶୋକ ଦାସଙ୍କ ମୁହଁଟା ଯେପରି ଆଶାର ଆଲୋକରେ ଉଦ୍‍ଭାସିତ ହୋଇ ଉଠୁଥିଲା ।

 

ଲୋକଟା ଯେଉଁଠି ଅଟକିଲା ସେଇଠି ଗୋଟାଏ ପାହାଡ଼ ଆରମ୍ଭ ହୋଇଛି । ସେ ଏଣେ ତେଣେ ଥରେ ଚାହିଁ, ପାହାଡର ଗୋଟାଏ ଗୁମ୍ଫା ଭିତରେ ପ୍ରବେଶ କଲା । ପଛେ ପଛେ ମୁଁ ମଧ୍ୟ ପ୍ରବେଶ କଲି । ସେହି ନିବିଡ଼ ଅନ୍ଧକାର ଭିତରେ କିପରି ଯେ ମୁଁ ଯାଇ ଅପର ପାର୍ଶ୍ଵରେ ପହଞ୍ଚିଲି, ସେ କଥା ମୁଁ ମଧ୍ୟ ଚିନ୍ତା କରିପାରୁ ନାହିଁ । ପାହାଡର ସେପାଖରେ ଗୋଟାଏ ଜୀର୍ଣ୍ଣ କୋଠା ଠିଆ ହୋଇଥିବାର ଦେଖିଲି । କିନ୍ତୁ ସେତେବେଳକୁ ମୁଁ ମୋର ଲକ୍ଷ୍ୟବସ୍ତୁ ହରାଇ ସାରିଥିଲି । ଲୋକଟି ମୋ ଦୃଶ୍ୟର ବାହାରକୁ ଚାଲି ଯାଇଥିଲା ।

 

ବ୍ୟର୍ଥତାରେ ମୋ ମନଟା ଭରିଗଲା । ସେଇଠି ନିଶ୍ଚଳ ଭାବରେ ଠିଆ ହୋଇ ବହୁ ସମୟ ପ୍ରତୀକ୍ଷା କଲି । ଆଖି ସାମ୍‌ନାରେ ଗୋଟାଏ ଜୀର୍ଣ୍ଣ କୋଠା । ଆଖପାଖରେ ରାତ୍ରିଚର ମାନଙ୍କର ଚିତ୍କାର । ଆଗକୁ ବଢ଼ିବି ନା ପଛକୁ ଫେରିବି । ଏହିପରି ଏକ ଦ୍ୱନ୍ଦ ମନ ଭିତରେ ଚାଲିଥିବା ବେଳେ, ସେହି ଜୀର୍ଣ୍ଣ କୋଠାର ଗୋଟାଏ ଫାଙ୍କରୁ ସାମାନ୍ୟ ଟିକିଏ ଆଲୋକ ଦେଖାଗଲା । ମୁହୂର୍ତ୍ତକ ମଧ୍ୟରେ ମନର ସମସ୍ତ ଅବସାଦ ଦୂରେଇ ଗଲା । ମୁଁ ଧୀରେ ଧୀରେ ଆଗେଇଲି ।

 

କୋଠା ଭିତରଟା ଅନ୍ଧକାରରେ ପୁରି ରହିଥିଲା । ଇଟା ଆଉ ବାଲିର ସ୍ତୁପ ଛଡ଼ା ମୁଁ ପାଦରେ ଅନ୍ୟକିଛି ଅନୁଭବ କରୁ ନ ଥିଲି । କିନ୍ତୁ ମୋର ଦୃଢ଼ ଧାରଣା ଜନ୍ମିଥିଲା ଯେ କୋଠାଟାର ଉପର ତାଲାଟିରେ କେତୋଟି କୋଠରୀ ବ୍ୟବହାର ଉପଯୋଗୀ ଅଛି ଏବଂ ଉପରକୁ ଯିବାପାଇଁ ନିଶ୍ଚୟ କେଉଁଠି ଶିଡ଼ି ଅଛି । କିନ୍ତୁ କେଉଁଠି ସେ ଶିଡ଼ିଟା ? ଅନ୍ଧକାର ଭିତରେ ଖୋଜି ବାହାର କରିବା ମୋ ପକ୍ଷରେ କ’ଣ ସମ୍ଭବ ହେବ ! ଡ଼ାହାଣ ହାତରେ ପିସ୍ତଲଟା ବାଗେଇ ଧରିଥିଲି ଏବଂ ବାଁ ହାତର ବୁଢ଼ା ଆଙ୍ଗୁଠିଟା ଟର୍ଚ୍ଚ ଲାଇଟର ସୁଇଚ୍‌ ଉପରେ ଥରୁଥିଲା । ଆଲୋକ ଜାଳିବି ନା ନାହିଁ-? ହଠାତ୍‌ ମୃଦୁ ପାଦଶବ୍ଦ ମୋ କାନରେ ବାଜିଲା । କିଏ ଜଣେ ଯେପରି କେଉଁଠି ପଦଚାରଣ କରୁଛି । ସାମାନ୍ୟ ବାଲି ଝଡ଼ି ମୋ ମୁଣ୍ଡ ଉପରେ ପଡ଼ିଲା । ବୁଝିପାରିଲି, ମୋରି ମୁଣ୍ଡ ସିଧା ଦୋତାଲା ବାରଣ୍ଡା ଉପରେ କେହି ଆଗେଇ ଯାଉଛି । ତା’ ପରେ ଦ୍ରୁତ ପାଦଶବ୍ଦ ଶୁଣାଗଲା-। ମୋତେ ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ ଲୋକଟା ଉପରୁ ତଳକୁ ଓହ୍ଲେଇ ଆସୁଚି ।

 

ମୁଁ ଚୁପଚାପ୍‌ ଠିଆ ହୋଇ ରହିଲି । ମୁଁ ଯେଉଁଠି ଠିଆ ହୋଇଥିଲି, ଠିକ୍‌ ତା’ରି ପାଞ୍ଚ ଛ ଗଜ ଦୂରରେ ଶିଡିଟା । ଲୋକଟି ସେଇ ଶିଡ଼ି ବାଟେ ଓହ୍ଲେଇ ଚାଲିଗଲା । ଅଳ୍ପ ସମୟ ଅପେକ୍ଷା କରି ମୁଁ ଅଣ୍ଡାଳି ଅଣ୍ଡାଳି ଖୁବ୍‌ ସନ୍ତର୍ପଣରେ ଉପରକୁ ଉଠିଗଲି । ଗୋଟାଏ ପ୍ରଶସ୍ତ ଲମ୍ବା ବାରଣ୍ଡା । ସେଇଠୁ ଠିଆହୋଇ ଦେଖିଲି ଲୋକଟା ଯେଉଁବାଟେ ଆସିଥିଲା, ପୁଣି ସେଇବାଟେ ଫେରି ଯାଉଛି-। ମୁଁ କେବଳ ଆଶ୍ଚର୍ଯ୍ୟ ହୋଇ ତା’ ଆଡ଼େ ଅନାଇ ରହିଲି ?

 

ତମେ ଲୋକଟାକୁ ଚିହ୍ନିପାରିଲ ରଜତ ? ଅଶୋକ ଦାସ ପଚାରିଲେ ।

 

ନା, ମୁଁ ଖାଲି ତା’ ପଛଆଡ଼ ଦେଖିଥିଲି ।

 

ବେଶ୍‌, ଏଥର କୁହ, ତା’ପରେ କ’ଣ ହେଲା ?

 

ଲୋକଟା ଚାଲିଯିବାର ଦେଖି ଯଥେଷ୍ଟ ସାହାସ ହେଲା । ଏଥର ସହଜରେ ଯେ ମୁଁ ମୋ କାର୍ଯ୍ୟ ହାସଲ କରିପାରିବି ମନେମନେ ଠିକ୍‌ କରିନେଲି । ଉପର ତାଲାରେ ଚାରୋଟି କୋଠରୀ । ତହିଁରୁ ଗୋଟିକର କୌଣସି ଅସ୍ତିତ୍ୱ ନ ଥିଲା । ବାକି ଦୁଇଟି କୋଠରୀରେ ଚେମଣିଆ ଉଡ଼ୁଥିଲେ । ମୁଁ ଟର୍ଚ୍ଚ ଜଳାଇ ଦେଖିଲି, ଭଙ୍ଗା ଇଟା, ବାଲି, ପୁରୁଣା କାଠ ବାଉଁଶ । ସେତିକି । ତୃତୀୟ କୋଠରୀଟି ଅପେକ୍ଷାକୃତ ପରିଷ୍କାର ପରିଚ୍ଛନ୍ନ । ଗୋଟାଏ କୋଣରେ ଖଣ୍ଡେ ଭଙ୍ଗା ସୁଟ୍‌କେସ୍‌ ପଡ଼ିଛି । ଗୋଟାଏ ଜଙ୍କ୍‌ ଧରା ଲଣ୍ଠନ ଝୁଲୁଚି । ଟ୍ରଙ୍କ୍‌ଟା ଖେଳେଇ ଦେଖିଲି, ଦି’ ଚାରିଖଣ୍ଡ ଚିରା ମଇଳା କାମିଜ୍‌ । ଛିଣ୍ଡା ଲୁଗା ଦି’ ତିନିଖଣ୍ଡ ଘରର ଏଣେ ତେଣେ ପଡ଼ିଛି । ଆଉ ଗୋଟାଏ ଜାଗାରେ ଖଣ୍ଡେ କଲେଇକରା ବାସନରେ କିଛି ଚୁଡ଼ା ଥୁଆ ହୋଇଛି । ବାସ୍‌ ସେତିକି । ଟର୍ଚ୍ଚଟା ନିଭେଇ ପଛକୁ ଫେରୁଛି, ହଠାତ୍‌ ଶୁଣିଲି କାହାର ବଜ୍ର ଗମ୍ଭୀର କଣ୍ଠର ନିର୍ଘୋଷ, ହ୍ୟାଣ୍ଡସ୍‌ ଅପ୍‌ ।

 

ମୁଁ ସଙ୍ଗେ ସଙ୍ଗେ ହାତ ଦୁଇଟା ଉପରକୁ ଟେକି ସେଇଆଡ଼କୁ ମୁହଁକରି ଠିଆହୋଇ ରହିଲି ।

 

ମୋ ପଛଆଡ଼େ ଲୋକଟା ଅଟ୍ଟହାସ୍ୟ କରି ଉଠିଲା । ମୋର ପଛକୁ ଫେରି ଚାହିଁବାକୁ ସାହସ ହେଉ ନ ଥିଲା । ମନେ ହେଉଥିଲା ସେ ଯେପରି ମୋ ପିଠିରେ ଅଗ୍ନେୟାସ୍ତ୍ରଟା ଲଗେଇ ଠିଆ ହୋଇଛି । ରଜତ ନୀରବ ହେଲା ।

 

ଅଶୋକ ଦାସଙ୍କ ମୁହଁ ଆହୁରି ପ୍ରଦୀପ୍ତ ହୋଇ ଉଠିଲା ।

 

ତା’ ପରେ ? ଅଶୋକ ଦାସ ଉତ୍ସାହ ଯେପରି ଶହେ ଗୁଣ ବଢ଼ି ଯାଇଥିଲା ।

 

ରଜତ କହିଲା–ମୋର ଶ୍ୱାସରୁଦ୍ଧ ହୋଇ ଆସିଥିଲା । ମୁଁ ଭାବିଲି ଏ ଯାତ୍ରାରୁ ହୁଏତ ଆଉ ମୋର ତ୍ରାହି ନାହିଁ । କିନ୍ତୁ ମୁହୂର୍ତ୍ତକ ପରେ ଶୁଣିଲି ପୁଣି ସେହିପରି ବଜ୍ରନିର୍ଘୋଷ କଣ୍ଠର ଶବ୍ଦ,ଏବାଉଟ ଟର୍ଣ୍ଣ । ମୋର ପଛକୁ ବୁଲିବାକୁ ସାହାସ ହେଉ ନ ଥିଲା । କିନ୍ତୁ ଶୁଣିଲି, ତା’ପରେ ଲୋକଟା ଲେଫ୍‌ଟ ରାଇଟ୍‌, ଲେଫ୍‌ଟ ରାଇଟ୍‌ କହି କହି ଦୂରେଇ ଯାଉଛି । ମୁଁ ଲୋକଟାର ପଛେ ପଛେ ଛୁଟିଲି । ସେ ସେହିପରି ମୁହଁରେ ଲେଫ୍‌ଟ ରାଇଟ୍‌ କହି, ପାଦ ଦୁଇଟା ତାଳେ ତାଳେ ପକାଉଥିଲା ଏବଂ ହାତ ଦୁଇଟା ହଲେଇ ହଲେଇ ମାର୍ଚ୍ଚିଂ କଲାପରି ଚାଲିଥିଲା । ମୁଁ ତା’ ପଛେ ପଛେ କିଛି ଦୂରଯାଏ ଗଲି । ଲୋକଟା ପାଗଳ । ଛିଣ୍ଡା ପ୍ୟାଣ୍ଟ୍‌ ଖଣ୍ଡେ ପିନ୍ଧିଚି । ଦେହଟା ଖୋଲା । ହାତଯାକ ଛିଣ୍ଡାକନା ବନ୍ଧା ହୋଇଛି । ମୁଣ୍ଡରେ ଗୋଟାଏ ଟୋପି । ତା’ ସ୍ୱର ମୁଁ ବହୁତ ବେଳଯାଏ ଶୁଣିଲି । ସେ ଲେଫ୍‌ଟ୍‌ ରାଇଟ କହି କହି ଜଙ୍ଗଲ ଭିତରେ କୁଆଡ଼େ ଯେ ଗଳି ଚାଲିଗଲା ମୁଁ ତା’ ପଛରେ ଯିବାକୁ ଆଉ ସାହସ କଲି ନାହିଁ । ଲାଭ ବି କିଛି ନ ଥିଲା ।

 

ହୁଁ, ଅଶୋକ ଦାସ ଗୋଟିଏ ଦୀର୍ଘଶ୍ୱାସ ତ୍ୟାଗ କଲେ । ଆଖି ବୁଜି ମୁହୂର୍ତ୍ତେ କ’ଣ ଚିନ୍ତା କଲେ । କହିଲେ, ତା’ ହେଲେ ସେ ଜୀର୍ଣ୍ଣ କୋଠାଟା ଭିତରେ ତମେ ଆଉ କାହାରି ସନ୍ଧାନ ପାଇଲ ନାହିଁ ?

ନାଁ ସାର୍‌ ! ତା ପରେ ମୁଁ କିନ୍ତୁ ପ୍ରତ୍ୟେକଟା କୋଠରୀ ଓ ଆଖପାଖରେ ବହୁ ସମ୍ଭାବ୍ୟ ସ୍ଥାନ ଖୋଜିଥିଲି । କିନ୍ତୁ ମୋତେ ବ୍ୟର୍ଥ ହେବାକୁ ପଡ଼ିଲା ।

ତୁମେ ବ୍ୟର୍ଥ ହୋଇନା ରଜତ ! ତୁମେ ଯେଉଁ ପରିମାଣରେ ସଫଳତା ଅର୍ଜ୍ଜନ କରିଛ, ବର୍ତ୍ତମାନ ହୁଏତ ତାହା ବୁଝିପାରିବ ନାହିଁ । ଯା ହେଉ ମୁଁ ଖୁବ୍‌ ଆନନ୍ଦିତ ହୋଇଛି । କିନ୍ତୁ ସେହି ପାଗଳ ଲୋକଟା ମୋ ମନରେ କିପରି ଟିକିଏ ଖଟ୍‌କା ଲଗେଇ ଦେଲା । ତୁମେ ଠିକ୍‌ ଅନୁମାନ କରିଛି ଲୋକଟା ପାଗଳ ?

ମୋର ତ ସେଇଆ ମନେ ହେଲା । ଲୋକଟା ହୁଏତ ବଦ୍ଧ ପାଗଳ । କାରଣ ମୁଁ ସ୍ଥାନ ତ୍ୟାଗ କରି ଆସିବାର ପୂର୍ବ ମୁହୂର୍ତ୍ତ ପର୍ଯ୍ୟନ୍ତ ବହୁ ଦୂରରୁ ଲେଫ୍‌ଟ ରାଇଟ୍‌ ଶୁଣିଥିଲି । ବୋଧହୁଏ ପାଗଳାଟି ସେହି ଜୀର୍ଣ୍ଣ କୋଠାରେ ରୁହେ । ଏଣେ ତେଣେ ବୁଲେ । ସେ ଯେଉଁ ଛିଣ୍ଡା ଲୁଗା, କଲେଇକରା ବାସନ ଆଉ ଚୁଡ଼ା ଗଣ୍ଡାକ ଦେଖିଲି, ସେଗୁଡ଼ିକ ବୋଧହୁଏ ସେଇ ପାଗଳାର ।

ହୋଇପାରେ, ଅସମ୍ଭବ କିଛି ନୁହେଁ । ଅଶୋକ ଦାସ କହିଲେ-ତମେ ସେଠାକୁ ଯାଇ ଗୋଟାଏ ନୁଆ ସମସ୍ୟାର ସୃଷ୍ଟି କଲ ସିନା ! ପୁରୁଣା ସମସ୍ୟାର ସମାଧାନ ଦିଗରେ କୌଣସି ଆଲୋକପାତ କରିହେଲା ନାହିଁ । ଯା’ହେଉ, ତମକୁ ଆଉ ଗୋଟିଏ କାମ କରିବାକୁ ହେବ । ରାଘବାନନ୍ଦ ହରିଚନ୍ଦନଙ୍କ ଲୁହା ସିନ୍ଦୁକରେ ଗୋଟିଏ ନକ୍‌ସା ଅଛି । ଆଜି ରାତିରେ ସେଇ ନକ୍‌ସାର ଗୋଟିଏ କପି ଆଣିବାକୁ ହେବ । ଅସଲଟା କିନ୍ତୁ ସେହିଠାରେ ରଖି ଆସିବାକୁ ହେବ । ଅସଲଟା କିନ୍ତୁ ସେହିଠାରେ ରଖି ଆସିବାକୁ ହେବ । ଅବଶ୍ୟ କାର୍ଯ୍ୟଟା ଟିକିଏ କଠିନ । ତଥାପି ସେ ନକ୍‌ସାଟା ଖୁବ୍‌ ପ୍ରୟୋଜନ । ଆଜି ରାତି ଭିତରେ ତା’ର କପିଟା ଦରକାର ।

ଦରଜାରେ କାହାର କରାଘାତ ଶୁଣି ରଜତ ଉଠିଗଲା ।

ଟେଲିଗ୍ରାମ ଧରି ଗୋଟାଏ ପୋଷ୍ଟମ୍ୟାନ୍‌ ଅପେକ୍ଷା କରିଥିଲା । ରଜତ ଟେଲିଗ୍ରାମଟି ଦସ୍ତଖତ କରି ଆଣି ଅଶୋକ ଦାସଙ୍କ ହାତକୁ ବଢ଼ାଇ ଦେଲା ।

‘ନୀଳିମା ଧରା ପଡ଼ିଛି । ଥାନାରେ ଅଛି ।

ପଟ୍ଟନାୟକ ।’

ଅଶୋକ ଦାସ ଟେଲିଗ୍ରାମ୍‍ଟି ପଢି ଆନନ୍ଦରେ ଚିତ୍କାର କରି ଉଠିଲେ । କହିଲେ, ତମେ ଯାଇ ମୋ ଗାଡ଼ିଟା ଗ୍ୟାରେଜରୁ ବାହାର କର ରଜତ । ମୁଁ ସାମାନ୍ୟ ଟିକେ ପ୍ରସ୍ତୁତ ହୋଇ ଆସୁଛି-। ମୋ ସଙ୍ଗରେ ଚାଲ, ମୁଁ ନୀଳିମା ସହିତ ତମର ପରିଚୟ କରାଇ ଦେବି । ଏପରି ଅମାୟିକ ଝିଅ ତମେ କ୍ୱଚିତ୍‌ ଦେଖିଥିବ ।

ରଜତ ସଙ୍ଗେ ସଙ୍ଗେ ସେଠାରୁ ଉଠି ଚାଲିଗଲା । ଅଶୋକ ଦାସ ମଧ୍ୟ ପ୍ରସ୍ତୁତ ହେବାପାଇଁ ଉଠିଗଲେ । ପାଞ୍ଚମିନିଟ୍ ମଧ୍ୟରେ ସେ ଯେତେବେଳେ ଯାଇ ମଟର ପାଖରେ ପହଞ୍ଚିଲେ, ରଜତ ଷ୍ଟିଅରିଂ ଛାଡ଼ି ଦୂରକୁ ଘୁଞ୍ଚି ଯାଉଥିଲା । ଅଶୋକ ଦାସ କହିଲେ, ନା, ନା; ତମେ ଚଳାଅ । ମୋତେ ଟିକେ ନୀରବରେ ବସି ଅନ୍ୟ କଥା ଭାବିବାକୁ ଦିଅ । ପୁରୀରେ ପହଞ୍ଚିଲେ ମୋତେ ଡାକିବ । ଯେତେ ଶୀଘ୍ର ପାର ଯିବାକୁ ଚେଷ୍ଟା କରିବ । ଅଶୋ ଦାସ ମଟରର ପଛପାଖ ସିଟ୍‌ରେ ଯାଇ ବସିଲେ ।

 

ରଜତ ହାତରେ ଇଞ୍ଜିନ୍‌ଟା ଆଉଥରେ ଗର୍ଜିଉଠି ନୀରବ ହେଲା ।

 

ଶୁଣନ୍ତୁ ନୀଳିମାଦେବୀ, ଆପଣ ଯେତେବେଳେ ଯାଏ ସତ୍ୟ କଥା ନ କହିଛନ୍ତି, ଆପଣଙ୍କୁ ତ୍ରାହି ମିଳିବ ନାହିଁ । ପୋଲିସ ଅଫିସର ଚନ୍ଦ୍ରଶେଖର ପଟ୍ଟନାୟକ କହିଲେ ।

 

ମୁଁ ଯାହା କହୁଚି ସବୁ ସତକଥା କହୁଚି । ଆପଣ ମୋତେ ବିଶ୍ୱାସ କରନ୍ତୁ । ନୀଳିମା କାନ୍ଦ କାନ୍ଦ ହୋଇ କହୁଥିଲା ।

 

ନୀଳିମାଦେବୀ ! ଆପଣ ପୃଥିବୀର ସମସ୍ତଙ୍କ ଆଖିରେ ଧୂଳି ଫିଙ୍ଗି ପାରନ୍ତି, କିନ୍ତୁ ପୋଲିସ ଆଖିରେ ଧୂଳି ଫିଙ୍ଗିବା ମୋଟେ ସହଜ ନୁହେଁ । ଆପଣ ଯଦି ନିର୍ଦ୍ଦୋଷ, ଆପଣ ଯଦି ଅଳକାର ହତ୍ୟା ସହିତ ସଂଶ୍ଲିଷ୍ଟ ନୁହନ୍ତି, ତେବେ ଘରଛାଡ଼ି ଚାଲିଗଲେ କାହିଁକି ? ଏତେଦିନ ଯାଏ ଆତ୍ମଗୋପନ କରି ରହିଥିଲେ କାହିଁକି ? ପୋଲିସ ଅଫିସରଙ୍କ ସ୍ୱର କ୍ରମଶଃ ଗମ୍ଭୀର ହୋଇ ଉଠୁଥିଲା ।

 

ମୋର ଆଉ ଉପାୟ ନ ଥିଲା, ମୋତେ ବିଶ୍ୱାସ କରନ୍ତୁ । ଘର ଛାଡ଼ି ଚାଲିଯିବା ଛଡ଼ା ମୁଁ ଆଉ ଅନ୍ୟ କୌଣସି ପଥ ଖୋଜି ପାଇଲି ନାହିଁ । ସେତେବେଳେ ଆପଣ ଯଦି ମୋ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ଥାଆନ୍ତେ......

 

ଚୁପ୍‌ କରନ୍ତୁ ନୀଳିମାଦେବୀ ! ପୋଲିସ ଅଫିସର ଗର୍ଜି ଉଠିଲେ । ଆପଣ ଘଟଣାଟାକୁ ଯେତେ ସହଜ ମନେ କରି ଉଡ଼େଇ ଦେବାକୁ ବସିଛନ୍ତି, କାର୍ଯ୍ୟତଃ ତାହା ସେତେ ସହଜ ନୁହେଁ । ଆପଣ ନିଜ ହାତରେ ଅଳକାକୁ ଖୁଣ୍‍ କରି ନାହାନ୍ତି ?

 

ନା, ନା । ନୀଳିମା କାନ୍ଦି ଉଠିଲା ।

 

ପୁଣି ମିଛ କହୁଛ ନୀଳିମା ? ତମେ ଜାଣ ଆମ ପାଖରେ ଅକାଟ୍ୟ ପ୍ରମାଣ ରହିଚଇ । ତୁମେ ଯଦି ହତ୍ୟାକାରୀ ନ ହୋଇଥାଆନ୍ତ, ଛୁରୀ ବେଣ୍ଟରେ ତମ ଆଙ୍ଗୁଳିର ଛାପ ଆସିଥାଆନ୍ତା କେଉଁଠୁ ?

 

ନୀଳିମା ଏଥର କୌଣସି ଉତ୍ତର ଦେଇ ପାରିଲା ନାହିଁ । ଭୋ ଭୋ ହୋଇ କାନ୍ଦି ଉଠିଲା ।

 

ଚୁପ୍‌କର ନୀଳିମା । ଏଠାରେ ତମ କାନ୍ଦଣାର ମୂଲ୍ୟ ବୁଝିବାକୁ କେହି ନାହାନ୍ତି । ତେଣୁ.....

 

ଗୋଟିଏ କନେଷ୍ଟବଳ ଉପସ୍ଥିତ ହୋଇ ସାଲ୍ୟୁଟ କଲା ।

 

କ’ଣ ଖବର ?

 

ଖଣ୍ଡିଏ ନାମାଙ୍କିତ କାର୍ଡ଼ କନେଷ୍ଟବଳ ବଢ଼ାଇ ଦେଲା ।

 

ଓଃ ! ପୋଲିସଅଫିସର ଥରେ ନୀଳିମା ଆଡ଼େ ଚାହିଁ କନେଷ୍ଟବଳକୁ କହିଲେ, ବାବୁଙ୍କୁ ଏଠାକୁ ଆସିବାକୁ କହ ।

 

ଅଶୋକ ଦାସ ଓ ରଜତ ଆସି ପୋଲିସ ଅଫିସରଙ୍କ ଅଫିସ୍‌ ରୁମ୍‌ରେ ପହଞ୍ଚିଲେ ।

 

ନୀଳିମା ଅଶୋକ ଦାସଙ୍କୁ ଦେଖିବାକ୍ଷଣି କାନ୍ଦି ଉଠୁଥିଲା । ଅଶୋକ ଦାସ ଇଙ୍ଗିତରେ କାନ୍ଦିବାକୁ ବାରଣ କଲେ ମଧ୍ୟ ନୀଳିମାର ଅଶ୍ରୁ ମନ ମାନିଲା ନାହିଁ ।

 

ତା’ପରେ ଖବର କ’ଣ କୁହନ୍ତୁ ମି: ପଟ୍ଟନାୟକ ।

 

ବର୍ତ୍ତମାନ ସମସ୍ୟା ହେଉଛି, ନୀଳିମା ଦେବୀ ତାଙ୍କର ଦୋଷ ସ୍ୱୀକାର କରୁନାହାନ୍ତି । ସେ ଯେ ଅଳକାକୁ ହତ୍ୟା କରିଛନ୍ତି ତାହା ସେ ନିଜ ମୁଖରେ କହୁନାହାନ୍ତି ।

 

ଅଶୋକ ଦାସ ହସିଲେ । କହିଲେ, ଏତେ ସହଜରେ କେହି କ’ଣ ଫାଶୀ ମଞ୍ଚକୁ ଆଗେଇ ଯିବାକୁ ରାଜି ହୁଏ ମି. ପଟ୍ଟନାୟକ । ତା’ଛଡ଼ା ନୀଳିମା ଯେ ହତ୍ୟା କରିଛି, ତା’ର କୌଣସି ନିର୍ଭୁଲ ପ୍ରମାଣ ଆପଣ ପାଇଛନ୍ତି ?

 

ପାଇଛି ଅଶୋକବାବୁ ! ଛୁରୀ ବେଣ୍ଟରେ ସେ ଯେଉଁ ଆଙ୍ଗୁଳିର ଛାପ କଥା ମୁଁ କହୁଥିଲି, ନୀଳିମାଦେବୀଙ୍କ ଆଙ୍ଗୁଳି ଛାପ ସହିତ ମିଶି ଯାଉଛି ।

 

ଅଶୋକ ଦାସ ନୀଳିମା ମୁହଁକୁ ଚାହିଁଲେ । ସେ ଆକୁଳ ନୟନରେ ଚାହିଁ ମୁଣ୍ଡ ହଲାଇ ଅସ୍ୱୀକାର କଲା ।

 

ମୋର ଗୋଟିଏ ଅନୁରୋଧ ମି. ପଟ୍ଟନାୟକ । ଆପଣ ଦୟା କରି ଅନ୍ତତଃ ପନ୍ଦର କୋଡ଼ିଏ ମିନିଟ୍‌ ପାଇଁ ନୀଳିମା ସହିତ ମୋତେ ଟିକିଏ ନିରୋଳାରେ କଥାବାର୍ତ୍ତା ହେବାକୁ ଅନୁମତି ଦେଇ ପାରିବେ ?

 

ଚନ୍ଦ୍ରଶେଖର ପଟ୍ଟନାୟକ ମୁହୂର୍ତ୍ତେ ଚିନ୍ତାକରି କହିଲେ, ମୋର କିଛି ଆପତ୍ତି ନାହିଁ, ଆପଣ ଏଇ ଘରେ ବସି କଥାବାର୍ତ୍ତା ହୁଅନ୍ତୁ । ମୁଁ ବାହାରକୁ ଚାଲି ଯାଉଛି । ସଙ୍ଗେ ସଙ୍ଗେ ସେ ଚେଆରରୁ ଉଠି ଠିଆ ହେଲେ ଏବଂ ରଜତ ଆଡ଼େ ଚାହିଁ କହିଲେ, ଆପଣ ମଧ୍ୟ ବାହାରକୁ ଚାଲନ୍ତୁ-

 

ପୋଲିସ ଅଫିସରଙ୍କ ପଛେ ପଛେ ରଜତ ମଧ୍ୟ ବାହାରି ଗଲା ।

 

ଘଟଣା କ’ଣ କହିଲ ନୀଳିମା, ସମୟ ଖୁବ୍‌ ଅଳ୍ପ । ଅଶୋକ ଦାସ ନୀଳିମା ପାଖରେ ବସି ଶାନ୍ତ ସ୍ୱରରେ ପଚାରିଲେ ।

 

ମୁଁ ଅଳକାକୁ ଖୁଣ୍‍ କରି ନାହିଁ ଅଶୋକବାବୁ-! ଆପଣ ମୋତେ ବିଶ୍ୱାସ କରନ୍ତୁ । ନୀଳିମା ଅଶୋକ ଦାସଙ୍କ ଆଶ୍ରୟ ପାଇ ଆହୁରି ବିକଳ ହୋଇ ଉଠିଥିଲା ।

 

ମୁଁ ଜାଣେ ତମେ ଅଳକାକୁ ଖୁଣ୍‍ କରିନାହଁ । କିନ୍ତୁ ଏତେ ଦିନ ଯାଏ ଥିଲ କେଉଁଠି ? ସମସ୍ତ ଘଟଣା ସଂକ୍ଷିପ୍ତରେ କହି ଯାଅ । ଆଉ ଭୟ କରିବାର କିଛି କାରଣ ନାହିଁ । ମୁଁ ଆସିଛି, ନିଶ୍ଚୟ ତମକୁ ମୁକ୍ତ କରି ନେଇଯିବି ।

 

ନୀଳିମା କହିଲା, ଯେଉଁଦିନ ରାତିରେ ଅଳକା ଖୁଣ୍‍ ହୁଏ, ସେଦିନ ରାତି ଦୁଇଟା କି ତିନିଟା ହେବ । ହଠାତ୍‌ କାହାର ଏକ ଆର୍ତ୍ତଚିତ୍କାର ଶୁଣି ମୋ ନିଦ୍ରାଭଙ୍ଗ ହେଲା । ମୁଁ ଉଠିପଡ଼ି ଘରର ଆଲୋକ ଜଳାଇ ଦେଲି । ସଙ୍ଗେ ସଙ୍ଗେ ମୋ ଆଖି ପଡ଼ିଲା ବାରଣ୍ଡାରେ କ’ଣ ଯେପରି ଛଟ ପଟ ହେଉଛି । ସେହିଆଡ଼େ ଛୁଟିଗଲି । ଦୁଇଟା ଭାରି ପାଦଶବ୍ଦ ଧୀରେ ଧୀରେ ମିଳେଇ ଯାଉଥିଲା ବାରଣ୍ଡାରେ ଯାଇ ଦେଖିଲି, ରକ୍ତାକ୍ତ ଅବସ୍ଥାରେ ଅଳକା ଚଟାଣ ଉପରେ ଗଡ଼ୁଛି । ମୋ ଦେହ ଶୀତେଇ ଉଠିଲା । ରକ୍ତ ଶିଥିଳ ହୋଇଗଲା । ଅଳକା ହାତ ଠାରି ତା’ଛାତିର ଛୁରିଟା ମୋତେ ଦେଖେଇ ଦେଲା । ମୁଁ ଆଗପଛ ନ ବିଚାରୀ ଛୁରୀଟା ତା’ ଛାତିରୁ ଟାଣି ଆଣିଲି । ବାସ୍‌, ସେତିକି । ସଙ୍ଗେ ସଙ୍ଗେ ସବୁ ଶେଷ ହୋଇଗଲା । ଅଳକା ନିସ୍ତେଜ ହୋଇ ପଡ଼ିଲା । ମୁଁ ବୋଧହୁଏ ବାହ୍ୟଜ୍ଞାନ ଶୂନ୍ୟ ହୋଇ ପଡ଼ିଥିଲି ।

 

ହଠାତ୍‌ କିଏ ଯେପରି କେଉଁଠାରୁ ଚିତ୍କାର କରି ଉଠିଲା । ଖୁଣ୍‍ । ନୀଳିମା ଖୁଣ୍‍ କରିଛି । ଅଳକାକୁ ନୀଳିମା ଖୁଣ୍‍ କରିଛି ।

 

ତା’ପରେ ମୋର ଯେପରି ଜ୍ଞାନ ଫେରି ଆସିଲା । ମୁଁ ଦେଖିଲି ମୋ ହାତଟା ରକ୍ତରେ ଲାଲ ହୋଇଯାଇଛି । ଛୁରୀଟା ହାତ ମୁଠାରେ ଚିକ୍‌ ଚିକ୍‌ କରୁଛି ।

 

ପୁଣି ସେଇ କଠୋର ସ୍ୱର ଶୁଣିଲି । ନୀଳିମା ଖୁଣ୍‍ କରିଛି, ନୀଳିମା ଖୁଣୀ । ନୀଳିମାର ଫାଶୀ ହେବ । ପୋଲିସ, ପୋଲିସ ।

 

ମୁଁ ଆଉ କର୍ତ୍ତବ୍ୟ ସ୍ଥିର କରିପାରିଲି ନାହିଁ ଅଶୋକବାବୁ । ମୋର ମନେହେଲା କାହାର ଭାରିଜୋତାର ଶବ୍ଦ ଯେପରି ମୋରି ଆଡ଼କୁ ମାଡ଼ି ଆସୁଛି । ମୁଁ ଏଇ ମୁହୁର୍ତ୍ତରେ ଧରା ପଡ଼ିଯିବି । ପୋଲିସ ଆସି ମୋତେ ବାନ୍ଧି ନେଇଯିବ । ମୁଁ ଜ୍ଞାନଶୂନ୍ୟ ହୋଇ ଶିଡ଼ିବାଟେ ତଳକୁ ଧାଇଁବାକୁ ଲାଗିଲି । ମୋ ପଛେ ପଛେ କାହାର ଭାରି କଣ୍ଠର ସ୍ୱର ଯେପରି ଗୋଡ଼େଇ ଥିଲା । ‘ନୀଳିମା ଖୁଣୀ ଆସାମୀ । ନୀଳିମା ଖୁଣ୍‌ କରିଛି ।’

 

ନୀଳିମା ଥରି ଥରି ଅଶୋକ ଦାସଙ୍କ ଉପରକୁ ଢଳି ପଡ଼ିଲା । ସେ ଉତ୍ତେଜିତ ହୋଇ ପଡ଼ିଥିଲା । ବାକ୍‌ଶକ୍ତି ତା’ର ରୁଦ୍ଧ ହୋଇ ଯାଇଥିଲା । ବୋଧହୁଏ ସଂଜ୍ଞା ମଧ୍ୟ ହରାଇ ବସିଥିଲା ।

 

ଅଶୋକ ଦାସ ସମସ୍ୟାରେ ପଡ଼ିଗଲେ । ନୀଳିମା କପାଳରେ ହାତ ବୁଲେଇ ଧୀରେ ଧୀରେ ଡାକିଲେ । ନୀଳିମା କିନ୍ତୁ ଉତ୍ତର ଦେଲାନାହିଁ । ସେ ସଂଜ୍ଞା ହରାଇଥିଲା ବୋଧହୁଏ । ଘଟଣାର ପୁନରାବୃତ୍ତି କରିବାକୁ ଯାଇ ତା’ ଆଖି ଆଗରେ ଅଳକାର ମୃତ୍ୟୁ ବିଭୀଷିକା ନାଚି ଉଠିଥିଲା ।

 

ଅଶୋକ ଦାସ ନୀଳିମାକୁ ନିଜ ଛାତିଉପରେ ଆଉଜେଇ ଧରି ଚନ୍ଦ୍ରଶେଖର ପଟ୍ଟନାୟକଙ୍କୁ ଡାକିଲେ । ମି. ପଟ୍ଟନାୟକ ଓ ରଜତ ବାହାରେ ଦୁଆର ମୁହଁରେ ଅପେକ୍ଷା କରିଥିଲେ ।

 

ଏ କ’ଣ ହେଲା ମି: ଦାସ । ନୀଳିମାଦେବୀ......

 

ସଂଜ୍ଞା ହରାଇଛନ୍ତି । ଟିକିଏ ପାଣି ଆଣନ୍ତୁ । ଫ୍ୟାନ୍‌ଟା ଫୁଲସ୍ପିଡ଼୍‌ରେ ଚଳାଇ ଦିଅନ୍ତୁ ତ !

 

ପୋଲିସ ଅଫିସର ଚଞ୍ଚଳ ହୋଇ ପଡ଼ିଲେ । ତାଙ୍କ ଆଖିରେ ସନ୍ଦେହର ଛାୟା ଫୁଟି ଉଠିଲା । ଅଶୋକ ଦାସ ନୀଳିମାକୁ ଗୋଟିଏ ବେଞ୍ଚ ଉପରେ ଶୁଆଇ ଦେଇ କପାଳ ଓ ଆଖିରେ ପାଣି ଛିଞ୍ଚିଲେ । ରଜତ ଆସି ପାଖରେ ଠିଆ ହୋଇଥିଲା ।

 

ପୋଲିସ ଅଫିସର ଟେଲିଫୋନ ରିସିଭର ଉଠାଉଥିଲେ ।

 

ଅଶୋକ ଦାସ କହିଲେ, ଡାକ୍ତର ଡ଼ାକିବାର କୌଣସି ଆବଶ୍ୟକ ନାହିଁ ମି: ପଟ୍ଟନାୟକ-। ଆପଣ ମୋତେ ବିଶ୍ୱାସ କରନ୍ତୁ । ନୀଳିମା ଉତ୍ତେଜନା ଓ ଭୟରେ ଅଜ୍ଞାନ ହୋଇ ପଡ଼ିଛି । ଏଇକ୍ଷଣି ଚେତା ଫେରି ଆସିବ ।

 

ଧୀରେ ଧୀରେ ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ହାତଟା କାନ ପାଖରୁ ନଇଁ ଆସିଲା । ସେ ରିସିଭରଟା ଟେଲିଫୋନ୍‌ ଯନ୍ତ୍ର ଉପରେ ଥୋଇଦେଲେ ।

 

ନୀଳିମାର ଆଖିପତା ଯୋଡ଼ିକ ଥରିଉଠିଲା । ସେ ପୁଣି କହିବାକୁ ଆରମ୍ଭ କଲା, ମୁଁ ଦୌଡ଼ୁଥିଲି । କେଉଁଆଡ଼େ, କେଉଁପଥ ଦେଇ ଯେ କୁଆଡ଼େ ଛୁଟିଥିଲି ସେ କଥା ମୁଁ କହିପାରିବି ନାହିଁ । ମୋର ମନେ ହେଉଥିଲା, ସେ ଲୋକଟା ମୋ ପଛେ ପଛେ ଧାଇଁଥିଲା ଏବଂ ଚିତ୍କାର କରି କହୁଥିଲା, ଖୁଣୀ, ଖୁଣୀ । ଧର, ଧର ।’ ଅଳକା ନୀରବ ହୋଇ ସ୍ଥିର ନେତ୍ରରେ ଅଶୋକ ଦାସଙ୍କ ମୁହଁକୁ ଚାହିଁଲା । ଆଶ୍ୱାସନା ଓ ବିଶ୍ୱାସ ସେଠାରେ ପୂରି ରହିଥିଲା ।

 

ତା’ପରେ ? କୁହ ନୀଳିମା । ମୁଁ ଜାଣେ ତମେ ନିର୍ଦ୍ଦୋଷ, ମୁଁ ତୁମକୁ ସମସ୍ତ ବିପଦରୁ ରକ୍ଷା କରିବି ।

 

ନୀଳିମା ଆଖିରୁ ଦୁଇବିନ୍ଦୁ ଅଶ୍ରୁ ଝରି ପଡ଼ିଲା । ସେ ଆକୁଳ ସ୍ୱରରେ କହିଲା, ଅଳକାକୁ କିଏ ହତ୍ୟାକଲା ଅଶୋକବାବୁ ! କାହିଁକି ହତ୍ୟାକଲା ?

 

ଅଶୋକ ଦାସ ସମସ୍ୟାରେ ପଡ଼ିଗଲେ । କହିଲେ, ସେ କଥା ପରେ ଶୁଣିବ ନୀଳିମା । ତମେ ଆଗ ତମକଥା କହିସାର; ତମେ ଏ ତିନି ଚାରିଦିନ ହେବ କୁଆଡ଼େ ଥିଲ ? କ’ଣ କରୁଥିଲ-? କହିଯାଅ ।

 

ନୀଳିମା ଉଠି ବସିବାକୁ ଚେଷ୍ଟାକଲା । ଦେଖିଲା, ସାମନାରେ ଅଳ୍ପଦୂରରେ ପୋଲିସ ଅଫିସର ଠିଆ ହୋଇଛନ୍ତି । ନୀଳିମା ଦେହ ଶୀତେଇ ଉଠିଲା । ସେ ଅଶୋକ ଦାସଙ୍କୁ ଜାବୁଡ଼ି ଧରିଲା । ମନେ ହେଉଥିଲା ଏ କେଇଦିନ ଭିତରେ ନୀଳିମାର ସମସ୍ତ ମନୋବଳ ଭାଙ୍ଗି ପଡ଼ିଚି । ଶାରିରୀକ କ୍ଳାନ୍ତି ପୂରି ରହିଛି । ତା’ପରେ ପୋଲିସର ଭୟ । ନିଜକୁ ସେ ଜଣେ ଅପରାଧୀ ମନେ କରି ଲୁଚି ବୁଲୁଚି । ଫଳରେ ନୀଳିମାର ମନ, ଦେହ ସବୁ ବିକଳ ହୋଇ ଯାଇଛି । ଅଶୋକ ଦାସ ସାନ୍ତ୍ୱନା ଦେଲେ । କହିଲେ, ମି: ପଟ୍ଟନାୟକ ମୋର ଅନ୍ତରଙ୍ଗ ବନ୍ଧୁ । ତା’ଛଡ଼ା ସେ ଆମକୁ ସାହାଯ୍ୟ କରିବେ । ତୁମର ଭୟର କିଛି କାରଣ ନାହିଁ ।

 

ନୀଳିମା ପୋଲିସ ଅଫିସରଙ୍କ ଆଡ଼ୁ କାତର ଦୃଷ୍ଟି ଫେରେଇ ଆଣି ଉଠି ବସିଲା । ..ଏ କେତୋଟି ଦିନ ମୁଁ ଲୁଚି ଲୁଚି ବୁଲୁଥିଲି । ପୋଲିସର ଦୃଷ୍ଟି ଏଡ଼େଇବା ମୋର ଏକମାତ୍ର ଲକ୍ଷ୍ୟ ଥିଲା । ନୀଳିମା ସହଜ ସ୍ୱରରେ କହିଲା ।

 

କିନ୍ତୁ ତମେ ଏହା କାହିଁକି କଲ ନୀଳିମା । ତମେ ଜାଣିଥିଲ ତମେ ଖୁଣ୍‍ କରିନାହଁ । ତମେ ନିର୍ଦ୍ଦୋଷ । ସେହି ଦୃଷ୍ଟିରୁ ପୋଲିସ ନିକଟରେ ପହଞ୍ଚି ତମେ ସବୁକଥା କହିପାରି ଥାଆନ୍ତ । ତା’ ନ ହେଲେ ମୋ ପାଖକୁ ଯାଇ....

 

ଶେଷରେ ସେ ଆପଣଙ୍କ ପାଖକୁ ଯାଇ ଧରା ପଡ଼ିଛନ୍ତି ଅଶୋକ ବାବୁ ! ପୋଲିସଅଫିସର କଥା କାଟି କହିଲେ । ଆଜି ଭୋର୍‌ରୁ ସେ ସି’ଭିଉ ହୋଟେଲରେ ପଶିଯାଇ ଆପଣଙ୍କୁ ଖୋଜୁଥିଲେ । ମ୍ୟାନେଜର ଫୋନ୍‌ କରି ମୋତେ ସମ୍ୱାଦଟା ଜଣାଇ ଦେଲେ ।

 

ଅଶୋକ ଦାସ ନୀଳିମା ମୁହଁକୁ ଚାହିଁଲେ । ବିଷାଦ ଓ ହତାଶର ଛାଇ ଦେଖି କହିଲେ, ଦୁଃଖ କରନି ନୀଳିମା । ମୋତେ ବିଶ୍ୱାସ କର ।

 

ମୋତେ ଏଠାରୁ ନେଇ ଚାଲନ୍ତୁ ଅଶୋକବାବୁ । ଏଠି ରହିଲେ ମୁଁ ପାଗଳ ହୋଇଯିବି । ନୀଳିମା କଣ୍ଠରୁ କରୁଣ କାକୁତି ଫୁଟି ଉଠୁଥିଲା ।

 

ମୁଁ ତା’ର ବ୍ୟବସ୍ଥା କରୁଛି । ଆଜି ଏଇ ମୁହୂର୍ତ୍ତରେ ନେବା ତ ସମ୍ଭବ ହେବ ନାହିଁ । ତମେ ଅଧୈର୍ଯ୍ୟ ହୁଅ ନାହିଁ । ମି: ପଟ୍ଟନାୟକ, ନୀଳିମାଠାରୁ ଆପଣଙ୍କର ଆଉ କିଛି ଜାଣିବାର ଅଛି-? ଅଶୋକ ଦାସ ପଚାରିଲେ ।

 

ଥିଲେ ବି ଆପାତତଃ ପଚାରି କିଛି ଲାଭ ନାହିଁ । ବରଂ ସେ ଲକ୍‌ଅପ୍‌ରେ ଯାଇ ବିଶ୍ରାମ କରନ୍ତୁ । ମୁଁ ତାଙ୍କ ପାଇଁ ଟିକିଏ ବିଶେଷ ବ୍ୟବସ୍ଥା କରାଇ ଦେଉଛି । ପୋଲିସ ଅଫିସର ଜଣେ କନେଷ୍ଟବଳକୁ ପାଖକୁ ଡାକିଲେ ।

 

ଧନ୍ୟବାଦ । ଅଶୋକ ଦାସ କହିଲେ ।

 

ପୋଲିସ ଅଫିସର କନେଷ୍ଟବଳକୁ କହି ନୀଳିମା ପାଇଁ ବିଶେଷ ବ୍ୟବସ୍ଥା କରାଇବାକୁ କହିଲେ ଏବଂ ନୀଳିମାକୁ କନେଷ୍ଟବଳ ସହିତ ଯିବାପାଇଁ ଅନୁରୋଧ କଲେ ।

 

ନୀଳିମା ଆକୁଳ ନୟନରେ ଅଶୋକ ଦାସଙ୍କ ମୁହଁକୁ ଅନାଇଲା ।

 

ଯାଅ ନୀଳିମା । ଭୟର କିଛି କାରଣ ନାହିଁ । ତମେ ବିଶ୍ୱାସ କର ମୁଁ ତୁମକୁ ଆଜି ସନ୍ଧ୍ୟା ସୁଦ୍ଧା ମୁକ୍ତ କରି ଏଠାରୁ ନେଇଯିବି । ଏ କେଇଘଣ୍ଟାରେ ତମେ ଯାଇ ବିଶ୍ରାମ କର । ଉଠ; ଯାଅ । ଅଶୋକ ଦାସ ନିଜ ହାତରେ ନୀଳିମାକୁ ଉଠାଇ ଦେଲେ ଏବଂ ତା’ସହିତ କିଛିଦୂର ଆଗେଇ ଯାଇ ପୁଣି ଫେରି ଆସିଲେ ।

 

ଅଶୋକ ଦାସ ଗମ୍ଭୀର ହୋଇ ପୋଲିସ ଅଫିସରଙ୍କ ସାମ୍‌ନାରେ କିଛି ସମୟ ଠିଆ ହୋଇ କହିଲେ, କୁହନ୍ତୁ ମି: ପଟ୍ଟନାୟକ । ନୀଳିମାର ଅବସ୍ଥା ଦେଖି ଆପଣ କୌଣସି ସୁବିଚାର କରିବେ କି ନାହିଁ ?

 

ପୋଲିସ ଅଫିସର ହୁଏତ ଏତେବେଳଯାଏ ସେଇକଥା ଚିନ୍ତା କରୁଥିଲେ । ଏହାପରେ ଯେ ଅଶୋକ ଦାସ ନୀଳିମାର ମୁକ୍ତି ଚାହିଁବେ, ଏକଥା ସେ ବେଶ୍‌ ବୁଝିପାରିଥିଲେ । କହିଲେ, ମୋ ଅକ୍ତ୍ୟାର ବାହାରର କଥା ମି. ଦାସ । ନୀଳିମାଦେବୀ ଖୁଣ୍‍ ଅଭିଯୋଗରେ ଅଭିଯୁକ୍ତା । ସେ ଖୁଣୀ କି ନୁହନ୍ତି କୋର୍ଟ ତା’ର ରାୟ ଦେବ । କିନ୍ତୁ ଆପଣ ଏପରି ଆସାମୀକୁ ଯାମିନୀରେ ଛାଡ଼ିବା ଭଳି ଶକ୍ତି ମୋର ନାହିଁ ।

ଆପଣ ଚେଷ୍ଟା କଲେ ପାରିବେ ମି: ପଟ୍ଟନାୟକ । ଆପଣ ସ୍ପେଶାଲ ପରମିସନ ଅଣାଇ ନୀଳିମାକୁ ମୁକ୍ତି ଦେଇ ପାରିବେ । ତା’ନହେଲେ ସେ ପାଗଳ ହୋଇଯିବ ।

ପୋଲିସ ଅଫିସର ଗମ୍ଭୀର ହୋଇ କିଛି ସମୟ ଚିନ୍ତା କଲେ । କହିଲେ, ମୁଁ ଆପଣଙ୍କ ପାଇଁ ଚେଷ୍ଟା କରିବି ଅଶୋକ ବାବୁ । ତେଣିକି ନୀଳିମାର ଭାଗ୍ୟ ।

ଅଶୋକ ଦାସଙ୍କ ମୁହଁରେ କୃତଜ୍ଞତା ଫୁଟି ଉଠିଲା । ସେ ପୋଲିସ ଅଫିସରଙ୍କ ସହିତ କରମର୍ଦ୍ଦନ କରି କହିଲେ, ଅଶେଷ ଧନ୍ୟବାଦ ମି: ପଟ୍ଟନାୟକ । ଆପଣଙ୍କ ଋଣ ମୁଁ ଜୀବନରେ ଶୁଝି ପାରିବି ନାହିଁ ।

ପୋଲିସ ଅଫିସରଙ୍କ ମୁହଁରେ ସ୍ମିତ ହସ ଟିକେ ଫୁଟି ଉଠିଲା ।

ରଜତ ଓ ଅଶୋକ ଦାସ ବାହାରକୁ ବାହାରି ଆସିଲେ ।

ସେଦିନ ନୀଳିମାକୁ ସଙ୍ଗରେ ନେଇ କଟକରେ ପହଞ୍ଚିଲା ବେଳକୁ ରାତି ପ୍ରାୟ ବାରଟା ହୋଇଯାଇଥିଲା । ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ବିଶେଷ ଚେଷ୍ଟା ଯୋଗୁ ଅଶୋକ ଦାସ ନୀଳିମାକୁ ସଙ୍ଗରେ ଧରି କଟକ ଫେରି ପାରିଥିଲେ । ରଜତକୁ ସେ ପୂର୍ବରୁ କଟକ ପଠାଇ ଦେଇଥିଲେ । କାରଣ ଆଜି ରାତି ଭିତରେ ତାଙ୍କୁ ବହୁ ସମସ୍ୟାର ସମାଧାନ କରିବାକୁ ଥିଲା ।

ନୀଳିମା ବିଶେଷ କ୍ଳାନ୍ତ ଥିବାରୁ ମଟରରେ ଶୋଇ ପଡ଼ିଥିଲା । ଅଶୋକ ଦାସ ତା’ସହିତ ଆଉ ବିଶେଷ କଥାବାର୍ତ୍ତା ହେବାର ସୁଯୋଗ ପାଇ ନ ଥିଲେ । ସେ ଗାଡ଼ିରେ ବସି ବସି ଭାବୁଥିଲେ ଲୀଳାବତୀ କଥା । ଆଜି ହୁଏତ ସେ ଆସି ତାଙ୍କ ନିକଟରେ ପହଞ୍ଚିବ । ତା’ ନ ହେଲେ ତାଙ୍କ ଅନୁମାନ ସବୁ ମିଥ୍ୟା ହୋଇଯିବ ।

 

ଗାଡ଼ି ଠିଆ କରେଇ ଅଶୋକ ଦାସ ନୀଳିମାକୁ ନିଦରୁ ଉଠାଇଲେ । ଦୁହେଁ ଉପରକୁ ଉଠିଲେ । ନୀଳିମା ଉପରେ ଯାଇ ଗୋଟିଏ ସୋଫା ଉପରେ ପୁଣି ଶୋଇ ପଡ଼ିଲା । ତା’ର ଯେପରି ପୃଥିବୀର ଆଉ କୌଣସି କଥା ଜାଣିବାର ବା ଶୁଣିବାର ଆଗ୍ରହ ନ ଥିଲା । ଅଶୋକ ଦାସ ମଧ୍ୟ ନିଶ୍ଚିନ୍ତ ହେଲେ । ରାତି ପାହିଲେ ନୀଳିମା ସହିତ କଥାବାର୍ତ୍ତା ହେବେ ।

 

ଅଶୋକ ଦାସ ଚାକରକୁ ଡ଼ାକି କଫି କପେ ଆଣିବାକୁ କହି ଦରଜା ଖୋଲି ବାହାରକୁ ଚାହିଁଲେ । ରାସ୍ତା ଜନଶୂନ୍ୟ ! ରହି ରହି ରିକ୍‌ସା ଖଣ୍ଡିଏ ଅଧେ ଚାଲି ଯାଉଛି । ବେଳେବେଳେ ବୁଲା କୁକୁରଟା ଭୁକି ଉଠୁଛି ।

 

କିନ୍ତୁ ଲୀଳବତୀ ଏତେବେଳ ଯାଏ ଆସିଲା ନାହିଁ କାହିଁକି ? ତା’ ହେଲେ ତାଙ୍କର ଅନୁମାନ, ସମସ୍ତ କାଲ୍‌କୁଲେସନ କ’ଣ ଫେଲ୍‌ କରିଯିବ । ସେ ତା’ହେଲେ କ’ଣ ଏକ ଭୁଲ୍‌ପଥରେ ପରିଚାଳିତ ହେଉଥିଲେ ?

 

ରାତି ଆହୁରି ଘନେଇ ଆସୁଥିଲା । ଅଶୋକ ଦାସ ବାରଣ୍ଡା ଉପରେ ଠିଆ ହୋଇ ସିଗାରେଟ୍‌ ଟାଣୁଥିଲେ । ପ୍ରତିଟି ରିକ୍‌ସାର ଗତିବିଧି ଲକ୍ଷ୍ୟ କରୁଥିଲେ । ନା, ତାଙ୍କର ସମସ୍ତ ଆଶା ଆଶଙ୍କାରେ ପରିଣତ ହୋଇଯିବ ।

 

ଅଶୋକ ଦାସ ଫେରି ଯାଇ କଫି ଖାଇଲେ । ଦିଆଲ ଘଡ଼ିରେ ଦୁଇଟା ବାଜିବାର ଶବ୍ଦ ହେଲା । ଅଶୋକ ଦାସଙ୍କ ଆଖି ତନ୍ଦ୍ରାରେ ଭାରିହୋଇ ଉଠିଲା । ସେ ନିଜକୁ ସତେଜ ରଖିବା ପାଇଁ ସିଗାରେଟ୍‌ ଉପରେ ସିଗାରେଟ୍‌ ଧରିଲେ ।

 

ହଠାତ୍‌ ଖଡ଼୍‌କରି କ’ଣ ଗୋଟାଏ ଶବ୍ଦ ହେଲା । ଅଶୋକ ଦାସ ସତେଜ ହୋଇ ଉଠିଲେ । ତା’ପରେ କବାଟରେ କରାଘାତ ଶୁଣି ଜାଣି ପାରିଲେ, ରଜତ ଫେରିଚି । ଆନନ୍ଦରେ ତାଙ୍କ ଅନ୍ତରଟା ନାଚି ଉଠିଲା । ସେ ଧାଇଁ ଯାଇ ଦରଜା ଖୋଲିଦେଲେ ।

 

ରଜତ ହସି ହସି ଭିତରେ ପ୍ରବେଶ କଲା । କୋର୍ଟର ଭିତର ପକେଟରୁ ଖଣ୍ଡିଏ କାଗଜ ବାହାର କରି ଅଶୋକ ଦାସଙ୍କ ହାତକୁ ବଢ଼ାଇ ଦେଲା ।

 

ଅଶୋକ ଦାସ ସେଇଟାକୁ ଖୋଲୁ ଖୋଲୁ କହିଲେ, ତୁମେ ସେ ଅସଲଟା ଘେନି ଆସିଲ ରଜତ !

 

ଆଉ ଉପାୟ ନ ଥିଲା ସାର୍‌ ! ସେଠାରେ କପି କରିବାର କୌଣସି ସୁଯୋଗ ନ ଥିଲା । ମୁଁ ବର୍ତ୍ତମାନ କପି କରି ନେଇ ଅସଲଟା ରଖିଆସି ପାରିବି ।

 

ଅଶୋକ ଦାସ କାଗଜଟାକୁ ଗୋଟାଏ ଟେବୁଲ ଉପରେ ଖୋଲି ଧରିଲେ । ଖଣ୍ଡିଏ ନକ୍‌ସା । ଦୁହେଁ ଏକ ଦୃଷ୍ଟିରେ ସେହିଆଡ଼େ ଚାହିଁ ରହିଲେ । ଗଛ ଲତା, ପାହାଡ଼ ପର୍ବତ । ଏହିପରି ନାନା ପ୍ରକାର ସାଙ୍କେତିକ ଚିହ୍ନ ପୂରି ରହିଥିଲା । ଏକ ସମୟରେ ରଜତ କହି ଉଠିଲା, ମୋର ମନେ ହେଉଛି.....

 

କ’ଣ ମନେ ହେଉଛି ରଜତ ! କୁହ, ଅଟକିଲ କାହିଁକି ?

 

କିନ୍ତୁ...ଟିକିଏ ଚିନ୍ତା କରି ନକ୍‌ସାର ଗୋଟିଏ ସ୍ଥାନରେ ଆଙ୍ଗୁଳି ମାରି ରଜତ କହିଲା, ଏହି ସ୍ଥାନଟା ସମ୍ୱନ୍ଧରେ ମୋର ସନ୍ଦେହ ହେଉଛି । ଏଠାରେ ଏତେବଡ଼ ଗୋଟାଏ ନଦୀ ଥିଲା ପରି ତ ମୋର ମନେ ହେଉନାହିଁ ।

 

ତୁମେ କ’ଣ ଏ ନକ୍‌ସାଙ୍କିତ ସ୍ଥାନଟି ଚିହ୍ନି ପାରୁଚ ରଜତ ?

 

ମୋର ମନେ ହେଉଚି କାଲି ରାତିରେ ମୁଁ ଯେଉଁ ଜାଗାକୁ ଯାଇଥିଲି, ଏ ସେଇ ଜାଗାର ନକ୍‌ସା । ହେଇ ଦେଖନ୍ତୁ ସେ ଜୀର୍ଣ୍ଣ କୋଠାଟା ପର୍ଯ୍ୟନ୍ତ ଏଥିରେ ସ୍ଥାନ ପାଇଛି । ସେ ପାହାଡ଼ଟା, ତା ପରେ ଏହି ବୁଦ୍‍ବୁଦିକିଆ ଜଙ୍ଗଲ, ଦକ୍ଷିଣ ପାର୍ଶ୍ୱକୁ ଏଇ ବିରାଟ ପଡ଼ିଆ, କିନ୍ତୁ ଏଇ ପଡ଼ିଆ ମଝିରେ ଯେଉଁ ଗୋଲାକାର ଚିହ୍ନଟି ରହିଚି, ତା’ର ଅର୍ଥ ତ କିଛି ବୁଝି ହେଉନାହିଁ ।

 

ସେଇଠି ଉଡ଼ାଜାହାଜ ଓହ୍ଲେଇବ । ହଠାତ୍‌ ଗୋଟିଏ ଆକସ୍ମିକ ନାରୀ କଣ୍ଠର ସ୍ୱର ଶୁଣି ଅଶୋକ ଦାସ ଓ ରଜତ ଦୁହେଁ ଚମକି ଉଠିଲେ । ଲୀଲାବତୀ । ଲୀଳାବତୀ ସେମାନଙ୍କ ପଛଆଡ଼େ ଠିଆ ହୋଇଛି । ଅଶୋକ ଦାସ ପ୍ରଥମେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ଲୀଳାବତୀ ସିଧାସଳଖ ଏଠାକୁ ଆସିପାରିଲା କିପରି ! ! ତାଙ୍କର ମନେ ପଡ଼ିଲା ରଜତ ଘରେ ପ୍ରବେଶ କଲା ପୂର୍ବରୁ ଅଶୋକ ଦାସ ଦରଜା ଖୋଲିଥିଲେ ସତ, କିନ୍ତୁ ବନ୍ଦ କରିବାକୁ ଭୁଲି ଯାଇଥିଲେ । ଅଶୋକ ଦାସ ରଜତକୁ କହିଲେ ଦରଜାଟା ବନ୍ଦ କରି ଆସିବା ପାଇଁ । ଲୀଳାବତୀ କହିଲା, ଥାଉ, ମୁଁ ବନ୍ଦ କରିଦେଇ ଆସିଚି ।

 

ଅଶୋକ ଦାସ ଗୋଟିଏ ସିଗାରେଟ୍‌ରେ ଅଗ୍ନି ସଂଯୋଗ କରି କହିଲେ, ମୁଁ ଜାଣିଥିଲି ଆପଣ ଆସିବେ ଲୀଳାଦେବୀ । କାରଣ ଜୀବନର ମମତା ସମସ୍ତଙ୍କର ଜୀବନରେ ଅଛି । ହଁ କ’ଣ କହିଲେ, ନକ୍‌ସାରେ ଏଇ ଯେଉଁ ଗୋଲାକାର ସ୍ଥାନଟି ଦିଶୁଚି, ଏଇଠି ଉଡ଼ାଜାହାଜ ଓହ୍ଲେଇବ ?

 

ଲୀଳବତୀ ଆଉଥରେ ନକ୍‌ସା ଆଡ଼େ ଚାହିଁ କହିଲା, ହଁ ଏବଂ ନକ୍‌ସାର ଗୋଟିଏ ହାତ ମାରି କହିଲା, ଏହି ଯେଉଁ ସ୍ଥାନଟି ଦେଖୁଛନ୍ତି, ଏହା ହେଉଛି ଗୋଟିଏ ଜୀର୍ଣ୍ଣ କୋଠା । ଏହାରି ଭିତରେ ସମସ୍ତ ଧନସମ୍ପଦ ଲୁଚେଇ ରଖା ହୋଇଛି । କାଲି ରାତିରେ ଉଡ଼ାଜାହାଜ ଭର୍ତ୍ତି ହୋଇ ସବୁ ବାହାରକୁ ଚାଲିଯିବ । କେହି କୌଣସି ସଂଧ୍ୟାନ ପାଇବେ ନାହିଁ ।

 

ହୁଁ, ଅଶୋକ ଦାସ ଗମ୍ଭୀର ହୋଇ ବସିଲେ । କେତୋଟି ମୁହୂର୍ତ୍ତ ମାତ୍ର; ତା’ପରେ କହିଲେ–ରଜତ, ତୁମେ ଖୁବ୍‌ ଶୀଘ୍ର ନକ୍‌ସାର ଗୋଟିଏ କପି କରି ଅସଲଟା ଯଥା ସ୍ଥାନରେ ରଖିଦେଇ ଆସ । ଯାଅ, ଆର ଘରେ ବସି ଠିକ୍‌ଠାକ୍‌ କର । ମୁଁ ଏଠାରେ ଲୀଳାଦେବୀଙ୍କ ସହିତ କେତେକ ଦରକାରୀ ସମସ୍ୟାର ଆଲୋଚନା କରୁଛି ।

 

ରଜତ ସଙ୍ଗେ ସଙ୍ଗେ ଉଠି ଚାଲିଗଲା ।

 

ଅଶୋକ ଦାସ କହିଲେ, ଆପଣ ମୋତେ ବିଶ୍ୱାସ କରି ପାରିଲେ ଲୀଳାଦେବୀ ? ମୁଁ ଆପଣଙ୍କୁ ବିପଦରେ ତ ପକାଇପାରେ ? ଗୋଟାଏ ଖୁଣ୍‌ର ଅପରାଧ ଆପଣଙ୍କ ବେକରେ ଝୁଲୁଛି-

 

ଲୀଳାବତୀ ମୁହଁରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ ଦେଖାଗଲା ନାହିଁ । ବରଂ ସେ ଦୃଢ଼ ସ୍ୱରରେ କହିଲା, ମଣିଷ ଅବସ୍ଥାର ଦାସ ଅଶୋକବାବୁ ! ଆପଣଙ୍କ ନିକଟରେ ଆଜି ଆଉ ଆତ୍ମଗୋପନ କରି କିଛି ଲାଭ ନାହିଁ । ମୁଁ ଜାଣେ ଆପଣ ଶରଣାଗତମାନଙ୍କୁ ନିର୍ଭୟ ଆଶ୍ରୟ ଦିଅନ୍ତି-। ତେଣୁ ମୋ ଦାୟିତ୍ୱ ଆଜିଠାରୁ ଆଉ ମୋର ନୁହେଁ, ଆପଣଙ୍କର ।

 

ଅଶୋକ ଦାସଙ୍କ ମୁହଁରେ ଚିନ୍ତାର ରେଖା ଫୁଟି ଉଠିଲା । ସେ ଗମ୍ଭୀର ସ୍ୱରରେ ପଚାରିଲେ, ତୁମେ ତା’ହେଲେ କ’ଣ ଅଳକାକୁ ହତ୍ୟା କରିଛ ?

 

ମୋର କୌଣସି ଉପାୟ ନ ଥିଲା ଅଶୋକବାବୁ ! ହୁକୁମ୍‌ ତାମିଲ୍‌ କରିବାକୁ ମୁଁ ବାଧ୍ୟ ହୋଇଥିଲି । ଲୀଳାବତୀ ସ୍ୱରରେ ଦୃଢ଼ତା ଭରି ରହିଥିଲା ।

 

ତା’ହେଲେ ଅଳକା ସମରେଶ ମଦନରାଏଙ୍କ ନିକଟରେ ଗୁପ୍ତଚର କାର୍ଯ୍ୟ କରୁଥିଲା ।

 

ଏକପ୍ରକାର ସେଇଆ । ସମରେଶ ମଦନରାଏଙ୍କ ଘରେ ରବିଶଙ୍କର ସମ୍ୱନ୍ଧରେ କେବେ କୌଣସି କଥା ଆଲୋଚନା ହେଉଛି କି ନାହିଁ, ଅଳକା ସେଇ ଖବର ସରବରାହ କରିବାପାଇଁ ସେଠାରେ ନିଯୁକ୍ତି ହୋଇଥିଲା । ସେ ଠିକ୍‌ ସମୟରେ ଖବର ସରବରାହ କରିଥିଲା । ତା’ କାର୍ଯ୍ୟ ସେତିକିରେ ଶେଷ ହୋଇଥିଲା । ତେଣୁ ତାକୁ ସବୁଦିନ ପାଇଁ ବାଟରୁ ଘୁଞ୍ଚେଇ ଦିଆହେଲା ।

ଚମତ୍କାର ଲୀଳାଦେବୀ ! କୁମାରଶଙ୍କରର ବୁଦ୍ଧିକୁ ବଧେଇ ଜଣେଇବାକୁ ଇଚ୍ଛା ହେଉଛି-। ଏଥର ଆପଣଙ୍କ କଥା କୁହନ୍ତୁ ।

କୁମାରଶଙ୍କର ନାଁ ଶୁଣି ଲୀଳାବତୀର ଆଖି କପାଳକୁ ଉଠି ଯାଇଥିଲା । ସେ ବୋଧହୁଏ ଅଶୋକ ଦାସଙ୍କ ମୁହଁରୁ କୁମାରଶଙ୍କରର ନାଁ ଶୁଣିଛି ବୋଲି ବିଶ୍ୱାସ କରିପାରୁ ନ ଥିଲା-। ସନ୍ଦିଗ୍‌ଧ ସ୍ୱରରେ ଧୀରେ ଧୀରେ ପଚାରିଲା, ଆପଣ ତା’ହେଲେ ସବୁ ଘଟଣା ଜାଣିଛନ୍ତି ?

ଯାହା ଜାଣିଛି ସାମାନ୍ୟ । ଅଶୋକ ଦାସ କହିଲେ–ପ୍ରକୃତ ହତ୍ୟାକାରୀଙ୍କୁ ଖୋଜିବା ପାଇଁ ମୁଁ ସମରେଶ ମଦନରାଏଙ୍କ ପର୍ଯ୍ୟନ୍ତ ଯାଇଥିଲି । ବର୍ତ୍ତମାନ ଭାବୁଛି ନ ଯାଇଥିଲେ ଭଲ ହୋଇ ଥାଆନ୍ତା । ଆପଣ କ’ଣ ରବିଶଙ୍କର ହତ୍ୟାକାଣ୍ଡ ସମ୍ୱନ୍ଧରେ କିଛି ଜାଣନ୍ତି ?

ସେତିକି ଜାଣିଛି ବୋଲି ତ ମୋ ଜୀବନ ଶଙ୍କଟାପନ୍ନ । ଅଳକା ସେଇଥିପାଇଁ ପ୍ରାଣ ହରାଇଲା । ତା’ପରେ ମୋର ପାଳି । ଆଶା କରୁଛି ଏ ଯାତ୍ରାରୁ ମୁଁ ରକ୍ଷା ପାଇଗଲି ।

କିପରି ? ଅଶୋକ ଦାସ ଗମ୍ଭୀର ହୋଇ ପଚାରିଲେ ।

ଲୀଳାବତୀ ସାମାନ୍ୟ ହସି କହିଲା, ମୁଁ ଆପଣଙ୍କୁ ଚିହ୍ନି ପାରିଛି ଅଶୋକବାବୁ ! ମୋତେ ଆପଣଙ୍କ ଗତିବିଧି ନିରୀକ୍ଷଣ କରିବା ପାଇଁ ନିଯୁକ୍ତି କରା ହୋଇଥିଲା । ମୁଁ କିନ୍ତୁ ସମସ୍ତ ଭୁଲ୍‌ ରିପୋର୍ଟ ଦେଇଛି । ଯାହାଦ୍ୱାରା ସେମାନେ ଆପଣଙ୍କୁ ସନ୍ଦେହ ଭିତରକୁ ଆଣିନାହାନ୍ତି ।

ଆଚ୍ଛା ! ଅଶୋକ ଦାସଙ୍କ ଭୁରୁ ଯୋଡ଼ାକ ନାଚି ଉଠିଲା । କହିଲେ, ଆପଣ ମୋ ସମ୍ୱନ୍ଧରେ ମିଥ୍ୟା ରିପୋର୍ଟ କାହିଁକି ଦେଉଥିଲେ ?

 

ମୁଁ ଜାଣିଥିଲି, ଜୀବନ ସହିତ ଜୁଆଖେଳ ଖେଳି ଆଉ ପାରିବି ନାହିଁ । ମୋର ଧାରଣା ଥିଲା ଏକମାତ୍ର ଅଭୟ ଆଶ୍ରୟ ଆପଣ । ତେଣୁ ଆପଣଙ୍କୁ ବଞ୍ଚାଇ ନିଜର ପ୍ରାଣରକ୍ଷା କରିବାପାଇଁ ମୁଁ ସବୁ ଉଦ୍ୟମ କରି ଆସିଛି । ଲୀଳାବତୀ ଗୋଟିଏ ଦୀର୍ଘନିଶ୍ୱାସ ତ୍ୟାଗ କରି ନୀରବ ହେଲା ।

 

ଅଶୋକ ଦାସ ଦୀର୍ଘ ସମୟ କ’ଣ ଚିନ୍ତାକରି କହିଲେ, ଆପଣ ନିଶ୍ଚିନ୍ତ ଭାବେ ଜାଣନ୍ତି ଯେ କୁମାରଶଙ୍କରର ଅନ୍ୟ ରୂପ ରାଘବାନନ୍ଦ ହରିଚନ୍ଦନ ?

 

ହଁ, ଏଥିରେ ସନ୍ଦେହ କରିବାର କିଛି ନାହିଁ । ଲୀଳାବତୀ ସହଜ ଓ ସରଳ ସ୍ୱରରେ କହିଲା ।

 

ହୁଁ । ଆପଣ କିନ୍ତୁ ମୋତେ ବଡ଼ ସନ୍ଦେହରେ ପକାଇଲେ ଲୀଳାଦେବୀ ! ଆଚ୍ଛା ସମରେଶ ମଦନରାଏଙ୍କୁ କ’ଣ ସେମାନେ ହତ୍ୟା କରିଛନ୍ତି ?

 

ନା, ତାଙ୍କୁ ପୁନା ପଠାଇ ଦେଇଛନ୍ତି । ମୁଁ ଯେତେଦୂର ଜାଣେ ସେ ଭଲ ଅଛନ୍ତି । ରାଘବାନନ୍ଦଙ୍କ ପାଖକୁ ହୋସେନ୍‍ ନାମରେ ଜଣେ ଲୋକ ଗୁରୁଜୀଙ୍କ ପାଖରୁ ଆସିଛି, ଆପଣ ବୋଧହୁଏ ଜାଣିଥିବେ !

 

ଆଚ୍ଛା, ସେଇ ଗୁରୁଜୀଟି କିଏ କହିଲେ ? ଅଶୋକ ଦାସ ପଚାରିଲେ ।

 

ସେଇତ ରାଘବାନନ୍ଦଙ୍କ କର୍ଣ୍ଣଧାର । ସମରେଶ ମଦନରାଏ ପୁନାରେ ତାଙ୍କରି ତତ୍ତ୍ୱାବଧାନରେ ଅଛନ୍ତି । ଆଉ ସେଇ ଗୁରୁଜୀଙ୍କ ନିର୍ଦ୍ଦେଶରେ ଏଣେ ରାଘବାନନ୍ଦଙ୍କ ତରୀ ଚଳେ । ଏପରିକି ‘ଓଡ଼ିଶା ଷ୍ଟିଲ୍‌ ଲିମିଟେଡ଼୍’ ସେଇ ଗୁରୁଜୀଙ୍କ ପରିକଳ୍ପନା ।

 

ହୁଁ ! ଆପଣ ତା’ହେଲେ ଅନେକ ଖବର ଜାଣିଛନ୍ତି । ବର୍ତ୍ତମାନ ସେମାନଙ୍କର ପ୍ରୋଗ୍ରାମ ହେଉଛି, ଓଡ଼ିଶା ଷ୍ଟିଲ୍‍ ଲିମିଟେଡ଼୍ ପାଇଁ ଆଦାୟ ହୋଇଥିବା କୋଟି କୋଟି ଟଙ୍କା ଧରି ରାଘବାନନ୍ଦ ହରିଚନ୍ଦନ କାଲି ସେହି ପାର୍ବତ୍ୟ ଅଞ୍ଚଳରୁ ଉଡ଼ାଜାହାଜ ଯୋଗେ ଓଡ଼ିଶା ଛାଡ଼ି ଚାଲି ଯାଉଛନ୍ତି ? ଅଶୋକ ଦାସ ଯେପରି ଗଭୀର ଭାବରେ ଚିନ୍ତା କରି କରି କହୁଥିଲେ ।

 

ଆଜ୍ଞା ! ଆଉ ଗୋଟିଏ ଶୁଭ ଖବର ହେଉଛି, ଯେଉଁ ଉଡ଼ାଜାହାଜଟି କାଲି ନିର୍ଦ୍ଦିଷ୍ଟ ସ୍ଥାନରେ ଓହ୍ଲେଇବ, ସେଥିରେ ଖୋଦ୍‌ ଗୁରୁଜୀ ଥିବେ ଏବଂ ସଙ୍ଗରେ ସେ ସମରେଶ ମଦନରାଏଙ୍କୁ ଆଣିଥିବେ । କାରଣ ରାଘବାନନ୍ଦ ଓଡ଼ିଶା ଛାଡ଼ି ଚାଲି ଯାଉଥିବାରୁ ମଦନରାଏ ତାଙ୍କର ଆଉ କୌଣସି ଅନିଷ୍ଟ କରିପାରିବେ ନାହିଁ । ସେଇଥି ପାଇଁ......

 

ରଜତ ହଠାତ୍‌ ଘରେ ପ୍ରବେଶ କରିବାରୁ ଲୀଳାବତୀର କଥା ଅସମାପ୍ତ ରହିଗଲା ।

 

ତମେ ଏପରି ବିଚଳିତ ଦେଖା ଯାଉଚ କାହିଁକି ରଜତ ? ଅଶୋକ ଦାସ ପଚାରିଲେ ।

 

ରାତି ଶେଷ ହୋଇ ଆସିଲାଣି । ରଜତ ହାତଘଡ଼ିକୁ ଚାହିଁ କହିଲା–ତେଣୁ ଭାବୁଚି ନକ୍‌ସାଟି ନେଇ ଯଥାସ୍ଥାନରେ ରଖିପାରିବି କି ନାହିଁ ।

 

ଅଶୋକ ଦାସ ଦିଆଲ ଘଡ଼ିକୁ ଚାହିଁ ଠିଆହୋଇ ପଡ଼ିଲେ । ସତେ ତ ! ! ଚାରିଟା ବାଜିଗଲାଣି ଯେ ! ଏହାପରେ ତୁମେ ଆଉ ଯିବା ଆଦୌ ନିରାପଦ ହେବ ନାହିଁ । କିନ୍ତୁ ଯେପରି ହେଉ ନକ୍‌ସାଟି ଯଥା ସ୍ଥାନରେ ରଖି ନ ଆସିଲେ ସମସ୍ତ ପ୍ଳାନ୍ ଯେ ମାଟି ହୋଇଯିବ । ଅଶୋକ ଦାସ କିପରି ବିଚଳିତ ହୋଇ ଉଠିଲେ । ସେ ରଜତ ହାତରୁ ନକ୍‌ସାଟିକୁ ଟାଣି ଆଣି ଲୀଳାବତୀ ଆଡ଼େ ଚାହିଁ କହିଲେ, ମୁଁ ଆପଣଙ୍କୁ ଗୋଟାଏ କାର୍ଯ୍ୟ କରିବାକୁ ଅନୁରୋଧ କରିପାରେ ?

 

ଲୀଳାବତୀ ସ୍ମିତ ହସି କହିଲା, ଆପଣ ମୋତେ ଆଦେଶ କରିପାରନ୍ତି । କିନ୍ତୁ ମୋର ଗୋଟିଏ ବିନୀତ ଅନୁରୋଧ, ମୋତେ ଆଉ ଆପଣ କୁହନ୍ତୁ ନାହିଁ ।

 

କିନ୍ତୁ....ଅଶୋକ ଦାସ କ’ଣ କହିବାକୁ ଯାଇ ଅଟକି ଗଲେ ।

 

କ’ଣ କୁହନ୍ତୁ, ଦ୍ୱିଧା କରିବାର କିଛି ନାହିଁ । ଲୀଳାବତୀ କହିଲା ।

 

ତୁମ ଜୀବନ ଯେଉଁଠି ସଙ୍କଟାପନ୍ନ, ମୁଁ ତୁମକୁ ସେଠାକୁ ପଠାଇବି କିପରି ?

 

ଲୀଳାବତୀ ହସିଲା । କହିଲା, ଆଗାମୀ ରାତ୍ରି ଦଶଟା ପର୍ଯ୍ୟନ୍ତ ମୁଁ ରାଘବାନନ୍ଦଙ୍କର ଅତ୍ୟନ୍ତ ବିଶ୍ୱାସ ଭାଜନ । ମୋ ଉପରେ ଆହୁରି ଦୁଇଟା ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ସମାଧାନ କରିବାର ଭାର ଅଛି । ତା’ପୂର୍ବରୁ ମୋ ଜୀବନ ନେଇ ଖେଳ ଖେଳିବାକୁ ସେମାନେ ଦୁଃସାହସ କରିପାରିବେ ନାହିଁ । ଠିକ୍‌ ରାତି ଦଶଟା ବାଜିଗଲେ, ରାଘବାନନ୍ଦଙ୍କର କାର୍ଯ୍ୟ ଶେଷ ହୋଇଗଲେ, ମୁଁ ଯଦି ତାଙ୍କ ନୀତି ଅନୁସରଣ କରି ଆଗେଇ ଯିବି, ତା’ହେଲେ ପୃଥିବୀର କୌଣସି ଶକ୍ତି ମୋର ମୃତ୍ୟୁ ଅବରୋଧ କରିପାରିବ ନାହିଁ ।

 

ଅଶୋକ ଦାସ କିନ୍ତୁ ଘନ ଘନ ହାତ ଘଡ଼ିକୁ ଚାହୁଁଥିଲେ ।

 

ଲୀଳବାତୀ କହିଲା ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ମୋ ଉପରେ ବିଶ୍ୱାସ ରଖନ୍ତୁ । ନକ୍‌ସାଟି ନେଇ କେହି ନ ଜାଣିବା ପୂର୍ବରୁ ମୁଁ ଠିକ୍‌ ଜାଗାରେ ରଖି ଦେବି । ମୁଁ ଏଠାକୁ ଆସିବା ପୂର୍ବରୁ ଯେଉଁ ବ୍ୟବସ୍ଥା କରିଦେଇ ଆସିଛି , ଏକା ରାଘବାନନ୍ଦ କାହିଁକି ଘରର କୌଣସି ଚାକର ବାକରଙ୍କର ନିଦ ମଧ୍ୟ ସକାଳ ଛ’ଟା ପୂର୍ବରୁ ଭାଙ୍ଗିବ ନାହିଁ । କୁହନ୍ତୁ ଏଥର, ମୁଁ ନିର୍ଭୟରେ ଆପଣର ଆଶ୍ରୟ ପାଇପାରିବି ତ ?

 

ତୁମ ସହିତ ଦେଖା ହେବ କେଉଁଠି ? ଅଶୋକ ଦାସ ପଚାରିଲେ ।

 

ଠିକ୍‌ କହି ପାରୁନାହିଁ । ତେବେ ରାତି ୧୦ଟା ପୂର୍ବରୁ ମୁଁ ଏଠାକୁ ଚାଲି ଆସିବି । ଏଇଆକୁ ମୋର ନିରାପଦ ଆଶ୍ରୟ ବୋଲି ଧରି ନେଇଛି ।

 

ବେଶ୍‌ ! ମୋର କୌଣସି ଆପତ୍ତି ନାହିଁ । ରଜତ ଆଡ଼େ ଚାହିଁ କହିଲେ, ତୁମେ ଟିକେ ଲୀଳବତୀ ପ୍ରତି ଲକ୍ଷ୍ୟ ରଖିଥିବ । କାରଣ ସେ ବିପଦାପନ୍ନ । ଆଚ୍ଛା, ତୁମେ ଏବେ ଯାଇ ପାର ଲୀଳାବତୀ । ମୋତେ ଏହି ଅଳ୍ପ ସମୟ ଭିତରେ ବହୁତ କାମ କରିବାକୁ ପଡ଼ିବ ।

 

ହୁଁ, ଆଉ ଗୋଟାଏ କଥା ! ଲୀଳାବତୀ ଚାଲି ଯାଉ ଯାଉ ଫେରି ଆସିଲା । ରାଘବାନନ୍ଦ ହରିଚନ୍ଦନ ଯେଉଁଦିନ ଯେତେ ଟଙ୍କା ଆଦାୟ କରିଛନ୍ତି, ସେ ଦିନ ସେତିକି ଟଙ୍କାର ସୁନା କିଣିଛନ୍ତି । ପ୍ରତିଦିନ ସେ ସୁନା କିଣିଛନ୍ତି, ଆଉ ନିଜେ ସେ ସୁନା ଖଣ୍ଡ ନେଇ ନିର୍ଦ୍ଦିଷ୍ଟ ସ୍ଥାନର ଏକ ଜୀର୍ଣ୍ଣ କୋଠା ଭିତରେ ଲୁଚେଇ ଆସିଛନ୍ତି । ମୋଟ କଥା ଓଡ଼ିଶା ଷ୍ଟିଲ୍‍ ପାଇଁ ଯେତେ କୋଟି ଟଙ୍କା ଆଦାୟ ହୋଇଛି, ସବୁ ଟଙ୍କାର ସେ ସୁନା କିଣି ସେହି ଜୀର୍ଣ୍ଣ କୋଠା ଭିତରେ ରଖିଛନ୍ତି । ହେଲିକୋପ୍‍ଟର ଆସି ସେଠି ଓହ୍ଲେଇବ । ସୁନାଖଣ୍ଡଗୁଡ଼ିକ ସେଥିରେ ଭର୍ତ୍ତିକରି ସେମାନେ ଏଠାରୁ ଚିରବିଦାୟ ନେଇ ଚାଲିଯିବେ ।

 

ହରିଚନ୍ଦନ ତୁମକୁ କୌଣସି ପ୍ରତିଶ୍ରୁତି ଦେଇ ନାହାନ୍ତି ? ଅଶୋକ ଦାସ ପଚାରିଲେ ।

 

ଲୀଳାବତୀ ମୁହୂର୍ତ୍ତେ ନୀରବ ରହି ଟିକିଏ ହସିଦେଲା । କିପରି ଲାଜୁରା ଚାହାଣୀରେ ଚାହିଁ କହିଲା, ସମସ୍ତଙ୍କ ଠାରୁ ମୋତେ ସେ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି ।

 

କ’ଣ ?

 

ମୋତେ ସେ ସଙ୍ଗରେ ନେଇଯିବେ ଏବଂ ଜୀବନ ସଙ୍ଗିନୀ କରି ରଖିବେ । ଲୀଳାବତୀ ଅନ୍ୟଆଡ଼େ ମୁହଁ ବୁଲେଇନେଲା ।

 

ତା’ହେଲେ ତୁମେ ତାଙ୍କ ସହିତ ଏପରି ବିଶ୍ୱାସଘାତକତା କରିବା ଠିକ୍‌ ହେଉ ନାହିଁ । ଅଶୋକ ଦାସ କହିଲେ ।

 

ମୋ ମନରେ ଆଜିଯାଏ ସେହି ନିଶା ଘାରିଥିଲା । ଲୀଳାବତୀ କହିଲା, ସେଇଥିପାଇଁ ମୁଁ ନିର୍ବିବାଦରେ ତାଙ୍କର ସମସ୍ତ ଆଦେଶ ପାଳନ କରି ଆସିଥିଲି । ନ୍ୟାୟ ଅନ୍ୟାୟ କିଛି ବିଚାର ନ କରି ପ୍ରାଣ ଉତ୍ସର୍ଗ କରି କାମ କରି ଚାଲିଥିଲି । ନାରୀ ଚାହେଁ ଗୋଟିଏ ଆଶ୍ରୟ । ହରିଚନ୍ଦନଙ୍କୁ ମୁଁ ମୋର ଶ୍ରେଷ୍ଠ ଆଶ୍ରୟ ଧରି ନେଇଥିଲି । ସେ ମଧ୍ୟ ମୋତେ ପ୍ରତି ମୁହୂର୍ତ୍ତରେ ଆଶା ଦେଉଥିଲେ, ଆଶ୍ୱାସନା ଦେଉଥିଲେ । କିନ୍ତୁ କିଛିଦିନ ଆଗରୁ ତାଙ୍କର ଅସତର୍କ ମୁହୂର୍ତ୍ତରେ ଏପରି କଥା ଶୁଣିଲି.....ଲୀଳାବତୀ ଶିହରୀ ଉଠିଲା । ତା’ପରେ ଧୀରେ ଧୀରେ କହିଲା, ହୋସେନ୍‍ ଆଉ ହରିଚନ୍ଦନ କଥାବାର୍ତ୍ତା ହେଉଥିଲେ । ମୁଁ ଆରପାଖ ଘରେ କ’ଣ ଗୋଟାଏ କାମ କରୁଥିଲି । କାଠର ପାର୍ଟିସନ ଥିବାରୁ କଥାଗୁଡ଼ିକ ସ୍ପଷ୍ଟ ଶୁଣା ଯାଉଥିଲା । ହୋସେନ୍‍ ପଚାରିଲା, ଲୀଳାବତୀ କଥା ଆପଣ କ’ଣ ସିଦ୍ଧାନ୍ତ କରିଛନ୍ତି ?

 

ହରିଚନ୍ଦନ କହିଲେ, ଭାବିଚି ପ୍ଳେନ୍‌ରେ ବସାଇ ସଙ୍ଗରେ ନେଇଯିବି ।

 

ତା’ପରେ ? ହୋସେନ୍‍ ପଚାରିଲା ।

 

ହରିଚନ୍ଦନ ହସିଉଠି କହିଲେ, ତା’ପରର କଥା ଆହୁରି ପଚାରିବାକୁ ହେଉଚି ହୋସେନ୍‍-! ଆକାଶମାର୍ଗରୁ ଗୋଟିଏ ଧକ୍‌କା ଦେଲେ ଲୀଳାବତୀର ସମସ୍ତ ସତ୍ତା ପୃଥିବୀରୁ ଲୋପ ହୋଇଯିବ । ହରିଚନ୍ଦନ ହିଂସ୍ର ହସରେ ଘର କମ୍ପାଇ ଦେଲେ । ମୋର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଶୀତଳ ହୋଇଗଲା । ତା’ପରେ ମୁଁ ପ୍ରାୟ ଅଧଘଣ୍ଟା କାଳ ବସିବା ସ୍ଥାନରୁ ଉଠିପାରି ନ ଥିଲି । ଲୀଳାବତୀ ଆଖିରେ ହିଂସ୍ର ଚାହାଣୀ ଫୁଟି ଉଠିଲା ।

 

ଅଶୋକ ଦାସ ନୀରବରେ ଠିଆ ହୋଇ କ’ଣ ଚିନ୍ତା କରିବାରେ ଲାଗିଲେ ।

 

ଲୀଳାବତୀ ନଇଁପଡ଼ି ଅଶୋକ ଦାସଙ୍କ ପାଦଧୂଳି ନେଇ ମୁଣ୍ଡରେ ବୋଳିଲା । ଅଶୋକ ଦାସ ସେହିପରି ଗମ୍ଭୀର ହୋଇ କ’ଣ ଚିନ୍ତା କରୁଥିଲେ । ଲୀଳାବତୀ ଧୀରେ ଧୀରେ ଘର ଛାଡ଼ି ବାହାରିଗଲା । ଅଶୋକ ଦାସ ଇଙ୍ଗିତରେ ରଜତକୁ ଲୀଳାବତୀକୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଲେ ।

 

ଗଭୀର ରାତ୍ରି । ପାହାଡ଼ିଆ ଅଞ୍ଚଳର ସେହି ଜୀର୍ଣ୍ଣ କୋଠା । ଯେଉଁଠି କୋଟି କୋଟି ଟଙ୍କାର ସ୍ୱର୍ଣ୍ଣ ଖଣ୍ଡମାନ ଲୁଚି ରହିଚି । ଅଶୋକ ଦାସ, ରଜତ ଆଉ ନୀଳିମା ଅପେକ୍ଷା କରି ରହିଛନ୍ତି ଗୋଟିଏ ମୁହୂର୍ତ୍ତକୁ । ଅଶୋକ ଦାସ ଭାବୁଛନ୍ତି, ହେଲିକୋପ୍‌ଟର ଆସିବ । ଆକାଶ ମାର୍ଗରୁ ଛଞ୍ଚାଣ ପରି ଓହ୍ଲେଇ ପଡ଼ିବ ଏହି ପଡ଼ିଆ ଉପରେ । ରାଘବାନନ୍ଦ ହରିଚନ୍ଦନ ତାଙ୍କର ସମସ୍ତ ସଞ୍ଚିତ ଅର୍ଥ ନେଇ ଭରିବେ ଆକାଶ ଯାନରେ । ତା’ପରେ ଗର୍ଜି ଉଠିବ ଆକାଶଯାନର ଇଂଜିନ୍‌ । ଠିକ୍‌ ସେଇ ମୁହୂର୍ତ୍ତରେ ଅଶୋକ ଦାସ କାବୁ କରିବେ ରାଘବାନନ୍ଦ ହରିଚନ୍ଦନକୁ !

 

ଆଉ ନୀଳିମା ! ସେ ଭାବୁଚି କେତେବେଳେ ଆସିବ ସେହି ଉଡ଼ାଜାହାଜଟା । ଯେଉଁଥିରେ ସମରେଶ ମଦନରାଏ ଆସିବେ । ଦୀର୍ଘ ଦିନ ପରେ ପିତା-ପୁତ୍ରୀର ମିଳନ ହେବ । ନୀଳିମା ରହି ରହି ଶିହରୀ ଉଠୁଥିଲା, ପ୍ରତୀକ୍ଷା ଯେପରି ଆଉ ସହି ହେଉନାହିଁ ।

 

ଘଞ୍ଚ ଜଙ୍ଗଲର ଏକ ପାହାଡ଼ିଆ ଢାଲୁ ଜାଗାରେ ବସି ସମସ୍ତେ ଆକାଶକୁ ଚାହିଁଥିଲେ । ରଜତ ଭାବୁଥିଲା ଏତେବଡ଼ ଗୋଟାଏ ଶକ୍ତି ବିରୁଦ୍ଧରେ ଯୁଦ୍ଧ କରିବେ ମାତ୍ର ଦୁଇଜଣ । ସେ ପ୍ରସ୍ତାବ କରିଥିଲା ଆଉ ଦି’ଜଣ ସହଯୋଗୀ ଆଣିବା ପାଇଁ, ମାତ୍ର ଅଶୋକ ଦାସ ଅସ୍ୱୀକାର କରିଥିଲେ । ନୀଳିମାକୁ ସଙ୍ଗରେ ନ ଆଣିବା ପାଇଁ ବାରଣ କରିଥିଲା, ମାତ୍ର ନୀଳିମା କାନ୍ଦି କାନ୍ଦି ଲୋଟି ଯାଇଥିଲା । ବାପାଙ୍କୁ ସେ ପ୍ରଥମେ ଭେଟିବ, ଏହା ଯେପରି ତା’ର କାମନା ଥିଲା ।

 

ରାତ୍ରି ବଢ଼ୁଥିଲା । ଅଶୋକ ଦାସ ତାଙ୍କ ରେଡ଼ିଅମ୍‍ ଡାଏଲର ହାତ ଘଡ଼ିକୁ ଚାହିଁ ଦେଖିଲେ, ପ୍ରାୟ ଦୁଇଟା ବାଜିବାକୁ ଯାଉଛି । ମାତ୍ର କୌଣସି ପ୍ରକାର ସମ୍ଭାବନା ତ କେଉଁଆଡ଼େ ଦିଶୁନାହିଁ । ନା ଆକାଶ ମାର୍ଗରେ ନା ସ୍ଥଳଭାଗରେ । କେଉଁଠି କିଛି ନାହିଁ । ପ୍ରକୃତି ଶାନ୍ତ, ପୃଥିବୀ ନିସ୍ତବ୍‍ଧ, ରାତ୍ରି ଗଭୀର ।

 

ଆହୁରି କିଛି ସମୟ ଅତିବାହିତ ହୋଇଗଲା । ତିନିହେଁ ଆକାଶ ମାର୍ଗକୁ ଚାହିଁଥିଲେ । ହଠାତ୍‍ ଏକ ସମୟରେ ଅଶୋକ ଦାସ କହି ଉଠିଲେ, ପ୍ରସ୍ତୁତ ହୋଇ ଯାଅ ରଜତ ! ପରୀକ୍ଷାର ସମୟ ପାଖେଇ ଆସିଲା ।

 

ରଜତ ଶୁଣିଲା ରାତ୍ରିର ନିସ୍ତବ୍‌ଧତା ଭିତରେ ଗୋଟାଏ ଗୁଞ୍ଜରଣ ଶୁଣା ଯାଉଛି । ତା’ପରେ .? ସମସ୍ତେ ଉତ୍କଣ୍ଠିତ ହୋଇ ଅନାଇ ରହିଲେ । ଆକାଶଯାନଟି ନିର୍ଦ୍ଦିଷ୍ଟ ସ୍ଥାନରେ ଦୁଇ ଚାରିଥର ଘୂରିଗଲା । ଅଶୋକ ଦାସ ଲକ୍ଷ୍ୟ କଲେ, ସେହି ଜୀର୍ଣ୍ଣ କୋଠାଟା ଭିତରୁ ଗୋଟାଏ ନୀଳ ଆଲୋକ ଦୁଇ ଚାରିଥର ଜଳି ଉଠିଲା । ତା’ପରେ ଆକାଶଯାନଟି ଧୀରେ ତଳକୁ ଓହ୍ଲେଇ ପଡ଼ିଲା-

 

ପୁଣି ନିସ୍ତବ୍‌ଧତା । ଜୀର୍ଣ୍ଣ କୋଠାରେ ସାମାନ୍ୟ ଆଲୋକ ଦେଖାଗଲା । ଅଶୋକ ଦାସଙ୍କ ମନ ଭିତରଟା ଚଞ୍ଚଳ ହୋଇ ଉଠିଲା । ସେ ରଜତକୁ କହିଲେ–ମୋ ନିର୍ଦ୍ଦେଶସବୁ ମନେ ଅଛିତ ? ଠିକ୍‌ ଠିକ୍‌ ଘଣ୍ଟାକଣ୍ଟା ପରି କାମ କରିଯିବାକୁ ହେବ । ଆଉ ଶୁଣ ନୀଳିମା, ତମେ ଏ କ୍ଷେତ୍ରରେ ଭୟ କଲେ କିମ୍ୱା ଚିତ୍କାର କଲେ ଚଳିବ ନାହିଁ । ଖୁବ୍‌ ଧୈର୍ଯ୍ୟ ସହକାରେ ସବୁ ସମସ୍ୟାର ସମ୍ମୁଖୀନ ହେବାକୁ ହେବ । ଆଉ ଗୋଟାଏ କଥା ମନେରଖ, ତୁମେ ହୁଏତ ବାପାଙ୍କୁ ସଚେତନ ଅବସ୍ଥାରେ ପାଇବ ନାହିଁ । ମୋର ଯାହା ଧାରଣା ସେମାନେ ତାଙ୍କୁ ନିଶ୍ଚୟ ଅଚେତନ କରି ରଖିଥିବେ । ଯାହାହେଉ,ତମେ ସେଥିପାଇଁ ଆଦୌ ବିଚଳିତ ହେବ ନାହିଁ । ବରଂ ତାଙ୍କୁ ପାଇଲା ପରେ ପାଖରେ ବସି ସେବା ଶୁଶ୍ରୁଷା କରିବ । ମୁଁ ଫେରି ଆସିବା ଯାଏ ତମେ ଯେଉଁଠି ହେଉ ଅପେକ୍ଷା କରିବ । ରଜତ ! ଏଥର ପ୍ରସ୍ତୁତ ହୋଇଯାଅ । ଅଧଘଣ୍ଟା ଭିତରେ ସେମାନେ ସମସ୍ତ କାର୍ଯ୍ୟ ଶେଷ କରି ନେବେ । ଆଚ୍ଛା, ଆପାତତଃ ତମେ ଆଉ ନୀଳିମା ଏଇଠି ଥାଅ । ମୁଁ ତାଙ୍କ କାର୍ଯ୍ୟର ଧାରା ଟିକିଏ ଲକ୍ଷ୍ୟ କରେ । କେତେଜଣ ଲୋକ ସର୍ବମୋଟ ଅଛନ୍ତି, ସେତକ ମଧ୍ୟ ଲକ୍ଷ୍ୟ କରିବାକୁ ହେବ । ଯଦି ଆମ ଅନୁମାନ ଫେଲ୍‌ କରେ ?

 

ଅଶୋକ ଦାସ ବୃକ୍ଷ ଲତାର ଅନ୍ଧକାର ଭିତରେ ଆତ୍ମଗୋପନ କରି ଆଗେଇ ଗଲେ । ରାଘବାନନ୍ଦ ହରିଚନ୍ଦନ ଏବଂ ଆଉ ଜଣେ ବ୍ୟକ୍ତି ଧରାଧରି କରି କ’ଣ ଗୋଟାଏ ଭାରି ପଦାର୍ଥ ଉଡ଼ାଜାହାଜରୁ ଓହ୍ଲାଉ ଥିଲେ । ବୋଧହୁଏ ସମରେଶ ମଦନରାଏଙ୍କ ଅଚେତନ ଶରୀର । ସେମାନେ ଧରାଧରି କରି ସେହି ଜୀର୍ଣ୍ଣ କୋଠାଟା ଉପରକୁ ଉଠିଲେ । ଆଉ କେହି ? ନା, ଆଉ କାହାରି ଚିହ୍ନବର୍ଣ୍ଣ ନାହିଁ । ତା’ହେଲେ ଗୁରୁଜୀ ଆଉ ହରିଚନ୍ଦନଙ୍କୁ ଛାଡ଼ିଦେଲେ ଅନ୍ୟ କେହି ନାହାନ୍ତି-! ସୁବର୍ଣ୍ଣ ସୁଯୋଗ !

 

ଅଶୋକ ଦାସ ଦେଖିଲେ, ସେମାନେ ପୁଣି ସେହି ଜୀର୍ଣ୍ଣକୋଠା ଭିତରୁ ହାତରେ କ’ଣ ଧରି ଫେରୁଛନ୍ତି । ପ୍ଳେନ୍‌ରେ ସେହି ପଦାର୍ଥ ରଖିଦେଇ ପୁଣି ସେହି ଜୀର୍ଣ୍ଣ କୋଠାଆଡ଼େ ଆଗେଇଛନ୍ତି । ଇତ୍ୟବସରରେ ଅଶୋକ ଦାସ ତୀର ବେଗରେ ଛୁଟିଯାଇ ପ୍ଳେନ୍‌ରେ ରଖି ଯାଇଥିବା ପଦାର୍ଥଗୁଡ଼ିକ ଦେଖିଲେ । ସ୍ୱର୍ଣ୍ଣଖଣ୍ଡ । ପଲକେ ମାତ୍ର । ତା’ପରେ ପୁଣି ଅଶୋକ ଦାସ ଆତ୍ମଗୋପନ କଲେ । ଗୁରୁଜୀ ଆଉ ହରିଚନ୍ଦନ ପୁଣି ହାତରେ କୌଣସି ପଦାର୍ଥ ଧରି ପ୍ଳେନ୍‌ ଆଡ଼େ ଆଗେଇ ଆସୁଥିଲେ ।

 

ଅଶୋକ ଦାସ କ୍ଷିପ୍ର ଗତିରେ ଯାଇ ରଜତ ଓ ନୀଳିମା ନିକଟରେ ପହଞ୍ଚିଲେ । କହିଲେ, ଶୀଘ୍ର ଆସ ରଜତ । ଆଉ ଶୁଣ ନୀଳିମା । ତୁମେ ଯେତେବେଳେ ପ୍ଳେନ୍‌ ଷ୍ଟାର୍ଟ ହେବାର ଗର୍ଜ୍ଜନ ଶୁଣିବ, ଠିକ୍‌ ସେତିକିବେଳେ ଏହି କୋଠା ଉପରକୁ ଯିବ । ସମରେଶବାବୁ ସେଇଠି ଅଚେତ ଅବସ୍ଥାରେ ଶୋଇଛନ୍ତି । ତମର ବ୍ୟସ୍ତ ହେବାର କିଛି ନାହିଁ ନୀଳିମା । ମୋର ଧାରଣା ସେ ସୁସ୍ଥ ଅଛନ୍ତି । ଆମେ ଚାଲିଲୁ । ତମେ ପ୍ଳେନ୍‌ ଷ୍ଟାର୍ଟ ନ ହେବା ଯାଏ ଏ ସ୍ଥାନ ତ୍ୟାଗ କରିବ ନାହିଁ । ଖୁବ୍‌ ସାବଧାନ । ଏ କ୍ଷେତ୍ରରେ ଅଶେଷ ଧୈର୍ଯ୍ୟର ପ୍ରୟୋଜନ । ସାହସର ମଧ୍ୟ ।

 

ନୀଳିମା କ’ଣ କହିବାକୁ ଯାଉଥିଲା । ମାତ୍ର ଅଶୋକ ଦାସଙ୍କର ଆଉ ଶୁଣିବାକୁ ସମୟ ନ ଥିଲା । ସେ ରଜତର ହାତ ଧରି ଟାଣି ଟାଣି ଆଗେଇ ଗଲେ । କହିଲେ, ଦଉଡ଼ି ଆଣିଛତ ?

 

ହଁ । ରଜତ କହିଲା ।

 

ବେଶ୍‌ । ଆଉ ଗୋଟାଏ କଥା ମନେ ରଖିଥାଅ । ଯଦି ନିତାନ୍ତ ପ୍ରୟୋଜନ ବୋଧକର ତା’ହେଲେ ହାତ ବା ଗୋଡ଼ରେ ଫାୟାର କରିବ । କାହାରି ପ୍ରାଣନାଶ ଯେପରି ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବ । ଅଶୋକ ଦାସ ଦ୍ରୁତ ବେଗରେ ଆଗଉ ଥିଲେ । ରଜତ ତାଙ୍କ ପଛେ ପଛେ ଧାଇଁଥିଲା ।

 

ହଁ ଶୁଣ, ଯଦିଓ କୌଣସି ଅସୁବିଧାବଶତଃ ପ୍ଳେନ୍‌ରେ ମୁଁ ଉଠି ନ ପାରେ, ତମେ ମୋ ଠାରୁ ସାଙ୍କେତିକ ଧ୍ୱନି ଶୁଣିବା ମାତ୍ରେ ପ୍ଳେନ୍‌ ଛାଡ଼ିଦେବ । ମୋତେ ଅପେକ୍ଷା କରିବ ନାହିଁ । ନିର୍ଦ୍ଦିଷ୍ଟ ସ୍ଥାନରେ ଓହ୍ଲେଇପଡ଼ି ସଙ୍ଗେ ସଙ୍ଗେ ସମସ୍ତ ମାଲପତ୍ର ଧରି ଦୁରେଇ ଯିବ । ମୁଁ ଆଗରୁ ଟେଲିଗ୍ରାମ କରି ଜଣେଇ ଦେଇଛି । ସେମାନେ ପ୍ରସ୍ତୁତ ଥିବେ ।

 

ଦୁହେଁ ପ୍ଳେନ୍‌ର ସାମାନ୍ୟ ଦୂରତ୍ୱ ବଜାୟ ରଖି ଠିଆହେଲେ ।

 

ହରିଚନ୍ଦନ ଓ ଗୁରୁଜୀଙ୍କର ବୋଧହୁଏ କାର୍ଯ୍ୟ ଶେଷ ହୋଇ ସାରିଥିଲା । ଦୁହେଁ ଚାରି ଆଡ଼କୁ ଥରେ ଦୃଷ୍ଟି ବୁଲେଇ ପ୍ଳେନ୍‌ରେ ଉଠି ବସିଲେ । ମୁହୂର୍ତ୍ତକ ପରେ ପ୍ଳେନ୍‌ ଷ୍ଟାର୍ଟ ହେବାର ଗର୍ଜ୍ଜନ ଶୁଣାଗଲା ।

 

ହଠାତ୍‌ ରାତ୍ରିର ନିସ୍ତବ୍‌ଧତା ଭଙ୍ଗ କରି ଗୁଳି ଚଳିବାର ଶବ୍ଦ ହେଲା । ପ୍ଳେନ୍‌ ଭିତରୁ ଗୋଟାଏ ଆର୍ତ୍ତଚିତ୍କାର ଭାସି ଆସିଲା । ଗୁରୁଜୀଙ୍କ ଡାହାଣ ହାତ ପାପୁଲିରେ ଗୋଟାଏ ଗୁଳି ଭେଦ କରିଥିଲା ଏବଂ ହରିଚନ୍ଦନଙ୍କ କପାଳକୁ ଲକ୍ଷ୍ୟକରି ଆଉ ଗୋଟାଏ ରିଭଲଭର ଚାହିଁ ରହିଥିଲା ।

 

ଅଶୋକ ଦାସ ଗୁରୁଜୀଙ୍କ ପାପୁଲିକୁ ଲକ୍ଷ୍ୟ କରି ଗୁଳି କରିବା ସଙ୍ଗେ ସଙ୍ଗେ ସେ ପ୍ଳେନ୍‌ ଉପରକୁ ଉଠି ଯାଇଥିଲେ ଏବଂ ମୁହୂର୍ତ୍ତକ ମଧ୍ୟରେ ଗୁରୁଜୀଙ୍କ ହସ୍ତପଦ ବାନ୍ଧି ପକାଇଥିଲେ । ରଜତର ଉଦ୍ୟତ ରିଭଲଭର ହରିଚନ୍ଦନଙ୍କୁ ସ୍ଥାଣୁ କରି ବସାଇ ଦେଇଥିଲା । ଅଶୋକ ଦାସ ପରମୁହୂର୍ତ୍ତରେ ହରିଚନ୍ଦନଙ୍କୁ କାବୁ କରି ଟାଣି ଟାଣି ପଦାକୁ ବାହାର କଲେ ।

 

ଗୁରୁଜୀ ଓ ହରିଚନ୍ଦନଙ୍କୁ ଘାସ ପଡ଼ିଆ ଉପରେ ଶୁଆଇଦେଇ ଅଶୋକ ଦାସ ଗର୍ବିତ ସ୍ୱରରେ ପଚାରିଲେ–ତା’ପରେ ଖବର କ’ଣ କୁମାରଶଙ୍କର ! ଆପଣ ଆଇନ ଆଖିରେ ଧୂଳି ଫିଙ୍ଗି ପାରନ୍ତି କିନ୍ତୁ ଅନ୍ୟାୟ ବିରୁଦ୍ଧରେ ଶିର ଉଚ୍ଚକରି ପାରିବେ ନାହିଁ । ଆପଣମାନଙ୍କର ପରି ସମାଜର ଗଳଗ୍ରହମାନଙ୍କ ପାଇଁ ମୁଁ ଗୋଟିଏ ସ୍ୱତନ୍ତ୍ର ବିଚରାଳୟ ପ୍ରତିଷ୍ଠା କରିଛି । ସେଇଥିରେ ଆପଣମାନଙ୍କର ବିଚାର ହେବ । ସେଠାରୁ କିନ୍ତୁ ଫାଙ୍କିଦେଇ ଉଧୁରି ଯାଇ ପାରିବେ ନାହିଁ । ଆଉ ଗୁରୁଜୀ ! ଅଶୋକ ଦାସ ଲୋକଟାକୁ ପାଦରେ ଠେଲିଦେଇ କହିଲେ, ଆପଣଙ୍କ ପରି ମହତ୍‌ ଜନ ସହିତ ମୋର ପରିଚୟ ଇତିପୂର୍ବରୁ ହୋଇ ନ ଥିଲା, ସେଥିପାଇଁ ବାସ୍ତବିକ ମୁଁ ଦୁଃଖିତ ।

 

ରଜତ ଇତ୍ୟବସରରେ ପ୍ଳେନ୍‌ ମଧ୍ୟରୁ ‘ଫାଷ୍ଟଏଡ଼୍‌ ବକ୍‌ସ’ ଗୋଟାଏ ଧରି ଆସି ପହଞ୍ଚିଲା । ଅଶୋକ ଦାସ ଗୁରଜୀଙ୍କର ହାତ ପାପୁଲିଟା ପରୀକ୍ଷା କରି କହିଲେ, ଗୁଳି ବାହାରି ଯାଇଛି । ତୁମେ ଔଷଧ ଦେଇ ବ୍ୟାଣ୍ଡେଜ୍‌ କରିଦିଅ । ତା’ପରେ ଏ ଦୁଇ ଜଣଙ୍କୁ ଆମେ ବିଚାରାଳୟକୁ ନେଇଯିବାକୁ ହେବ । ମୁହୂର୍ତ୍ତେ ସମୟ ନଷ୍ଟ କଲେ ଚଳିବ ନାହିଁ ।

 

ଅଶୋକ ଦାସ ହରିଚନ୍ଦନଙ୍କ ପାଖରେ ନଇଁପଡ଼ି ପଚାରିଲେ, ‘ଓଡିଶା ଷ୍ଟିଲ୍‌ ଲିମିଟେଡ଼୍‌’ର କେତେ କୋଟି ଟଙ୍କା ପ୍ଲେନ୍‌ରେ ଚଢ଼ି ବିଦେଶ ଯାଉଥିଲେ ମି: ହରିଚନ୍ଦନ । ଚିନ୍ତା କରନ୍ତୁ ନାହିଁ । ଆପଣଙ୍କର ଦେଶ ହିତୈଷୀ କଥା ମୋର ମନେ ଅଛି । ସେଦିନ ଆପଣ ଗଦ୍‌ଗଦ୍‌ କଣ୍ଠରେ କହୁଥିଲେ, 'ଓଡ଼ିଶାର ଧନ ଓଡ଼ିଶାରେ ରହିବ, ଦେଶବାସୀ ଉପକୃତ ହେବେ, ଏପରିକି ପଡ଼ୋଶୀ ପ୍ରଦେଶମାନଙ୍କୁ ଆମେ ଏହି ସୁଯୋଗର ଭାଗ ଦେବୁ ନାହିଁ । ଆପଣଙ୍କର ବାଣୀର ସାର୍ଥକତା ମୁଁ ରକ୍ଷା କରିବି ହରିଚନ୍ଦନବାବୁ । ସବୁ ଟଙ୍କା ମୁଁ ଓଡ଼ିଶାର ଦରିଦ୍ର ନାରାୟଣଙ୍କ ସେବାରେ ଲଗେଇବି ।

 

ହରିଚନ୍ଦନ ବୋଧହୁଏ ରକ୍ତଚାଉଳ ଚୋବାଉଥିଲେ । ସେ ଆଉ କୌଣସି ଉପାୟ ନ ପାଇ ଅଶୋକ ଦାସଙ୍କ ମୁହଁକୁ ଲଣ୍ଡାଏ ଛେପ ପକାଇଲେ ।

 

ଇସ, ହୀନ, ନୀଚ । ଅଶୋକ ଦାସ ରୁମାଲ ବାହାର କରି ମୁହଁ ପୋଛିଲେ । ରଜତ ଆସି ହରିଚନ୍ଦନଙ୍କୁ ସେଠାରୁ ଉଠାଇ ନେଇଗଲା । ଅଶୋକ ଦାସ ସଙ୍ଗେ ସଙ୍ଗେ ଯାଇ ଗୋଟାଏ ଗଛ ସହିତ ଶକ୍ତ ବନ୍ଧନରେ ବାନ୍ଧି ମୁହଁରେ ଗୋଟାଏ ଶକ୍ତ ଚାପୁଡ଼ା ବସେଇ କହିଲେ, ଭଗବାନ ତୁମକୁ ମନୁଷ୍ୟ ଜନ୍ମ ଦେଇ ଭୁଲ୍‌ କରିଛନ୍ତି । ଆଚ୍ଛା ବନ୍ଧୁ । ପୁଣି କିଛି ସମୟ ପରେ ସାକ୍ଷାତ ହେବ ।

 

ଅଶୋକ ଦାସ ରଜତକୁ ଧରି ପ୍ଲେନ୍‌ ଆଡ଼େ ଆଗେଇ ଗଲେ । ଭାବୁଥିଲେ ସେ ରଜତ ସହିତ ଯିବେ ନା ନାହିଁ ? ନୀଳିମାକୁ ଏହି ଘୋର ଜଙ୍ଗଲ ମଧ୍ୟରେ ଏକା ଛାଡ଼ି ଯିବା କ‘ଣ ତାଙ୍କ ପକ୍ଷରେ ଉଚିତ ହେବ ? ଏମାନେ ଯାଇ ପ୍ଲେନ୍‌ ପାଖରେ ପହଞ୍ଚି ଯାଇଥିଲେ । ରଜତ ଚାଳକ ଆସନରେ ବସି କହିଲା, ଆସନ୍ତୁ ।

 

ଅଶୋକ ଦାସ ପ୍ଲେନ୍‌ ଉପରକୁ ଉଠିବାକୁ ଗୋଡ଼ ବଢ଼ାଇଛନ୍ତି ହଠାତ ସେଇ ଜୀର୍ଣ୍ଣ କୋଠା ଭିତରୁ ଏକ କରୁଣା ଚିତ୍କାର ଭାସି ଆସିଲା । ଅଶୋକ ଦାସ ପ୍ଲେନ୍‌ ଭିତରୁ ଗୋଡ଼ ଫେରାଇ ଆଣିଲେ । ଚିତ୍କାର ଯେ ନୀଳିମା କରୁଥିଲା, ଅଶୋକ ଦାସ ସ୍ପଷ୍ଟ ବୁଝି ପାରୁଥିଲେ । ଚିନ୍ତା କରିବାକୁ ଆଉ ସମୟ ନଥିଲା । ହୁଏତ ନୀଳିମାକୁ କେହି ଆକ୍ରମଣ କରିଛି, ଅଥବା....

 

ପୁଣି ନିଳୀମା ଚିତ୍କାର କରି ଉଠିଲା । ଅଶୋକ ଦାସ ବିବ୍ରତ ହୋଇ ପଡ଼ି କହିଲେ, ତୁମେ ପ୍ରସ୍ତୁତ ହୋଇଥାଅ ରଜତ ! ମୁଁ ଆସିବା ମାତ୍ରେ ଅଥବା ମୋଠାରୁ ସଙ୍କେତ ପାଇବା ମାତ୍ରେ ତୁମେ ପ୍ଲେନ ଛାଡ଼ିଦେବ । ମୋତେ ମନେ ହେଉଛି ଆମ ପରିକଳ୍ପନାରେ ସାମାନ୍ୟ ଟିକିଏ ତ୍ରୃଟି କେଉଁଠି ରହିଗଲା ।

 

ଅଶୋକ ଦାସ ଏକ ପ୍ରକାର ଦଉଡ଼ି ଦଉଡ଼ି ଜୀର୍ଣ୍ଣ କୋଠାଟା ଆଡ଼େ ଆଗେଇ ଥିଲେ । ସେ ସିଧାସଳଖ ଉପରକୁ ଉଠି ଚାଲିଗଲେ । ନୀଳିମା ଶେଷ ଘରଟା ଭିତରୁ ଚିତ୍କାର କରୁଥିଲା । ଅଶୋକ ଦାସ ଧାଇଁଯାଇଁ ଦେଖିଲେ, ନିଳିମା ଯେଉଁ ଘରେ ଭିତରେ ପଶିଚି, ସେଇ ଘର ଦୁଆରମୁହଁରେ ଗୋଟିଏ ଅଭୁତ ଲୋକ ଠିଆ ହୋଇ ନୃତ୍ୟ କରୁଛି । ବେଳେବେଳେ ହାତ ଦୁଇଟା ପ୍ରସାରିତ କରି ନୀଳିମା ଆଡକୁ ମାଡି ଯାଉଛି । ଲୋକଟା ପାଦ ଶବ୍ଦ ଶୁଣି ବୁଲି ଅନେଇଲା । ଅଶୋକ ଦାସ ଲଣ୍ଠନର ଶୀର୍ଣ୍ଣ ଆଲୋକ ଭିତରେ ଦଖିଲେ, ଲୋକଟାର ମୁହଁଯାକ ଦାଢ଼ି, ଦେହରେ କେଇଖଣ୍ଡ ଛିଣ୍ଡା କନା । ପାଦରେ ନୃତ୍ୟର ଛନ୍ଦ । ଅଶୋକ ଦାସ ଦେଖିବା ମାତ୍ରେ ଡାହାଣ ହାତଟା ଉପରକୁ ଟେକି ଚିତ୍କାର କରି ଉଠିଲା, ହାଣ୍ଡସ୍‌ ଅପ୍‌ ।

 

ସେଇ ପାଗଳଟା । ଅଶୋକ ଦାସ ମନେମନେ ହସି ଉଠିଲେ । ରଜତ ସେଦିନ ଏଠାରେ ଯେଉଁ ପାଗଳଟା ଭେଟିଥିଲା, ଏ ନିଶ୍ଚୟ ସେଇ ପାଗଳ । କିନ୍ତୁ ସେ ଏତେବେଳ ଯାଏ ଥିଲା କେଉଁଠି ? ପାଗଳଟା ସେହି ସ୍ଥାନରେ ଠିଆହୋଇ କହୁଥିଲା, ଲେଫ୍‌ଟ ରାଇଟ୍‌ ଏବଂ ତାଳେତାଳେ ପାଦ ଦୁଇଟାକୁ ଉଠାଉ ଥିଲା ଓ ପକାଉ ଥିଲା ।

 

ଅଶୋକ ଦାସ ତା’ ଆଡ଼େ ବିଶେଷ ଦୃଷ୍ଟି ନଦେଇ ଘର ଭିତରକୁ ପଶିଗଲେ । ସମରେଶ ମଦନରାଏ ଚଟାଣ ଉପରେ ନିଘୋଡ଼ ନିଦ୍ରାରେ ଶୋଇଥିଲା ପରି ଦିଶୁଥିଲେ । ନୀଳିମା ଗୋଟିଏ କୋଣରେ ଠିଆହୋଇ କମ୍ପୁଥିଲା । ଅଶୋକ ଦାସଙ୍କ ଦେଖିବା ମାତ୍ରେ ଧାଇଁଆସି ଜାବୁଡ଼ି ଧରିଲା ।

 

ତୁମେ ଭୟ କରନା ନୀଳିମା ! ଏ ଲୋକଟା ପାଗଳ । ସବୁବେଳେ ଏହିପରି ତା’ର ଗତିବିଧି । ଅଶୋକ ଦାସ ନଇଁପଡ଼ି ସମରେଶ ମଦନରାଏଙ୍କୁ ପରୀକ୍ଷା କଲେ । ଦେହରେ ଉଷ୍ଣତା ଠିକ୍‌ ଅଛି । ତାଙ୍କ ଅନୁମାନ ସତ୍ୟ । ସେମାନେ କିଛି ସମୟ ପାଇଁ ଅଚେତ କରାଇ ଦେଇଛନ୍ତି । କିନ୍ତୁ ଏଣେ ଖୁବ୍‌ ଡେରି ହୋଇଯାଉଛି ଯେ !

 

ଅଶୋକ ଦାସ ଦେଖିଲେ ପାଗଳଟା ବାରଣ୍ଡାରେ ପୂର୍ବପରି ଡେଉଁଛି ଏବଂ ଲେଫ୍‌ଟ୍‌ ରାଇଟ୍‌ କହି ଚାଲିଛି ।

 

ଶୁଣ ନୀଳିମା ! ଅଶୋକ ଦାସ କହିଲେ । ତୁମେ ଏଇଠି ବସି ବାପାଙ୍କ କପାଳ ପାଖରେ ଟିକିଏ ପବନ କର । ଭୟର କିଛି କାରଣ ନାହିଁ । ମୁଁ ଏଇ ଘଣ୍ଟାକ ମଧ୍ୟରେ....

 

ଏବାଉଟ୍‌ ଟର୍ଣ୍ଣ...ପାଗଳଟା ଏତେ ଜୋରରେ ଚିକାର କରି ଉଠିଲା ଯେ, ଅଶୋକ ଦାସ ମଧ୍ୟ ଚମକିପଡ଼ି ବାହାରକୁ ଚାହିଁଲେ । କିନ୍ତୁ, କିନ୍ତୁ...ଅଶୋକ ଦାସ ସ୍ତବ୍‌ଧ ହୋଇ ଦେଖିଲେ ଦୁଇଦୁଇଟା ରିଭଲଭର ବାଗେଇ ଧରି ଦୁଇଜଣ ପୋଲିସ ଲୋକ ତାଙ୍କଆଡ଼େ ଆଗେଇ ଆସୁଛନ୍ତି-। ବାରଣ୍ଡାରେ ପାଗଳଟା ସେହିପରି କହି ଚାଲିଛି, ଲେଫ୍‌ଟ୍‌ ରାଇଟ୍‌...

 

ଅଶୋକ ଦାସ ସ୍ତବଧ ହୋଇ ଠିଆ ହୋଇଥିଲେ । ହଠାତ୍ ସେ ଯେପରି ନିଜର ସତ୍ତା ହରେଇ ବସିଲେ । ମୁହୂର୍ତ୍ତେ ମାତ୍ର । ତା’ପରେ ସେ ମୁଖରେ ଏକ ଅଦ୍ଭୁତ ପ୍ରକାର ଶବ୍ଦ କରି ହସି ଉଠିଲେ । ହାତ ଦୁଇଟା ଉପରକୁ ଟେକି କହିଲେ, ମୁଁ ଆଜି ପରାଜିତ ହୋଇଛି ମି: ମହାପାତ୍ର-। ମୋର ଆପଣଙ୍କୁ ଚିହ୍ନିବାକୁ ଢେର ଡେରି ହୋଇ ଯାଇଛି ।
 

ବାରଣ୍ଡାରେ ଲେଫେ୍‌ଟ୍ ରାଇଟ୍‌ କରୁଥିବା ପାଗଳଟି ଭିତରକୁ ପଶିଆସି କହିଲା, ଆପଣ ଆଜି ବନ୍ଦୀ ଲାଲସିଂହ । ମୁକୁଳିବାର ଆଉ କୌଣସି ଉପାୟ ନାହିଁ ।

 

ଲାଲସିଂହ, କେଉଁ ଲାଲସିଂହ ? ନୀଳିମା ଚିତ୍କାର କରି ଉଠିଲା ।

 

ପୋଲିସ ଅଫିସର ଦୁଇଜଣ ଅଶୋକ ଦାସଙ୍କ ହାତରେ କଡ଼ି ପକାଉ ଥିଲେ । ସତ୍ୟବ୍ରତ ମହାପାତ୍ର ମୁହଁରୁ ଛଦ୍ମ ଦାଢ଼ି ଗୁଡିକ କାଢ଼ୁ କାଢ଼ୁ କହିଲେ–ଦସ୍ୟୁ ଲାଲସିଂହ ।

 

ନୀଳିମା ମୁହଁରେ ଘୃଣାର ଭାବ ଫୁଟି ଉଠିଲା । ସେ ଥରି ଥରି ପଡ଼ି ଯାଉଥିଲା । ସତ୍ୟବ୍ରତ ମହାପାତ୍ର ଦୁଇ ହାତରେ ଧରି ସମ୍ଭାଳି ନେଲେ । କହିଲେ, ଆପଣ ଚିନ୍ତା କରନ୍ତୁ ନାହିଁ ନୀଳିମା ଦେବୀ ! ଆପଣଙ୍କର କେହି କୌଣସି ଅନିଷ୍ଟ....

 

ସତ୍ୟବ୍ରତ ମହାପାତ୍ରଙ୍କ କଥା ଅସମାପ୍ତ ରହିଗଲା । ସେ ଶୁଣିଲେ ଯେପରି ବାହାରୁ କ’ଣ ଗୋଟାଏ ଶବ୍ଦ ଭାସି ଆସୁଛି । ମୁହୂର୍ତ୍ତକ ମଧ୍ୟରେ ଚଞ୍ଚଳ ହୋଇ ପଡ଼ିଲେ । ଲାଲସିଂହ ଆଡ଼େ ଦୃଷ୍ଟି ଫେରାଇ ବାହାରକୁ ଛୁଟି ଯାଉଥିଲେ । ଅଶୋକ ଦାସ ହସି ହସି କହିଲେ, ଆଉ ଯାଆନ୍ତୁ ନାହିଁ ମି.ମହାପାତ୍ର । ପ୍ଲେନଟା ହୁଏତ ଏତେବେଳକୁ ପାଞ୍ଚମାଇଲ ଊର୍ଦ୍ଧ୍ୱକୁ ଉଠିଯାଇ ସାରିଥିବ । ମୋତେ ଆପଣ ବନ୍ଦୀ କରି ପାରିଲେ ସିନା । କିନ୍ତୁ ମୋର ଯୋଜନା ସବୁବେଳେ ମୋଠାରୁ ଉର୍ଦ୍ଧ୍ୱରେ ଥାଏ । ଓଡ଼ିଶା ଷ୍ଟିଲ୍‍ ଲିମିଡ଼େଟ୍‌ର ଷ୍ଟିଲ୍‌ ପ୍ଲାଣ୍ଟ ସେପାଖ ଗଛରେ ଆଶ୍ରୟ ନେଇଛନ୍ତି । ଆପଣ ବରଂ ତାଙ୍କୁ ଉଦ୍ଧାର କରନ୍ତୁ । କିନ୍ତୁ ସ୍ବର୍ଣ୍ଣଖଣ୍ଡ; ସେ ଆଶା ଛାଡି ଦିଅନ୍ତୁ ।

 

ସତ୍ୟବ୍ରତ ମହାପାତ୍ରଙ୍କ ମୁହଁରେ ବ୍ୟର୍ଥତାର ଛାଇ ଫୁଟି ଉଠିଲା । ସେ ନୀରସ କଣ୍ଠରେ କହିଲେ, ଆପଣଙ୍କ ପରି ମୋର ମଧ୍ୟ ଗୋଟିଏ ବିରାଟ ଭୁଲ ହେଲା ଅଶୋକବାବୁ । ମୁଁ ଜାଣିଥିଲି ଆପଣ ନିଜ ହାତରେ ପ୍ଲେନ୍ ଚଳେଇ ଯିବେ । କିନ୍ତୁ ଆପଣ ଯେ ପୂର୍ବରୁ ସମସ୍ତ ସୁବ୍ୟବସ୍ଥା କରି ରଖିଥିବେ, ସେକଥା ମୋର ଭାବିବା ଉଚିତ ଥିଲା ।

 

ଅଶୋକ ଦାସ ହସିଲେ, କହିଲେ ଦସ୍ୟୁ ଲାଲସିଂହର ଭୁଲ୍‌ କେବେ ହୁଏନା । କିନ୍ତୁ ନୀଳିମା ଆଡ଼େ ଚାହିଁ ସେ ହସି ଉଠିଲେ ।

 

ସତ୍ୟବ୍ରତ ମହାପାତ୍ର ଅଶୋକ ଦାସଙ୍କୁ ଇଙ୍ଗିତ ବୁଝିପାରି କହିଲେ, ମୁଁ ମଧ୍ୟ ଆପଣଙ୍କର ସେଇ ଦୁର୍ବଳତାକୁ ମାରଣାସ୍ତ୍ର କରି ଏଠାରେ ନିଶ୍ଚିନ୍ତରେ ଅପେକ୍ଷା କରିଥିଲି । ମୁଁ ଜାଣିଥିଲି ନୀଳିମା ଦେବୀ ଚିତ୍କାର କରିବା ମାତ୍ରେ ଆପଣ ଏଠାକୁ ଛୁଟି ଆସିବେ ।

 

ଅଶୋକ ଦାସ କହିଲେ, ଗୋଟିଏ ସିଗାରେଟ୍‌ ଦିଅନ୍ତୁ ମି. ମହାପାତ୍ର । ଅନେକ ସମୟରୁ ସିଗାରେଟ୍ ଖାଇନାହିଁ । ତା’ପରେ କୁହନ୍ତୁ, କେବେଠାରୁ ଆପଣ ମୋର କାର୍ଯ୍ୟକଳାପ ଲକ୍ଷ୍ୟ କରୁଛନ୍ତି । ମୋର ଆଦୌ ଧାରଣା ନଥିଲା ଯେ ଆପଣ ଏହା ଭିତରେ ଓଡିଶା ଫେରି ଆସିଲେଣି । ଯା’ହେଉ ଆପଣଙ୍କର ଜୟରେ ମୁଁ ଆଜି ଗର୍ବ ଅନୁଭବ କରୁଛି ମି. ମହାପାତ୍ର ।

 

ସତ୍ୟବ୍ରତ ମହାପାତ୍ର ଗୋଟିଏ ସିଗାରେଟ୍‌ ବାହାର କରି ଅଶୋକ ଦାସଙ୍କ ମୁହଁରେ ଧରାଇ ଦେଲେ ଏବଂ ଡ଼ିଆସିଲି ଜଳାଇ ଦେଲେ । ତା’ପରେ କହିଲେ, ସମରେଶ ମଦନରାଏଙ୍କ ଅନ୍ତର୍ଦ୍ଧାନ ସମ୍ବାଦ ମୋ ପାଖରେ ପହଞ୍ଚିଲା ପରେ ଚାଲି ଆସିଥିଲି । ଆସି ଦେଖିଲି ଏ କେସ୍‌ର ଅଧିନାୟକ ସ୍ୱୟଂ ଆପଣ । ତେଣୁ ମୁଁ କେବଳ ଅନ୍ତରାଳରୁ ଥାଇ ଲଷ୍ୟ କରୁଥିଲି । ମୋର ଧାରଣା ଥିଲା ଯେ ଆପଣ ଏହି ଜଟିଳ କେସ୍‌ର ତଥ୍ୟ ନିଶ୍ଚୟ ଉଦ୍‌ଘାଟନ କରିବେ । ସେଥିପାଇଁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆହୋଇଥିଲା ଆପଣଙ୍କ ସବୁ ବ୍ୟବସ୍ଥା କୋହଳ କରିଦେବାପାଇଁ । ଏପରିକି ଆପଣ ଯେଉଁ ନୀଳିମାକୁ ଜାମିନରେ ଆଣିଲେ, ସେ କେବଳ ଆପଣଙ୍କ ପ୍ରତି କୋହଳ ନିର୍ଦ୍ଦେଶ ପାଇଁ ପାଇଥିଲେ ।

 

ହୁଁ, ବେଶ୍‌ ଚମତ୍କାର ସଞ୍ଜୋଗ ତ ! ଅଥଚ ମୁଁ କିଛି ବୁଝି ପାରିଲି ନାହିଁ । ଆଶ୍ଚର୍ଯ୍ୟ !!

 

ଆପଣ ସବୁ ବୁଝି ଥାଆନ୍ତେ କିନ୍ତୁ... ନୀଳିମା ଆଡ଼େ ଇଙ୍ଗିତ କରି ସତ୍ୟବ୍ରତ ମହାପାତ୍ର ନୀରବ ହୋଇଗଲେ ।

 

ଅଶୋକ ଦାସଙ୍କ ମୁହଁରେ ସ୍ମିତ ହସ ଟିକେ ଫୁଟିଉଠିଲା । ସେ କହିଲେ ଆପଣ ତାହେଲେ ଏଇ ସ୍ଥାନଟାର ସନ୍ଧାନ ପାଇଲେ କିପରି ।

 

ସେ ମଧ୍ୟ ଆପଣଙ୍କ ଦୟାରୁ । ସତ୍ୟବ୍ରତ ମହାପାତ୍ର କହିଲେ, କାରଣ ମୁଁ ଆପଣଙ୍କର ଗତିବିଧି ଲକ୍ଷ୍ୟ କରିବାକୁ ଯାଇ ରାଘବାନନ୍ଦ ହରିଚନ୍ଦନକୁ ଆବିଷ୍କାର କଲି । ଭାବିଥିଲି ସେ ମଧ୍ୟ ଆପଣଙ୍କର ଦଳର ଲୋକ । କିନ୍ତୁ କ୍ରମଶଃ ମୋର ସେ ଧାରଣା ବଦଳିଲା । ରାଘବାନନ୍ଦ ହରିଚନ୍ଦନ ଓଡିଶା ଷ୍ଟିଲ୍‌ ଲିମିଟେଡ଼ ମାଧ୍ୟମରେ ଯେ କୋଟି କୋଟି ଟଙ୍କା ଲୁଟିକରି ଅନ୍ତର୍ଦ୍ଧାନ ହେବାକୁ ବସିଛନ୍ତି ସେକଥା ମୁଁ ବୁଝିପାରିଲି ଏବଂ ସେହି ଅର୍ଥର ସଂରକ୍ଷଣ ପାଇଁ ମୋତେ ଏଠାରେ ପାଗଳ ବେଶରେ ଦିନ ପରେ ଦିନ ଅପେକ୍ଷା କରିବାକୁ ପଡ଼ିଲା । ଆଉ ମୁଁ ଜାଣିଥିଲି ଏଇଠି ଅପେକ୍ଷା କଲେ ଆପଣଙ୍କୁ ମଧ୍ୟ ଭେଟିବି ।

 

ଅଶୋକ ଦାସ ଗଭୀର ମନଯୋଗ ସହକାରେ ସତ୍ୟବ୍ରତ ମହାପାତ୍ରଙ୍କ କଥା ଶୁଣୁଥିଲେ-। କହିଲେ, ହରିଚନ୍ଦନ ଆପଣଙ୍କୁ ସନ୍ଦେହ କରି ନ ଥିଲେ ?

 

ସତ୍ୟବ୍ରତ ମହାପାତ୍ର ସ୍ମିତ ହସି କହିଲେ, ସନ୍ଦେହରେ ଅବକାଶ ନଥିଲା । କାରଣ ଏଠାରେ ପ୍ରକୃତରେ ଗୋଟିଏ ଅସଲ ପାଗଳ ବାସ କରୁଥିଲା । ସେ ଯେ କେତେ ଦିନରୁ ଏଠାରେ ବାସ କରୁଥିଲା, ସେ ଖବର ହରିଚନ୍ଦନ ମଧ୍ୟ ରଖି ନଥିଲେ । ସେ ହୁଏତ ବହୁ ଭାବରେ ପାଗଳଟିକୁ ପରୀକ୍ଷା କରି ଦେଖିଲେ ଯେ, ଲୋକଟା ଆଦୌ ମାରାତ୍ମକ ନୁହେଁ । ତେଣୁ ତା’ ସମ୍ଭନ୍ଧରେ କୌଣସି ମନ୍ଦ ଧାରଣା ତାଙ୍କ ମନରେ ନ ଥିଲା । ମୁଁ ସେଇ ସୁଯୋଗ ନେଲି । ମାନେ ତାକୁ କୌଶଳରେ ଅଟକ କରି ମୁଁ ସେଇ ପାଗଳର ଭୂମିକା ଗ୍ରହଣ କଲି ।

 

ଚମତ୍କାର । ତା’ପରେ କୁହନ୍ତୁ ମି.ମହାପାତ୍ର ।

 

ତା’ପରେ ଆଉ କ’ଣ ? ଶେଷରେ ମୋର ଉଦ୍ଦେଶ୍ୟ ସାଧନ ହେଲା ।

 

ମାନେ; ଆପଣ ମୋତେ ବନ୍ଦୀ କରି ପାରିଲେ । କିନ୍ତୁ ମନେରଖନ୍ତୁ ମି.ମହାପାତ୍ର ! ମୁଁ ମଧ୍ୟ ଅପାତତଃ ଟିକିଏ ବିଶ୍ରାମ ଲୋଡୁଥିଲି । ସେଥିପାଇଁ ଜେଲ୍‍ବାସଟା ମନ୍ଦ ନୁହେଁ । କିନ୍ତୁ ଯେଉଁଦିନ ମନେ ହେବ ଜେଲ୍‌ ଆଉ ଭଲ ଲାଗୁନାହିଁ, ସେଦିନ କେହି ମୋତେ ଅଟକାଇ ରଖି ପାରିବେ ନାହିଁ । ଆପଣ ଧରି ନେଇ ପାରନ୍ତି ମୁଁ ସ୍ୱଇଚ୍ଛାରେ ବନ୍ଦୀ ଜୀବନ ବରଣ କରୁଛି ଏବଂ ନିଜ ଇଚ୍ଛାରେ...

 

ସେ’ତ ପରର କଥା । ସତ୍ୟବ୍ରତ ମହାପାତ୍ର କଥା କାଟି କହିଲେ । ସେ କଥା ଆପଣ ବୁଝିବେ ଆଉ ସରକାର ବୁଝିବେ । ମୁଁ ଆପଣଙ୍କୁ ପୋଲିସ ହାତରେ ସମର୍ପଣ କରି ମୋ କର୍ତ୍ତବ୍ୟ ସମାପନ କରିଛି । ଆସନ୍ତୁ, ଆପଣ ଟିକେ ରାଘବାନନ୍ଦ ହରିଚନ୍ଦନଙ୍କ ସହିତ ଆମର ପରିଚୟ କରାଇ ଦେବେ ।

 

ଅଶୋକ ଦାସ ସ୍ମିତ ହସି କହିଲେ, ଦେଶର ଯେଉଁମାନେ ବରେଣ୍ୟ ବ୍ୟକ୍ତି ଆପଣ ସେମାନଙ୍କୁ ଚିହ୍ନିନାହାନ୍ତି ? ଆଶ୍ଚର୍ଯ୍ୟ !

 

ଏମାନେ ଅପଣଙ୍କଠାରୁ ବି ମାରାତ୍ମକ । ରାଘବାନନ୍ଦ ହରିଚନ୍ଦନ ରାଜ୍ୟରେ ଚଲଳ ପକାଇ, ନିଜକୁ ଜଣେ ଶିଳ୍ପପତି ଆସନରେ ପ୍ରତିଷ୍ଠିତ କରାଇ ଖାଲି ଜନସାଧାରଣ ନୁହେଁ, ସରକାରଙ୍କ ଆଖିରେ ମଧ୍ୟ ଧୂଳି ଫିଙ୍ଗି ଯେଉଁଭଳି ଭାବରେ ଖସି ଯାଉଥିଲେ, ସେ ଭଳି ଲୋକଙ୍କର ଅପରାଧ କ୍ଷମଣୀୟ ନୁହେଁ ।

 

ଖାଲି ସେତିକି ନୁହେଁ ମି.ମହାପାତ୍ର । ରାଘବାନନ୍ଦ ହରିଚନ୍ଦନ ଜଣେ ଖୁଣୀ ଆସାମୀ ମଧ୍ୟ । ସେ ନିଜ ହାତରେ ଦୁଇଟି ଖୁଣ୍‌ କରିଛନ୍ତି କହିବାକୁ ହେବ ।

 

କିପରି ? ସତ୍ୟବ୍ରତ ମହାପାତ୍ର ପଚାରିଲେ ।

 

ଅଶୋକ ଦାସ ଉଦୟଶଙ୍କରଙ୍କ ଉଇଲ୍‌ ଠାରୁ ଆରମ୍ଭ କରି ରବିଶଙ୍କରଙ୍କ ଫାଶୀ ହେବା ଘଟଣା ଯାଏ ସବୁ ଗୋଟି ଗୋଟି କରି କହିଗଲେ । ସେ କିପରି ରବିଶଙ୍କରଙ୍କ ବିଧବା ପତ୍ନୀ ଜାନକିଦେବୀଙ୍କ ଆଖିର ଅଶ୍ରୁ ସହି ନ ପାରି ଏଇ ସମସ୍ୟା ଭିତରେ ମୁଣ୍ଡ ପୁରାଇ ଥିଲେ ଏବ ସମରେଶ ମଦନରାଏଙ୍କ ନିକଟରୁ ସତ୍ୟ ଘଟଣାର ଅନୁସନ୍ଧାନ କରିବାକୁ ଯାଇ ଗୋଟିକ ପରେ ଗୋଟିଏ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ଲାଗିଲେ ।

 

ସତ୍ୟବ୍ରତ ମହାପାତ୍ର ରାଘବନନ୍ଦ ହରିଚନ୍ଦନଙ୍କର ଅସଲ ପରିଚୟ ପାଇ ନ ଥିଲେ କିମ୍ବା ପୂର୍ବ ଘଟଣା ତାଙ୍କୁ ଆଦୌ ଜଣା ନ ଥିଲା । ସେ ଅଶୋକ ଦାସଙ୍କ ମୁହଁରୁ ସବୁକଥା ଶୁଣି ବିସ୍ମିତ ହୋଇ ଯାଇଥିଲେ । ହୁଏତ ସେ ଭାବି ପାରୁ ନ ଥିଲେ, ଗୋଟିଏ ମଣିଷ ନିଜର ସ୍ୱାର୍ଥ ସାଧନ ପାଇଁ କିପରି ଜଘନ୍ୟ କାର୍ଯ୍ୟ କରି ପାରେ !!

 

ଧୀରେ ରାତ୍ରି ଶେଷ ହୋଇ ଆସୁଥିଲା । ଅଶୋକ ଦାସ ସିଗାରେଟ୍ ଟାଣି ଗଳ୍ପ କରୁଥିଲେ । ସମରେଶ ମଦନରାଏଙ୍କ ଚେତା ଫେରି ଆସୁଥିଲା । ପୋଲିସ ଅଫିସର ଦୁଇଜଣ ଅଶୋକ ଦାସଙ୍କ ଦୁଇ ପାଖରେ ଉଦ୍ୟତ ରିଭଲଭର ହସ୍ତରେ ଠିଆ ହୋଇଥିଲେ । ସତ୍ୟବ୍ରତ ମହାପାତ୍ର ବାହାରକୁ ଚାହିଁ କହି ଉଠିଲେ, ହେଇ ସେମାନେ ଆସିଗଲେଣି ।

ଅଶୋକ ଦାସ ଦେଖିଲେ, ଏସ.ପି. ସାହେବଙ୍କ ସହ ଦଳେ ସଶସ୍ତ୍ର ପୋଲିସ ବାହିନୀ ଆଗେଇ ଆସୁଛନ୍ତି । ଅଶୋକ ଦାସ ନୀଳିମା ମୁହଁକୁ ଚାହିଁଲେ । କ୍ଷଣକ ପାଇଁ ଦୁଇଜଣଙ୍କ ଆଖି ଏକତ୍ର ମିଶିଗଲା । ଅଶୋକ ଦାସ ଦେଖିଲେ, ସେ ଆଖିରୁ ଘୃଣା ଓ ଅବଜ୍ଞା ଦୁରେଇ ଯାଇଛି, ପରିବର୍ତ୍ତେ ଫୁଟି ଉଠୁଚି କାରୁଣ୍ୟ ଓ ଆନ୍ତରିକତା । ଅଶୋକ ଦାସ ମନକୁ ମନ ହସି ଉଠିଲେ ।

ଏସ. ପି. ସାହେବ ସଦଳବଳେ ଉପସ୍ଥିତ ହୋଇ ଅଶୋକ ଦାସ ଆଡ଼େ ଚାହିଁ ଠିଆ ହୋଇଗଲେ ।

ଏଥର ଅଶୋକ ଦାସଙ୍କ ମୁହଁରେ ଅବଜ୍ଞାର ହସ ଫୁଟି ଉଠିଲା । କହିଲେ, ସୁପ୍ରଭାତ ଏସ. ପି. ସାହେବ ! ଦୁର୍ବ୍ଦିନର କଳାରାତ୍ରି ଶେଷ ହୋଇ ଯାଇଛି । ନୂତନ ସୂର୍ଯ୍ୟୋଦୟର ବାର୍ତ୍ତା ଘେନି ଆପଣ ପହଞ୍ଚିଛନ୍ତି। ବନ୍ଦୀ ଲାଲସିଂହ ଆପଣଙ୍କୁ ଅଭିନନ୍ଦନ ଜଣେଇବା ପାଇଁ ପ୍ରସ୍ତୁତ ହୋଇ ରହିଛି-

ଏସ. ପି. ସାହେବ ହଠାତ୍‌ କିଛି ବୁଝି ପାରିଲେ ନାହିଁ ।

ହୁଏତ ସେଇଟା ଥିଲା ବନ୍ଦୀ ଲାଲସିଂହର ବାଚାଳତା ।

Image